ପାରମ୍ପରିକ ଓଡ଼ିଆ ରାନ୍ଧଣାରେ ବଢ଼ାଭାତର ତୁଳନା ନାହିଁ। ଏହା ମୁଖ୍ୟତଃ ଶିଶୁଖାଦ୍ୟ ରୂପେ ପ୍ରସିଦ୍ଧ ହୋଇଥିଲେ ହେଁ ରୋଗୀ, ବୃଦ୍ଧ, ତରୁଣ ସମସ୍ତଙ୍କର ପ୍ରିୟ। ପୂର୍ବକାଳରେ ଆଈ, ଜେଜେମାଆ ମାନେ ଗୋଟେ ଛୋଟିଆ ମାଟି ଆଟିକାରେ ସମାନ ପରିମାଣର ଘରଭଜା ମୁଗଜାଇ, ଉଆପଖିଆ ଚାଉଳ, ତା’ର ଦେଢ଼ଗୁଣା ପାଣି, ସ୍ୱାଦ ଅନୁସାରେ ଲୁଣ, ବଡ଼ ବଡ଼ କଟା ଆଳୁ ଖଣ୍ଡ ଦେଇ ଧୀର ଜାଳରେ ଶିଝିବାକୁ ଛାଡ଼ି ଦେଉଥିଲେ। ଡାଲି, ଚାଉଳ, ଆଳୁ ସବୁ ସିଝି ଆସିଲା ବେଳକୁ ପୋଷେ କ୍ଷୀର ଦେଇ ଘୋଟି େଦଉଥିଲେ। ଲିଭିଲା ଚୁଲିରୁ ଆଟିକା ଓହ୍ଲାଇ ଘରମରା ସଜ ଗୁଆଘିଅ ଦେଇ ଛୁଆଙ୍କୁ ଖୁଆଇ ଦେଉଥିଲେ। ଡାଲି, ତରକାରି ବିନା ସବୁ ଛୁଆ ତାକୁ ଆନନ୍ଦରେ ଖାଉଥିଲେ। ମାଘମାସର ବାଘ ପରି ଶୀତରେ ଗାଁ ଗଣ୍ଡାର ଛୁଆ ପଖାଳ ନଖାଇ ବଢ଼ାଭାତ ଖୋଜୁଥିଲେ। ଆଜିକାଲି ପ୍ରେସର୍କୁକର୍ରେ ବି ଏହି ରାନ୍ଧଣାଟି କରିବା ଖୁବ ସହଜ। ବାସ୍ନା ପାଇଁ ଅନ୍ନପୂର୍ଣ୍ଣା ପତ୍ର ଟିକେ ଦେଲେ ସ୍ୱାଦ ଆହୁରି ବଢ଼ିଯାଏ। ପିଲାଙ୍କ ମନପସନ୍ଦ କାଜୁ, ବାଦାମମଞ୍ଜି ବା ପେସ୍ତା ଆଦି ସଜେଇ ଖୁଆଇ ପାରିବେ। ଗୁଆଘିଅ ପକା ବଢ଼ାଭାତ ଓଡ଼ିଆ ପିଲାଙ୍କ ପହିଲି ଗୁଣ୍ଡା ବୋଲି କଥା ଅଛି।
ପ୍ରଜ୍ଞାଶ୍ରୀ ରଥ
ମାଘ ମାସେ ବଢ଼ାଭାତ
/sambad/media/post_attachments/wp-content/uploads/2024/02/927e4cd3-c412-43f5-b46b-af896aa9d33d.jpeg)