ଶାଢ଼ି ଭାରତୀୟଙ୍କ ପାଇଁ ଏକ ପରିଧାନ ନୁହେଁ, ଏକ ପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ। ‘ଶାଢ଼ି’ ମହିଳାଙ୍କର ସେହି ଶୃଙ୍ଗାର, ଯାହା ସମସ୍ତଙ୍କୁ ବିମୋହିତ କରେ। ‘ଶାଢ଼ି’ କେବେ ଦ୍ରୌପଦୀଙ୍କ ଲଜ୍ଜା ରକ୍ଷାକାରୀ ଅସ୍ତ୍ର ପାଲଟିଛି ତ ପୁଣି କେବେ ନାରୀର ଶକ୍ତି ଓ ସୌନ୍ଦର୍ଯ୍ୟର ପ୍ରତୀକ ହୋଇଛି। ଝିଅଟିଏ ବାପଘରୁ ଶାଶୂଘର ଯିବାର ରୋମାଞ୍ଚକର ଯାତ୍ରାର ସାଥୀ ସେହି ଶାଢ଼ି। ଭାରତୀୟଙ୍କ ପାଇଁ ଶାଢ଼ି, କେବଳ କେଇ ହା‌େତ ଲମ୍ବ କପଡ଼ା ନୁହେଁ; ଆମ ସଂସ୍କୃତି ଓ ପରମ୍ପରାରେ ଏହାର ବହୁ ତାତ୍ପର୍ଯ୍ୟ ରହିଛି। ସମୟ ଥିଲା, ଶାଢ଼ିର ବୁଣା ଓ ପିନ୍ଧାଶୈଳୀ ମହିଳାଙ୍କୁ ପରିଚିତି ଦେଉଥିଲା, ସେ କେଉଁ ରାଜ୍ୟର ବାସିନ୍ଦା। ବୃହତ୍ତର ଦୃଷ୍ଟିରୁ ଦେଖିଲେ, ଶାଢ଼ି ଖାଲି କେଇଖଣ୍ଡ ସୂତାର ସମ୍ମିଶ୍ରଣ ନୁହେଁ, ବିଶ୍ବ ଫ୍ୟାସନ୍‌ ଜଗତକୁ ଏହା ଭାରତୀୟଙ୍କର ସବୁଠାରୁ ବଡ଼ ଅବଦାନ। ଆଉ ଶାଢ଼ିର ଏକ ସ୍ବକୀୟତା ହେଉଛି, ଯଦି ଗୋଟିଏ ଶାଢ଼ିକୁ ଭିନ୍ନ ଭିନ୍ନ ଶୈଳୀରେ ପିନ୍ଧାଯାଏ, ତେବେ ପ୍ରତି ଥର ତାହା ନୂଆ ଦିଶେ। ପାର୍ବଣ ସମ୍ଭାର ଏବଂ ବିବାହ ଓ ବ୍ରତ ଭଳି ସାମାଜିକ ଉତ୍ସବ ଆସର ଏବେ ଜମି ଆସୁଥିବା ବେଳେ ଭାରତୀୟଙ୍କ ଶାଢ଼ି ପିନ୍ଧାଶୈଳୀକୁ ନେଇ ଏଥରର ବିଶେଷ ଉପସ୍ଥାପନା...।
ଉପସ୍ଥାପନା: ସସ୍ମିତା ସାହୁ

Advertisment

ବୋଉ ଯେବେ ଶାଢ଼ି ପିନ୍ଧେ, ତା’ର ପଣତକାନି ପୂରା ପରିବାରର ସୁରକ୍ଷାଛାୟା ପାଲଟେ। ଘରର ବୋହୂ ଯେବେ ଶାଢ଼ି ପିନ୍ଧେ, ନିଜର ଲୋଚାକୋଚା ପଣତରେ ପାରିବାରିକ ଦାୟିତ୍ବ ଆବୋରି ନିଏ। ଘରର ଝିଅ ଶାଢ଼ି ପିନ୍ଧିଲେ, ସମସ୍ତଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାତ୍ରୀ ହୁଏ, ସେ ବଡ଼ ହୋଇଗଲା ବୋଲି ବୁଝାପଡ଼େ। ସେମିତି ପର୍ବପର୍ବାଣିରେ ସାନଝିଅଟିଏ ଶାଢ଼ି ପିନ୍ଧିଲେ ବଡ଼ମାନେ ତାକୁ କୌତୁକରେ ‘ବୁଢ଼ୀଟେ ହୋଇଥା’ ବୋଲି ଆଶୀର୍ବାଦ କରନ୍ତି। ‘ଶାଢ଼ି’ ପିନ୍ଧିବାର ନା କୌଣସି ବୟସ ଥାଏ ନା ସମୟ ବା ଫ୍ୟାସନ୍। ଯେବେ ‌ଗୋଟିଏ ପରିବାରର ତୃତୀୟ ପିଢ଼ି ଶାଢ଼ି ପିନ୍ଧନ୍ତି, ପାରମ୍ପରିକତା ଓ ଆଧୁନିକତାର ଏକ ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଥାଏ। ନାରୀ ଓ ଶାଢ଼ିର ଡୋରି ବହୁ ପୁରୁଣା। ଭାରତୀୟ ପରମ୍ପରାରେ ଶାଢ଼ି ପିନ୍ଧିବାର ମହତ୍ତ୍ବ ଯେତିକି, ଏହାର ଶୈଳୀ ବି ସେତିକି କମନୀୟ। ଶାଢ଼ି ପିନ୍ଧ‌ାଶୈଳୀ ଦେଖିଲେ, ‌କିଏ କେଉଁ ରାଜ୍ୟ ଓ ସଂସ୍କୃତିର ତାହା ସଙ୍ଗେ ସଙ୍ଗେ ବାରି ହୋଇଯାଏ। ଶାଢ଼ିକୁ ଭିନ୍ନ ଭିନ୍ନ ଶୈଳୀରେ ପିନ୍ଧି ଭାରତୀୟମାନେ ଏହି ପରିଚ୍ଛଦର ସୌନ୍ଦର୍ଯ୍ୟକୁ ଯେଉଁ ସ୍ତରରେ ପହଞ୍ଚାଇଛନ୍ତି, ତାହା ଫ୍ୟାସନ୍ ଜଗତରେ ନିଶ୍ଚିତ ଅଦ୍ବିତୀୟ। ଆସନ୍ତୁ ଭାରତର ବିଭିନ୍ନ ରାଜ୍ୟର ଶାଢ଼ି ପିନ୍ଧାଶୈଳୀ ସମ୍ପର୍କରେ ଅଧିକ ଜାଣିବା।

ମହାରାଷ୍ଟ୍ରରେ ଲୋକପ୍ରିୟ ‘ନୌୱାରୀ’ ଶୈଳୀ
ମହାରାଷ୍ଟ୍ରରେ ମହିଳାମାନେ ଶାଢ଼ିରେ କୁଞ୍ଚ ନ କରି ଧୋତି ପିନ୍ଧିଲା ପରି ଶାଢ଼ି ପରିଧାନ କରିଥା’ନ୍ତି। ଏହାକୁ ମରାଠୀ ଭାଷାରେ ‘ନୌୱାରୀ’ ଶୈଳୀ କୁହାଯାଏ। ସାଧାରଣତଃ ଶାଢ଼ିର ଲମ୍ବ ୫ରୁ ୬ ମିଟର ହୋଇଥିବା ବେଳେ ସେଠାକାର ଶାଢ଼ି ୯ ମିଟର ହୋଇଥାଏ। ଏଣୁ ନଅ ଶବ୍ଦର ପ୍ରୟୋଗ ହେତୁ ପିନ୍ଧାଶୈଳୀର ନାମ ‘ନୌୱାରୀ’ ହୋଇଛି। ଭାରତୀୟ ପରମ୍ପରାରେ କେବଳ ପୁରୁଷମାନେ ହିଁ ଯୁଦ୍ଧରେ ଅଂଶଗ୍ରହଣ କରୁଥିଲେ। କିନ୍ତୁ ପରିସ୍ଥିତିରେ ପଡ଼ି ମରାଠୀ ମହିଳାମାନଙ୍କୁ ବି ଯୁଦ୍ଧରେ ସାମିଲ ହେବାକୁ ପଡ଼ିଲା। ଏଥିପାଇଁ ସେମାନେ ବିନା ପେଟିକୋଟ୍‌ରେ ଶାଢ଼ିକୁ ଧୋତି ବା ପ୍ୟାଣ୍ଟ୍‌ ଭଳି ପିନ୍ଧିବା ଆରମ୍ଭ କରିଥିଲେ। ଏହାଫଳରେ ମହିଳା ଯୋଦ୍ଧାମାନଙ୍କୁ ଚଳପ୍ରଚଳରେ ସୁବିଧା ହୋଇଥିଲା ଏବଂ ଏହି ଶାଢ଼ି ପିନ୍ଧା‌ଶୈଳୀ ସେତେବେଳେ ଲୈଙ୍ଗିକ ସମାନତାର ପ୍ରତୀକ ଭାବେ ପରିଗଣିତ ହୋଇଥିଲା। ଏହା ମହିଳାଙ୍କୁ କୃଷି, ସାମରିକ କଳା ତାଲିମ ଆଦି କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ସହାୟକ ହୋଇଥିଲା। ଏବେ ବି ପୂଜାପାର୍ବଣରେ ମହାରାଷ୍ଟ୍ରରେ ମହିଳାମାନେ ନୌୱାରୀ ଶୈଳୀରେ ଶାଢ଼ି ପିନ୍ଧନ୍ତି।

ବିହାରର ‘ପୂର୍ଣ୍ଣିୟା’ ଶାଢ଼ି ପିନ୍ଧାଶୈଳୀ
ବିହାରର ଇତିହାସ ‌େଯତିକି ସମୃଦ୍ଧ, ଏହାର ଶାଢ଼ି ପିନ୍ଧାଶୈଳୀ ‘ପୂର୍ଣ୍ଣିୟା’ର ଇତିହାସ ବି ସେତିକି ରୋଚକ। ବିହାର ସବୁବେଳେ ଏକ ରକ୍ଷଣଶୀଳ ରାଜ୍ୟ ଭାବେ ଜଣାଶୁଣା। ଏଠାରେ ମୁଣ୍ଡରେ ଲମ୍ବା ଓଢ଼ଣା ଦେବାକୁ ମହିଳାଙ୍କ ସମ୍ମାନର ଚିହ୍ନ ଭାବେ ଅଭିହିତ କରାଯାଏ। ‘ପୂର୍ଣ୍ଣିୟା’ ଶାଢ଼ି ପିନ୍ଧାଶୈଳୀରେ ମୁଣ୍ଡରେ ଓଢ଼ଣା ଦେବାକୁ ଅଧିକ କାନି ଛଡ଼ାଯାଇଥାଏ। ବିହାରର ପାଣିପାଗ ଉତ୍ତପ୍ତ ଓ ଆର୍ଦ୍ରତା ଭରା ହୋଇଥିବାରୁ, ଖରାରୁ ନିଜକୁ ବଞ୍ଚାଇବା ପାଇଁ ବି ଓଢ଼ଣାରେ ମୁଣ୍ଡ ଢାଙ୍କିବା ଆବଶ୍ୟକତା ଥିଲା। ଏହି ପୂର୍ଣ୍ଣିୟା ଶାଢ଼ି ପିନ୍ଧାଶୈଳୀରେ କୌଣସି କୁଞ୍ଚ ନଥାଏ। ଶାଢ଼ିର କାନିକୁ ଅଣ୍ଟାର ବାମ ପାଖରେ ଖାଲି ଖୁଞ୍ଚି ଦିଆଯାଏ, ଯାହା ଫଳରେ ଅଧିକରୁ ଅଧିକ କପଡ଼ା ମୁଣ୍ଡ ଢାଙ୍କିବାକୁ ରହିଯାଏ ଏବଂ ମହିଳାମାନେ ମୁଣ୍ଡରେ ଓଢ଼ଣା ଟାଣିପାରନ୍ତି।

ଭାରତୀୟଙ୍କ ପସନ୍ଦ ‘ନିଭି’ ଶୈଳୀ
କୁଞ୍ଚ କରି ବାମ ପାଖରେ ଶାଢ଼ିକାନିକୁ ପ୍ଲିଟ୍‌ କରି ପିନ୍ଧିବା ଶୈଳୀକୁ ‘ନିଭି ଶାଢ଼ି ପିନ୍ଧାଶୈଳୀ’ କୁହାଯାଏ। ଏହା ଏବେ ଭାରତର ସବୁଠାରୁ ଅଧିକ ଲୋକପ୍ରିୟ ଓ ବହୁ ପ୍ରଚଳିତ ଶାଢ଼ି ପିନ୍ଧାଶୈଳୀ। କୁହାଯାଏ, ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ଭାଉଜ ଜ୍ଞାନଦାନନ୍ଦିନୀ ଦେବୀ ସର୍ବପ୍ରଥମେ ଏହି ଶୈଳୀରେ ଶାଢ଼ିପିନ୍ଧା ଆରମ୍ଭ କରିଥିଲେ। ଜ୍ଞାନଦାନନ୍ଦିନୀ ଥିଲେ ବଙ୍ଗୀୟା। ସେତେବେଳେ ବଙ୍ଗରେ ଶାଢ଼ି ବିନା ବ୍ଲାଉଜ୍‌ରେ ପିନ୍ଧା ଯାଉଥିଲା। କିନ୍ତୁ ଯେତେବେଳେ ସେ ସ୍ବାମୀ ସତ୍ୟେନ୍ଦ୍ରନାଥ ଠାକୁରଙ୍କ ସହ ବମ୍ବେରେ ରହିବାକୁ ଆସିଥିଲେ, ସେଠାରେ ଶାଢ଼ି ପିନ୍ଧିବା ଶୈଳୀ ଭିନ୍ନ ଥିଲା। ବମ୍ବେରେ ମହିଳାମାନେ ପାର୍ସୀ ଶୈଳୀରେ ଶାଢ଼ି ଭିତରେ ବ୍ଲାଉଜ୍‌ ଓ ପେଟିକୋଟ୍‌ ପିନ୍ଧୁଥିଲେ। ସେଠାରେ ବିନା ବ୍ଲାଉଜ୍‌ରେ ଶାଢ଼ି ପିନ୍ଧିବା ଗ୍ରହଣୀୟ ନଥିଲା। ଏଥିପାଇଁ ଜ୍ଞାନଦାନନ୍ଦିନୀ ପାର୍ସୀ ଶାଢ଼ିପିନ୍ଧା ଶୈଳୀ ସହ ନିଜ ଶୈଳୀକୁ ଯୋଡ଼ିଥିଲେ। କାନିକୁ ଡାହାଣ ପାର୍ଶ୍ବ ବଦଳରେ ବାମ ପଟକୁ ପକାଇବା ଆରମ୍ଭ କରିଥିଲେ। ଫଳରେ ତାଙ୍କର ଡାହାଣ ହାତ କାମ କରିବାକୁ ମୁକ୍ତ ରହିଲା। ଭାରତୀୟ ମହିଳାମାନେ ଘରେ ବହୁ କାମ କରୁଥିବାରୁ, ବାମ ପଟେ କାନି ପକାଇବା‌ ଶୈଳୀ ଧୀରେ ଧୀରେ ଅଧିକ ଲୋକପ୍ରିୟ ହେବାକୁ ଲାଗିଲା ଓ ସେଠାରୁ ଅାରମ୍ଭ ହୋଇଥିଲା ‘ନିଭି ଶାଢ଼ି ପିନ୍ଧାଶୈଳୀ’। ଆଜି ଏହା ଏତେ ଲୋକପ୍ରିୟ ଯେ ଭାରତର ପ୍ରତି ରାଜ୍ୟର ମହିଳା ସାଧାରଣତଃ ଏହି ଶୈଳୀରେ ଶାଢ଼ି ପିନ୍ଧନ୍ତି।

କର୍ଣ୍ଣାଟକର ‘କୁର୍ଗି’ ଶାଢ଼ି ପିନ୍ଧାଶୈଳୀ
ଏହି ଶୈଳୀରେ ଶାଢ଼ି କୁଞ୍ଚକୁ ଆଗ ବଦଳରେ ପଛପଟେ କରାଯାଏ। କର୍ଣ୍ଣାଟକର  ‘କୁର୍ଗି’  ପିନ୍ଧାଶୈଳୀ ସାରା ବିଶ୍ବରେ ବେଶ୍‌ ପ୍ରସିଦ୍ଧ। କୁର୍ଗି ଶାଢ଼ି ପିନ୍ଧାଶୈଳୀ ନେଇ ଏକ ପୌରାଣିକ କଥାବସ୍ତୁ ବି ରହିଛି। କୁହାଯାଏ, କର୍ଣ୍ଣାଟକରେ ନଦୀର ସ୍ରୋତକୁ ବଢ଼ାଇ ଲୋକମାନଙ୍କ ପାଖରେ ଜଳସ୍ରୋତ ପହଞ୍ଚାଇବାକୁ ଋଷି ଅଗସ୍ତ୍ୟଙ୍କ ପତ୍ନୀ କାବେରୀ ନିଜକୁ ନଦୀରେ ରୂପାନ୍ତରିତ କରିଥିଲେ। ନିଜ ପତ୍ନୀଙ୍କୁ ନଦୀରେ ପରିବର୍ତ୍ତିତ ହେବା ଦେଖି ଋଷି ଅଗସ୍ତ୍ୟ ତାଙ୍କୁ ରୋକିବାକୁ ବହୁ ଉଦ୍ୟମ କରିଥିଲେ। ଏହି ଉଦ୍ୟମ ସମୟରେ କାବେରୀଙ୍କର ଶାଢ଼ିର କୁଞ୍ଚ ପଛପଟକୁ ବୁଲିଯାଇଥିଲା। ମା’ କାବେରୀଙ୍କ ସମର୍ପିତ ମନୋଭାବକୁ ସମ୍ମାନ ଜଣାଇ ସେବେଠାରୁ କର୍ଣ୍ଣାଟକର ମହିଳାମାନେ ଏହି ଶୈଳୀରେ ଶାଢ଼ିକୁଞ୍ଚ ପଛ ପଟକୁ ଖୁଞ୍ଚି ପିନ୍ଧନ୍ତି। ପରେ ଏହାକୁ ‘କୁର୍ଗି’ ଶୈଳୀ କୁହାଗଲା। ଏହି ଶୈଳୀରେ ଶାଢ଼ିର କାନିକୁ ଛାତି ଉପରେ ଗୁଡ଼ାଇ କାନ୍ଧରେ ବାନ୍ଧି ଦିଆଯାଏ। ଶାଢ଼ି ଭଳି ଏକ କପଡ଼ା ମୁଣ୍ଡରେ ବନ୍ଧାଯାଏ। ରେଶମ, ସାଟନ୍‌ ଓ କର୍ପାସ ପ୍ରସ୍ତୁତ ଶାଢ଼ି ଏହି ପିନ୍ଧାଶୈଳୀ ପାଇଁ ଉପଯୁକ୍ତ। ଏହି ଶାଢ଼ିପିନ୍ଧା ଶୈଳୀ କର୍ଣ୍ଣାଟକର ମହିଳାଙ୍କ ପାଇଁ ସୌନ୍ଦର୍ଯ୍ୟ ଓ ପରମ୍ପରାର ପ୍ରତୀକ। ଏହି ପିନ୍ଧା‌ଶୈଳୀ ପାହାଡ଼ୀ ଅଞ୍ଚଳରେ ମହିଳାଙ୍କ ଚଲାବୁଲାରେ ବି ସ୍ବାଚ୍ଛନ୍ଦ୍ୟ ଦେଇଥାଏ।

କେରଳର ‘ନମ୍ବୁଥିରି’ ଶାଢ଼ି ପିନ୍ଧାଶୈଳୀ
ଆର୍ଦ୍ରତ‌ା ଓ ଉତ୍ତାପ ହେତୁ କେରଳର ଲୋକମାନେ ଗୋଟାଏ ସୂତା କପଡ଼ା କେବଳ ନିଜ ଶରୀରର ତଳ ଭାଗରେ ବାନ୍ଧି ଦେଉଥିଲେ। ଉଭୟ ପୁରୁଷ ଓ ମହିଳା ଶରୀରର ଉପର ଭାଗ ଢାଙ୍କୁ ନଥିଲେ। କିନ୍ତୁ ନମ୍ବୁଥିରି, ନାୟର ଓ କ୍ଷେତ୍ରୀୟ ଆଦି ଉଚ୍ଚଜାତିର ଲୋକମାନେ ସମ୍ଭ୍ରାନ୍ତ ଦେଖାଯିବା ପାଇଁ ନିଜ ଉପର ଭାଗ ଶରୀରକୁ ଏକ ମେଲ୍‌ମୁଣ୍ଡୁ ବା ସାଲ୍‌ରେ ଢାଙ୍କି ରଖୁଥିଲେ। ଏଣୁ ‘ନମ୍ବୁଥିରି ଶାଢ଼ି ପିନ୍ଧାଶୈଳୀ’ର ଦୁଇଟି ଭାଗ ରହିଥାଏ। ଏହାର ମିଶ୍ରଣକୁ ମୁଣ୍ଡୁମ୍‌ ନେରିୟାଥୁମ୍‌ କୁହାଯାଏ। ମୁଣ୍ଡୁମ୍ ହେଉଛି କପଡ଼ାର ତଳ ଅଂଶ। ନେରିୟାଥୁମ୍‌ ଅର୍ଥ କପଡ଼ାର ଉପର ଭାଗ। ଯାହାକୁ କୁଞ୍ଚ କରି ବ୍ଲାଉଜ୍‌ ଭିତରେ ଖୁଞ୍ଚି ଦିଅାଯାଏ। ଏଥିରେ ‌ସୁନେଲି ରଙ୍ଗର ଧଡ଼ି ସାମ୍‌ନାକୁ ରୁହେ ଓ ପରିପାଟ୍ଟୀକୁ ସୁନ୍ଦର ରୂପ ଦିଏ। ଏହି ଶାଢ଼ି ପିନ୍ଧାଶୈଳୀ ଏବେ ଅଧିକ ପ୍ରଚଳିତ ନଥିବା ବେଳେ ‘ଓନମ୍’ ଭଳି ପର୍ବରେ ମହିଳାମାନେ ଏଭଳି ଶାଢ଼ି ପିନ୍ଧି ନୃତ୍ୟ ପରିବେଷଣ କରିଥା’ନ୍ତି।  

ଗୋଆର ‘ଧାଙ୍ଗଡ୍‌’ ଶାଢ଼ି ପିନ୍ଧାଶୈଳୀ
ଧୋତି ଭଳି ଆଣ୍ଠୁ ଯାଏ ପିନ୍ଧାଯାଉଥିବା ଶୈଳୀକୁ ‘ଧାଙ୍ଗଡ୍‌ ଶାଢ଼ି ପିନ୍ଧାଶୈଳୀ’ କୁହାଯାଏ। ଧାଙ୍ଗଡ୍‌ ଶୈଳୀକୁ ‘ସେଫର୍ଡସ୍‌ ଶୈଳୀ’ ବି କୁହାଯାଏ। ଉତ୍ତର ଗୋଆର ମହିଳାମାନେ ବିନା ପେଟିକୋଟ୍‌ରେ ଅଣ୍ଟାରେ ଗଣ୍ଠିକରି ଶାଢ଼ି ପିନ୍ଧିଥା’ନ୍ତି। ପ୍ରଥମେ ଏକ ଶାଢ଼ି କୁଞ୍ଚକଲା ଭଳି ପିନ୍ଧି, ଶାଢ଼ି କ‌ାନିକୁ ବାମପଟେ ପକାଯାଏ। ଧୋତି ଭଳି ବାନ୍ଧିବା ପାଇଁ ଶାଢ଼ିର ତଳ ଭାଗକୁ ଆଗପଟୁ ପଛପଟକୁ ନେଇ ଖୁଞ୍ଚି ଦିଆଯାଏ ଏବଂ କାନିକୁ ପଛରୁ ଆଣି ଅଣ୍ଟାରେ ବାନ୍ଧି ଦିଆଯାଏ। ଏମିତି ଶାଢ଼ି ପିନ୍ଧିଲେ ମହିଳାମାନଙ୍କୁ ଜଙ୍ଗ‌ଲରେ ପଶୁ ଚରାଇବା ଓ ସମୁଦ୍ରରେ କାମ କରିବା ସହଜ ହୋଇଥାଏ।

‘ସାନ୍ତାଳୀ’ ଶାଢ଼ି ପିନ୍ଧାଶୈଳୀ
ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର ସ୍ବତନ୍ତ୍ର ଜନଜାତି ସାନ୍ତାଳୀମାନେ ନିଜସ୍ବ ଶୈଳୀରେ ଶାଢ଼ି ପିନ୍ଧିଥା’ନ୍ତି। ଏଠାକାର ମହିଳାମାନଙ୍କୁ ପ୍ରତିଦିନ ଜଙ୍ଗଲକୁ ଯାଇ ପତ୍ର ଓ ଫଳ ସଂଗ୍ରହ କରିବାକୁ ପଡ଼େ। ଚଲାବୁଲାରେ ସହଜ ହେବା ପାଇଁ ଏମାନଙ୍କୁ ଶାଢ଼ିକୁ ଟିକେ ଛୋଟ କରି ପିନ୍ଧିବାକୁ ପଡ଼େ। ସାନ୍ତାଳୀଙ୍କ ପରିଧାନରେ ଦୁଇଟି ଭାଗ ଥାଏ। ତଳଭାଗର ପରିଧାନକୁ ‘ପଲ୍‌ହଡ୍‌’ ଓ ଉପର ଭାଗକୁ ‘ପଞ୍ଚି’ କୁହାଯାଏ। ‘ପଲ୍‌ହଡ୍‌’କୁ ତଳଭାଗରେ ଭଲଭାବେ ଗୁଡ଼ାଯାଏ ଓ ‘ପଞ୍ଚି’କୁ ଅଣ୍ଟାରେ ବାନ୍ଧି, ତଳପଟୁ ନେଇ ବାମ ପଟ କାନ୍ଧରେ ପକାଯାଏ। ଅବଶିଷ୍ଟ କପଡ଼ାକୁ ଅଣ୍ଟାରେ ବନ୍ଧାଯାଏ। ଆଦିବାସୀମାନଙ୍କର ଏହା ଏକ ପ୍ରସିଦ୍ଧ ଶାଢ଼ି ପିନ୍ଧାଶୈଳୀ ଅଟେ।

‘ସିଧା ପଲ୍ଲୁ’ ଶାଢ଼ି ପିନ୍ଧାଶୈଳୀ
ଗୁଜରାଟ ଓ ମଧ୍ୟପ୍ରଦେଶରେ ମହିଳାମାନେ କାନି ପଛପଟ ବଦଳରେ ଆଗପଟେ ପକାଇଥା’ନ୍ତି। ଜର୍ଜେଟ୍‌, ସିଫନ୍‌ ଭଳି ହାଲୁକା ଫେବ୍ରିକ୍‌ରୁ ନେଇ ବନାରସୀ ଓ କାଞ୍ଜିଭରମ୍ ଭଳି ଭାରୀ ଫେବ୍ରିକ୍‌ର ଶାଢ଼ି ଏହି ସିଧା ପଲ୍ଲୁ ଶୈଳୀରେ ପିନ୍ଧାଯାଇପାରେ। ପଛପଟେ ଶାଢ଼ି କାନି ରହିବା ଫଳରେ କାନିରେ ହୋଇଥିବା ସମସ୍ତ କଳାକାରୀ ଲୁଚି ଯାଉଥିଲା। ଏଣୁ ସିଧା ପଲ୍ଲୁ ଶାଢ଼ି ପିନ୍ଧା ଆରମ୍ଭ ହୋଇଥିଲା। ଏହି ଶାଢ଼ି ପିନ୍ଧାଶୈଳୀରେ ମହିଳାମାନେ ନିଜ ନିତିଦିନିଆ କାର୍ଯ୍ୟ ସହଜରେ କରିପାରନ୍ତି।

ଓଡ଼ିଆ ଓ ବଙ୍ଗୀୟ ଶାଢ଼ି ପିନ୍ଧାଶୈଳୀ
ଓଡ଼ିଆ ଓ ବଙ୍ଗୀୟମାନଙ୍କର ଶାଢ଼ି ପିନ୍ଧାଶୈଳୀ ପାଖାପାଖି ସମାନ। ଏହି ଶାଢ଼ି ପିନ୍ଧା ଶୈଳୀରେ ‘ନିଭି ଶୈଳୀ’ ଭଳି କୁଞ୍ଚ ନଥାଏ। ଶାଢ଼ିକୁ ଅଣ୍ଟା ପାଖେ ଗୁଡ଼ାଇ ସେଥିରେ ଦୁଇରୁ ତିନି ଚଉତ କରି ଶାଢ଼ିର ମଝି ଭାଗକୁ କୁଞ୍ଚ ଭଳି ଅଣ୍ଟାରେ ଖୁଞ୍ଚାଯାଏ। ଉଭୟ ରାଜ୍ୟର ଶାଢ଼ି ପିନ୍ଧା ଶୈଳୀରେ କାନି ଭାଗରେ ଅଧିକ କପଡ଼ା ଛଡ଼ାଯାଏ। କାନିରେ ପ୍ଲିଟ୍‌ କରି ବାମପଟ କାନ୍ଧରେ ରଖାଯାଏ। କାନି ମୁଣ୍ଡରେ ଉଭୟ ‌ବଙ୍ଗାଳୀ ଓ ଓଡ଼ିଆଣୀମାନେ ଘରର ଚାବିଲେନ୍ଥା ବାନ୍ଧିଥା’ନ୍ତି। ବଙ୍ଗୀୟାମାନେ ସେମାନଙ୍କ ଡାହାଣ କାନ୍ଧରେ ଏହି ଚାବିଲେନ୍ଥାର କାନି ପକାଉଥିବା ବେଳେ ଓଡ଼ିଆଣୀମାନେ ବାମକାନ୍ଧରେ ପକାନ୍ତି। ପଛରେ ବଳିଯାଇଥିବା କାନି କପଡ଼ାରେ ମୁଣ୍ଡରେ ଓଢ଼ଣା ଦିଅନ୍ତି। ଚାବି କାନିରେ ବାନ୍ଧି କାନ୍ଧରେ ପକାଇବାର ଅର୍ଥ ଥିଲା, ପରିବାରର ଦାୟିତ୍ବ ନିଜ ଉପରେ ନେବା। ସେହିଭଳି ଓଢ଼ଣା ଦେବା ଓଡ଼ିଆ ତଥା ବଙ୍ଗୀୟ ସାମାଜିକ ପରମ୍ପରାର ଅଂଶ। ଏହା ଗୁଜୁଜନଙ୍କୁ ସମ୍ମାନର ପ୍ରତୀକ ଭାବେ ଅଭିହିତ ହୁଏ।  

ତାମିଲ ବ୍ରାହ୍ମଣଙ୍କ ‘ମଦିସର’ ଶାଢ଼ି ପିନ୍ଧାଶୈଳୀ
ଏହି ଶୈଳୀରେ ଶାଢ଼ିକୁ ଅଣ୍ଟାର ମଝିରେ ଟାଇଟ୍‌ କରି ଗଣ୍ଠି ପକାଇ କୁଞ୍ଚ କରାଯାଏ। କୁଞ୍ଚକୁ ଧୋତି ଭଳି ପଛପଟେ ନେଇ ଖୁଞ୍ଚି ଦିଆଯାଏ। କାନିକୁ ବାମ ପଟକୁ ପକାଯାଏ। ଅବଶିଷ୍ଟ କାନିକୁ ଆଣି ଅଣ୍ଟାରେ ଖୋଷି ଦିଆଯାଏ। ଏଭଳି ଶାଢ଼ି ପିନ୍ଧା ଶୈଳୀକୁ ‘ମଦିସର’ କୁହାଯାଏ। ଦକ୍ଷିଣ ଭାରତର ତାମିଲ ବ୍ରାହ୍ମଣ ଘରର ମହିଳାମାନେ ସାଧାରଣତଃ ଏହି ଶୈଳୀରେ ଶାଢ଼ି ପିନ୍ଧିଥା’ନ୍ତି। ଯେହେତୁ ପରମ୍ପରାକ୍ରମେ ତାମିଲ ବ୍ରାହ୍ମଣମାନେ ପୂଜାପାଠରେ ଅଧିକ ସମୟ ବିତାଉଥିଲେ, ତେଣୁ ବ୍ରାହ୍ମଣ ପୁରୁଷମାନେ ‘କାଇଲି’ ବା ‘ସାରମ’ ପିନ୍ଧୁଥିଲେ; ଯାହାକୁ ଅଣ୍ଟାରେ କଷିକି ବନ୍ଧାଯାଉଥିଲା। ମହିଳାମାନେ ‘ମଦିସର’ ଶୈଳୀରେ ଶାଢ଼ି ପିନ୍ଧୁଥିଲେ। ଶାଢ଼ିକୁ ଟାଣ କରି ଅଣ୍ଟାରେ ବନ୍ଧାଯାଉଥିବାରୁ ଏହା ଅଣ୍ଟାର ସ୍ନାୟୁ ଓ ମେରୁଦଣ୍ଡ ହାଡ଼ରେ ଏକ ଚାପ ସୃଷ୍ଟି କରେ। ଫଳରେ ଭୋକ ଲାଗେନାହିଁ ଓ ବାରମ୍ବାର ପରିସ୍ରା ଲାଗିବା ସମସ୍ୟା ମଧ୍ୟ ଦେଖାଯାଏନାହିଁ। ଏତଦ୍ଦ୍ବାରା ବହୁ ସମୟ ଧରି ସେମାନେ ପୂଜାପାଠରେ ମନୋନିବେଶ କରିପାରୁଥିଲେ। ଏହି ଶାଢ଼ି ପିନ୍ଧାଶୈଳୀ ଅ‌ର୍ଦ୍ଧନାରୀଶ୍ବର ଅବଧାରଣାକୁ ବି ଉପସ୍ଥାପିତ କରିଥାଏ।