ବିଶ୍ବର ସୁନ୍ଦରତମ ‘ମମ୍ମି’

ପ୍ରାୟ ଶହେ ବର୍ଷ ତଳେ ମୃତ୍ୟୁବରଣ କରିଥିବା ରୋଜାଲିଆ ଲୋମ୍ବାର୍ଡୋ ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛନ୍ତି। ତାଙ୍କୁ ବିଶ୍ବର ସୁନ୍ଦରତମ ମମ୍ମିର ଆଖ୍ୟା ଦିଆଯାଇଛି। ୧୯୨୦ ମସିହା ଡିସେମ୍ବର ୨ ତାରିଖରେ ନିଜର ଦ୍ବିତୀୟ ଜନ୍ମଦିନର କିଛି ଦିନ ପୂର୍ବରୁ ନିମୋନିଆ ରୋଗରେ ରୋଜାଲିଆର ମୃତ୍ୟୁ ହୋଇଥିଲା। ଏହା ପରେ ରୋଜାଲିଆର ମୃତଦେହକୁ ଏକ କାଚ କଫିନ୍‌ ଭିତରେ ସଂରକ୍ଷିତ କରି ରଖାଯାଇଛି, ଯାହା ଇଟାଲିର ସିସିଲିରେ ଥିବା କାପୁଚିନ୍ କାଟାକମ୍ବସ୍‌ ପାଲେର୍‌ମୋରେ ପ୍ରଦର୍ଶିତ ହୋଇଆସୁଛି। ରୋଜାଲିଆର ଶରୀରକୁ ପ୍ରାକୃତିକ ବିଘଟନରୁ ରକ୍ଷା କରିବା ପାଇଁ ସେ ଥିବା କାଚ କଫିନ୍‌ଟିରେ ନାଇଟ୍ରୋଜେନ୍ ଗ୍ୟାସ୍‌ ଭର୍ତ୍ତି କରାଯାଇଛି। ସେହି କାରଣରୁ ଏକ ଶତାବ୍ଦୀ ପରେ ମଧ୍ୟ ରୋଜାଲିଆର ଶରୀର ଅତ୍ୟନ୍ତ ସତେଜ ରହିଛି। ରୋଜାଲିଆକୁ ନେଇ ଅନେକ ଭୌତିକ କାହାଣୀ ରହିଛି।

କେହି କେହି ତାକୁ ଆଖିମିଟିକା ମାରୁଥିବାର ଦେଖିଥିବା ଦାବି କରନ୍ତି। ରୋଜାଲିଆର ଲାଲ ଚୁଟି ଓ ଚର୍ମ କିପରି ଅକ୍ଷତ ଅବସ୍ଥାରେ ଏତେ ବର୍ଷ ରହିଛି ତାହା ଅନେକଙ୍କୁ ବିସ୍ମିତ କରିଥାଏ। ଅନେକ ସନ୍ଦେହ କରନ୍ତି ଯେ ଏହା ହେଉଛି ରୋଜାଲିଆର ମହମ ନିର୍ମିତ ପ୍ରତିକୃତି। କିନ୍ତୁ ଏକାଧିକ ପରୀକ୍ଷା ସାହାଯ୍ୟରେ ଏହା ବାରମ୍ବାର ପ୍ରମାଣିତ ହୋଇଛି ଯେ ରୋଜାଲିଆର ମୃତଦେହ ଅସଲି। ପରୀକ୍ଷାରୁ ଏହା ମଧ୍ୟ ସିଦ୍ଧ ହୋଇଛି ଯେ ରୋଜାଲିଆର ଅଙ୍ଗଗୁଡ଼ିକ ସଂପୂର୍ଣ୍ଣ ଅକ୍ଷତ ଏବଂ କେବଳ ମସ୍ତିଷ୍କର ଆକାର ୫୦% ସଂକୁଚିତ ହୋଇଯାଇଛି। ଆଲ୍‌ଫ୍ରେଡୋ ସାଲାଫିଆ ନାମକ ଶବ ସଂରକ୍ଷଣ ବିଶେଷଜ୍ଞ ରୋଜାଲିଆକୁ ମମ୍ମିରେ ରୂପାନ୍ତରିତ କରିଥିଲେ। ଉଲ୍ଲେଖନୀୟ ଯେ କାପୁଚିନ୍ କାଟାକମ୍ବସ୍‌ ସଂଗ୍ରହାଳୟ ମୃତ ଓ ଜୀବିତଙ୍କ ମିଳନସ୍ଥଳୀ ଭାବେ ସୁପରିଚିତ କାରଣ ଏଠାରେ ପ୍ରାୟ ୮,୦୦୦ ମୃତଦେହ ଓ ୧,୨୮୪ ମମ୍ମି ସଂରକ୍ଷିତ ହୋଇ ରହିଛି।

ସମ୍ବନ୍ଧିତ ଖବର