ଅଧିକ ମାଂସାହାର ସଂପୂର୍ଣ୍ଣ ସ୍ବାସ୍ଥ୍ୟୋପଯୋଗୀ ନୁହେଁ କି ପୃଥିବୀର ପରିବେଶ ଲାଗି ହିତକର ନୁହେଁ। ତଥାପି ମଣିଷ ଅଧିକରୁ ଅଧିକ ପରିମାଣର ମାଂସ ଭକ୍ଷଣ କରିବା ଜାରି ରଖିଛି। ଏହି କ୍ରମରେ ଅଜଗର ସାପର ମାଂସ ଖାଇବା ଦ୍ବାରା ପରିବେଶ ପ୍ରଦୂଷଣ ହ୍ରାସ ପାଇପାରିବ ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାପଡ଼ିଛି।
ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟର ଦଳେ ଗବେଷକଙ୍କ ନିର୍ଯାସ ଅନୁଯାୟୀ, ମାଂସ ପାଇଁ କୁକୁଡ଼ା, ବତକ, ଛେଳି, ମେଣ୍ଢା, ଘୁଷୁରି ଓ ଗାଈ ପରି ପଶୁଙ୍କୁ ପାଳିବା ଅପେକ୍ଷା ଅଜଗର ସାପ ଚାଷ କରିବା ଯେତିକି ଲାଭଜନକ, ତାହାର ମାଂସ ମଧ୍ୟ କମ୍ ପ୍ରଦୂଷଣ ସୃଷ୍ଟିକାରୀ। ପାଳିତ ପଶୁମାନେ ଖାଉଥିବା ଖାଦ୍ୟ ଓ ସେମାନଙ୍କଠାରୁ ଉତ୍ପନ୍ନ ମାଂସର ଅନୁପାତରୁ କେଉଁ ଜୀବ ପାଳନ କେତେ ପରିବେଶ ଅନୁକୂଳ ତାହା ଜଣାପଡ଼ିଥାଏ। ଗୋମାଂସ କ୍ଷେତ୍ରରେ ଏହି ଅନୁପାତ ୧୦.୦, ଘୁଷୁରି ମାଂସ ଲାଗି ୬.୦, କୁକୁଡ଼ା ଲାଗି ୨.୮, ସାଲ୍ମନ୍ ମାଛ ଲାଗି ୧.୫ ହୋଇଥିବା ବେଳେ ଅଜଗର କ୍ଷେତ୍ରରେ ଏହା ସର୍ବନିମ୍ନ ୧.୨ ରହିଛି।
ଅଜଗର ସାପ ମାସ ମାସ ଉପବାସ ରହିପାରେ ଏବଂ ଉପବାସ ଥିଲା ବେଳେ ମଧ୍ୟ ଏହାର ଶରୀର ବୃଦ୍ଧି ଜାରି ରହିଥାଏ। ତେଣୁ ଅଜଗର ମାଂସ ଭବିଷ୍ୟତର ବିଶ୍ବ ଖାଦ୍ୟ ସଂକଟ ସହ ଲଢ଼ିବାର ଏକ ଉତ୍କୃଷ୍ଟ ବିକଳ୍ପ ହୋଇପାରିବ
ଅଜଗର ସାପ ଉପବାସ ଥିଲା ବେଳେ ମଧ୍ୟ ଏହାର ଶରୀର ବୃଦ୍ଧି ଜାରି ରହିଥାଏ। ସାପ ମାସ ମାସ ଉପବାସ ରହିପାରୁଥିବାରୁ ଖାଦ୍ୟ ଓ ପାନୀୟ ଅଭାବ ଥିବା ସ୍ଥାନରେ ଏହାର ପାଳନ ସୁବିଧାରେ ହୋଇପାରିବ। କଂସେଇଖାନାରେ ବଳିପଡୁଥିବା ମାଂସକୁ ଅଜଗରର ଖାଦ୍ୟ ରୂପେ ବ୍ୟବହାର କରିହେବ। ତେଣୁ ଅଜଗର ମାଂସ ଭବିଷ୍ୟତର ବିଶ୍ବ ଖାଦ୍ୟ ସଂକଟ ସହ ଲଢ଼ିବାର ଏକ ଉତ୍କୃଷ୍ଟ ବିକଳ୍ପ ଭାବରେ ଉଭା ହୋଇପାରିବ। ଅବଶ୍ୟ ପରିବେଶ ସୁରକ୍ଷା ନାମରେ ଅଜଗର ସାପର ମାଂସକୁ ରାତାରାତି ସର୍ବଗ୍ରାହ୍ୟ କରାଇବା ସମ୍ଭବ ନୁହେଁ। ସାପ ପ୍ରତି ରହିଥିବା ଭୟ ଯୋଗୁଁ ଏଥିପାଇଁ ଦୀର୍ଘ ସମୟ ଲାଗିପାରେ। ତେବେ ମାଂସାହାରୀମାନେ ଅଜଗର ପରି ଏକ ପରିବେଶ ଅନୁକୂଳ ଜୀବର ମାଂସକୁ ଆଦରିନେବା ଉଚିତ ବୋଲି ବୈଜ୍ଞାନିକମାନେ କହୁଛନ୍ତି।