ଦୁନିଆର ସବୁଠୁ ଦୁର୍ମୂଲ୍ୟ

ବିଳାସମୟ ତଥା ଦୁର୍ମୂଲ୍ୟ ସାମଗ୍ରୀର ଅଧିକାରୀ ହେବାକୁ କାହାର ବା ମନ ନ ଥାଏ! କିନ୍ତୁ ସମସ୍ତଙ୍କ ଭାଗ୍ୟରେ ତାହା ଜୁଟେନି। ଅବଶ୍ୟ ଏଥିପାଇଁ ଆର୍ଥିକ ଅବସ୍ଥା ଓ ରୁଚି ସମେତ ଅନ୍ୟାନ୍ୟ କେତେକ କାରଣ ଦାୟୀ। ସେ ଯାହାହେଉ, ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ‌ପ୍ରଚୁର ଅର୍ଥ ଅଛି ଏବଂ ସେମାନେ ଏକାଧିକ ମୂଲ୍ୟବାନ୍‌ ସମ୍ପତ୍ତି ଓ ସାମଗ୍ରୀର ଅଧିକାରୀ ହେବାକୁ ଚାହାନ୍ତି। ଆଉ କେତେକ ଅଛନ୍ତି ଯେଉଁମାନେ ଅର୍ଥକୁ ଖାତିର ନ କରି ଦୁର୍ମୂଲ୍ୟ ଚିଜ କିଣିବାରେ ସଉକ ରଖନ୍ତି। ଦୁନିଆର ସେମିତି କିଛି ଦୁର୍ମୂଲ୍ୟ ସମ୍ପତ୍ତି ଓ ସାମଗ୍ରୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ହିଷ୍ଟ୍ରି ସୁପ୍ରିମ୍‌ ୟଟ୍‌ (୪,୫୦୦ ମିଲିୟନ୍‌ ଡଲାର୍‌)
ଏହା ହେଉଛି ବିଶ୍ବର ସବୁଠାରୁ ବଡ଼ ଏବଂ ବିଳାସମୟ ୟଟ୍‌ ବା ଜାହାଜ। ୧୦୦ ଫୁଟ୍‌ ଲମ୍ବର ଏହି ୟଟ୍‌କୁ ମାଲେସିଆର ସବୁଠୁ ଧନୀ ବ୍ୟବସାୟୀ ରବର୍ଟ ନକ୍‌ କିଣିଛନ୍ତି ବୋଲି କୁହାଯାଏ। ଇଂଲଣ୍ଡ୍‌ର ପ୍ରଖ୍ୟାତ ବିଳାସମୟ ସାମଗ୍ରୀ ଡିଜାଇନର୍‌ ଷ୍ଟିୱାର୍ଟ ହ୍ୟୁଜ୍‌ ହେଉଛନ୍ତି ଏହି ୟଟ୍‌ର ନିର୍ମାତା। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ପାଖାପାଖି ୩ ବର୍ଷ ଲାଗିଥିଲା। ୨୦୧୧ ମସିହାରେ ଲଞ୍ଚ୍‌ ହୋଇଥିବା ଏହି ୟଟ୍‌ ଆକର୍ଷଣୀୟ ନିର୍ମାଣ ଶୈଳୀ ଓ ସୁନ୍ଦର ବୈଶିଷ୍ଟ୍ୟ ପାଇଁ ବେଶ୍‌ ଲୋକପ୍ରିୟ ହୋଇପାରିଛି। ୧୦,୦୦୦ କିଲୋଗ୍ରାମ୍‌ ସୁନା ଓ ପ୍ଲାଟିନମ୍‌ରେ ଏହି ୟଟ୍‌କୁ ସମ୍ପୂର୍ଣ୍ଣ ଛାଉଣି କରାଯାଇଛି। ଏହାର ବେସ୍‌, ଡେକ୍‌, ଡାଇନିଂ ଏରିଆ ଓ ରେଲିଂ ଆଦି ମଧ୍ୟ ସୁନା ଛାଉଣି କରାଯାଇଛି। ଏହି ୟଟ୍‌ର ମାଷ୍ଟର୍‌ ବେଡ୍‌ରୁମ୍‌ରେ ସବୁଠୁ ଅଧିକ ମୂଲ୍ୟବାନ୍‌ ସାମଗ୍ରୀ ଲାଗିଛି। ବେଡ୍‌ରୁମ୍‌ଟି ପ୍ଲାଟିନମ୍‌, ଉଲ୍‌କାପିଣ୍ଡରୁ ସଂଗୃହୀତ ପଥର ଓ ଟିରାନୋସରସ୍‌ ରେକ୍ସ୍‌ର (ଡାଇନୋସରସ୍‌) ଅସ୍ଥିରେ ତିଆରି ହୋଇଛି। ବେଡ୍‌ରୁମ୍‌ ଭିତରେ ୬୮ କିଲୋ ୨୪ କ୍ୟାରେଟ୍‌ ସୁନାରେ ଏକ ବିରାଟ ଆକ୍ବାଭିଷ୍ଟା ପାନୋରାମିକ୍‌ ୱାଲ୍‌ ଆକ୍ବାରିୟମ୍‌ ରହିଥିବା ‌େବଳେ ୧୮.୫ କ୍ୟା‌େରଟ୍‌ର ହୀରାଖଚିତ ମଦ ବୋତଲ ସହିତ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ରହିଛି।

ଆଣ୍ଟିଲିଆ (୨୦୦୦ ମିଲିୟନ୍‌ ଡଲାର୍‌)
ଭାରତର ମୁମ୍ବାଇରେ ଅବସ୍ଥିତ ଏକ ନଭଶ୍ଚୁମ୍ଭୀ ଅଟ୍ଟାଳିକା ହେଉଛି ‘ଆଣ୍ଟିଲିଆ’। ଏହାର ମାଲିକ ହେଉଛନ୍ତି ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର। ଏହି ଅଟ୍ଟାଳିକା ବିଶ୍ବର ସବୁଠୁ ଦାମୀ ଅଟ୍ଟାଳିକାଗୁଡ଼ିକ ଭିତରୁ ଗୋଟାଏ। ପ୍ରାୟ ୫୬୮ ଫୁଟ୍‌ ଉଚ୍ଚ, ୬୫,୩୪୦ ବର୍ଗଫୁଟ୍‌ ଅଞ୍ଚଳ ପରିବ୍ୟାପ୍ତ ୨୭ ମହଲାବିଶିଷ୍ଟ ଏହି ଅଟ୍ଟାଳିକାରେ ଏକାଧିକ ପାର୍କିଂ ଫ୍ଲୋର୍‌, ୧୬୮ କାର୍‌ ଗ୍ୟାରେଜ୍‌, ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ର, ସ୍ପା, ସୁଇମିଂ ପୁଲ୍‌, ୯ଟି ହାଇସ୍ପିଡ୍‌ ଲିଫ୍ଟ, ୫୦ ସିଟ୍‌ ଥିବା ଥିଏଟର୍‌, ଗୋଟେ ବଲ୍‌ରୁମ୍‌, ଟେରାସ୍‌ ଗାର୍ଡେନ୍‌, ଗୋଟିଏ ମନ୍ଦିର, ସ୍ନୋ ରୁମ୍‌ ଓ ୩ଟି ହେଲିପ୍ୟାଡ୍‌ ସହିତ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଏହାର ୬ଷ୍ଠ ମହଲା ହେଉଛି ମୁକେଶଙ୍କ ରହିବା ଘର। ୨୦୦୬ରୁ ଆରମ୍ଭ ହୋଇ ୨୦୧୦ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଖାସ୍‌ କଥା ହେଲା, ରିକ୍ଟର୍‌ସ୍କେଲ୍‌ରେ ୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ମଧ୍ୟ ଏହି ଅଟ୍ଟାଳିକାର କିଛି କ୍ଷତି କରିପାରିବ ନାହିଁ।

ଭିଲ୍ଲା ଲିଓପୋଲ୍‌ଡା (୫୦୬ ମିଲିୟନ୍‌ ଡଲାର୍‌)
ଭିଲ୍ଲା ଲା ଲିଓପୋଲ୍‌ଡା ଦୁନିଆର ସବୁଠୁ ମହଙ୍ଗା ଭିଲ୍ଲା ମଧ୍ୟରୁ ଗୋଟିଏ। ଏହା ହେଉଛି ଫ୍ରେଞ୍ଚ୍‌ ରିଭିରାର ଆଲ୍‌ପ୍ସ ମେରିଟାଇମ୍ସ ଡିପାର୍ଟମେଣ୍ଟରେ ଥିବା ଭିଲେଫ୍ରାଞ୍ଚ୍‌-ସୁର୍‌-ମେରେର ଏକ ବୃହତ୍‌ ଐତିହାସିକ ଭିଲ୍ଲା। ଏହି ବିଳାସମୟ ଭିଲ୍ଲାଟି ୧୮ ଏକର ପରିମିତ ଅଞ୍ଚଳକୁ ନେଇ ନିର୍ମିତ। ଏହି ଭିଲ୍ଲାର ମାଲିକଙ୍କ ତାଲିକାରେ ଜିଆନି ଓ ମାରେଲା ଆ‌ଗ୍ନେଲି, ଆଇଜାକ୍‌ ଓ ଡୋରୋଥି ଜେ କିଲାମ୍‌ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ରହିଛନ୍ତି। ୧୯୮୭ ମସିହାରେ ଏହି ଭିଲ୍ଲା ଏଡ୍‌ମଣ୍ଡ୍‌ ଓ ଲିଲି ସଫ୍ରାଙ୍କ ମାଲିକାନାକୁ ଆସିଥିଲା। ବେଲ୍‌ଜିୟମ୍‌ର ରାଜା ଲିଓପୋଲ୍ଡ୍‌ ଦ୍ବିତୀୟ ଏହାର ପ୍ରଥମ ମାଲିକ ଥିଲେ। ତାଙ୍କରି ନାମ ଅନୁସାରେ ଏହି ଭିଲ୍ଲାର ନାମକରଣ ହୋଇଛି। ଉଭୟ ପାରମ୍ପରିକ ଓ ଆଧୁନିକ ସ୍ଥାପତ୍ୟରେ ତିଆରି ଏହି ଭିଲ୍ଲାଟି ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ବର୍ଷସାରା ଏଠାରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମେ।

ସାଲ୍‌ଭେଟର୍‌ ମୁଣ୍ଡି ପେଣ୍ଟିଂ(୪୫୦.୩ ମିଲିୟନ୍‌ ଡଲାର୍‌)
ପ୍ରଖ୍ୟାତ ଚିତ୍ରକର ଲିଓନାର୍ଡୋ ଦା ଭିନ୍‌ସି ଏହି ଚିତ୍ରଟି ଆଙ୍କିଥିଲେ। ଏହାକୁ ବିଶ୍ବର ସବୁଠୁ ମହଙ୍ଗା ପେଣ୍ଟିଂ ଭାବେ ବିଚାର କରାଯାଏ। ଏଥିରେ ପ୍ରଭୁ ଯୀଶୁ ନୀଳ ପୋଷାକ ପିନ୍ଧିଥିବା, ଡାହାଣ ହାତକୁ କ୍ରୁଶ ସଙ୍କେତ କରିଥିବା ଏବଂ ବାମ ହାତରେ ସ୍ଫଟିକ ଗୋଲକ ଧରିଥିବା ଦେଖାଯାଏ। କୁହାଯାଏ, ଏହା ହେଉଛି ଦୀର୍ଘ ଦିନରୁ ହଜିଯାଇଥିବା ମୂଳ ପେଣ୍ଟିଂର ନକଲ ଏବଂ ଏଥିରେ ପୁନର୍ବାର ରଙ୍ଗ ଦିଆଯାଇଛି। ନ୍ୟୁୟର୍କର ନିଲାମ ସଂସ୍ଥା ‘ଖ୍ରୀଷ୍ଟି’ରେ ୨୦୧୭ ମସିହାରେ ନିଲାମ ହୋଇଥିବା ଏହି ପେଣ୍ଟିଂ ବିଶ୍ବର ସବୁଠୁ ଦାମୀ ପେଣ୍ଟିଂ ଭାବେ ରେକର୍ଡ କରିଥିଲା। ଖ୍ରୀଷ୍ଟିରେ ନିଲାମ ହେବା ପରଠାରୁ ଏହି ଚିତ୍ର ସର୍ବସାଧାରଣରେ ପ୍ରଦର୍ଶିତ ହୋଇନାହିଁ। ୨୦୨୦ ଶେଷ ପରଠାରୁ ଏହାକୁ ସାଉଦି ଆରବରେ ରଖାଯାଇଛି। ଅଲ୍‌-ଉଲ୍ଲାରେ ନିର୍ମାଣ ହେବାକୁ ଥିବା ସଂଗ୍ରହାଳୟ ଓ ସାଂସ୍କୃତିକ କେନ୍ଦ୍ରରେ ଏହାକୁ ରଖାଯିବାକୁ ନିଷ୍ପତ୍ତି ହୋଇଛି।

ଜେଫ୍‌ ବେଜୋସ୍‌ ବେଭର୍‌ଲି ହିଲ୍‌ସ ହାଉସ୍‌ (୧୬୫ ମିଲିୟନ୍‌ ଡଲାର୍‌)
ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ବେଭର୍‌ଲି ହିଲ୍‌ସ୍‌ ହାଉସ୍‌ ହେଉଛି ଆଧୁନିକ ସ୍ଥାପତ୍ୟ ତଥା କଳାକୌଶଳରେ ନିର୍ମିତ ଏକ ଆକର୍ଷଣୀୟ ଘର। ଏହା ୧୩,୦୦୦ ବର୍ଗଫୁଟ୍‌ ଅଞ୍ଚଳରେ ପରିବ୍ୟାପ୍ତ। ଚଟାଣରୁ ଛାତଯାଏ ଝରକା, ସୁନ୍ଦର ଫ୍ଲୋର୍‌ ଡିଜାଇନ୍‌, ସୂକ୍ଷ୍ମ କାରିଗରି ଘରଟିକୁ ଈର୍ଷଣୀୟ କରିଛି। ଏହା ଭିତରେ ବିରାଟକାୟ ଲିଭିଂ ଏରିଆ, ବାସ୍କେଟ୍‌ ବଲ୍‌ ଓ ଟେନିସ୍‌ କୋର୍ଟ, ଏକାଧିକ ସୁଇମିଂପୁଲ୍‌, ସ୍ପା, ଜିମ୍‌, ଗେଷ୍ଟ୍‌ ହାଉସ୍‌, ପାର୍ଗୋଲା, ଅତ୍ୟାଧୁନିକ ଥିଏଟର୍‌, ୱାଇନ୍‌ ରୁମ୍‌, ସିକ୍ୟୁରିଟି ଗାର୍ଡ ହାଉସ୍‌, ସୁନ୍ଦର ବଗିଚା, ବିରାଟ ରୋଷେଇଘର ଇତ୍ୟାଦି ରହିଛି। ‌ବେଜୋସ୍‌ଙ୍କ ରୋ‌େଷଇ ଘର ଦେଖିଲେ ଯେକୌଣସି ସେଫ୍‌ ଈର୍ଷା କରିବାକୁ ବାଧ୍ୟ ହେବେ। ଏହାବାଦ୍‌ ପାଖରେ ଥିବା ପାହାଡ଼ଗୁଡ଼ିକର ମନୋରମ ଦୃଶ୍ୟ ଘରଟିକୁ ଆହୁରି ଅାକର୍ଷଣୀୟ କରିଥାଏ। ବିଶ୍ବର ତୃତୀୟ ଧନୀ ବେଜୋସ୍‌ ୨୦୨୦ ମସିହାରେ ମିଡିଆ ମୋଗଲ୍‌ ଡେଭିଡ୍‌ ଗେଫେନ୍‌ଙ୍କ ଠାରୁ ୧୬୫ ମିଲିୟନ୍‌ ଡଲାର୍‌ ଦେଇ ଏହି ଘରଟିକୁ କିଣିଥିଲେ।
-ପ୍ରଜ୍ଞା ନିବେଦିତା ନାୟକ

ସମ୍ବନ୍ଧିତ ଖବର