ଗତ ସପ୍ତାହରୁ ପଶ୍ଚିମବଙ୍ଗର ସିଲିଗୁଡ଼ି ସ୍ଥିତ ଏକ ବିଶାଳ ଦୋକାନରେ ଆରମ୍ଭ ହୋଇଛି ସପ୍ତମ ‘ଆମ୍ବ ମହୋତ୍ସବ’। ଏଥିରେ ଆଲ୍ଫନ୍ସୋ, ଲାଙ୍ଗରା, ଆମ୍ରପାଲି, ସୂର୍ଯ୍ୟପୁରୀ, ରାଣୀପସନ୍ଦ, ଲକ୍ଷ୍ମଣଭୋଗ, ଫାଜଲି, ବୀର, ସିନ୍ଧୁ, ହିମସାଗର ଓ କୋହିତୁର ପରି ୨୬୨ କିସମର ଆମ୍ବ ପ୍ରଦର୍ଶିତ ହେଉଛି। ତେବେ ସେମାନଙ୍କ ଭିତରେ ମୁଖ୍ୟ ଆକର୍ଷଣ ଥିଲା ବିଶ୍ବର ସବୁଠୁ ଦାମୀ ଆମ୍ବ ‘ମିୟାଜାକି’, ଆନ୍ତର୍ଜାତିକ ବଜାରରେ ଯାହାର ଗୋଟିଏ କେଜିର ମୂଲ୍ୟ ୨ ଲକ୍ଷ ୭୫ ହଜାର ଟଙ୍କା ବୋଲି ଜଣାଯାଇଛି। ପାଟିରେ ପକାଉ ପକାଉ ଜେଲି ପରି ମିଳେଇ ଯାଉଥିବା ଏହି ଫଳର ବିରଳ ସ୍ବାଦ, ସୁବାସ, ପୋଷକତତ୍ତ୍ବ, ରଙ୍ଗ ଓ ଶର୍କରା ପରିମାଣ ପାଇଁ ଏହା ଏପରି ଲୋକପ୍ରିୟ ତଥା ଦୁର୍ମୂଲ୍ୟ ହୋଇପଡ଼ିଥିବା ଜଣାଯାଇଛି।
ଉଲ୍ଲେଖଯୋଗ୍ୟ, ୧୯୪୦ ମସିହାରେ ପ୍ରଥମେ କାଲିଫର୍ଣ୍ଣିଆରେ ଏହି ଆମ୍ବର ଉତ୍ପାଦନ ଆରମ୍ଭ ହୋଇଥିଲା। ପରେ ତାହା ଜାପାନର ମିୟାଜାକି ସହରକୁ ସ୍ଥାନାନ୍ତରିତ ହୋଇ ଏପରି ନାମ ଧାରଣ କରିଥିଲା। ଏବେ ଭାରତୀୟ ଆମ୍ବ ଚାଷୀମାନେ ଏହି କିସମର ଆମ୍ବ ଫଳାଇବା ଆରମ୍ଭ କଲେଣି। ବିଶେଷ କରି ପଶ୍ଚିମବଙ୍ଗର ବୀରଭୂମ ଅଞ୍ଚଳର ଚାଷୀମାନେ ନିଜ ବଗିଚାରେ ଏହି ଦୁର୍ଲଭ ଆମ୍ବ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି। ନିଜର ଲାଲ୍ ରଙ୍ଗ ପାଇଁ ‘ଲୋହିତ ସୂର୍ଯ୍ୟ’ ନାମରେ ପରିଚିତ ଏହି ଆମ୍ବକୁ ସ୍ଥାନୀୟ ଲୋକେ ‘ସୂର୍ଯ୍ୟ ଡିମ୍ବ’ ମଧ୍ୟ କହିଥା’ନ୍ତି। ଜୀବନରେ ଏଭଳି ଫଳ ଭକ୍ଷଣ କରିବା ତ ସ୍ବପ୍ନ, ତେବେ ଅନ୍ତତଃ ଏହି ମହୋତ୍ସବ ତାହାକୁ ନିଜ ଆଖିରେ ଦେଖିବାର ସୁଯୋଗ ଦେଇଛି ବୋଲି ସିଲିଗୁଡ଼ିକୁ ଆସିଥିବା ପରିଦର୍ଶକମାନେ କହିଛନ୍ତି।