ଆଜିକାଲିର ଲୋକପ୍ରିୟ ତଥା ସୁବିଧାଯୋଗ୍ୟ ବାହାନା ହେଉଛି ‘ମୋ ପାଖରେ ସମୟ ନାହିଁ’। ସେଇ ସମୟକୁ ସୂଚାଇ ଦେଉଥିବା ଘଣ୍ଟାର ଗଠନ ଓ ପ୍ରକାରରେ ଅନେକ ଭିନ୍ନତା ତଥା ସ୍ବତନ୍ତ୍ରତା ରହିଛି। ଲୋକମାନଙ୍କର ପସନ୍ଦ ଭିନ୍ନ ଭିନ୍ନ। କେହି କେହି ହାତରେ ସବୁଠୁ ଷ୍ଟାଇଲିସ୍‌ ଓ ଦାମିକା ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଥିବ‌ା ବେଳେ କେହି ପକେଟ୍‌କୁ ସୁହାଇଲା ଭଳି ଦାମ୍‌ରେ ସୁନ୍ଦର ଘଣ୍ଟା ପିନ୍ଧିବାକୁ ପସନ୍ଦ କରନ୍ତି। ସେ ହାତଘଣ୍ଟା ହେଉ ବା କାନ୍ଥଘଣ୍ଟା, ଆଗରୁ କେବଳ ସମୟ ଦେଖିବାକୁ ବ୍ୟବହାର ହେଉଥିବା ଘଣ୍ଟା ଏବେ ଫ୍ୟାସନ୍‌ରେ ପରିଣତ ହୋଇଗଲାଣି। ଏବେ ଅନେକ ଧନୀଲୋକ ମଧ୍ୟ ବିଭିନ୍ନ ପ୍ରକାରର ଘଣ୍ଟା ବ୍ୟବହାର କଲେଣି। ନିକଟ ଅତୀତରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ତାଙ୍କ ପ୍ରାକ୍‌ ବିବାହ ଉତ୍ସବରେ ପିନ୍ଧିଥିବା ଘଣ୍ଟାର ଚର୍ଚ୍ଚା ଖବରର ଶିରୋନାମା ପାଲଟିଥିଲା। କାରଣ ସେ ପିନ୍ଧିଥିବା ଘଣ୍ଟାର ମୂଲ୍ୟ ୨୦୦ କୋଟି ଥିଲା। ସେମିତି ପୃଥିବୀର କିଛି ଦୁର୍ମୂଲ୍ୟ ଘଣ୍ଟାକୁ ନେଇ ଆମର ଏଥରର ସ୍ବତନ୍ତ୍ର ଆଲେଖ୍ୟ...

Advertisment

ଗ୍ରାଫ୍‌ ଡାଇମଣ୍ଡ୍‌ ହାଲୁସିନେସନ୍‌
ଗ୍ରାଫ୍ ଡାଇମଣ୍ଡସ୍ ଦ୍ୱାରା ନିର୍ମିତ ହାଲୁସିନେସନ୍ ହେଉଛି ପୃଥିବୀର ସବୁଠାରୁ ମହଙ୍ଗା ଘଣ୍ଟା। ଗ୍ରାଫ୍ ଡାଇମଣ୍ଡ୍‌ସର ଚେୟାର୍‌ମ୍ୟାନ୍ ଲରେନ୍ସ ଗ୍ରାଫ୍ ନିଜର ଦୂରଦୃଷ୍ଟିକୁ ଆଧାର କରି ଏହାର କଳ୍ପନା କରିଥିଲେ। ପ୍ଲାଟିନମ୍ ବ୍ରେସ୍‌ଲେଟ୍‌ରେ ଖଞ୍ଜା ହୋଇଥିବା ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ୧୧୦ କ୍ୟାରେଟ୍ ହୀରାକୁ ନେଇ ଏହି ଘଣ୍ଟା ତିଆରି।ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ୨୦୧୪ ମସିହାରୁ ବହୁ ସେଲିବ୍ରିଟି ଓ ଘଣ୍ଟା ସୌଖୀନ ଏହି ନାମୀଦାମୀ ଘଣ୍ଟାର ଗ୍ରାହକ ହୋଇଛନ୍ତି। ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ପ୍ରାୟ ୪୫୮ କୋଟି ଟଙ୍କା ହୋଇଥିଲେ ବି ଚାହିଦା କିଛି କମ୍‌ ନୁହେଁ।
ଗ୍ରାଫ୍‌ ଡାଇମଣ୍ଡ୍‌ସ୍‌ ଦି ଫ୍ୟାସିନେସନ୍‌
ଫ୍ୟାସିନେସନ୍‌ ମଡେଲର ଘଡ଼ି ପୃଥିବୀର ଦ୍ବିତୀୟ ମହଙ୍ଗା ଘଣ୍ଟା। ଏହା ମଧ୍ୟ ବ୍ରିଟିଶ୍‌ ଗହଣା ବ୍ରାଣ୍ଡ୍‌ ଗ୍ରାଫ୍‌ ଡାଇମଣ୍ଡ୍‌ସ୍‌ଦ୍ବାରା ନିର୍ମିତ ଅନ୍ୟତମ ଉତ୍କୃଷ୍ଟ ଘଣ୍ଟା। ୨୦୧୫ ମସିହାରେ ଏ‌ହା ବଜାରକୁ ଆସିଥିଲା। ଫ୍ୟାସିନେସନ୍‌ ଦେଖିବାକୁ ‌େବ୍ରସ୍‌ଲେଟ୍‌ ଭଳି ଏବଂ ଏଥିରେ ୧୫୨.୯୬ କ୍ୟାରେଟ୍‌ର ହୀରା ଖଞ୍ଜା ଯାଇଥାଏ। ଘଣ୍ଟାଟିକୁ ଆକର୍ଷଣୀୟ କରିବା ପାଇଁ ଏହା ମଝିରେ ୩୮.୧୩ କ୍ୟାରେଟ୍‌ର ହୀରା ଖଞ୍ଜା ହୋଇଥାଏ। ଏହାକୁ ଏଭଳି ଡିଜାଇନ୍‌ କରାଯାଇଛି ଯେ, ସାଧାରଣ ଭାବେ ଦେଖିଲେ ଘଣ୍ଟାଟି ‌େଗାଟିଏ ହୀରାମୁଦି ଭଳି ଦିଶିବ। ଏହାର ଦାମ୍‌ ୩୩୩ କୋଟି ଟଙ୍କା।

publive-image

ବ୍ରଗେଏଟ୍‌ ଗ୍ରା‌େଣ୍ଡ କମ୍ପ୍ଲିକେସନ୍‌ ମେରି ଆଣ୍ଟୋଏନେଟ୍‌
ଇତିହାସ କହେ, ଏହି ଘଣ୍ଟା ପ୍ରଥମେ ଫ୍ରାନ୍ସର ରାଣୀ ମେରି ଆଣ୍ଟୋଏନେଟ୍‌ଙ୍କ ପାଇଁ ତାଙ୍କର ଜଣେ ପ୍ରେମିକ ତିଆରି କରିଥିଲେ। ତାଙ୍କୁ ଏହି ଘଣ୍ଟା ତିଆରି କରିବାକୁ ଦୀର୍ଘ ୪୦ ବର୍ଷ ଲାଗିଥିଲା। ହେଲେ ଘଣ୍ଟା ତିଆରି ପୂର୍ବରୁ ଦୁଃଖଦ ଭାବେ ମେରି ଆଣ୍ଟୋଏନେଟ୍‌ଙ୍କ ଜୀବକାଳ ସମାପ୍ତ ହୋଇସାରିଥିଲା। ଏହି ଘଣ୍ଟାର ଐତିହାସିକ ପୃଷ୍ଠଭୂମି ଏହା ପଛରେ ଜଣେ ପ୍ରେମିକର ନିଜ ପ୍ରେମିକାଙ୍କ ପ୍ରତି ଥିବା ନିଚ୍ଛକ ଭଲପାଇବାକୁ ମନେ ପକାଇଦିଏ। ତେବେ ଏହି ଦୁର୍ମୂଲ୍ୟ ଘଣ୍ଟାର ଦାମ୍‌ ୨୫୦ କୋଟି ଟଙ୍କା।
ରୋଲେକ୍ସ ୪୧୩୩
ଏହି ଘଣ୍ଟାଟି ବିରଳ ଶ୍ରେଣୀରେ ଗଣାଯାଉଛି। ଏହି ମଡେଲ୍‌ର ଘଡ଼ି ମାତ୍ର ୧୨ଟି ତିଆରି କରାଯାଇଥିଲା। ରୋଲକ୍ସ ୪୧୩୩ ଏହାର କ୍ରାଉନ୍‌/ ମୁକୁଟରେ ଥିବା ବଟନ୍‌ରୁ ହିଁ ଏହା ନାମ ପାଇଥିଲା। ମାତ୍ର କେତୋଟି ସଂଖ୍ୟାରେ ତିଆରି ‌େହାଇଥିବା ଏହି ଘଡ଼ି ଅନେକଙ୍କର ପସନ୍ଦ। ୧୯୪୨ରେ ଏହାର ଗୋଟିଏ ଖଣ୍ଡ ରୋଲେକ୍ସ କମ୍ପାନି ନିର୍ମାତା ରଖିଥିଲେ। ତେବେ ଅନେକ ନାମୀଦାମୀ ଲୋକଙ୍କ ଏହା ସବୁଠାରୁ ପସନ୍ଦଯୋଗ୍ୟ ଘଣ୍ଟା।

ପାଟେକ୍‌ ଫିଲିପ୍‌ ଗ୍ରାଣ୍ଡ୍‌ମାଷ୍ଟର୍‌ ଚାଇମ୍‌
ଏହା ହେଉଛି ବିଶ୍ବର ତୃତୀୟ ସର୍ବାଧିକ ଲୋକପ୍ରିୟ ତଥା ଦାମିକା ଘଣ୍ଟା। ଗ୍ରାଣ୍ଡ୍‌ମାଷ୍ଟର୍‌ ଚାଇମ୍‌ ପାଟେକ୍‌ ବ୍ରାଣ୍ଡ୍‌ର ସବୁଠୁ ଉତ୍କୃଷ୍ଟ ଓ ସର୍ବାଧିକ ବିକ୍ରି ହୋଇଥିବା ଘଣ୍ଟା। ପାଟେକ୍‌ ବ୍ରାଣ୍ଡ୍‌ର ୧୭୫ତମ ବାର୍ଷିକ ଉତ୍ସବରେ ଗ୍ରାଣ୍ଡ୍‌ମାଷ୍ଟର୍‌ ଚାଇମ୍‌ ବଜାର ପ୍ରବେଶ କରିଥିଲା। ଡୁଆଲ୍‌-ଡାଏଲ୍‌ ଫିଚର୍‌ ପାଇଁ ଏହାର ସର୍ବାଧିକ ଚାହିଦା ରହୁଛି। ଉଭୟ ଡାଏଲ୍‌କୁ ବ୍ଲୁ ଓପାଲିନ୍‌ରେ ସଜାଯାଇଛି ଏବଂ ଏହାର ନମ୍ବରଗୁଡ଼ିକ ସୁନା ହୋଇଥିବା ବେଳେ ଡାଏଲ୍‌ ପ୍ଲେଟ୍‌ ମଧ୍ୟ ୧୮ କ୍ୟାରେଟ୍‌ ସୁନାଦ୍ବାରା ଆଚ୍ଛାଦିତ। ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ଭିତରେ ଏଥିରେ ପାଞ୍ଚଟି ଭିନ୍ନ ଭିନ୍ନ ଚିମିଂ ମୋଡ୍‌, ଏକ ଶ୍ରବଣଯୋଗ୍ୟ ଆଲାର୍ମ ଓ ତାରିଖ ପୁନରାବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି। ଧଳାସୁନାରେ ନିର୍ମିତ ଏହି ଘଣ୍ଟାକୁ ‌ଘନନୀଳ ରଙ୍ଗର ବ୍ୟାଣ୍ଡ୍‌ ଆହୁରି ଆକର୍ଷଣୀୟ କରିଥାଏ। ଏହାର ଦାମ୍‌ ପ୍ରାୟ ୨୫୮ କୋଟି ଟଙ୍କା।