ପୃଥିବୀ ପୃଷ୍ଠରେ ଜୀବସତ୍ତାକୁ ନିରବରେ ସନ୍ତୁଳିତ ରଖୁଥିବା କୀଟପତଙ୍ଗ ଓ କ୍ଷୁଦ୍ର ପ୍ରାଣୀମାନେ ଚିନ୍ତାଜନକ ଭାବରେ ଅଦୃଶ୍ୟ ହୋଇଯାଉଛନ୍ତି। ଏପରିକି ପ୍ରତ୍ୟକ୍ଷ ମାନବ କାର୍ଯ୍ୟକଳାପରୁ ବହୁ ଦୂରରେ ଥିବା କୀଟପତଙ୍ଗଙ୍କ ଅନ୍ତର୍ଦ୍ଧାନ ପରିବେଶବିତ୍ମାନଙ୍କ ଚିନ୍ତା ବଢ଼ାଇଛି। କଲରାଡୋର ଦୂରବର୍ତ୍ତୀ ସବଆଲପାଇନ୍ ତୃଣଭୂମିରେ କୀଟପତଙ୍ଗ ସଂଖ୍ୟା ଗତ ଦୁଇ ଦଶନ୍ଧି ମଧ୍ୟରେ ୭୨%ରୁ ଅଧିକ ହ୍ରାସ ପାଇଛି ବୋଲି ଚାପେଲ ହିଲର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।
୨୦୦୪ରୁ ୨୦୨୪ ମଧ୍ୟରେ ପକ୍ଷଧାରୀ କୀଟପତଙ୍ଗଙ୍କ ସଂଖ୍ୟା ଉପରେ ନଜର ରଖିଥିବା ଏହି ଗବେଷଣା କୀଟପତଙ୍ଗ ସଂଖ୍ୟାରେ ଏପରି ଗୁରୁତର ହ୍ରାସ ପାଇଁ ତାପମାତ୍ରା ବୃଦ୍ଧିକୁ ଦାୟୀ କରିଛି। ଏହି ଫଳାଫଳ ବିଶ୍ୱ ଜୈବ ବିବିଧତା, ଖାଦ୍ୟ ପ୍ରଣାଳୀ ଏବଂ ବଞ୍ଚିବା ପାଇଁ କୀଟପତଙ୍ଗ ଉପରେ ନିର୍ଭର କରୁଥିବା ପର୍ଯ୍ୟାବରଣ ପ୍ରଣାଳୀ ପାଇଁ ଚିନ୍ତା ସୃଷ୍ଟି କରିଛି। ଗବେଷକମାନେ ପ୍ରଦୂଷଣ ଓ ଜନବସତିରୁ ମୁକ୍ତ କଲରାଡୋର ଉଚ୍ଚ ତୃଣଭୂମିରେ କୀଟପତଙ୍ଗ ସଂଖ୍ୟା ନିରୀକ୍ଷଣ କରିଥିଲେ। ବିଶ୍ଳେଷଣରୁ କୀଟପତଙ୍ଗଙ୍କ ସଂଖ୍ୟାରେ ବାର୍ଷିକ ହାରାହାରି ୬.୬% ହ୍ରାସ ଲକ୍ଷ୍ୟ କରାଯାଇଛି। ଏହି ହ୍ରାସର ସବୁଠାରୁ ଶକ୍ତିଶାଳୀ ବାହକ ଭାବେ ଗ୍ରୀଷ୍ମ ତାପମାତ୍ରା ବୃଦ୍ଧି ଉଭା ହୋଇଥିବା ବେଳେ ପରିବର୍ତ୍ତନଶୀଳ ବୃଷ୍ଟିପାତ ଢାଞ୍ଚା, ବାସସ୍ଥାନ ସମ୍ବେଦନଶୀଳତା ଆଦି ସ୍ଥାନୀୟ ଖାଦ୍ୟ ଶୃଙ୍ଖଳ ଓ ପର୍ଯ୍ୟାବରଣ ସନ୍ତୁଳନରେ ବାଧା ସୃଷ୍ଟି କରିଛି।
ଉଲ୍ଲେଖଯୋଗ୍ୟ, ଖାଦ୍ୟଚକ୍ର ଚାଳନ ଓ ପରାଗସଙ୍ଗମ ଭଳି ପରିବେଶଗତ ସେବା ପ୍ରଦାନ କରୁଥିବାରୁ କୀଟପତଙ୍ଗଙ୍କ ଉପସ୍ଥିତି ମହତ୍ତ୍ବପୂର୍ଣ୍ଣ। ଏହି ସ୍ଥଳଜ ପ୍ରାଣୀମାନେ ଖାଦ୍ୟ ଶୃଙ୍ଖଳକୁ ସମର୍ଥନ କରିବା ସହ ପଚନରେ ମଧ୍ୟ ସହାୟତା କରନ୍ତି, ପରାଗଣ ମାଧ୍ୟମରେ ଉଦ୍ଭିଦ ଜୀବନକୁ ବଜାୟ ରଖନ୍ତି। ତେଣୁ ଜୈବବିବିଧତା ବଜାୟ ରଖିବାରେ ସେମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। କୀଟପତଙ୍ଗ ସଂଖ୍ୟା ନିରୀକ୍ଷଣ କରିବା ପାଇଁ ଅଧିକ ବ୍ୟାପକ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆବଶ୍ୟକ। କୀଟପତଙ୍ଗମାନେ ଛୋଟ ହୋଇପାରନ୍ତି, ମାତ୍ର ସେମାନଙ୍କର ଲୋପ ପାଇବାର ପରିଣାମ ବହୁତ ବଡ଼ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି।