ମୁରଲୀଧର ସେଠୀ
ପିଲାଟିକୁ ଠିକ୍ ଭାବେ କେବଳ ତା’ର ମାଆ ହିଁ ବୁଝିପାରେ। ପିଲାର ସ୍ବପ୍ନରେ ଡେଣା ଲଗାଇ ପାରେ ମାଆ। ଏମିତି ଜଣେ ମା’ ହେଲେ ରୁବି ଦେହୁରୀ। ରୁବିଙ୍କ ଘର ସମ୍ବଲପୁର ଜିଲ୍ଲା ଯୁଯୁମୁରାରେ। ସ୍ବାମୀ କିଶୋର ଦେହୁରୀ, ଝିଅ ଅନ୍ବେଷା ଦେହୁରୀ ଓ ପୁଅ ଅର୍ଣ୍ଣବ ଦେହୁରୀଙ୍କୁ ନେଇ ତାଙ୍କ ସଂସାର। ଯାଆଁଳା ପୁଅଝିଅ ଏବେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଦୁଇବର୍ଷ ତଳେ ସେମାନଙ୍କୁ ତୀରନ୍ଦାଜ ଶିକ୍ଷା ଦେବାକୁ ଏକ ସ୍ଥାନୀୟ ଏକାଡେମୀରେ ଭର୍ତ୍ତି କଲେ ରୁବି। ପୁଅଝିଅ ଖୁବ୍ ଆଗ୍ରହରେ ତାଲିମ ନେଲେ। ସେମାନଙ୍କୁ ଠିକ୍ ସମୟରେ ଏକାଡେମୀକୁ ନେବା ଆଣିବା କରିବା ଦାୟିତ୍ବ ରୁବିଙ୍କର ତ ଥିଲା, ତେବେ ସେମାନେ କେମିତି ଅଧିକ ନିପୁଣ ହୋଇପାରିବେ ସେ ଦିଗରେ ମଧ୍ୟ ଯତ୍ନବାନ ହେଲେ। ହେଲେ ଏକାଡେମୀରେ ଜଣେ ମାତ୍ର ପ୍ରଶିକ୍ଷକ ଥିବାରୁ ସବୁ ପିଲାଙ୍କୁ ଦେଖିବା ସମ୍ଭବ ହୋଇପାରୁ ନଥିଲା। ସେଥିପାଇଁ ନିଜ ପିଲାଙ୍କୁ ଅଧିକ ଅଭ୍ୟାସ କରାଇବା ପାଇଁ ରୁବି ମଧ୍ୟ ନିଜେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ। ସ୍କୁଲ କଲେଜ ପଢ଼ିବା ବେଳେ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିବା ରୁବି ୩୦ ବର୍ଷ ବସୟରେ ତାଲିମ ନେଲେ ଏବଂ ଖୁବ୍ କମ୍ ସମୟରେ ତୀର ଚଳାଇବା କଳା ଆୟତ୍ତ କରିନେଲେ।
ନିଜେ ତାଲିମ ନେଇଥିବାରୁ ନିଜ ପିଲାଙ୍କୁ ଘରେ ମଧ୍ୟ ଅଭ୍ୟାସ କରାଇ ପାରୁଛନ୍ତି ରୁବି। ୨୦୨୨ ମସିହାରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ଆୟୋଜିତ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ନିଜ ଦୁଇ ପିଲାଙ୍କ ସହ ରୁବି ମଧ୍ୟ ଭାଗ ନେଇଥିଲେ। ୯ ବର୍ଷରୁ କମ୍ ବୟସ ବର୍ଗରେ ପୁଅଝିଅ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ମାଆ ରୁବି ସିନିୟର ବର୍ଗରେ ସପ୍ତମ ସ୍ଥାନରେ ରହିଥିଲେ। ସେହିପରି ଜାତୀୟସ୍ତରୀୟ ପ୍ରତିଯୋଗିତାର ୯ ବର୍ଷରୁ କମ୍ ବର୍ଗରେ ଭାଗନେଇ ପୁଅ ଅର୍ଣ୍ଣବ ନବମ ସ୍ଥାନ ଓ ଝିଅ ଅନ୍ବେଷା ୨୨ତମ ସ୍ଥାନରେ ରହିଥିଲେ।
ରୁବି କହନ୍ତି, ‘ମୁଁ ନିଜେ ତୀରନ୍ଦାଜ ଶିଖିବି ବୋଲି ଭାବି ନଥିଲି। ପିଲାଙ୍କୁ କେବଳ ଶିଖାଇବାକୁ ନେଉଥିଲି। ତେବେ ପିଲାଙ୍କ ଆଗ୍ରହ ଦେଖି ସେମାନଙ୍କୁ ଅଧିକ ଅଭ୍ୟାସ କରାଇ ପାରିବି ବୋଲି ମନସ୍ଥ କରି ନିଜେ ତାଲିମ ନେଲି। ପ୍ରଶିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ଯୋଗୁଁ ଏହା ସମ୍ଭବ ହେଲା। ଏବେ ବିଭିନ୍ନ ପ୍ରତିଯୋଗିତା ସମୟରେ ପିଲାଙ୍କୁ ଘରେ ଅଧିକ ସମୟ ଅଭ୍ୟାସ କରାଇ ପାରୁଛି।’ ପ୍ରକୃତରେ ରୁବିଙ୍କ ପରି ମାଆ ନିଶ୍ଚିତ ଭାବେ ବିରଳ। ଏକଦା ବିଶ୍ବବିଜୟୀ ନେପୋଲିୟନ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ, ମୋତେ ଭଲ ମାଆ ଦିଅ, ମୁଁ ତୁମକୁ ଏକ ଉନ୍ନତ ଜାତି ଦେବି।