ଇଷ୍ଟର ଦ୍ବୀପର ରହସ୍ୟମୟ ପ୍ରତିମୂର୍ତ୍ତି

ପ୍ରଶାନ୍ତ ମହାସାଗରର ପୂର୍ବଭାଗରେ ଚିଲି ଅଧୀନ ଇଷ୍ଟର ଦ୍ବୀପ ବା ରପା ନୁଇ (ସ୍ପେନୀୟ ଭାଷାରେ ‘ଇସଲା ଡି ପାସ୍କୁଆ’)ରେ ବିଦ୍ୟମାନ ବିଶାଳକାୟ ପଥର ପ୍ରତିମୂର୍ତ୍ତିମାନଙ୍କ ପାଇଁ ଏହା ବିଖ୍ୟାତ। ସମ୍ପ୍ରତି ଏଠାରେ କୌଣସି ଜନବସତି ନଥିବା ବେଳେ ଏହି ୬୩ ବର୍ଗମାଇଲ ପରିମିତ ଦ୍ବୀପରେ କେବଳ ହଜାରେ ପାଖାପାଖି ପଥର ମୂର୍ତ୍ତି ହିଁ ଖରା, ବର୍ଷା, କାକରରେ ସେମିତି ପଡ଼ି ରହିଛନ୍ତି। ସେମାନଙ୍କ ଭିତରେ ଗୋଟେ ଗୋଟେ ସ୍ଥାପତ୍ୟର ଉଚ୍ଚତା ୩୦ ଫୁଟ ଓ ଓଜନ ୭୫ ଟନ୍‌ ଯାଏ ହୋଇଥିବା ଜଣାଯାଏ।

ଏହି ନିର୍ଜନ ଦ୍ବୀପରେ ଏପରି ବିଶାଳ ମୂର୍ତ୍ତିସମୂହକୁ ଯାନ୍ତ୍ରିକ ଶକ୍ତି ବିନା ଗଢ଼ିବା ଓ ସ୍ଥାନାନ୍ତର କରିବା ଅସମ୍ଭବ ମନେ ହୁଏ। ତେଣୁ ଇଷ୍ଟର ଦ୍ବୀପର ସ୍ଥାପତ୍ୟଗୁଡ଼ିକ ରହସ୍ୟମୟ ହୋଇ ରହି ଆସିଛନ୍ତି। ଐତିହାସିକମାନଙ୍କ ଆକଳନ ଅନୁଯାୟୀ, ପ୍ରାୟ ୬୦୦ରୁ ୭୦୦ ବର୍ଷ ତଳେ ପ୍ରାଚୀନ ପଲିନେସୀୟ କ୍ରୀତଦାସମାନେ ଉକ୍ତ ଦ୍ବୀପରେ ନିଜର ଜୀବିକା ନିର୍ବାହ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଆଗ୍ନେୟ ଶିଳାରେ ଭରିଥିବା ଉକ୍ତ ଦ୍ବୀପର ଉର୍ବରତା ବଢ଼ାଇବା ଲାଗି ସେମାନେ ନିଜର ପୂର୍ବପୁରୁଷଙ୍କୁ ପୂଜା କରିବା ଉଦ୍ଦେଶ୍ୟରେ ଏପରି ବିଶାଳ ପଥର ମୂର୍ତ୍ତିମାନ ଗଢ଼ିଥିବା ପ୍ରତ୍ନତତ୍ତ୍ବବିତ୍‌ମାନେ ଅନୁମାନ କରୁଛନ୍ତି।

କିନ୍ତୁ ପରେ ସେମାନଙ୍କ ଦ୍ବାରା ଅବାଧ ବୃକ୍ଷଛେଦନ ଯୋଗୁଁ ଉକ୍ତ ଦ୍ବୀପର ଉର୍ବରତା ହ୍ରାସ ହେବା ସହ କୃଷିକାର୍ଯ୍ୟ ପ୍ରଭାବିତ ହୋଇଥିଲା। କ୍ରମେ ଖାଦ୍ୟ ବିହୁନେ ପଲିନେସୀୟମାନେ ଦ୍ବୀପ ଛାଡ଼ି ଅନ୍ୟତ୍ର ପଳାୟନ କରିଥିବା ବେଳେ ବିଶାଳ ମୂର୍ତ୍ତିଗୁଡ଼ିକ ସେଠାରେ ସେମିତି ପଡ଼ି ରହିଛନ୍ତି।

ସମ୍ବନ୍ଧିତ ଖବର