‘କାଚ ବେଙ୍ଗ’ ନିଜ ଶରୀରକୁ କିଭଳି ସ୍ବଚ୍ଛ କରିପାରେ ତାହା ବୈଜ୍ଞାନିକମାନଙ୍କୁ ଦୀର୍ଘ ସମୟ ଧରି ଗୋଲକଧନ୍ଦାରେ ଫସାଇ ରଖିଥିଲା। ନୂଆ ଗବେଷଣରୁ ଏହାର ରହସ୍ୟ ଉନ୍ମୋଚିତ ହୋଇଛି ଯାହା ଚିକିତ୍ସା ବିଜ୍ଞାନରେ ଅଗ୍ରଗତିର ସମ୍ଭାବନା ସୃଷ୍ଟି କରିଛି। ଏଥିରୁ ଜଣାପଡ଼ିଛି ଯେ ବେଙ୍ଗଟି ଶରୀରର ସବୁତକ ରକ୍ତକୁ ଗୋଟିଏ ସ୍ଥାନରେ ଠୁଳ କରି ରଖିବାରେ ସକ୍ଷମ। ଏହି ଅବସ୍ଥାରେ ତା’ ଠାରେ ମଣିଷ ଭଳି ବିପଜ୍ଜନକ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ସୃଷ୍ଟି ହୋଇ ନ ଥାଏ। ଏହି ଜାତିର ବେଙ୍ଗ ଉଷ୍ଣ ମଣ୍ଡଳୀୟ ଜଙ୍ଗଲରେ ରହନ୍ତି। ସେମାନେ ଉଜ୍ଜ୍ବଳ ସବୁଜ ପତ୍ର ଉପରେ ଶୋଇ ଦିନ କାଟନ୍ତି ଓ ରାତିରେ ସକ୍ରିୟ ରହନ୍ତି। ଏହି ବେଙ୍ଗ ଶିକାରୀ ଜୀବଙ୍କ ଠାରୁ ବର୍ତ୍ତିବା ପାଇଁ ଶୋଇବା ଅବସ୍ଥାରେ ନିଜ ଶରୀରକୁ ୬୧% ସ୍ବଚ୍ଛ କରିପାରେ, ଯାହା ଫଳରେ ତାହା ପତ୍ର ଉପରେ ଏକପ୍ରକାର ଅଦୃଶ୍ୟ ହୋଇଯାଏ।

Advertisment

ଏହାର କାରଣ ହେଲା ତା’ ଶରୀରରେ ପ୍ରବାହିତ ୮୯% ଭାଗ ଲୋହିତ ରକ୍ତ କଣିକା ଯକୃତରେ ଠୁଳ ହୋଇପାରେ। ଏହି ସମୟରେ ତା’ ଯକୃତର ଆକାର ଦୁଇଗୁଣ ବଢ଼ିଯାଏ। ରାତିରେ ନିଦରୁ ଉଠି ସେ ଶିକାର ଆଦି ଆରମ୍ଭ କରେ। ଏତିକିବେଳେ ଯକୃତରେ ଠୁଳ ରକ୍ତ ପୁଣି ଶରୀରକୁ ପ୍ରବାହିତ ହୁଏ। ଏହି ବେଙ୍ଗର ଏକ ‘ସୁପର୍‌ପାଵର୍’ ବା ମହାଶକ୍ତି ହେଲା ଆବଶ୍ୟକ ସ୍ଥଳେ ସେ ଇଚ୍ଛାକୃତ ଭାବେ ରକ୍ତ ଜମାଟ ବାନ୍ଧିପାରେ। କାଚ ବେଙ୍ଗ ଠାରୁ ରକ୍ତ ଜମାଟର ପ୍ରକ୍ରିୟାକୁ ଆହୁରି ଭଲଭାବେ ବୁଝିହେବ ବୋଲି ଗବେଷକମାନେ କହୁଛନ୍ତି, ଯାହା ଫଳରେ ମଣିଷଠାରେ ରକ୍ତ ଜମାଟ ଜନିତ ହୃଦ୍‌ଘାତକୁ ରୋକିହେବ। ତେବେ ଚିକିତ୍ସାରେ ଏହାର ଉପଯୋଗ ଦେଖିବାକୁ ଆହୁରି କିଛି ଦଶନ୍ଧି ଲାଗିବ ବୋଲି କୁହାଯାଉଛି।