ସୌରରଶ୍ମିର ରହସ୍ୟ

ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ସୂର୍ଯ୍ୟ ରଶ୍ମି ଦ୍ବାରା ପୃଥିବୀ ସମେତ ସାରା ସୌରମଣ୍ଡଳ ଆଲୋକିତ। ସୂର୍ଯ୍ୟପୃଷ୍ଠରୁ ଫୋଟନ୍ ନାମକ ଆଲୋକ କଣିକା ପ୍ରାୟ ୧୫ କୋଟି କି.ମି. ଦୂର ଭୂପୃଷ୍ଠରେ ପହଞ୍ଚିବାକୁ ମାତ୍ର ୮ ମିନିଟ୍‌ ଲାଗିଥାଏ। ଅପରପକ୍ଷେ, ଏହି ଫୋଟନ୍ ସୂର୍ଯ୍ୟର ଆଭ୍ୟନ୍ତରରୁ ମାତ୍ର ୩ ଲକ୍ଷ କି.ମି. ଅତିକ୍ରମ କରି ବାହାରକୁ ବାହାରିବା ପାଇଁ ଦଶ ହଜାରରୁ ଦୁଇ ଲକ୍ଷ ବର୍ଷ ଯାଏ ଦୀର୍ଘ ସମୟ ଲାଗିଥାଏ। ସୁତରାଂ ସୂର୍ଯ୍ୟ ଶରୀରରେ ଫୋଟନର ଏପରି ମନ୍ଥର ବେଗ କୌତୂହଳୀ ମନେହୁଏ। ସୂଚନାଯୋଗ୍ୟ, ସୂର୍ଯ୍ୟ ଦେହରେ ୩୮,୦୦,୦୦,୦୦୦ ଲକ୍ଷ କୋଟି ମେଗାଵାଟ୍‌ ବା ୩.୮x୧୦୨୬ ଵାଟ୍‌ ଶକ୍ତି ଅବିରତ ଭାବେ ଦୀର୍ଘ ହଜାରେ କୋଟି ବର୍ଷ ଧରି ବିକିରିତ ହୋଇ ଆସୁଛି। ସେଥିପାଇଁ ସେଠାରେ ପ୍ରତି ସେକେଣ୍ଡ୍‌ରେ ୪୦ ଲକ୍ଷ ଟନ୍‌ ଓଜନର ଉଦ୍‌ଜାନ ଦହନ ହେଉଛି। ଆଣବିକ ଗଣନ ପ୍ରକ୍ରିୟା(ନ୍ୟୁକ୍ଲିଅର ଫ୍ୟୁଜନ୍‌)ରେ ଦୁଇଟି ଡ୍ୟୁଟେରିଅମ୍‌(ଉଦ୍‌ଜାନ ପରମାଣୁର ରୂପାନ୍ତର) ଅଣୁ ମିଶି ଗୋଟିଏ ହିଲିଅମ୍‌ ଅଣୁ ସୃଷ୍ଟି କରିବା ଅବସରରେ ତାହାର କିଛି ପରିମାଣ ବସ୍ତୁତ୍ବ ଏପରି ବିପୁଳ ଶକ୍ତି(E=mc2) କୁ ରୂପାନ୍ତରିତ ହୋଇଥାଏ। ଫଳରେ ନିରନ୍ତର ଏମିତି ଅନନ୍ତ ଶକ୍ତି ନିର୍ଗତ ହୋଇ ଚାଲିଛି। ଏହି ପ୍ରକ୍ରିୟାରୁ ସୃଷ୍ଟ ଫୋଟନ୍‌ ପରି ଆଲୋକ କଣିକା ବିଛୁରିତ ହେଉଛି। ତେବେ ସୂର୍ଯ୍ୟର ଆଭ୍ୟନ୍ତରରୁ ଏହା ବାହାରିବା ପାଇଁ ୩ ଲକ୍ଷ କି.ମି. ବହଳର ଏକ ସାନ୍ଦ୍ର ଇଲାକା ଅତିକ୍ରମ କରିବାକୁ ପଡ଼ିଥାଏ। ତେଣୁ ସେଠାରେ ଫ୍ୟୁଜନ୍‌ ପ୍ରକ୍ରିୟାରେ ଜଡ଼ିତ ଥିବା କୋଟି କୋଟି ସଂଖ୍ୟକ ଉଦ୍‌ଜାନ ଓ ହିଲିଅମ୍‌ ପରମାଣୁ ସହ ତାହା ଧକ୍କା ଖାଇ ଏପରି ମନ୍ଥର ବେଗ ଧାରଣ କରିଥାଏ। ପରେ ସୂର୍ଯ୍ୟର ପୃଷ୍ଠଦେଶରୁ ମହାଶୂନ୍ୟରେ ଗତି କରି ଆମ ପାଖରେ ପହଞ୍ଚିବା ଲାଗି କୌଣସି ପ୍ରତିବନ୍ଧକ ନଥାଏ। ତେଣୁ ତାହା ସ୍ବାଭାବିକ ଆଲୋକ ବେଗ(ତିନି ଲକ୍ଷ କି.ମି. ପ୍ରତି ସେକେଣ୍ଡ୍‌) ଧାରଣ କରି ଗତି କରିଥାଏ।

ସମ୍ବନ୍ଧିତ ଖବର