ଭାରତର ଦୁଇଟି ସ୍ଥାନରେ ଚନ୍ଦ୍ରଭାଗା ନାମରେ ଦୁଇଟି ନଦୀ ପ୍ରବାହିତ। ଗୋଟିଏ ନଦୀ ଭାରତର ଉତ୍ତରାଞ୍ଚଳର ହିମାଚଳ ପ୍ରଦେଶର ଲାହୁଲ ଓ ସ୍ପିତ୍‌ ଜିଲାରେ ପ୍ରବାହିତ। ତାହା ଚନ୍ଦ୍ର ଓ ଭାଗା ନାମରେ ମିଳିତ ହୋଇ ଚନ୍ଦ୍ରଭାଗା ନଦୀ ସୃଷ୍ଟି କରିଛନ୍ତି। ଗୋଟିଏ ସୂରଜ ତାଲ ସରୋବରରୁ ଓ ଅନ୍ୟଟି ଚନ୍ଦ୍ରତାଲ ସରୋବରରୁ ବାହାରି ଲାହୋଲ ପର୍ବତର ଦୁଇ ପାର୍ଶ୍ବକୁ ସ୍ପର୍ଶ କରି ତାଣ୍ଡିଠାରେ ପରସ୍ପର ସହିତ ‌ମିଳିତ ହୋଇଛନ୍ତି। ପବିତ୍ର ଲାହୋଲ ପର୍ବତକୁ ସ୍ପର୍ଶ କରିଥିବାରୁ ଏହାକୁ ପବିତ୍ର ନଦୀର ମାନ୍ୟତା ଦିଆଯାଏ। ସଂପ୍ରତି ଏହି ନଦୀର ନାମ ଚେନାବ।

Advertisment

ପ୍ରାଚୀନ କିଂବଦନ୍ତି ଅନୁସାରେ, ଏହି ନଦୀ ଚନ୍ଦ୍ରକନ୍ୟା ଚନ୍ଦ୍ରା ଓ ସୂର୍ଯ୍ୟପୁତ୍ର ଭାଗାଙ୍କର ଅନବଦ୍ୟ ପ୍ରେମକାହାଣୀର ସ୍ମାରକୀ। କିନ୍ତୁ ଓଡ଼ିଶାରେ ବର୍ଣ୍ଣିତ ଚନ୍ଦ୍ରଭାଗା ନଦୀର କାହାଣୀ ସ୍ବତନ୍ତ୍ର। ବେଦ କାଳରୁ ଏହି ନଦୀ ଏକ ପବିତ୍ର ନଦୀର ମାନ୍ୟତା ପ୍ରାପ୍ତ। ଏହା ଭଗବାନ ବିଷ୍ଣୁଙ୍କ ଦ୍ବାରା ସ୍ଥାପିତ, ମୁନିଋଷି ସେବିତ, ମୈତ୍ରେୟ ବନ ମଧ୍ୟରେ ଥିବା ଆଦିଦେବ ସୂର୍ଯ୍ୟଦେବଙ୍କର ନିତ୍ୟ ନିବାସ ସ୍ଥଳ ଅର୍କକ୍ଷେତ୍ର ମଧ୍ୟ ଦେଇ ପ୍ରବାହିତ। ଭାଗବତର ବର୍ଣ୍ଣନା ଅନୁଯାୟୀ ଯେତେବେଳେ ଜାମ୍ବବତୀପୁତ୍ର ଶାମ୍ବ ଦେବୀ ସତ୍ୟଭାମାଙ୍କ ଦ୍ବାରା କୁଷ୍ଠ ରୋଗାକ୍ରାନ୍ତ ହେବା ପାଇଁ ଅଭିଶାପ ପାଇଲେ। ଫଳରେ ବ୍ୟାକୁଳ ଶାମ୍ବ ପିତାଙ୍କ ସାହଚର୍ଯ୍ୟ ଲୋଡ଼ିଲେ। ସେତେବେଳେ ଶ୍ରୀକୃଷ୍ଣ ରୋଗମୁକ୍ତ ହେବାପାଇଁ ଶାମ୍ବଙ୍କୁ ଦକ୍ଷିଣ ସମୁଦ୍ର ଓ ପବିତ୍ର ଚନ୍ଦ୍ରଭାଗା ନଦୀର ମିଳନ ସ୍ଥଳରେ ଥିବା ମୈତ୍ରେୟ ବନକୁ ଯାଇ ସୂର୍ଯ୍ୟଙ୍କୁ ଆରାଧନା କରିବା ନିମିତ୍ତ ଉପଦେ‌ଶ ଦେଲେ। କାରଣ ଏକଚକ୍ରବିଶିଷ୍ଟ ହିରଣ୍ମୟ ରଥରେ ବିରଞ୍ଚି ନାରାୟଣ ସୂର୍ଯ୍ୟଦେବ ସମଗ୍ର ସୃଷ୍ଟି ପରିଭ୍ରମଣ କରିଥାନ୍ତି। ସମସ୍ତ ସ୍ଥାନରେ ସେ ତାଙ୍କର କିରଣଜାଳ ସମ ଭାବରେ ବିତରଣ କରିଥାନ୍ତି। କିନ୍ତୁ ତାଙ୍କର ପ୍ରିୟସ୍ଥଳ ହେଉଛି ନୀଳ ସାଗର ତଟସ୍ଥ ପୂତସଲିଳା ଚନ୍ଦ୍ରଭାଗା ନଦୀର ସଂଗମଭୂମି ଅର୍କକ୍ଷେତ୍ର। ପ୍ରତ୍ୟେକ ମାଘ ଶୁକ୍ଳ ଏକାଦଶୀ ତିଥିରେ ସ୍ବୟଂ ସୂର୍ଯ୍ୟଦେବ ଆସି ଚନ୍ଦ୍ରଭାଗରେ ସ୍ନାନ କରିଥାନ୍ତି। ସେହି ସ୍ଥାନକୁ ଯାଇ ସୂର୍ଯ୍ୟଙ୍କୁ ଉପାସନା କରି ସ୍ନାନ କଲେ ଅଚିରେ ରୋଗ ମୁକ୍ତି ହେବ। 

ପିତାଙ୍କ ଆଦେଶରେ ଶାମ୍ବ ଅର୍କକ୍ଷେତ୍ର ଆସି ସୂର୍ଯ୍ୟଙ୍କୁ ଉପାସନା କଲେ। ଶେଷରେ ତାଙ୍କର ତପସ୍ୟା ପୂର୍ଣ୍ଣ ହେଲା। ଶାମ୍ବଙ୍କୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ମିଳିଲା। ଶାମ୍ବ ଚନ୍ଦ୍ରଭାଗା ନଦୀ ଗର୍ଭରୁ ଏକ ପଦ୍ମସମ ମନୋହର ଦ୍ବିଭୁଜ ରବିନାରାୟଣ ମୂର୍ତ୍ତି ପ୍ରାପ୍ତ ହେଲେ। ସ୍ଥାପିତ ହେଲା ଅର୍କକ୍ଷେତ୍ର କୋଣାର୍କ। ତାହା କୋଣାଦିତ୍ୟଙ୍କର ଆବିର୍ଭାବ ଭୂମି। ପବିତ୍ର ଚନ୍ଦ୍ରଭାଗା ସୂର୍ଯ୍ୟଦେବଙ୍କୁ ଗର୍ଭରେ ଧାରଣ କରି ଆହୁରି ପବିତ୍ର ହୋଇଗଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସୂର୍ଯ୍ୟଙ୍କର ଆବିର୍ଭାବ ତିଥି ମାଘ ସପ୍ତମୀରେ ନିରାମୟ ଜୀବନଯାପନ କାମନା କରି ଚନ୍ଦ୍ରଭାଗାରେ ସ୍ନାନ କରିଥାନ୍ତି। ସଂପ୍ରତି ଏହି ନଦୀର ଅସ୍ତିତ୍ବ ଏକ ପୁ‌ଷ୍କରିଣୀରେ ସୀମିତ ହୋଇ ରହିଯାଇଛି। କିନ୍ତୁ ତାର ପବିତ୍ରତା ଓ ଗୌରବ ଆଜି ବି ଅକ୍ଷୁଣ୍ଣ। ମାଘ ଶୁକ୍ଳ ସପ୍ତମୀ ତିଥିରେ ଏଠାରେ ବିରାଟ ଉତ୍ସବର ଆୟୋଜନ ହୋଇଥାଏ।