“ଉତ୍ପଳେଶଂ ସମାସାଦ୍ୟ ଯାବଚ୍ଚିତ୍ରା ମାହେଶ୍ୱରୀ
ତାବଚ୍ଚିତ୍ରୋତ୍ପଳା ଖ୍ୟାତା ସର୍ବପୁଣ୍ୟପ୍ରଦା ନଦୀ।”
(କପିଳ ସଂହିତା,୨/୩୭)
ଅର୍ଥାତ୍, ମାହେଶ୍ୱରୀ ଗଙ୍ଗା ଉତ୍ପଳେଶ୍ୱରଙ୍କର ବିଜେସ୍ଥଳୀରୁ ଚିତ୍ରାଦେବୀଙ୍କ ମନ୍ଦିର ପର୍ଯ୍ୟନ୍ତ ଚିତ୍ରୋତ୍ପଳା ନାମରେ ନାମିତ ହୋଇଛନ୍ତି। ଏହି ମହାନଦୀରେ ସ୍ନାନ ଓ ତୀରସ୍ଥ ହର-ପାର୍ବତୀଙ୍କ ଦର୍ଶନ ଫଳରେ ମନୁଷ୍ୟ ମହାପାପରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ଗଙ୍ଗାସ୍ନାନର ଫଳ ଲାଭ କରିଥାଏ। ‘ସାରଳା ମହାଭାରତ’ରେ ମଧ୍ୟ ବର୍ଣ୍ଣିତ ହୋଇଛି “ଜମ୍ବୁଦ୍ୱୀପେ ଭ୍ରଥଖଣ୍ଡେ ଉଡ଼୍ରାଷ୍ଟ୍ର ମଣ୍ଡଳେ, / ଉତ୍ପଳେଶ୍ୱର ଯେ ଲିଙ୍ଗ ଚିତ୍ରୋତ୍ପଳା କୂଳେ।’’
ତ୍ରିଲୋଚନ ଦ୍ୱିଜ ଲିଖିତ ‘ପ୍ରାଚୀ ମାହାତ୍ମ୍ୟ’ ନାମକ ଗ୍ରନ୍ଥରେ ମଧ୍ୟ ଏକ ସୁନ୍ଦର କାହାଣୀ ବର୍ଣ୍ଣିତ। ‘ଚିତ୍ର’ ନାମକ ଏକ ଚଣ୍ଡାଳ ‘ଉତ୍ପଳା’ ନାମ୍ନୀ ଏକ ବ୍ରାହ୍ମଣ କନ୍ୟାକୁ ବିବାହ କରି ମୃତ୍ୟୁବରଣ କରିବା ପରେ, ସ୍ଥାନୀୟ ଅଧିବାସୀପାନେ ଏ ଦୁହିଙ୍କ ନାମକୁ ସ୍ମରଣ ରଖିବାପାଇଁ ନଦୀର ଦୁଇ କୂଳରେ ଦୁଇଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ। ସେହି ଶିବଲିଙ୍ଗଙ୍କ ନାମାନୁସାରେ ସେଠାରେ ପ୍ରବାହିତ ନଦୀର ନାମ ଚିତ୍ରୋତ୍ପଳା ହୋଇଥିଲା। ‘କପିଳ ସଂହିତା’ ଅନୁସାରେ, ଚିତ୍ରକ ପୁରୁଷ ବଦଳରେ ଚିତ୍ରେଶ୍ୱରୀ ଠାକୁରାଣୀ ଓ ଉତ୍ପଳା ସ୍ତ୍ରୀ ବଦଳରେ ଉତ୍ପଳେଶ୍ୱର ମହାଦେବ ସ୍ଥାପିତ ହୋଇଥିଲେ। ମାତ୍ର ଗବେଷକଙ୍କ ମତରେ, ଏହି ଚିତ୍ରକ ପୁରୁଷ ହେଉଛନ୍ତି ଐରବଂଶୀୟ ରାଜା ଚିତ୍ର ଐର ଓ ତାଙ୍କ ବ୍ରାହ୍ମଣପତ୍ନୀ ଉତ୍ପଳା। ‘ସଂହିତା’ ଅନୁସାରେ, ପୂର୍ବେ ଯେଉଁ ଅଞ୍ଚଳ ଦେଇ ଚିତ୍ରୋତ୍ପଳା ପ୍ରବାହିତ ହେଉଥିଲା ତାହା କାକଟପୁରରୁ କୋଣାର୍କ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ। ଏହି ନଦୀ ଆପାତତଃ ପ୍ରାଚୀନଦୀରୁ ବାହାରି ଚନ୍ଦ୍ରଭାଗା ନିକଟରେ ସମୁଦ୍ର ସଂଗମ କରିଥିଲା। କଥିତ ଅଛି, ଏହି ନଦୀର ପଦ୍ମତୋଳା ଗଣ୍ଡ ପୋତାହୋଇ କୋଣାର୍କ ମନ୍ଦିର ନିର୍ମିତ ହୋଇଥିଲା। ସଂପ୍ରତି ଏହି ନଦୀର ଯେଉଁ ଧାରଖଣ୍ଡ ରହିଛି ତାହାକୁ ପଥରବୁହା ନଦୀ କୁହାଯାଏ। ପ୍ରାଚୀ ଓ ଚିତ୍ରୋତ୍ପଳାର ମୁହାଣରେ ପ୍ରାଚୀନ ଚେଳିତାଳ ବନ୍ଦର ଥିବାର ଉଲ୍ଲେଖ ମିଳେ। କିନ୍ତୁ ସଂପ୍ରତି ଯେଉଁ ଚିତ୍ରୋତ୍ପଳା ନଦୀର ଚଳଚଞ୍ଚଳ ଅବସ୍ଥିତି ସଂପର୍କରେ ସୂଚନା ମିଳେ, ତାହା କଟକ ଓ କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ଚିତ୍ରୋତ୍ପଳା ନଦୀ। ତାହାର ଲୁଣା ଓ କେରାଣ୍ଡିଆ ନାମରେ ଦୁଇଟି ଉପନଦୀ ଅଛି। ପାରାଦ୍ୱୀପଠାରେ ଏହା ବଙ୍ଗୋପସାଗରରେ ମିଶିଛି। ଏହି ନଦୀ ତୀରରେ ଅଚ୍ୟୁତାନନ୍ଦଙ୍କର ନେମାଳ ଆଶ୍ରମ ପ୍ରତିଷ୍ଠିତ। ସେଠାରେ ପ୍ରତିବର୍ଷ ମାଘମେଳା ଅନୁଷ୍ଠିତ ହୁଏ। ଯାତ୍ରୀମାନେ ସେଠାକୁ ଯାଇ ସ୍ନାନ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp