ସାମାଜିକ ଗଣମାଧ୍ୟମରେ ବାଘ, ଭାଲୁ, କଙ୍ଗାରୁ ପରି ବନ୍ୟପ୍ରାଣୀଙ୍କର ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଦେଖିବାକୁ ମିଳୁଛି। ଲୋକେ ସେଗୁଡ଼ିକୁ ସତ ଭାବି ପ୍ରସାରିତ କରୁଛନ୍ତି। କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଦ୍ୱାରା ସୃଷ୍ଟ ଏହି ଭିଡିଓଗୁଡ଼ିକ ଦେଖିବାକୁ ଏତେ ବାସ୍ତବ ଯେ ସେଗୁଡ଼ିକ ମିଛ ବୋଲି ଧରିବା ଖୁବ୍ କଷ୍ଟ। ଯଦିଓ ଏଭଳି ଭିଡିଓଗୁଡ଼ିକ ମନୋରଂଜନ ପାଇଁ ଉଦ୍ଦିଷ୍ଟ, ତେବେ ଏଗୁଡ଼ିକ  ବନ୍ୟଜୀବ ସଂରକ୍ଷଣ ପ୍ରୟାସ ଏବଂ ପ୍ରକୃତି ସହିତ ଶିଶୁମାନଙ୍କ ସମ୍ପର୍କ ଉପରେ ବିପଜ୍ଜନକ ପ୍ରଭାବ ପକାଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।  

Advertisment

ସ୍ପେନ୍‌ର କର୍ଡୋବା ବିଶ୍ୱବିଦ୍ୟାଳୟର ଗବେଷକମାନେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ବନ୍ୟପ୍ରାଣୀଙ୍କ ଏଆଇ ଫଟୋ ଓ ଭିଡିଓର ବିପଦ ବାବଦରେ ଅନୁସନ୍ଧାନ କରିଥିଲେ। ସେଥିରୁ ସେମାନେ ତିନିଟି ମୁଖ୍ୟ ସମସ୍ୟା ଲକ୍ଷ୍ୟ କରିଥିଲେ। ସେଗୁଡ଼ିକ ହେଲା- ପ୍ରାଣୀ ଆଚରଣ ନେଇ ଭ୍ରାନ୍ତ ଧାରଣା, ଆନ୍ଥ୍ରୋପୋମର୍ଫାଇଜିଂ ବା ଜୀବଜନ୍ତୁଙ୍କ ଠାରେ ମାନବ ଗୁଣ ପ୍ରୟୋଗ ଏବଂ ସମାଜ ଓ ପ୍ରକୃତି ମଧ୍ୟରେ ବଢୁଥିବା ବିଚ୍ଛିନ୍ନତା। ଏହି ପରିଣତି ବେଶ୍‌ ଚିନ୍ତାଜନକ। ଉଦାହରଣ ସ୍ବରୂପ, ପକ୍ଷୀ ଅଣ୍ଡା ଖାଇବାକୁ ଯାଉଥିବା ‘ଦୁଷ୍ଟ’ ସାପଙ୍କୁ ପକ୍ଷୀ ପିତାମାତା ହତ୍ୟା କରିବାର ଭିଡିଓ ଦେଖିବାକୁ ନ୍ୟାୟପୂର୍ଣ୍ଣ ଲାଗିପାରେ, କିନ୍ତୁ ସାପ ସଂରକ୍ଷଣ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ।  ଯଦି ସାପ ସଂରକ୍ଷଣ ପ୍ରତି ପର୍ଯ୍ୟାପ୍ତ ସମର୍ଥନ ରହିବ ନାହିଁ, ତେବେ ସଂରକ୍ଷଣର ପ୍ରୟାସ ଦୁର୍ବଳ ହୋଇପଡ଼ିବ। ଏପରି ଭିଡିଓଗୁଡ଼ିକ ଭୁଲ୍‌ ଧାରଣା ମଧ୍ୟ ସୃଷ୍ଟି କରିପାରେ ଯେ ବିପନ୍ନ ପ୍ରାଣୀଙ୍କ ସଂଖ୍ୟା ବାସ୍ତବ ସଂଖ୍ୟା ଠାରୁ ଖୁବ୍ ବେଶୀ, ଯାହା ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ପୂର୍ବରୁ ଥିବା ବିଚ୍ଛିନ୍ନତାକୁ ଆହୁରି ବଢ଼ାଇଦେବ। ଏହି ଭିଡିଓଗୁଡ଼ିକ ଛୋଟ ପିଲାମାନଙ୍କ ମନରେ ଆଶା ଉତ୍ପନ୍ନ କରିପାରେ ଯେ ସ୍ଥାନୀୟ ବନ୍ୟପ୍ରାଣୀ ଓ ସେମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସାକ୍ଷାତ ସମ୍ଭବ, ଯାହା ଉଭୟ ଶିଶୁ ଓ ବନ୍ୟପ୍ରାଣୀଙ୍କ ପାଇଁ ବିପଜ୍ଜନକ ହୋଇପାରେ। 

ଏହାର ସବୁଠୁ ଖରାପ ଦିଗ ହେଉଛି, ଅଧିକଂାଶ ଲୋକ (ବିଶେଷ କରି ଯୁବପିଢ଼ି) ସାମାଜିକ ଗଣମାଧ୍ୟମକୁ ସୂଚନାର ଉତ୍ସ ଭାବରେ ବିଚାର କରୁଛନ୍ତି। ଦୁର୍ଲଭ ପ୍ରାଣୀଙ୍କ ସହ ବନ୍ଧୁତାର ମିଥ୍ୟା ଚିତ୍ରଣ ଯୋଗୁଁ ଅଧିକ ଲୋକ ସେମାନଙ୍କୁ ଘରେ ପୋଷା ରଖିବା ପାଇଁ ଆଗ୍ରହୀ ହେଉଛନ୍ତି। ଏହି ଏଆଇ ଭିଡିଓଗୁଡ଼ିକର ସମ୍ଭାବ୍ୟ କ୍ଷତିକୁ ଏଡ଼ାଇବା ପାଇଁ ବିଦ୍ୟାଳୟମାନଙ୍କରେ ଗଣମାଧ୍ୟମ ସାକ୍ଷରତା ଓ ପରିବେଶଗତ ଶିକ୍ଷାଦାନ ଭଳି ରଣନୀତି ଆପଣାଇବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି।