ଶର୍ମିଷ୍ଠା ରହନ୍ତି ଗାଁରେ, ସ୍ବାମୀ ସୁଦୂର ପୁଣେରେ। ଘରୋଇ ଚାକିରି, ଛୁଟି କମ୍‌ । ସେଥିପାଇଁ ସବୁବର୍ଷ ସାବିତ୍ରୀରେ ଘରକୁ ଆସିପାରନ୍ତି ନାହିଁ। ସ୍ବାମୀଙ୍କ ଅନୁପସ୍ଥିତିରେ ବ୍ରତ ପାଳନ କରିବାକୁ ବାଧ୍ୟ ହୁଅନ୍ତି ଶର୍ମିଷ୍ଠା, ପରମ୍ପରାକୁ ବଜାୟ ରଖିବା ପାଇଁ ଭିଡିଓ କଲ୍‌ର ସାହାଯ୍ୟ ନିଅନ୍ତି। ଫୋନ୍‌ ସେପଟୁ ଆଶୀର୍ବାଦର ହାତ ଦେଖାଇଦିଅନ୍ତି ସ୍ବାମୀ ଆଉ ଏପଟେ ନୂଆ ଶାଢ଼ି ସହ ଶଙ୍ଖାସିନ୍ଦୂର ପିନ୍ଧି ସ୍ବାମୀଙ୍କୁ ମୁଣ୍ଡିଆ ମାରନ୍ତି ଶର୍ମିଷ୍ଠା। ଇଏ କେବଳ ଶର୍ମିଷ୍ଠାଙ୍କ କଥା ନୁହେଁ, ଅନେକ ସଧବା ସାବିତ୍ରୀ ବ୍ରତ ବେଳେ ସ୍ବାମୀ ଅନୁପସ୍ଥିତ ଥିଲେ ଏଇ ଢଙ୍ଗରେ ପରମ୍ପରାକୁ ପାଳନ କରୁଛନ୍ତି। ସାଧାରଣତଃ ଓଡ଼ିଆ ଘରର ମହିଳାମାନେ ସାବିତ୍ରୀ ଓଷାରେ ଉପବାସ କରି ନବବସ୍ତ୍ର, ସିନ୍ଦୂର, ଶଙ୍ଖା, ଅଳତା, ଫଳମୂଳ ଇତ୍ୟାଦି ପୂଜା କରି ସ୍ବାମୀଙ୍କ ଆଶୀର୍ବାଦ ନେଇ ବ୍ରତ ପାଳନ କରନ୍ତି। ଯଦି କାହାର ସ୍ବାମୀ କୌଣସି କାରଣବଶତଃ ବାହାରେ ଥାଆନ୍ତି ଓ ଓଷ‌ାଦିନ ଘରକୁ ଆସିପାରନ୍ତି ନାହିଁ ତେବେ ମହିଳାମାନେ ସେମାନଙ୍କ ଫଟୋକୁ ଦେଖି ଆଶୀର୍ବାଦ ନେଉଥିଲେ। ବିଶେଷକରି ବିଦେଶରେ ରହୁଥିବା, ସେନାବ‌ାହିନୀରେ କାମ କରୁଥିବା ସ୍ବାମୀମାନଙ୍କ ପତ୍ନୀମାନେ ଏମିତି ଓଷା ପାଳୁଥିଲେ।

Advertisment

ହେଲେ ଏବେ ଯୁଗ ବଦଳିଛି। ଡିଜିଟାଲ୍‌ ଯୁଗରେ ସ୍ମାର୍ଟଫୋନ୍‌ ଜରିଆରେ ସ୍ବାମୀଙ୍କ ଆଭାସୀ ଉପସ୍ଥିତିରେ ବ୍ରତ ପାଳନ ହେଉଥିବା ଦେଖାଯାଉଛି। ପତ୍ନୀ ସାବିତ୍ରୀ ଦିନ ଭିଡିଓ କଲ୍‌ କରି ସ୍ବାମୀଙ୍କୁ ଦେଖିବା ସହ ପରମ୍ପରା ମୁତାବକ ପ୍ରଣାମ କରୁଛନ୍ତି। ସତ୍ୟବାନ୍‌ ଓ ସାବିତ୍ରୀ ଭିଡିଓ କଲ୍‌ରେ ସମ୍ମିଳିତ ହୋଇପାରୁଛନ୍ତି। ଫୋନ୍‌ରେ ସ୍ବାମୀଙ୍କ ପାଦର ଛବିକୁ ଛୁଇଁ ଆଶୀର୍ବାଦ ବି ନେଇପାରୁଛନ୍ତି। ଶେଷରେ ‘ମିସ୍‌ ୟୁ- ମିସ୍‌ ୟୁ ଠୁ’ ବାକ୍ୟରେ ଶେଷ ହେଉଛି ବ୍ରତର ଔପଚାରିକତା।

publive-image

ସ୍ବାମୀଙ୍କ ଉପସ୍ଥିତି ଠାରୁ ଅଧିକ ଜରୁରି ପାରସ୍ପରିକ ବୁଝାମଣା
ଭାରତୀୟ ପରମ୍ପରାରେ ସାବିତ୍ରୀ ଏମିତି ଏକ ବ୍ରତ, ଯାହା ବୈବାହିକ ସଂପର୍କରେ ଏକାଠି ହୋଇଥିବା ଦୁଇ ଜୀବନକୁ ଗୋଟିଏ ସୂତାରେ ବାନ୍ଧିରଖେ। ସ୍ତ୍ରୀ ସ୍ବାମୀର ଦୀର୍ଘଜୀବନ କାମନା କରି ବ୍ରତ ରଖିଥାଏ। ସ୍ବାମୀ ପାଖରେ ଥାଆନ୍ତୁ ବା ଦୂରରେ, ସ୍ତ୍ରୀ ସ୍ବାମୀଙ୍କ ଲାଗି ପୂଜା କରି ଉପବାସ ପାଳିଥାଏ। ଏହି ବ୍ରତଦିନ ପତ୍ନୀ ପତିକୁ ପ୍ରଣାମ କରିବାର ପରମ୍ପରା ବି ରହିଛି। ହେଲେ ସ୍ବାମୀ ଓ ସ୍ତ୍ରୀ ଏକାଠି ନଥିଲେ ଭାରି କଷ୍ଟ ହୁଏ। ମୋ ବାହାଘରକୁ ଛଅ ବର୍ଷ ପୂରିଲା। ସ୍ବାମୀ ମହାରାଷ୍ଟ୍ରରେ ଆଉ ମୁଁ ଓଡ଼ିଶାରେ ରହେ। ପ୍ରାୟତଃ ସାବିତ୍ରୀ ବ୍ରତ ବେଳେ ସେ ମୋ ପାଖରେ ନଥାନ୍ତି, ଏବର୍ଷ ମଧ୍ୟ ସେ ମୋ ପାଖରେ ନାହାନ୍ତି। ମାତ୍ର ରୋଜଗାର ପାଇଁ ମଣିଷକୁ ଦୂରରେ ରହିବାକୁ ପଡ଼େ। ତେଣୁ ପ୍ରତିବର୍ଷ ସାବିତ୍ରୀ ବ୍ରତ ପୂଜା ପରେ ଭିଡିଓ କଲ୍‌ରେ ଟିକିଏ ଦେଖି ପ୍ରଣାମ କରି ବ୍ରତ ପୂରଣ କରେ। ମୋ ମତରେ ସ୍ବାମୀ ପାଖରେ ରହିବା ଯେତିକି ଜରୁରି ନୁହେଁ, ତା’ଠାରୁ ବେଶୀ ଗୁରୁତ୍ବପୂର୍ଣ୍ଣ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବୁଝାମଣା ଓ ଭଲପାଇବା।
-ଡ. ଅନ୍ନପୂର୍ଣ୍ଣା ଦାସ, ଅଧ୍ୟାପିକା, ସୂରଜମଲ ଶାହା ମହାବିଦ୍ୟାଳୟ, ପୁରୀ

ମୁଁ ଘରକୁ ଯେଉଁଦିନ ଫେରିବି ସେଦିନ ଆମ ସାବିତ୍ରୀ
ସ୍ୱାମୀ ଯେଉଁ କାର୍ଯ୍ୟରେ ବା ଯେଉଁ କ୍ଷେତ୍ରରେ ଥାଆନ୍ତୁ, କିନ୍ତୁ ସାବିତ୍ରୀ ଦିନ ପାଖରେ ରହନ୍ତୁ। ଏହା ପ୍ରତି ନାରୀର ଅଭିଳାଷ। ହେଲେ କର୍ତ୍ତବ୍ୟ ପାଳନ ହେତୁ ଏହା ଅସମ୍ଭବ ହୋଇପଡ଼େ । ଏପରିକି ସାବିତ୍ରୀ ଦିନ ପତ୍ନୀଙ୍କ ପାଖେ ପହଞ୍ଚିବାକୁ ଇଚ୍ଛା ଥିଲେ ବି ସୁଯୋଗ ଜୁଟି ନ ଥାଏ। ମୁଁ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ। ଆଜିକାଲିର ଡିଜିଟାଲ୍‌ ଦୁନିଆରେ ଦୂରତାକୁ ଭିଡିଓ କଲ୍‌ରେ ଅତିକ୍ରମ କରି ନିଜ ସ୍ୱାମୀଙ୍କୁ ଦେଖି ସ୍ତ୍ରୀ ପୂଜା କରୁଛନ୍ତି। ମାତ୍ର ସେ ଦୁନିଆରୁ ମଧ୍ୟ ଆମେ ବହୁତ ଦୂରରେ। ଏବେ ମୁଁ ଅରୁଣାଚଳ ପ୍ରଦେଶରେ ଅଛି, ଯେଉଁଠି ଫୋନ୍ କଲ୍ କରିବା ସମ୍ଭବ ହେଉନାହିଁ। କେବେ କେବେ କଲ୍ ଲାଗିଲେ କାନ୍ଦକାନ୍ଦ ସ୍ୱରରେ ଗୋଟିଏ ପ୍ରଶ୍ନ- ଏଥର ସାବିତ୍ରୀରେ ତୁମେ ଆସିବ ନାହିଁ? ଉତ୍ତରରେ ‘ଚେଷ୍ଟା କରିବି’ କହି ଫୋନ୍‌ ରଖେ। ତଥାପି ସେଦିନ ଚେଷ୍ଟା କରେ ଭିଡିଓ କି ଅଡିଓ କଲ୍ କରି ପତ୍ନୀଙ୍କୁ ଟିକେ ଖୁସି କରିବାକୁ, ତାହା ବି ବିଫଳ ହୋଇଯାଏ। ଏଣୁ ପତ୍ନୀଙ୍କୁ ବୁଝାଇ ଦେଇଛି, ମୁଁ ଘରକୁ ଯେବେ ଛୁଟିରେ ଯାଇ ପହଞ୍ଚିବି ସେହିଦିନ ହେବ ଆମ ପାଇଁ ସାବିତ୍ରୀ ଆଉ ସବୁ ପର୍ବପର୍ବାଣି।
-ଡ. ବିଦ୍ୟାଧର ରାଉତ, ଭାରତୀୟ ସ୍ଥଳସେନା, ଅରୁଣାଚଳ ପ୍ରଦେଶ

ସ୍ବାମୀ ପାଇଁ ବ୍ରତ
ଓଡ଼ିଶାରେ ସାବିତ୍ରୀ ବ୍ରତ ପରି ଦକ୍ଷିଣ ଭାରତରେ ପାଳନ ହୁଏ ବରଲକ୍ଷ୍ମୀ ବ୍ରତମ୍‌, ଉତ୍ତର ଭାରତରେ କରବାଚୌଥ୍‌ ବ୍ରତ (କରକ ଚତୁର୍ଥୀ) ଏବଂ କେନ୍ଦ୍ରୀୟ ଭାରତରେ ତିଜ୍‌ ବ୍ରତ ପାଳନ କରାଯାଏ। ଏହାଛଡ଼ା ସ୍ବାମୀଙ୍କ ସୁଖ ମନାସି କିମ୍ବା ମନ ପସନ୍ଦର ଜୀବନସାଥୀ ପାଇବା ଲାଗି ମଙ୍ଗଳା ଗୌରୀ ବ୍ରତ, ଶିବ ଚତୁର୍ଥୀ, ଷୋଳ ସୋମବାର ବ୍ରତ, ଅଶୂନ୍ୟ ଶୟନ ବ୍ରତ, ବୈଭବ ଲକ୍ଷ୍ମୀ ବ୍ରତ ଇତ୍ୟାଦି ପାଳନ କରାଯାଏ।