ନାରୀଟିଏ ଦୁଇ କୁଳକୁ ହିତା। ଏଣୁ ସେ ଉଭୟ ବାପଘର ଓ ଶାଶୂଘରକୁ ଗୁରୁତ୍ବ ଦିଏ। ଭଲମନ୍ଦ ବୁଝିବା ସହ ଆବେଗର ଡୋରିରେ ସମସ୍ତଙ୍କୁ ବାନ୍ଧି ରଖେ। ସେଇଥିପାଇଁ ନାରୀକୁ ‘ଦୁହିତା’ର ଆଖ୍ୟା ଦିଆଯାଇଛି। ହେଲେ ପରିତାପର ବିଷୟ; ଆମ ସମାଜରେ ନାରୀକୁ ଯେତିକି ସମ୍ମାନ ମିଳିବା କଥା, ସେତିକି ମିଳିନି। ଭଦ୍ରକ ଜିଲ୍ଲା ତହିଡ଼ି ବ୍ଲକ୍ ବାମନବିନ୍ଧା ପଞ୍ଚାୟତ ଅଧୀନ ଖେଦରପୁର ଗାଁ’ର ଝିଅମାନେ ବୋହୂ ହେବା ପରେ ଦାୟିତ୍ବ ଓ କର୍ତ୍ତବ୍ୟବୋଧର ନିଦର୍ଶନ ସାଜିଛନ୍ତି। ‘ଦୁହିତା’ ଶବ୍ଦକୁ ସାର୍ଥକ କରିଛନ୍ତି। ବାପଘର ସହ ଶାଶୂଘରର ଭଲମନ୍ଦ କଥା ବୁଝିବା ସହ ଉଭୟ ପରିବାରର ସଦସ୍ୟଙ୍କ ସାହାରା ବନିଛନ୍ତି। ହେଲେ ସେମାନଙ୍କୁ ଆଖପାଖରେ ରହୁଥିବା ଲୋକେ ନା ଚିହ୍ନନ୍ତି ନା ସମ୍ମାନ ପ୍ରଦର୍ଶନ କରନ୍ତି। ଏପରି ସମୟରେ ଖେଦରପୁରବାସୀ ଗାଁ ଝିଅଙ୍କ ମହାନୁଭବତାକୁ ସ୍ବୀକୃତି ଦେବା ପାଇଁ ନିଆରା ଉଦ୍ୟମଟିଏ କରିଛନ୍ତି। କଟକ ଜିଲ୍ଲା ଟାଙ୍ଗୀରେ ବିବାହ କରିଥିବା ଅନିତା ମହାନ୍ତି ଏବଂ ନିଜ ଗାଁ’ରେ ବିବାହ କରିଥିବା ସୁଜିତା ମହାନ୍ତିଙ୍କ ଉଦ୍ୟମ ଯୋଗୁଁ ୩ ବର୍ଷ ତଳେ ଆରମ୍ଭ ହୋଇଥିଲା ‘ଦୁହିତା ମିଳନ ଉତ୍ସବ’। ପ୍ରତିବର୍ଷ ଡିସେମ୍ବର ମାସରେ ଉତ୍ସବ ଆୟୋଜନ ହୋଇଥାଏ। ଏଥିପାଇଁ ପ୍ରଥମେ ତାରିଖ ସ୍ଥିର ହୁଏ ଏବଂ ବିବାହିତା ଝିଅମାନଙ୍କୁ ନିମନ୍ତ୍ରଣ କରାଯାଏ। ସମସ୍ତେ ନିର୍ଦ୍ଧାରିତ ଦିନ ଗାଁରେ ପହଞ୍ଚି ଯାଆନ୍ତି।
ସକାଳୁ ସଂଧ୍ୟା ଯାଏ ଆଲୋଚନା ପର୍ବଠାରୁ ଆରମ୍ଭ କରି ମିଳନ ପର୍ବ ଓ ସାଂସ୍କୃତିକ ପର୍ବ ହୋଇଥାଏ। ସମସ୍ତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରନ୍ତି। ସେହିପରି ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା ଥାଏ। ନିକଟରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୋଟ ୫୨ ଜଣ ବିବାହିତ ଗାଁ ଝିଅ ସେଥିରେ ଯୋଗଦେଇଥିଲେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କୋହ୍ଲରେ ବିବାହ କରିଥିବା ଉପଦେଷ୍ଟା ସରସ୍ବତୀ ମହାପାତ୍ର, ଖେଦରପୁରରେ ବିବାହ କରିଥିବା ରଶ୍ମିରେଖା ମହାନ୍ତି ଏବଂ କୋହ୍ଲରେ ବିବାହ କରିଥିବା ସଦସ୍ୟ କେତକୀ ପରିଡ଼ାଙ୍କ ସହ ବାଲେଶ୍ବର ଜିଲ୍ଲା ମାର୍କୋଣାରେ ବିବାହ କରିଥିବା ସାବିତ୍ରୀ ମହାନ୍ତିଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଛି।
ଉଲ୍ଲେଖଥାଉକି, ସାମାଜିକ ସଂଗଠନ ଜିଏମ୍ଏସ୍ପି ଦ୍ବାରା ଓଡ଼ିଶାରେ ଏକ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ, ୯୮ ପ୍ରତିଶତ ବିବାହିତା ମହିଳା ବାପଘରର ସୁବିଧାଅସୁବିଧା ବେଳେ ପାଖରେ ଛିଡ଼ା ହେଉଛନ୍ତି। ସେମାନେ ଆର୍ଥିକ ଓ ଶାରୀରିକ ସହାୟତା ଯୋଗାଉଛନ୍ତି। ଯାହା ସୁସ୍ଥ ସାମାଜିକ ଜୀବନ ଦୃଷ୍ଟିକୋଣରୁ ଉତ୍ସାହ କଲା ଭଳି ଏକ ଖବର ନିଶ୍ଚୟ। ତେବେ ଆମେ ଆଶା କରିବା, ଆଗାମୀ ଦିନ ‘ଦୁହିତା ମିଳନ ଉତ୍ସବ’ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ପୁରୁଷପ୍ରାଧାନ୍ୟ ସମାଜରେ ନାରୀଙ୍କ ସ୍ଥାନ ସଂରକ୍ଷିତ ରହିବ। ସମସ୍ତେ କହିବେ, ଆମ ଝିଅ ବି କିଛି କମ୍ ନୁହେଁ।
ରୁଦ୍ରରଂଜନ ଶେଜପଡ଼ା