ଏବେ ଜମା ଓ ନିବେଶ ପାଇଁ ଭଳିକି ଭଳି ନୂଆ ଯୋଜନା ଆସିବାରେ ଲାଗିଛି। କମ୍ ସମୟରେ ଅଧିକ ଆୟର ଭରସା ଦେଇ ଅନେକ ସଂସ୍ଥା ନୂଆ ନୂଆ ଯୋଜନା ଆଣୁଛନ୍ତି। ଅନେକ ଯୋଜନା ଉପାଦେୟ ହୋଇଥିବା ବେଳେ କିଛି ଜମାକାରୀ ଠକେଇର ଶିକାର ହେଉଛନ୍ତି। ନୂଆନୂଆ ସଂସ୍ଥା, ଜଟିଳ ଆଇନ, ଏକାଧିକ ନିୟନ୍ତ୍ରଣକାରୀ ଅନୁଷ୍ଠାନ ଓ ବିଧିବ୍ୟବସ୍ଥା ଭିତରେ ସେ ବାଟବଣା ହେଉଛି। ବିଭିନ୍ନ ବିତ୍ତୀୟ କ୍ଷେତ୍ର ପାଇଁ ନିୟନ୍ତ୍ରଣକାରୀ ସଂସ୍ଥା ଗଢ଼ା ହୋଇଥିଲେ ହେଁ ଠକ ସଂସ୍ଥାମାନେ ଗଳାବାଟ ବ୍ୟବହାର କରି ଜମାକାରୀଙ୍କୁ ଠକି ଦେଉଛନ୍ତି। କେଉଁଠି ଓ କିଭଳି ଅଭିଯୋଗ କରାଯିବ ଜାଣି ନପାରି ଜମାକାରୀ ହନ୍ତସନ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଚେଷ୍ଟାରେ ଏବେ ଆସିଛି ‘ସଚେତ ପୋର୍ଟାଲ’- ଜମାକାରୀ ଓ ନିବେଶକାରୀମାନଙ୍କ ପାଇଁ ସଚେତନତା ତଥା ପ୍ରତିକାରର ନୂଆ ଝରକା।
ଦେଶରେ ବିଭିନ୍ନ ପ୍ରକାରର ବିତ୍ତୀୟ କାରବାର ଉପରେ ନିୟନ୍ତ୍ରଣ ରଖିବା ପାଇଁ ଯେଉଁ କେତୋଟି ସର୍ବୋଚ୍ଚ ସଂସ୍ଥା କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରେ ସମନ୍ବୟ ଓ ସହଯୋଗ ପାଇଁ ରାଜ୍ୟସ୍ତରୀୟ ସମନ୍ବୟ କମିଟି ଗଠିତ ହୋଇଛି। ଏଥିରେ ବ୍ୟାଙ୍କିଙ୍ଗ୍ ଓ ଅଣବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥାର ନିୟନ୍ତ୍ରକ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସହିତ ସେବି, ଆଇ.ଆର୍.ଡି.ଏ ଓ ଅନ୍ୟ ଜାତୀୟସ୍ତରର ସଂସ୍ଥା ଏବଂ ରାଜ୍ୟର ଗୃହ ବିଭାଗ, ଆଇନ ବିଭାଗ, ଅର୍ଥ ବିଭାଗ ଓ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଦି ଏହାର ସଦସ୍ୟ ଅଛନ୍ତି। ୨୦୨୪ ମସିହାରେ ପୁନର୍ଗଠିତ ହେଇଥିବା ଏହି ସଙ୍ଗଠନ ମାଧ୍ୟମରେ ସାଧାରଣ ଜମାକାରୀଟିଏ ଏହି ସବୁ ଅନୁଷ୍ଠାନର ବିଧିବ୍ୟବସ୍ଥା ସହ ପରିଚିତ ହେବା ସହିତ ନିବେଶ ସମୟରେ କେଉଁଭଳି ସତର୍କତା ଆବଶ୍ୟକ, ତାହା ସହଜରେ ଜାଣିପାରୁଛି। ତା’ଛଡ଼ା ଜାଲସାଜିର ଶିକାର ହୋଇଥିବା ଜମାକାରୀମାନେ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରୁଛନ୍ତି। ଅଭିଯୋଗଟି ବ୍ୟାଙ୍କ୍, ଏନ୍.ବି.ଏଫ୍.ସି, କମ୍ପାନି, ସୋସାଇଟି, ଚିଟ୍ଫଣ୍ଡ୍ ବା ଅନ୍ୟ ଯେ କୌଣସି ସଂସ୍ଥା ବିରୋଧରେ ହୋଇଥାଉ ନା କାହିଁକି ସେଥିପାଇଁ ଗୋଟିଏ ସ୍ଥାନରେ କେବଳ ସଚେତ ପୋର୍ଟାଲରେ ଅଭିଯୋଗ ଦାଖଲ କରାଯାଇପାରୁଛି। ଅଭିଯୋଗ ପାଇବା ମାତ୍ରେ ତାହା ସଂପୃକ୍ତ ନିୟନ୍ତ୍ରକ ସଂସ୍ଥା ନିକଟକୁ ପଠାଇଦିଆଯାଉଛି ଏବଂ ସେମାନେ ଅଭିଯୋଗକାରୀଙ୍କ ସହ ଯୋଗାଯୋଗ କରି ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସେଇ ପୋର୍ଟାଲ୍ର ୱେବ୍ ଠିକଣା ହେଲା- sachet.rbi.org.in। ଖୁସିର କଥା, ଏହି ସାଇଟ୍ ଏବେ ଓଡ଼ିଆ ସମେତ ୧୩ଟି ଭାଷାରେ ଉପଲବ୍ଧ ଅଛି।