ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ସଜନାଗଡ଼ରେ ଅଧିଷ୍ଠିତ ମା’ ଭୂଧାର ଚଣ୍ଡୀ। ଆଜି ମୂଳାଷ୍ଟମୀ ତିଥିରେ ରାଜପ୍ରାସାଦରୁ ଅର୍ପଣ ଗୁଆ ଆସିବା ସହିତ ୧୬ ଦିନାତ୍ମକ ପୂଜା ଆରମ୍ଭ ହୋଇଛି।  ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ରାଣୀ ମନୋଜ ମଞ୍ଜରୀ ଦେବୀଙ୍କ ଉପସ୍ଥିତିରେ ପୂଜାର ପୂର୍ଣ୍ଣାହୂତି ପଡ଼ିବ। ଏଥିସହିତ ମା’ଙ୍କ ପୂଜା ନେଇ ନୀଳଗିରି ରାଜ ପରିବାରରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

Advertisment

ମା’ ଭୂଦାର ଚଣ୍ଡୀ ହେଉଛନ୍ତି ନୀଳଗିରି ରାଜବଂଶର ଅଧିଷ୍ଠାତ୍ରୀ ଦେବୀ। ମା’ଙ୍କ ସ୍ଥାପନା ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। କରାଯାଏ, ୧୪୫୨ ଖ୍ରୀଷ୍ଟାଦ୍ଧରେ ରାଜା ନାରାୟଣ ବସନ୍ତ ବିରାଟ ଭୂଜଙ୍ଗ ମାନ୍ଧାତା ମା’ଙ୍କୁ ସ୍ଥାପନା କରିଥିଲେ। ୧୫୦୦ ଖ୍ରୀଷ୍ଟାବ୍ଦ ଶେଷାର୍ଦ୍ଧରେ କଳାପାହାଡ଼ ଆକ୍ରମଣ କରି ମା’ଙ୍କ ମନ୍ଦିର ଭାଙ୍ଗି ଦେଇଥିଲା। ଏହି ସମୟରେ ମା’ଙ୍କୁ ଏକ ନିମ୍ବଗଛ ମୂଳେ ଲୁଚାଇ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ସ୍ବପ୍ନାଦେଶ ପାଇ ମନ୍ଦିର ତୋଳିଥିଲେ ଏବଂ ମା’ଙ୍କୁ  ପୁନଃ ସ୍ଥାପନା କରିଥିଲେ। ଏଠାରେ ବାସନ୍ତୀ ପୂଜା ହେବା ସହ ରଜ ସଂକ୍ରାନ୍ତି ଓ ମକର ସଂକ୍ରାନ୍ତିରେ ମଧ୍ୟ ସ୍ବତନ୍ତ୍ର ପୂଜା ହୋଇଥାଏ। ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ କହନ୍ତି, ମା’ ଭୂଦାର ଚଣ୍ଡୀ ହେଉଛନ୍ତି ନୀଳଗିରି ରାଜବଂଶର ଅଧିଷ୍ଠାତ୍ରୀ ଦେବୀ। ପୂଜକ ବିଜୟ କୁମାର ପଣ୍ଡାଙ୍କ କହିଛନ୍ତି, ଆମ ପୂର୍ବପୁରୁଷମାନେ ମା’ଙ୍କ ପୂଜା କରୁଥିଲେ, ଏବେ ମୁଁ କରୁଛି। ମା’ଙ୍କ ନିକଟରେ ଯିଏ ଯାହା ମାନସିକ କରନ୍ତି, ସବୁ ପୂରଣ ହୁଏ।