କାଏରୋର ହେଲୱାନ୍ ସହର ନିକଟରେ ‘ସାଦ୍ଦ-ଏଲ୍-କାଫରା’ ନାମକ ଏକ ବିଶାଳ ନଦୀବନ୍ଧର ଭଗ୍ନାବଶେଷ ଦେଖିବାକୁ ମିଳେ। ପ୍ରାୟ ୩,୭୦୦ ବର୍ଷ ତଳେ ନିର୍ମିତ ଏହି ବନ୍ଧ ବିଶ୍ବର ସବୁଠୁ ପୁରୁଣା ନଦୀବନ୍ଧ ବୋଲି କୁହାଯାଉଛି। ବିଶେଷ କରି ଆକସ୍ମିକ ଝଡ଼ କି ଭୀଷଣ ବନ୍ୟାର ଉଦ୍ବୃତ୍ତ ଜଳରାଶିକୁ ବହନ କରିବା ପାଇଁ ଏହି ବନ୍ଧ ନିର୍ମାଣ କରାଯାଇଥିଲା। ଏଥି ସହିତ ଆଖପାଖ ଇଲାକାରେ ପିରାମିଡ଼ ଓ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ପଥର ଓ ମାର୍ବଲ ଖୋଳାରେ ନିୟୋଜିତ ଥିବା ଶ୍ରମିକ ଓ ଜୀବଜନ୍ତୁମାନଙ୍କୁ ମଧ୍ୟ ଏହା ଜଳ ଯୋଗାଉଥିଲା। ତେବେ ଦୁର୍ଭାଗ୍ୟର କଥା, ଏହି ବନ୍ଧର ନିର୍ମାଣକାର୍ଯ୍ୟ ଶେଷ ହେବା ଆଗରୁ ଏହା ଏକ ବନ୍ୟାରେ ଭୁଶୁଡ଼ି ଯାଇଥିଲା। ବନ୍ଧର ଭଗ୍ନାବଶେଷ ଅନାବିଷ୍କୃତ ହୋଇ ରହିଥିବା ବେଳେ ୧୮୮୫ ମସିହାରେ ଜର୍ମାନ୍ ପ୍ରତ୍ନତତ୍ତ୍ବବିତ୍ ଜର୍ଜ ସ୍କ୍ବିନ୍ଫର୍ଥ ତାହାକୁ ଲୋକଲୋଚନକୁ ଆଣିଥିଲେ।
ନୀଳ ନଦୀର ଉପତ୍ୟକାର ପୂର୍ବଭାଗରେ ରହିଥିବା ମରୁ ଅଞ୍ଚଳରେ ପ୍ରବାହିତ ‘ଗରାୱି’ ନାମକ ଏକ ଶୁଷ୍କ ଧାର ଉପରେ ଏହି ବନ୍ଧଟି ନିର୍ମିତ ହୋଇଥିଲା। ବନ୍ଧଟିର ମୂଳ ଦୈର୍ଘ ୧୧୩ ମିଟର ଓ ପ୍ରସ୍ଥ ୧୪ ମିଟର ଥିବା ବେଳେ ତାହାର ଭିତ୍ତିଭୂମିର ପ୍ରସ୍ଥ ୯୮ ମିଟର ରହିଥିଲା। ବନ୍ଧଟିର ଗର୍ଭ ୩୨ ମିଟର ପ୍ରସ୍ଥ ବିଶିଷ୍ଟ ରହିଥିଲା, ଯହିଁରେ ୬୦ ହଜାର ଟନ୍ ଓଜନର ମାଟି ଓ ପଥରଖଣ୍ଡ ପକାଯାଇଥିବା ଅନୁମାନ କରାଯାଏ। ବନ୍ଧର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ଏହା ୪,୬୫,୦୦୦ରୁ ୬,୨୫,୦୦୦ ଘନମିଟର ଜଳ ଧାରଣ କରିପାରିଥା’ନ୍ତା। ଏବେ କେବଳ ବନ୍ଧର ଦୁଇ ପାର୍ଶ୍ବ ରହିଥିବା ବେଳେ ୫୦ରୁ ୬୦ ମିଟର ପ୍ରସ୍ତର ମଝି ଅଂଶ ବନ୍ୟାରେ ଧୋଇଯାଇଛି। ଉକ୍ତ ବନ୍ଧର ଆଖପାଖରେ କୌଣସି ଚାଷଜମି ନଥିବାରୁ ତାହା ଜଳସେଚନ ପାଇଁ ଉଦ୍ଦିଷ୍ଟ ନଥିଲା ଏବଂ ବନ୍ଧର ତଳମୁଣ୍ଡରେ ଥିବା ଜନବସତିକୁ ବନ୍ୟାରୁ ସୁରକ୍ଷା ଦେବା ଲାଗି ତାହା ଗଢ଼ାଯାଇଥିଲା ବୋଲି ଅନୁମାନ କରାଯାଉଛି।