ଜାମ୍ବିଆର କଲାମ୍ବୋ ପ୍ରପାତ ନିକଟ ବାଲିଶଯ୍ୟାରୁ ପ୍ରତ୍ନତତ୍ତ୍ବବିତ୍ମାନେ ଏକ କାଠର ନିର୍ମାଣ ସାମଗ୍ରୀ ପାଇଛନ୍ତି, ଯାହା ୪,୭୬,୦୦୦ ବର୍ଷ ତଳର ବୋଲି ଜଣାପଡ଼ିଛି। ପ୍ରସ୍ତର ଯୁଗ ବେଳର ଏହି ସାମଗ୍ରୀଟି ଆମ ପୂର୍ବପୁରୁଷମାନଙ୍କ ଦ୍ବାରା ନିର୍ମାଣରେ ବ୍ୟବହୃତ ପ୍ରାଚୀନତମ କାଠ ଉପକରଣ ବୋଲି ଅନୁମାନ କରାଯାଉଛି। ତିନିଟି କାଠଗଣ୍ଡିକୁ ଯୋଡ଼ି ଗଠିତ ହୋଇଥିବା ଏହି ଉପକରଣଟି ପ୍ରାଚୀନ ମାନବଙ୍କ ବୈଷୟିକ ଦକ୍ଷତାର ପ୍ରମାଣ। ଅତୀତରେ ସମୟ ସମୟରେ ପ୍ଳାବିତ ହୋଇପଡୁଥିବା ଉକ୍ତ ପ୍ରପାତ ଅବବାହିକାରେ କୌଣସି ଉଚ୍ଚ ମଞ୍ଚ, ପାଦଚଲା ରାସ୍ତା କିମ୍ବା ବାସଗୃହର ମୂଳଦୁଆ ନିର୍ମାଣ ପାଇଁ ଉକ୍ତ ସାମଗ୍ରୀଟି ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି। ପୂର୍ବ ଗବେଷଣା ଅନୁସାରେ ସେହି ସମୟରେ କାଠର ବ୍ୟବହାର କେବଳ ଖୋଳିବା ପାଇଁ, ଜାଳେଣି ରୂପେ ଅଥବା ବର୍ଚ୍ଛା ପରି ବ୍ୟବହାର କରିବାରେ ସୀମିତ ରହିଥିଲା।
ଉକ୍ତ କାଷ୍ଠ ସାମଗ୍ରୀର ଆବିଷ୍କାର ଆମ ଆଦିମ ପୂର୍ବଜମାନଙ୍କ ସମ୍ପର୍କରେ ଆମ ଧାରଣାକୁ ବଦଳାଇଦେଇଛି। କେବଳ ପ୍ରସ୍ତରଯୁଗରେ ସେମାନେ ପ୍ରସ୍ତରରୁ ବିଭିନ୍ନ ସାମଗ୍ରୀର ନିର୍ମାଣ ଓ ବ୍ୟବହାର ଶିଖିଥିଲେ ବୋଲି ରହିଥିବା ଧାରଣାକୁ ଏହା ସଂଶୋଧିତ କରିଛି। ସେମାନେ ତାହାର ଯଥେଷ୍ଟ ପୂର୍ବରୁ ନିଜର ବୁଦ୍ଧି, କଳ୍ପନା ଓ ଦକ୍ଷତାର ଉପଯୋଗ କରି କାଠରେ କିଛି ନୂଆ ସାମଗ୍ରୀ ଗଢ଼ିପାରିଥିଲେ ବୋଲି ଲିଭରପୁଲ୍ ବିଶ୍ବବିଦ୍ୟାଳୟର ପ୍ରତ୍ନତତ୍ତ୍ବବିତ୍ ଲାରି ବରହାମ୍ କହିଛନ୍ତି। କଲାମ୍ବୋ ପ୍ରପାତ ସେମାନଙ୍କ ପାଇଁ ଏକ ନିରନ୍ତର ଜଳଉତ୍ସ ପାଲଟିଥିଲା ଏବଂ ସେମାନଙ୍କ ଚାରିପାଖରେ ଥିବା ଜଙ୍ଗଲର କାଠ ସେମାନଙ୍କୁ ଅଧିକ ସ୍ଥାୟୀ ବା ଅର୍ଦ୍ଧସ୍ଥାୟୀ ନିର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲା। ଜୀବନକୁ ସହଜ କରିବା ପାଇଁ ସେମାନେ ନିଜ ଆଖପାଖରେ ପରିବର୍ତ୍ତନ ଆଣି ଏପରି କଲାମ୍ବୋ ନଦୀକୂଳରେ ବସିବା ପାଇଁ କାଠର ମଞ୍ଚ ଗଢ଼ିଥିଲେ ବୋଲି ବରହାମ୍ ଅନୁମାନ କରୁଛନ୍ତି।