କୋଭିଡ୍-୧୯ ମହାମାରୀ ଆମ ମସ୍ତିଷ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଛାପ ଛାଡ଼ିଛି। ମହାମାରୀର ମାନସିକ, ସାମାଜିକ ଓ ଆର୍ଥିକ ଚାପ ଆମ ମସ୍ତିଷ୍କର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଦେଇଛି ବୋଲି ଏକ ନୂତନ ଅନୁଧ୍ୟାନରୁ ଜଣାଯାଇଛି। ନଟିଂହାମ୍ ବିଶ୍ୱବିଦ୍ୟାଳୟର ଦଳେ ଗବେଷକ ୟୁକେ ବାୟୋବ୍ୟାଙ୍କରେ ୧୫ ହଜାରରୁ ଅଧିକ ବୟସ୍କଙ୍କ ତଥ୍ୟ ବ୍ୟବହାର କରି ମସ୍ତିଷ୍କରେ ବାର୍ଦ୍ଧକ୍ୟ ଚିହ୍ନଟ କରିବା ପାଇଁ ଏକ ଏଆଇ ମଡେଲକୁ ତାଲିମ ଦେଇଥିଲେ। ତା’ପରେ ଦୁଇଟି ଗୋଷ୍ଠୀର ମସ୍ତିଷ୍କ ବୟସ ବିଶ୍ଳେଷଣ କରାଯାଇଥିଲା। ଗୋଟିଏ ଗୋଷ୍ଠୀର ମସ୍ତିଷ୍କ ମହାମାରୀ ପୂର୍ବରୁ ସ୍କାନ୍ କରାଯାଇଥିଲା ଏବଂ ଅନ୍ୟ ଗୋଷ୍ଠୀର ମହାମାରୀ ପୂର୍ବ ଓ ପରର ମସ୍ତିଷ୍କ ସ୍କାନ୍ କରାଯାଇଥିଲା। ୨୦୨୦ ପୂର୍ବ କାଳ ତୁଳନାରେ ମହାମାରୀ ସମୟରେ ହାରାହାରି ମାନବ ମସ୍ତିଷ୍କ ସାଢ଼େ ପାଞ୍ଚ ମାସ ଶୀଘ୍ର ବୟସ୍କ ହୋଇଥିଲା ବୋଲି ଜଣାପଡ଼ିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁମାନଙ୍କୁ କୋଭିଡ୍ ହୋଇ ନଥିଲା, ସେମାନଙ୍କ ମସ୍ତିଷ୍କ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଥିଲା।
ଯେଉଁମାନଙ୍କୁ କୋଭିଡ୍ ହୋଇ ନଥିଲା, ସେମାନଙ୍କ ମସ୍ତିଷ୍କ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି।
ବିଚ୍ଛିନ୍ନତା ଠାରୁ ଅନିଶ୍ଚିତତା ପର୍ଯ୍ୟନ୍ତ ମହାମାରୀ ଅଭିଜ୍ଞତା ଆମ ମସ୍ତିଷ୍କ ସ୍ୱାସ୍ଥ୍ୟକୁ କେତେ ପ୍ରଭାବିତ କରିପାରେ ତାହା ଏଥିରୁ ସୁସ୍ପଷ୍ଟ। ତେବେ ଶୁଭ ଖବର ହେଉଛି, ସେହି ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତ୍ତନଶୀଳ ହୋଇପାରେ। ଅଧ୍ୟୟନରେ କେବଳ ଦୁଇଟି ସମୟ ବିନ୍ଦୁରୁ ମସ୍ତିଷ୍କ ସ୍କାନ୍ ବିଶ୍ଳେଷଣ କରାଯାଇଥିଲା, ଯାହାର ଅର୍ଥ ହେଉଛି ପରବର୍ତ୍ତୀ ବର୍ଷଗୁଡ଼ିକରେ ସ୍ନାୟୁ ପୁନରୁଦ୍ଧାର ସମ୍ଭବ। ବିଶ୍ୱବ୍ୟାପୀ ମହାମାରୀ ଆରମ୍ଭର ପ୍ରଥମ କିଛି ବର୍ଷରେ, ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ ଏବଂ କୋଟି କୋଟି ଲୋକ ଦୁଃଖ, ଏକାନ୍ତବାସ, ମାନସିକ ଅବସାଦ, ଚିନ୍ତା, ଆର୍ଥିକ ଚାପ ଓ ନିଦ୍ରା ବ୍ୟାଘାତର ଏକ ଜୁଆରର ସମ୍ମୁଖୀନ ହୋଇଥିଲେ। ପ୍ରାଥମିକ ଗବେଷଣାରୁ ଜଣାପଡ଼ିଛି ଯେ କିଶୋରମାନେ ବିଶେଷ ଭାବରେ ବିଶ୍ୱବ୍ୟାପୀ ସଙ୍କଟ ଦ୍ୱାରା ପ୍ରଭାବିତ ହୋଇଥିଲେ। କିଶୋର ମସ୍ତିଷ୍କର ବାର୍ଦ୍ଧକ୍ୟ ପ୍ରକ୍ରିୟା ୨୦୨୦ ପରେ ତ୍ୱରାନ୍ୱିତ ହେବାର ଲକ୍ଷଣ ଦେଖାଦେଇଥିଲା। ବୟସ୍କ ବ୍ୟକ୍ତି ଏବଂ ସାମାଜିକ କିମ୍ବା ଆର୍ଥିକ ଭାବରେ ପଛୁଆ ଗୋଷ୍ଠୀମାନଙ୍କରେ ମଧ୍ୟ ବାର୍ଦ୍ଧକ୍ୟ ତ୍ୱରାନ୍ୱିତ ହେବାର ଲକ୍ଷଣ ବିଶେଷ ଭାବରେ ସ୍ପଷ୍ଟ ଥିଲା। ଏହି ଅଧ୍ୟୟନ ଆମକୁ ମନେ ପକାଇ ଦେଇଛି ଯେ ମସ୍ତିଷ୍କ ସ୍ୱାସ୍ଥ୍ୟ କେବଳ ଅସୁସ୍ଥତା ଦ୍ୱାରା ନୁହେଁ, ବରଂ ଆମର ଦୈନନ୍ଦିନ ପରିବେଶ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି।