ବିମାନବନ୍ଦରକୁ କେଉଁ ସେଲିବ୍ରିଟି କ’ଣ ପରିଧାନ କରି ଯାଇଛନ୍ତି, କିଏ କେତେବେଳେ ଆସିଲେ, କାହା ସହ ଆସିଲେ ଓ କେଉଁ ବ୍ରାଣ୍ଡ୍ର ବ୍ୟାଗ୍ ଧରିଛନ୍ତି, ସେ ସବୁ ରାତି ନପାହୁଣୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ହୋଇଯାଉଛି। କିଏ ଜିମ୍ କେତେବେଳେ ଯାଉଛି, କେତେ ସମୟ ୱାର୍କଆଉଟ୍ କରୁଛି ଓ କାହାର ଜିମ୍ ପୋଷାକ କେମିତି; ସେ ସବୁର ଫଟୋ ତଥା ଭିଡିଓ ସଙ୍ଗେ ସଙ୍ଗେ ଭାଇରାଲ୍ ହୋଇଯାଉଛି। ଉର୍ଫିଙ୍କ ନୂଆ ଅତ୍ରଙ୍ଗୀ ପୋଷାକ, ରାକ୍ଷୀ ସାୱନ୍ତଙ୍କ ହାଇଡ୍ରାମା ଏବଂ ଆରାଧ୍ୟା ରାୟବଚ୍ଚନ ଓ ରାହା କପୁରଙ୍କ ଫଟୋଭିଡିଓର ଚାହିଦା ବି କାହିଁରେ କେତେ!
ସସ୍ମିତା ସାହୁ
ବଲିଉଡ୍ର ସେଲିବ୍ରିଟିଙ୍କ ପଛରେ କ୍ୟାମେରା ଧରି ଦୌଡ଼ୁଥିବା ଏହି ଫଟୋଗ୍ରାଫର୍ମାନେ କିଏ? ଏମାନେ ହେଉଛନ୍ତି ‘ପାପାରାଜି’। କୌଣସି ଗଣମାଧ୍ୟମ ସଂସ୍ଥା ସହ ସିଧାସଳଖ ଜଡ଼ିତ ନୁହନ୍ତି, କିନ୍ତୁ ନାମୀଦାମୀ ପତ୍ରିକା ଓ ଗଣମାଧ୍ୟମକୁ ଏମାନେ ଫଟୋ ଓ ଭିଡିଓ ପ୍ରଦାନ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିଥା’ନ୍ତି। ସେଲିବ୍ରିଟିଙ୍କୁ କ୍ୟାମେରାରେ କଏଦ୍ କରିବା ଲାଗି ପ୍ରତିଯୋଗିତା କରୁଥିବା ଏଇ ପାପାରାଜିଙ୍କ କାହାଣୀ କିନ୍ତୁ ବେଶ୍ ରୋଚକ।
‘ପାପାରାଜୋ’ରୁ ‘ପାପାରାଜି’
‘ପାପାରାଜି’ ଶବ୍ଦଟିର ଅର୍ଥ କ’ଣ? ଏହା ଏକ ବହୁବଚନ ଶବ୍ଦ ଏବଂ ଏହାର ଏକବଚନ ହେଉଛି ‘ପାପାରାଜୋ’। ୧୯୬୦ରେ ମୁକ୍ତିଲାଭ କରିଥିଲା ଇଟାଲୀୟ ଚଳଚ୍ଚିତ୍ର ‘ଲା ଡୋଲ୍ସେ ଭିଟା’ । ଏଥିରେ ‘ପାପାରାଜୋ’ ନାମରେ ଏକ ପାର୍ଶ୍ବ ଚରିତ୍ର ଥିଲା, ଯିଏକି ଜଣେ ନିର୍ଭୀକ ସମ୍ବାଦଦାତା କିନ୍ତୁ ତାଙ୍କ କାର୍ଯ୍ୟକଳାପ ଥିଲା ବିରକ୍ତିକର। ସେ ସମାଜର ପ୍ରତିଷ୍ଠିତ ଲୋକଙ୍କ ଫଟୋ ଉଠାଇବାକୁ ଯେକୌଣସି ସ୍ତରକୁ ବି ଯାଇପାରୁଥିଲେ। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଫେଡେରିକୋ ଫେଲିନି ତାଙ୍କ ଆତ୍ମଜୀବନୀରେ ଏହି ‘ପାପାରାଜୋ’ ଚରିତ୍ରର ନାମକରଣ ପଛର କାହାଣୀ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ‘‘ପାପାରାଜୋ ହେଉଛି ଏକ ‘ଇଟାଲିୟନ୍ ଅପଶବ୍ଦ’। ‘ପାପାରାଜୋ’ର ଅର୍ଥ ହେଉଛି ‘ଗୁଣୁଗୁଣାଉଥିବା ଏକ ବଡ଼ ମଶା’। ଏମିତି ଜଣେ ବିରକ୍ତିକର ସମ୍ବାଦଦାତାଙ୍କ ବ୍ୟକ୍ତିତ୍ବ ଦର୍ଶାଇବା ପାଇଁ ଏହା ଏକ ପ୍ରକୃଷ୍ଟ ଶବ୍ଦ ଥିଲା। ମଶା ଯେମିତି ଗୁଣୁଗୁଣୁ ହୋଇ ବିରକ୍ତ କରିପକାଏ, ସମ୍ବାଦଦାତା ଜଣକ ସେହିଭଳି ତାଙ୍କ ଆଖପାଖରେ ରହି ସେଲିବ୍ରିଟିଙ୍କୁ ବିରକ୍ତ କରୁଥିଲେ।’’ ଏଣୁ ଏଭଳି ଚରିତ୍ରକୁ ସେ ପାପାରାଜୋ ନାମକରଣ କରିଥିଲେ।
ବିଦେଶରେ ‘ପାପାରାଜି ସଂସ୍କୃତି’
୧୯୬୧ ମସିହାରେ ‘ଟାଇମ୍’ ମାଗାଜିନ୍ରେ ପାପାରାଜିଙ୍କ ଉପରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା। ଏଥିରେ ପାପାରାଜିଙ୍କୁ ଭୋକିଲା ବିଲୁଆ ଭଳି ଆଚରଣ ପ୍ରଦର୍ଶନ କରୁଥିବା ଫଟୋଗ୍ରାଫର୍ ପୁଞ୍ଜ ଭାବେ ବର୍ଣ୍ଣନା କରାଯାଇଥିଲା। ଏହି ଲେଖା ସେକାଳରେ ବେଶ୍ ଚର୍ଚ୍ଚିତ ହୋଇଥିଲା। କ୍ରମେ ପାପାରାଜିଙ୍କ ସଂଖ୍ୟା ବଢ଼ିଲା। ସେଲିବ୍ରିଟିମାନଙ୍କର ଗୋପନୀୟତାକୁ କ୍ଷୁଣ୍ଣ କରି ଲୁଚିଛପି ଫଟୋ ଉଠାଇ ସେମାନେ ଚାଞ୍ଚଲ୍ୟ ଖେଳାଇଲେ। ଗୋପନୀୟ ଫଟୋ ଲାଗି ସେଲିବ୍ରିଟିଙ୍କୁ ମାଇଲ୍ ମାଇଲ୍ ଧରି ଅନୁସରଣ କରିବାକୁ ବି ପଛାଉ ନଥିଲେ ପାପାରାଜି। ୧୯୯୭ ମସିହାରେ ପ୍ରିନ୍ସସେସ୍ ଡାଏନାଙ୍କ କାର୍ ଦୁର୍ଘଟଣା ଓ ମୃତ୍ୟୁ ପାଇଁ ପାପାରାଜିଙ୍କୁ ଦୋଷ ଦିଆଯାଏ। କୁହାଯାଏ, ଦୁର୍ଘଟଣା ଦିନ ରାତିରେ ପ୍ରିନ୍ସସେସ୍ ଡାଏନାଙ୍କ ଗୋପନ ଗସ୍ତର ଖୁଲାସା ପାଇଁ ପାପାରାଜିମାନେ ତାଙ୍କ ଗାଡ଼ିକୁ ଅନୁସରଣ କରୁଥିଲେ। ସେମାନଙ୍କୁ ପିଛା ଛଡ଼ାଇବା ପାଇଁ ଡାଏନା ତାଙ୍କ ଡ୍ରାଇଭରକୁ ଗାଡ଼ି ଦ୍ରୁତଗତିରେ ନେବାକୁ କହିଥିଲେ। ଫଳସ୍ବରୂପ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ପ୍ରିନ୍ସେସ୍ଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପାପାରାଜିଙ୍କ ନୈତିକତାକୁ ନେଇ ପ୍ରଶ୍ନ ଉଠିଥିଲା ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।
୯୦ ଦଶକରୁ ଭାରତରେ ‘ପାପାରାଜି’
ନବେ ଦଶକରେ ଭାରତରେ ପେସାଦାର ପାପାରାଜି ସକ୍ରିୟ ହେଲେ। ଲୋକପ୍ରିୟ ଚିତ୍ରତାରକା, ମଡେଲ୍ କିଂବା ଖେଳାଳିଙ୍କର ସଂପୂର୍ଣ୍ଣ ନୂଆ ଓ ନିଆରା ଫଟୋ ଉଠାଇ ବିଭିନ୍ନ ପତ୍ରିକା ଓ ଟାବ୍ଲଏଡ୍କୁ ବିକ୍ରି କରିବାର ଧାରା ଆରମ୍ଭ ହେଲା। ପାପାରାଜିଙ୍କ ମାଧ୍ୟମରେ ଲୋକେ ନିଜ ପସନ୍ଦର ସେଲିବ୍ରିଟିଙ୍କ ସମ୍ପର୍କରେ ରୋଚକ ତଥ୍ୟ ଜାଣିବା ସହ ଫଟୋ ମଧ୍ୟ ଦେଖିଲେ। ଫଳରେ ୯୦ ଦଶକରେ ‘ପାପାରାଜି ସଂସ୍କୃତି’ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା। କିନ୍ତୁ ଏବେ ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟ ପରେ ପାପାରାଜିଙ୍କ ଚାହିଦାରେ ଏକ ପ୍ରକାର ଭଟ୍ଟା ପଡ଼ିଛି। କାରଣ ସେଲିବ୍ରିଟିଙ୍କ ଫଟୋ ଓ ଭିଡିଓ ଫୋନ୍ରେ ଚଟାପଟ୍ ମିଳିଯାଉଛି। ଏବେ ଓଲଟା ସେଲିବ୍ରିଟିମାନେ ନିଜର ଚର୍ଚ୍ଚା, ଲୋକପ୍ରିୟତା ଓ ଭାବମୂର୍ତ୍ତି ବଢ଼ାଇବା ପାଇଁ ପାପାରାଜିଙ୍କୁ ପାରିଶ୍ରମିକ ଦେଇ ନିୟୋଜନ କରୁଛନ୍ତି। ବିମାନବନ୍ଦର ହେଉ କିମ୍ବା ଜିମ୍, ଅଥବା ପାର୍ଟି-ଫଙ୍କସନ୍ ବା ସାମାଜିକ କାର୍ଯ୍ୟ ସମୟରେ ସେଲିବ୍ରିଟିଙ୍କ ଫଟୋ ଉଠାଇ ପାପାରାଜି ସୋସିଆଲ୍ ମିଡିଆରେ ପ୍ରସାରଣ କରୁଛନ୍ତି।
ଓଡ଼ିଶାରେ ନାହାନ୍ତି ପାପାରାଜି
ତିନି ଦଶକରୁ ଊର୍ଦ୍ଧ୍ବ ସମୟ ହେଲା ଦେଶକୁ ପାପାରାଜି ସଂସ୍କୃତି ଆସି ସାରିଥିଲେ ବି ଓଡ଼ିଶାରେ ଏହା ବିକଶିତ ହୋଇନାହିଁ। ଓଡ଼ିଆ ଗଣମାଧ୍ୟମଗୁଡ଼ିକ ପ୍ରାୟତଃ ନିଜସ୍ବ ଫଟୋ ବ୍ୟବହାର କରୁଥିବାରୁ ପାପାରାଜି ବୃତ୍ତି ଲାଗି ବିଶେଷ ସୁଯୋଗ ସୃଷ୍ଟି ହୋଇନାହିଁ। ଅନ୍ୟପକ୍ଷରେ ଓଡ଼ିଶାକୁ ଜାତୀୟସ୍ତରର ସେଲିବ୍ରିଟିଙ୍କ ଆତଯାତ ବି କମ୍ । ପୁଣି ଓଡ଼ିଆ ସେଲିବ୍ରିଟିଙ୍କ ସଂଖ୍ୟା ହାତଗଣତି ଓ ଏଠିକା ପ୍ରଶଂସକ ବି ସେମାନଙ୍କର ଝଲକଟିଏ ପାଇଁ ପାଗଳପ୍ରାୟ ହୁଅନ୍ତି ନାହିଁ। ପୁଣି ଏବେ ସାମାଜିକ ଗଣମାଧ୍ୟମ ଆସିବା ପରେ ସେଥିରୁ ପ୍ରଶଂସକଙ୍କୁ ଖୋରାକ ମିଳିଯାଉଛି। ତେଣୁ ଓଡ଼ିଶାରେ ପାପାରାଜି ପରମ୍ପରା ସୃଷ୍ଟି ହେବାର ସମ୍ଭାବନା ଦୃଷ୍ଟିଗୋଚର ହେଉନାହିଁ।