ସସ୍ମିତା ସାହୁ

Advertisment

ପାରା-ମଣିଷ ସଂପର୍କ ବେଶ୍‌ ପୁରୁଣା। ପାରା ଥିଲା ମଣିଷର ବିଶ୍ବସ୍ତ ପତ୍ରବାହକ। ଏକଦା ଦୂରଦେଶୀ ପ୍ରିୟପାଖରେ ପ୍ରେମପତ୍ର ପହଞ୍ଚାଇବାର ମାଧ୍ୟମ ଥିଲା ତ ପୁଣି ପୁଲିସ ଓ ପ୍ରଶାସନର ଜରୁରୀ ବାର୍ତ୍ତା ବି ଉଦ୍ଦିଷ୍ଟ ଠିକଣାରେ ପହଞ୍ଚାଉଥିଲା। ହେଲେ ଏହି ଉପଯୋଗୀ ପକ୍ଷୀ ପାରା ଆଜି ମଣିଷ ପାଇଁ ବିପଦ ପାଲଟି ଯାଇଛି। ପାରାଙ୍କ ସଂଖ୍ୟାବୃଦ୍ଧି ମଣିଷ ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ପାରା ସଂଖ୍ୟା କମାଇବାକୁ ବୈଶ୍ବିକସ୍ତରରେ ଆରମ୍ଭ ହୋଇଛି ପ୍ରୟାସ। ଘରକୁ ପାରା ଆସିଲେ ଶୁଭ ବୋଲି ବିଶ୍ବାସ ରହିଛି। ଏହି କାରଣରୁ ପାରାକୁ ଦାନା ଦେବା ମଙ୍ଗଳକର ବୋଲି କୁହାଯାଏ। ଏଣୁ ସକାଳୁ ଉଠି ଅନେ‌େକ ପାରାକୁ ନିଜ ଘର ଛାତରେ ବା ଅଗଣାରେ ଧାନ, ମୁଗ, ସୋରିଷ ବା ଖୁଦ ଆଦି ଖାଇବାକୁ ଦେଇଥାନ୍ତି। କିନ୍ତୁ ବିଜ୍ଞାନ ମତରେ, ପାରାଙ୍କଠାରୁ ଦୂରେଇ ରହିବା ମଣିଷ ତଥା ପରିବେଶ ପାଇଁ ଶୁଭଙ୍କର। ଏପରିକି ସିଙ୍ଗାପୁରରେ ପାରାଙ୍କୁ ଦାନା ପକାଇଲେ ୫୦୦ ଡଲାର୍‌ର ଜରିମାନା ଦେବାକୁ ପଡ଼ିଥାଏ। ଆମେରିକା ଓ ୟୁରୋପରେ ପାରା ଓ ଗୁଣ୍ଡୁଚିମୂଷାଙ୍କୁ ଗର୍ଭନିରୋଧକ ଔଷଧ ଦିଆଯାଉଥିବା ବେଳେ ଭାରତରେ ମଧ୍ୟ ଏହାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ମାନେ ମତ ଦେଲେଣି।

ପାରା ମଳ ଫୁସ୍‌ଫୁସ୍‌ ସଂକ୍ରମଣର କାରଣ!
ପାରାମାନଙ୍କୁ କୁହାଯାଏ ଉଡ଼ନ୍ତା ମୂଷା! ମୂଷା ଭଳି ପାରାମାନେ ମଧ୍ୟ ବହୁ ରୋଗଜୀବାଣୁ ବାହାକ। ଏଣୁ ପାରାଙ୍କୁ ଦାନା ପକାଇବାର ପ୍ରଚଳିତ ଅଭ୍ୟାସରେ ରୋକ୍‌ ଲଗାଇବାକୁ ବୈଜ୍ଞାନିକମାନେ ଅନୁରୋଧ କରିଛନ୍ତି। ପାରାଙ୍କ ଯୋଗୁଁ ‘ବର୍ଡ ବ୍ରିଡର୍ସ ଲଙ୍ଗ୍‌’ ବା ‘ହାଇପର୍‌ସେନ୍‌ସିଟିଭିଟି ନ୍ୟୁ‌ମାଟାଇଟିସ୍‌’ ରୋଗ ମଣିଷ ଠାରେ ସଂକ୍ରମିତ ହୋଇଥାଏ। ହିଷ୍ଟୋପ୍ଲାଜ୍‌ମା କାପ୍ସୁଲାଟମ୍, କ୍ୟାଣ୍ଡିଡା ସ୍ପେସିସେସ୍‌ (ଏସପିପି) ଓ କ୍ରିପ୍ଟୋକୋକସ୍ ନିଓଫର୍ମାନ୍ସ ଭଳି କବକ ପାରା ମଳରେ ବଢ଼ିଥାନ୍ତି। ଏହି ରୋଗସୃଷ୍ଟିକାରୀ କବକକୁ ପାରା ମଣିଷଙ୍କ ସଂସ୍ପର୍ଶକୁ ଆଣିଥାଏ। ଏକ ୪୦୦ ଗ୍ରାମ୍‌ ଓଜନର ପାରା ତା’ର ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ ୧୧ କେ.ଜି. ମଳତ୍ୟାଗ କରିଥାଏ। ଏହି ମଳ ସହର ବା ଗ୍ରାମାଞ୍ଚଳର ଏଣେତେଣେ ପଡ଼ି ଶୁଖି ଧୂଳିକଣା ହୋଇ ବାୟୁମଣ୍ଡଳରେ ମିଶିଯାଇଥାଏ। ଏହି ଧୂଳିକଣା ଶ୍ବାସକ୍ରିୟା ଦ୍ବାରା ମଣିଷର ଫୁସ୍‌ଫୁସ୍‌ରେ ପ୍ରବେଶ କରେ। ସେଥିରେ ଥିବା କବକ ଓ ଜୀବାଣୁ ଫୁସ୍‌ଫୁସ୍‌ ସଂକ୍ରମଣର କାରଣ ହୁଅନ୍ତି। ଏହା ଫୁସ୍‌ଫୁସ୍‌ର ବାୟୁକୋ‌ଷ ଫୁଲାଇଦିଏ। ଫଳରେ ଅଣନିଃଶ୍ବାସୀ ଲାଗିବା ସହ କାଶ ହୋଇଥାଏ। ଏହି ସ୍ଥିତିକୁ ‘ବର୍ଡ ବ୍ରିଡର୍ସ ଲଙ୍ଗ୍‌’ ବା ‘ହାଇପର୍‌ସେନ୍‌ସିଟିଭିଟି ନ୍ୟୁ‌ମାଟାଇଟିସ୍‌’ କୁହାଯାଏ। ଯଥାଶୀଘ୍ର ଏହାର ଚିକିତ୍ସା ନ କଲେ ମୃତ୍ୟୁ ଆଶଙ୍କା ବି ରହିଛି। ଏଥିସହ ଏହା ନିମୋନିଆ, ବ୍ରୋଙ୍କାଇଟିସ୍‌ ଓ ଶ୍ବାସ ଆଦି ରୋଗକୁ ମଧ୍ୟ ବଢ଼ାଇଦିଏ।

ବଢୁଛି ପାରାବଂଶ
ବୈଜ୍ଞାନିକଙ୍କ ମତରେ ପାରାମାନେ ସାଧାରଣତଃ ମଣିଷ ଖାଉଥିବା ଖାଦ୍ୟ ସହ ନିଜକୁ ଖାପଖୁଆଇ ନିଅନ୍ତି। ସହର ଓ ଗ୍ରାମାଞ୍ଚଳରେ ପ୍ରଚୁର ପରିମାଣରେ ଖାଦ୍ୟ ମିଳିଯାଉଥିବ‌ାରୁ ସେମାନଙ୍କ ପ୍ରଜନନ ହାର ବଢ଼ିବା ସହ ବଂଶବୃଦ୍ଧି ହେଉଛି। ବିଶେଷ କରି ଦିଲ୍ଲୀ, ପୁନେ, ମୁମ୍ବାଇ, ଭୁବନେଶ୍ବର ଆଦି ସହରାଞ୍ଚଳରେ ପାରାମାନଙ୍କ ସଂଖ୍ୟା ବଢୁଥିବା ବେଳେ ଫୁସ୍‌ଫୁସ୍‌ ସଂକ୍ରମଣଜନିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତଥ୍ୟ କହୁଛି, ଭାରତରେ ଇଣ୍ଟର୍‌ଷ୍ଟିସିଆଲ୍‌ ଫୁସ୍‌ଫୁସ୍ ରୋଗର ୪୭.୩% କେବଳ ‘ହାଇପର୍‌ସେନ୍‌ସିଟିଭିଟି ନ୍ୟୁ‌ମାଟାଇଟିସ୍‌’ ମାମଲା ଅଟେ। ପାରା ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ କେ‌େତ ହାନିକାରକ, ତାହା ଏଥିରୁ ସ୍ପଷ୍ଟ ହୁଏ।

ପାରାଙ୍କୁ ରୁଣ୍ଡ କରି ଖାଇବାକୁ ଦେବା ଅନୁଚିତ
ପାରାଙ୍କ ବଂଶବୃଦ୍ଧି ହେବା ଫଳରେ ସେମାନଙ୍କ ନିଷ୍କାସନ ବି ବଢ଼ୁଛି। ଫଳରେ ସେମାନଙ୍କର ଅପାଚ୍ୟ ଖାଦ୍ୟରୁ ବହୁ ବିଷାକ୍ତ ବାଷ୍ପ ବାହାରି ଫୁସ୍‌ଫୁସ୍‌ ସଂକ୍ରମଣ ‌ହେଉଛି। ବିଶେଷକରି ଯେଉଁ ସ୍ଥାନରେ ଅଧିକ ପାରା ରହିଛନ୍ତି ବା ପାରାମାନଙ୍କୁ ଖାଇବାକୁ ଦିଆଯାଉଛି, ସେହି ଅଞ୍ଚଳରେ କ୍ରୋନିକ୍‌ ଅବ୍‌ଷ୍ଟ୍ରୁକ୍ଟିଭ୍‌ ପଲ୍‌ମୋନାରି ଡିଜିଜ୍‌ (ସିଓପିଡି) ଅଧିକ ହେଉଥିବା ଦେଖାଯାଉଛି। ବୟସ୍କମାନେ ଏଥିରେ ଅଧିକ ସଂକ୍ରମିତ ହେଉଛନ୍ତି। ପ୍ରକୃତିର ପ୍ରତିଟି ଜୀବଜନ୍ତୁଙ୍କର ନିଜସ୍ବ ବଞ୍ଚିବା କ୍ଷମତା ରହିଛି। ବୁଲାକୁକୁରମାନେ ଯେଉଁ ଭଳି ଭାବେ ବିଭିନ୍ନ ଆଡୁ ଖାଦ୍ୟ ସଂଗ୍ରହ କରନ୍ତି, ପାରା ବି ସେମିତି କରିପାରିବ। ସେମାନଙ୍କୁ ଗୋଟିଏ ସ୍ଥାନରେ ରୁଣ୍ଡ କରି ଖାଇବାକୁ ଦେବା ଅନୁଚିତ। ଆମେ ନଜର ରଖିବା ଉଚିତ, ଜନବସତିଠାରୁ ଦୂରରେ ଯେଭଳି ପାରାମାନେ ବସା ବାନ୍ଧନ୍ତି। ପ୍ରକୃତିର ନିୟମ ଅନୁଯାୟୀ, ବିଲେଇ, ଚିଲ, ସାପ ଆଦି ପାରା ମାରି ଖାଇବା ଯୋଗୁଁ ଖାଦ୍ୟ ଶୃଙ୍ଖଳ ସଠିକ୍‌ ଯିବା ସହ ପାରା ବଂଶବୃଦ୍ଧି ନିୟନ୍ତ୍ରଣରେ ରହେ। ଏବେ ଆମେ ପାରାଙ୍କୁ ଜନବସତିରେ ସ୍ଥାନ ଦେବା ଫଳରେ ସେମାନେ ପ୍ରାକୃତିକ ଖାଦ୍ୟ ଶୃଙ୍ଖଳରେ ଅଂଶ ହେବା ବଦଳରେ ସୁରକ୍ଷିତ ରହି ପରିବେଶ ଓ ମଣିଷ ପ୍ରତି ବିପଦ ସାଜୁଛନ୍ତି।
-ଶ୍ବେତାଶ୍ରୀ ପୁରୋହିତ, ପରିବେଶବିତ୍‌ ତଥା ସହକାରୀ ପ୍ରଫେସର୍‌, ସି ଭି ରମଣ ଗ୍ଲୋବାଲ୍‌ ୟୁନିଭର୍‌ସିଟି

ଶ୍ବାସରୋଗୀ ପାରାଙ୍କଠାରୁ ଦୂରେଇ ରହନ୍ତୁ
ପାରାମାନଙ୍କ ସଂସ୍ପର୍ଶରେ ସବୁବେଳେ ଆସିବା ଦ୍ବାରା ‘ହାଇପର୍‌ସେନ୍‌ସିଟିଭିଟି ନ୍ୟୁ‌ମାଟାଇଟିସ୍‌’ ଭଳି ଫୁସ୍‌ଫୁସ୍‌ ରୋଗ ହୋଇଥାଏ। ଏହି ରୋଗରେ ଫୁସ୍‌ଫୁସ୍ ସଂକ୍ରମିତ ହେବା ସହ ନିଃଶ୍ବାସ-ପ୍ରଶ୍ବାସ କ୍ରିୟାରେ କଷ୍ଟ ଅନୁଭୂତ ହୋଇଥାଏ ଓ ଧଇଁସଇଁ ଲାଗିଥାଏ। ଏଣୁ ପାରାମାନଙ୍କୁ ଜନବସତି ବା ଘର ଆଖପାଖରେ ବଢ଼ିବାକୁ ନ ଦେବା ଭଲ। ଶ୍ବାସ ସମସ୍ୟା ଥିବା ରୋଗୀମାନେ ପାରାଙ୍କଠାରୁ ଯେତେ ଦୂରେଇ ରହିବେ ସେତେ ଭଲ। ପାରା ଅଧିକ ଥିବା ଅଞ୍ଚଳରେ ମାସ୍କ ପିନ୍ଧି ଯାତାୟାତ କରିବା ଶୁଭଙ୍କର। ତେବେ ଦିନେ କି ଦୁଇ ଦିନ ନୁହେଁ, ମାସ ମାସ ଧରି ପାରାଙ୍କ ସଂସ୍ପର୍ଶରେ ଆସିଲେ ହିଁ ଏହି ରୋଗ ବ୍ୟାପିଥାଏ।
-ଡାକ୍ତର ଶରତ କୁମାର ବେହେରା, ସିନିୟର୍‌ କନ୍‌ସଲ୍‌ଟାଣ୍ଟ୍‌, ଶ୍ବାସ ଓ ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ