ରାମଙ୍କ ବନବାସ ରାମାୟଣର ଏକ ବହୁଚର୍ଚ୍ଚିତ ଅଧ୍ୟାୟ। ଏହି ବନବାସକାଳରେ ଶ୍ରୀରାମ ବହୁ ରାକ୍ଷସ ବଧ କରି ମୁନି, ଋଷି ଓ ସାଧାରଣ ମନୁଷ୍ୟମାନଙ୍କୁ ସେମାନଙ୍କ ଅତ୍ୟାଚାରରୁ ମୁକ୍ତ କରିବା ସହିତ ଶେଷରେ ରାବଣ ବଧ କରିଥିଲେ। ଶ୍ରୀରାମଙ୍କର ଏହି ମହାନ କାର୍ଯ୍ୟ ସଂପାଦନ ପଛରେ ଯାହାଙ୍କର ପ୍ରଚ୍ଛନ୍ନ ଅନୁପ୍ରେରଣା ଥିଲା, ସେ ହେଉଛନ୍ତି ରାଜର୍ଷି, ମହର୍ଷି ତଥା ବ୍ରହ୍ମର୍ଷି ବିଶ୍ବାମିତ୍ର। ଶ୍ରୀରାମଙ୍କ ଜୀବନରେ ଥିଲା ତାଙ୍କର ଆକସ୍ମିକ ଆବିର୍ଭାବ, କିନ୍ତୁ ଏହି ଆକସ୍ମିକତା ହିଁ ନୟନାଭିରାମ ରାମଙ୍କୁ ରାବଣାରି ରାମରେ ପରିଣତ କରିଥିଲା। କୁଳଗୁରୁ ବଶିଷ୍ଠଙ୍କଠାରୁ ଶିକ୍ଷାଗ୍ରହଣ କରି ରାମ ଅଯୋଧ୍ୟା ଫେରିଆସିଥାନ୍ତି। ଆକସ୍ମିକ ଭାବରେ ଅଯୋଧ୍ୟାରେ ଆସି ପହଞ୍ଚିଲେ ବ୍ରହ୍ମର୍ଷି ବିଶ୍ବାମିତ୍ର। ରାକ୍ଷସମାନଙ୍କର ଅତ୍ୟାଚାର ହେତୁ ସିଦ୍ଧାଶ୍ରମରେ ହୋମଯଜ୍ଞରେ ବିଘ୍ନ ଘଟୁଛି ବୋଲି ସେ ଜଣାଇଲେ। ରାକ୍ଷସ ରାବଣ ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ତ୍ରିଲୋକକୁ ଅତ୍ୟନ୍ତ କଷ୍ଟ ପ୍ରଦାନ କରୁଛି। ତା’ର ପ୍ରେରଣାରେ ଜନସ୍ଥାନରେ ବାସ କରୁଥିବା ଦୁଇ ରାକ୍ଷସ ସୁବାହୁ ଓ ମାରୀଚ ଏବଂ ତାଙ୍କର ମାତା ତାଡ଼କା ମୁନିଋଷିମାନଙ୍କର ଯଜ୍ଞସ୍ଥଳକୁ ଅପବିତ୍ର କରୁଛନ୍ତି, ଯଜ୍ଞ ନଷ୍ଟ କରୁଛନ୍ତି। ତେଣୁ ଯଜ୍ଞରକ୍ଷା ନିମିତ୍ତ ସେ ରାଜକୁମାର ରାମଚନ୍ଦ୍ରଙ୍କୁ ସାଙ୍ଗରେ ନେଇଯିବାକୁ ଆସିଛନ୍ତି।
ବିଶ୍ବାମିତ୍ରଙ୍କର ଏହି ପ୍ରସ୍ତାବ ଶୁଣି ରାଜା ଦଶରଥ ଅତ୍ୟନ୍ତ କାତର ହୋଇପଡ଼ିଲେ। ଯୁଦ୍ଧ ବିଷୟରେ ଅନଭିଜ୍ଞ ବାଳକ ରାମଚନ୍ଦ୍ର କିପରି ରାକ୍ଷସମାନଙ୍କ ସହିତ ଯୁଦ୍ଧ କରିବେ? ଏହି କଥା ସେ ଭାବିହେଲେ। ଏହା ଦେଖି କୁଳଗୁରୁ ବଶିଷ୍ଠ କହିଲେ–ବିଶ୍ବାମିତ୍ର ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ସେ ଯେପରି ଜଣେ ଶାସ୍ତ୍ରବିତ୍ ସେହିପରି ଅସ୍ତ୍ରବିତ୍ ମଧ୍ୟ। ପର୍ଶୁରାମଙ୍କ ବ୍ୟତୀତ ବିଶ୍ବାମିତ୍ରଙ୍କ ସମକକ୍ଷ ଶସ୍ତ୍ରବିତ୍ ପୃଥିବୀରେ ଆଉ କେହି ନାହାନ୍ତି। ଅଯୋଧ୍ୟା ଉପରେ ରାକ୍ଷସ ରାବଣର କୁଦୃଷ୍ଟି ରହିଛି। ଭବିଷ୍ୟତରେ ରାମ ଅଯୋଧ୍ୟାର ରାଜା ହେବେ। ତେଣୁ ଶ୍ରୀରାମଙ୍କ ପାଇଁ ବିଶ୍ବାମିତ୍ରଙ୍କ ଠାରୁ ଶସ୍ତ୍ରବିଦ୍ୟା ଆହରଣ ଅନିବାର୍ଯ୍ୟ। ଦକ୍ଷପ୍ରଜାପତିଙ୍କର ଦୁଇ କନ୍ୟା– ଜୟା ଓ ସୁପ୍ରଭା ଯେଉଁ ଏକଶହ ଅସ୍ତ୍ରଶସ୍ତ୍ର ସୃଷ୍ଟି କରିଥିଲେ, ବିଶ୍ବାମିତ୍ର ସେ ସମସ୍ତ ଶସ୍ତ୍ରର ଜ୍ଞାତା। ସେ ଇଚ୍ଛାକଲେ ସହଜରେ ରାକ୍ଷସମାନଙ୍କୁ ବିନାଶ କରିପାରିବେ। କିନ୍ତୁ ସେ ନିଜେ ଏହା ନ କରି ଯଜ୍ଞଭୂମିକୁ ରକ୍ଷା କରିବାନିମିତ୍ତ ରାମଚନ୍ଦ୍ରଙ୍କୁ ନେବାପାଇଁ ଆସିଛନ୍ତି। ଏହା ପଛରେ ନିଶ୍ଚୟ ତାଙ୍କର କୌଣସି ମହତ୍ ଉଦ୍ଦେଶ୍ୟ ରହିଛି। ବିଶ୍ବାମିତ୍ରଙ୍କ ସଂରକ୍ଷଣରେ ରହିଲେ କୌଣସି ରାକ୍ଷସ ରାମଚନ୍ଦ୍ରଙ୍କୁ ସ୍ପର୍ଶ କରିପାରିବ ନାହିଁ।
ଏହା ଶୁଣି ଦଶରଥ ପୁଲକିତ ହୋଇ ଶ୍ରୀରାମଙ୍କୁ ବିଶ୍ବାମିତ୍ରଙ୍କ ସହିତ ଯିବାପାଇଁ ଅନୁମତି ଦେଲେ। ରାମ ଓ ଲକ୍ଷ୍ମଣ ମହର୍ଷି ବିଶ୍ବାମିତ୍ରଙ୍କ ସହିତ ଗମନ କରି ସରଯୂ ନଦୀତୀରରେ ପହଞ୍ଚିଲେ। ବିଶ୍ବାମିତ୍ରଙ୍କ ନିର୍ଦ୍ଦେଶରେ ରାମ ଓ ଲକ୍ଷ୍ମଣ ପବିତ୍ର ସରଯୂ ନଦୀରେ ସ୍ନାନକରିବା ପରେ ବିଶ୍ବାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ବଳା ଓ ଅତିବଳା ନାମକ ଦୁଇଟି ଅସ୍ତ୍ରବିଦ୍ୟା ପ୍ରଦାନ କଲେ। ବିଶ୍ବାମିତ୍ର କହିଲେ– ସେହି ବିଦ୍ୟା ଲାଭ କଲା ପରେ ଶରୀରରେ କ୍ଷୁଧା, ତୃଷା ଓ କ୍ଳାନ୍ତିର ଭୟ ରହିବ ନାହିଁ। ଫଳରେ ରାମ ଅସୁରମାନଙ୍କ ସହିତ ଯୁଦ୍ଧ କଲାବେଳେ ନିର୍ବିଘ୍ନ ଓ ସକ୍ରିୟ ରହିପାରିବେ।
ବିଶ୍ବାମିତ୍ରଙ୍କର ଯଜ୍ଞରକ୍ଷାକ୍ଷେତ୍ରରୁ ଆରମ୍ଭ ହୋଇଥିଲା ଶ୍ରୀରାମଙ୍କର ଅସୁରନିଧନର ପ୍ରଥମ ଅଭିଯାନ ଏବଂ ରାବଣବଧ ପର୍ଯ୍ୟନ୍ତ ତାହା ଜାରି ରହିଥିଲା।
-ଡକ୍ଟର ତୁଳସୀ ଓଝା