ରାବଣର ଅତ୍ୟାଚାରରେ ଅତିଷ୍ଠ ହୋଇ ତ୍ରିଲୋକର ସମସ୍ତ ପ୍ରାଣୀ ଯେତେବେଳେ ବ୍ରହ୍ମାଙ୍କ ନିକଟରେ  ପ୍ରାର୍ଥନା କଲେ, ସେତେବେଳେ ବ୍ରହ୍ମା  ବିଷ୍ଣୁଙ୍କୁ ପ୍ରତିକାର ପାଇଁ ଅନୁରୋଧ କଲେ। ବିଷ୍ଣୁ ମର୍ତ୍ତ୍ୟାବତରଣ କରିବା ନିମିତ୍ତ ସ୍ବୀକୃତ ହେଲେ। ଫଳରେ  ତାଙ୍କୁ ସହାୟତା ପାଇଁ ସମସ୍ତ ଦେବତାଙ୍କୁ ମର୍ତ୍ତ୍ୟଲୋକ ଯାଇ  ବଳଶାଳୀ ବାନର ଓ ଭଲ୍ଲୁକ ବଂଶ ସୃଷ୍ଟି କରିବାପାଇଁ ବ୍ରହ୍ମା ନିର୍ଦ୍ଦେଶ ଦେଲେ। କିନ୍ତୁ ‌କେବଳ ଏହାଦ୍ବାରା କାର୍ଯ୍ୟସିଦ୍ଧି ହେବ ନାହିଁ ବୋଲି ଚିନ୍ତା କରିବା ସମୟରେ ତାଙ୍କର ଦୁନ୍ଦୁଭି ନାମକ ଗନ୍ଧର୍ବୀ କଥା ମନେ ପଡ଼ିଲା। ଦୁନ୍ଦୁଭି ତୁମ୍ବୁରୁଙ୍କ ନାଟ୍ୟାଭିନୟରେ ସର୍ବଦା ପ୍ରତିନାୟିକା ଭୂମିକାରେ ଚମତ୍କାର ଅଭିନୟ କରେ। ତେଣୁ ବ୍ରହ୍ମା ତାକୁ ଡାକି ମର୍ତ୍ତ୍ୟଲୋକ ଯାଇ ଏକ ବିଶେଷ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେଲେ।

Advertisment

ଏହା ପରେ ଦୁନ୍ଦୁଭି ବ୍ରହ୍ମାଙ୍କ ନିର୍ଦ୍ଦେଶରେ ମନ୍ଥରା ନାମ ଧାରଣ କରି ମହାରାଜ ଅଶ୍ବପତିଙ୍କ କୈକେୟ ନଗରରେ ପ୍ରବେଶ କଲା। ଅଶ୍ବପତିଙ୍କ କନ୍ୟା କୈକେୟୀଙ୍କର ପାଳନ ଭାର ଗ୍ରହଣ କରି ସେ ବ୍ରହ୍ମାଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ଲାଗିଲା।  ରାମଙ୍କ ବନବାସରେ ସେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ଅଭିନୟକୁଶଳୀ ମନ୍ଥରା ସର୍ବଦା ସ୍ନେହଶ୍ରଦ୍ଧାର ଛଳନା କରି କୈକେୟୀଙ୍କୁ ଶ୍ରୀରାମଙ୍କ ପ୍ରତି ବୈରଭାବ ପୋଷଣ କରିବାକୁ ପ୍ରବର୍ତ୍ତାଉ ଥାଏ। କୈକେୟୀ କିନ୍ତୁ ମନ୍ଥରା କଥାକୁ ସର୍ବଦା ଉପେକ୍ଷା କରି ଆସୁଥାନ୍ତି। କିନ୍ତୁ ଯେତେବେଳେ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକର ଘୋଷଣା ହେଲା, ପ୍ରଥମେ ସେ ସମ୍ବାଦ ମନ୍ଥରା କୈକେୟୀଙ୍କୁ ଜଣାଇଲା। କୈକେୟୀ ସେଥିରେ ଆନନ୍ଦ ପ୍ରକାଶ କରିବାରୁ ମନ୍ଥରା ତାଙ୍କ ମନକୁ ବିଷାକ୍ତ କରିବାପାଇଁ ଚତୁରତାର ସହିତ କହିଲା- ରାମ ରାଜା ହେଲେ କୌଶଲ୍ୟା ହେବେ ରାଜମାତା। ତାଙ୍କର ସମ୍ମାନ ଓ ଅଧିକାର ବୃଦ୍ଧି ପାଇବ ଏବଂ କୈକେୟୀ ଦଶରଥଙ୍କର ପ୍ରିୟ ପତ୍ନୀ ହେବାର ଗର୍ବରେ କୌଶଲ୍ୟାଙ୍କ ପ୍ରତି ଯେପରି ଉପେକ୍ଷା ଓ ଅସମ୍ମାନ ପ୍ରଦର୍ଶନ କରି ଆସିଛନ୍ତି, ସେ ତାହାର ପ୍ରତିଶୋଧ ନିଶ୍ଚୟ ନେବେ।

ଏ ସବୁ କଥା କୈକେୟୀଙ୍କର କଳ୍ପନାରେ  ନ ଥିଲା। ଏହା ଶୁଣିବା ପରେ କୈକେୟୀଙ୍କର ଚିତ୍ତରେ ବିଭ୍ରମ ଜାତ ହେଲା। ମନ୍ଥରାର କଥାନୁସାରେ ଭରତଙ୍କ ରାଜ୍ୟାଭିଷେକ ଓ ରାମଚନ୍ଦ୍ରଙ୍କ ଚଉଦବର୍ଷ ବନବାସ ପାଇଁ ସେ ଦଶରଥଙ୍କୁ ବର  ମାଗିନେଲେ। ମନ୍ଥରାର ଚକ୍ରାନ୍ତ ଫଳବତୀ ହେଲା। ଯେଉଁ ଅଭିନୟ କରିବାପାଇଁ ବ୍ରହ୍ମା ତାଙ୍କୁ ମର୍ତ୍ତ୍ୟଲୋକକୁ ପଠାଇଥିଲେ ତାହା ସେ ସଂପୂର୍ଣ୍ଣ କରିଛି ଭାବି ଆନନ୍ଦରେ ଆତ୍ମହରା ହୋଇପଡ଼ିଲା। କିନ୍ତୁ ଏ ଅାନନ୍ଦ ତାର ବେଶୀ କ୍ଷଣ ରହିଲା ନାହିଁ। ତୁମ୍ବୁରୁ ନାଟକମଣ୍ଡଳୀର ନାଟକ ଓ ଏ ନାଟକ ଭିତରେ ଥିଲା ଆକାଶ ପାତାଳ ତଫାତ୍‌। ମନ୍ଥରା (ଦୁନ୍ଦୁଭି)ର ଏ ଅଭିନୟ ସଂପୂର୍ଣ୍ଣ ଅଯୋଧ୍ୟାକୁ ଛାରଖାର କରିଦେଲା। ଦଶରଥଙ୍କର ମୃତ୍ୟୁ ହେଲା। ରାମଙ୍କ ପରେ ଭରତ ମଧ୍ୟ ଅଯୋଧ୍ୟା ତ୍ୟାଗ କରି ନନ୍ଦୀଗ୍ରାମ ଚାଲିଗଲେ। ସ୍ବାମୀ ଓ ପୁତ୍ର ଉଭୟଙ୍କୁ ହରାଇଲେ କୈକେୟୀ। ରାଜଅନ୍ତଃପୁର ଶ୍ମଶାନ ତୁଲ୍ୟ ହୋଇପଡ଼ିଲା। ସବୁଠି ବିଷାଦ। ଫଳରେ ତା’ର ଚେତନା ଫେରି ଆସିଲା। ସ୍ବୟଂ ଭଗବାନ ଶ୍ରୀରାମଙ୍କୁ ପୀଡ଼ା ପ୍ରଦାନ କରିବାର ଯନ୍ତ୍ରଣାରେ ଜର୍ଜରିତା ମନ୍ଥରା ଏକ ଅନ୍ଧକାର କୋଠରି ମଧ୍ୟରେ ଚଉଦବର୍ଷ ପଡ଼ିରହିଲା। ଚଉଦବର୍ଷ ପରେ ଶ୍ରୀରାମ ଫେରିଆସି ଅନ୍ଧକାର ଗୃହ ମଧ୍ୟରୁ ମନ୍ଥରାକୁ ଆଣି ସସ୍ନେହ କୋଳାଗ୍ରତ କଲେ। ପ୍ରଭୁଙ୍କ ସ୍ପର୍ଶରେ ମନ୍ଥରାର ସମସ୍ତ ଶରୀର ପୁଲକିତ ହୋଇଉଠିଲା। ଫେରି ଆସିଲା ତାର ପୂର୍ବରୂପ। ମନ୍ଥରାରୁ ଦୁନ୍ଦୁଭି ଅପସରା ପାଲଟି ସେ ଆନନ୍ଦରେ ସ୍ବର୍ଗ ଗମନ କଲା।
-ଡକ୍ଟର ତୁଳସୀ ଓଝା।