ଲଙ୍କାଯାତ୍ରା କାଳରେ ହନୁମାନ ଯେଉଁ ଚାରିଜଣ ନାରୀଙ୍କୁ ଭେଟିଥିଲେ, ସେମାନେ ହେଲେ- ସୁରସା, ସିଂହିକା, ଲଙ୍କେଶ୍ବରୀ ଓ ତାରାବତୀ। ସିଂହିକା ରାକ୍ଷସୀ; ତାହାର ଜନ୍ମ ରାକ୍ଷସ କୁଳରେ। କିନ୍ତୁ ଅନ୍ୟ ତିନିଜଣ ହନୁମାନଙ୍କ କାର୍ଯ୍ୟସିଦ୍ଧିରେ ସହାୟ ହେବା ପାଇଁ ଲଙ୍କାରେ ରାକ୍ଷସୀ ରୂପରେ ଥିଲେ। ଏହି ଦୃଷ୍ଟିରୁ ଏକ ମହତ୍ତ୍ବପୂର୍ଣ୍ଣ ଚରିତ୍ର ହେଉଛନ୍ତି ଏକସ୍ତନୀ ତାରାବତୀ। ବିଶେଷ କରି, ଏହି ଚରିତ୍ରଟି କବି ବଳରାମ ଦାସଙ୍କର ନିଜସ୍ବ ସୃଷ୍ଟି।

Advertisment

ହନୁମାନ ସୀତାଙ୍କୁ ଖୋଜିବା ପାଇଁ ରାବଣର ଅନ୍ତଃପୁରରେ ପ୍ରବେଶ କଲେ। କିନ୍ତୁ ସେଠାରେ ସେ ସୀତାଙ୍କୁ ନ ପାଇ ନିକଟରେ ଥିବା ଅନ୍ୟ ଏକ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ। ସେହି ପ୍ରାସାଦର ଅନ୍ତଃପୁରରେ ପ୍ରବେଶ କରି ହନୁମାନ ଆଶ୍ଚର୍ଯ୍ୟ ହେଲେ। କାରଣ ଲଙ୍କାର ଅନ୍ୟ ସମସ୍ତ ଗୃହାଙ୍ଗନଠାରୁ ସେହିି ଗୃହଟି ଥିଲା ସଂପୂର୍ଣ୍ଣ ସ୍ବତନ୍ତ୍ର। ଧୂପ, ଦୀପ, ପୁଷ୍ପର ସୁଗନ୍ଧରେ ସେହି ପ୍ରାସାଦ ମହକିତ ହେଉଥିଲା। ତାହା ଏକ ଆଶ୍ରମ ସଦୃଶ ପ୍ରତୀୟମାନ ହେଉଥିଲା। ପ୍ରାସାଦର ଏକ ଗୃହ ମଧ୍ୟରେ ସେ ଏକ ଅନିନ୍ଦ୍ୟ ସୁନ୍ଦରୀ କନ୍ୟାଙ୍କୁ ଦେଖିଲେ। ସେ ଅନୁଚରୀମାନଙ୍କ ଦ୍ବାରା ପରିବେଷ୍ଟିତା ଥିଲେ। ସେହି କନ୍ୟାଙ୍କର ରୂପଲାବଣ୍ୟ ଦେଖି ହନୁମାନଙ୍କର ମନେ ହେଲା, ସେହି ବୋଧେ ସୀତା। କିନ୍ତୁ ତାଙ୍କୁ ଆଶ୍ଚର୍ଯ୍ୟ କରି ସେହି କନ୍ୟା ହନୁମାନଙ୍କ ନିକଟକୁ ଆସି କହିଲେ। ବର୍ଣ୍ଣନା ଅଛି-
‘‘ହନୁମନ୍ତ ଚାହାଁନ୍ତେ ଚାହେଁ ତାରା ସତୀ
ବୋଇଲା ରାମଦୂତ ଏବେ ତୁ ଅଇଲୁ କି?’’

ହନୁମାନ ଆଶ୍ଚର୍ଯ୍ୟ ହେଲେ। ଏତେବଡ଼ ଲଙ୍କାନଗରୀ ସେ ବୁଲିଆସିଲେ; କେହି ତାଙ୍କୁ ଚିହ୍ନି ପାରିଲେ ନାହିଁ; କିନ୍ତୁ ଏ କନ୍ୟା ତାଙ୍କୁ କିପରି ଚିହ୍ନିଲେ? ତାହା ଦେଖି ସେହି କନ୍ୟା କହିଲେ- ସେ ରାମଭକ୍ତ ବିଭୀଷଣଙ୍କର କନ୍ୟା ତାରା। ଏ ମହଲ ବିଭୀଷଣଙ୍କର। ଦେବକାର୍ଯ୍ୟ ନିମିତ୍ତ ସେ ଏଠାରେ ବିଭୀଷଣଙ୍କର ପୁତ୍ରୀ ତଥା ତ୍ରିଜଟାର ଭଗ୍ନୀ ଭାବରେ ଜନ୍ମଗ୍ରହଣ କରିଛନ୍ତି। ପୁନଶ୍ଚ କହିଲେ- ଯେଉଁ ସୀତାଙ୍କୁ ତୁମେ ଖୋଜିବାକୁ ଆସିଛ, ସେ ସୀତା ରାବଣର ଅଶୋକବାଟିକାରେ ଅଛନ୍ତି ଏବଂ ଭଉଣୀ ତ୍ରିଜଟା ତାଙ୍କର ସେବାରେ ନିଯୁକ୍ତ। ଦେବତାମାନେ ତାଙ୍କୁ ସଙ୍କେତ ଦେଇଥିଲେ ଯେ ସମୁଦ୍ର ପାର ହୋଇ ହନୁମାନ ଲଙ୍କାରେ ପହଞ୍ଚିଗଲେ ସ୍ବର୍ଣ୍ଣ ଲଙ୍କା ଛାରଖାର ହେବାର ସମୟ ଆସିଗଲା ବୋଲି ଜାଣିବ। 

ଏହା ଜାଣି କେଉଁ କାର୍ଯ୍ୟ ସମାପନ ପାଇଁ ସେ ଏଠାରେ ଅଛନ୍ତି ବୋଲି ହନୁମାନ ଜାଣିବାକୁ ଚାହିଁବାରୁ ତାରାବତୀ କହିଲେ- ‌ମୁଁ ସ୍ବର୍ଗର ଗନ୍ଧର୍ବ ଅନିରୁଦ୍ଧଙ୍କର ପତ୍ନୀ। ଏକଦା ଜଣେ ମୁନିଙ୍କର ତପସ୍ୟାରେ ମୁଁ ଅଜାଣତରେ ବିଘ୍ନ ଘଟାଇଥିବାରୁ, ସେ ମୋତେ ରାକ୍ଷସୀ ଭାବରେ ଜନ୍ମନେବାକୁ ଅଭିଶାପ ଦେଇଥିଲେ। ବିନା ଦୋଷରେ ଏପରି ଦଣ୍ଡ ପାଇବାରୁ ମହାମୁନି ‌େମାତେ କଲ୍ୟାଣ କରି କହିଲେ- ତୁମର ଅଭିଶାପ ଦେବକାର୍ଯ୍ୟ ପ୍ରଣୋଦିତ। ଏକସ୍ତନୀ ନାରୀ ଭାବରେ ତୁମେ ରାକ୍ଷସରାଜ ବିଭୀଷଣ ଗୃହରେ ଜନ୍ମଲାଭ କରିବ। ଯେତେବେଳେ ରାମ-ରାବଣ ଯୁଦ୍ଧ ହେବ ଏବଂ ଇନ୍ଦ୍ରଜିତର ବାଣରେ ଲକ୍ଷ୍ମଣଙ୍କର ଶକ୍ତିଭେଦ ହେବ, ଅବିବାହିତା ହେଲେ ମଧ୍ୟ ତୁମର ସ୍ତନରୁ ଅମୃତଧାରା କ୍ଷୀର ସୃଷ୍ଟି ହେବ। ସେହି କ୍ଷୀରରେ ଔଷଧ ତିଆରି ହୋଇ ଲକ୍ଷ୍ମଣ ଚେତନା ଫେରିପାଇବେ।

‘‘ଲକ୍ଷ୍ମଣ ବଂଚନ୍ତେ ରାମ ଆନନ୍ଦ ହୋଇବେ
ସ୍ବର୍ଗକୁ ଯାଅ ‌େବାଲି ସେ କାଳେ କହିବେ।’’
ସେତେବେଳେ ତୁମେ ରାକ୍ଷସଜନ୍ମରୁ ମୁକ୍ତିପାଇ ସ୍ବର୍ଗକୁ ଫେରିଆସିବ।
ତାରାଦେବୀଙ୍କଠାରୁ ଏହା ଶୁଣି ବିଭୀଷଣଙ୍କ ପ୍ରାସାଦ ତ୍ୟାଗକରି ହନୁମାନ ଅଶୋକବାଟିକା ଉଦ୍ଦେଶ୍ୟରେ ଗମନ କଲେ।
-ଡକ୍ଟର ତୁଳସୀ ଓଝା