ମୂଳ ବାଲ୍ମୀକି ରାମାୟଣରେ ମହୀରାବଣ ଚରିତ୍ର ସଂପର୍କରେ କୌଣସି ସୂଚନା ନାହିଁ। କିନ୍ତୁ ଭାରତର ପ୍ରାନ୍ତୀୟ ଭାଷା- ଯଥା ଓଡ଼ିଆ, ବଙ୍ଗଳା, ତେଲଗୁ ଓ ତାମିଲ ଆଦିରେ ରଚିତ ରାମାୟଣ ଏବଂ କାବ୍ୟ ଓ ନାଟକ ଆଦିରେ ମହୀରାବଣର ଉପାଖ୍ୟାନ ମିଳେ। ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’, ଦ୍ବାଦଶ ଶତାବ୍ଦୀର ତାମିଲ କବି କମ୍ବନଙ୍କ  ‘ରାମାବତାରମ୍‌’, ତେଲଗୁ କବି ଆଦିତ୍ୟଙ୍କ ‘ମହୀରାବଣ ଚରିତମ୍‌’, ବଙ୍ଗଳାକବି କୃତ୍ତିବାସଙ୍କ ରଚିତ ‘ରାମାୟଣ’ରେ ମହୀରାବଣ ସଂପର୍କରେ ବିଶେଷ ବର୍ଣ୍ଣନା ଦେଖାଯାଏ। 

Advertisment

ଦାଣ୍ଡି ରାମାୟଣରେ ମହୀରାବଣ, ରାବଣପୁତ୍ର ଇନ୍ଦ୍ରଜିତର ପୁତ୍ର। ସୁଲଙ୍କା ନଗରୀର ରାଜା ତପା ନିଜର ତପବଳ ଦ୍ବାରା ଅତ୍ୟନ୍ତ ବଳଶାଳୀ ହୋଇଥିଲା। ସେ ଅଧର୍ମୀ ଥିଲା। ସେ ପଦ୍ମବ୍ୟୁହ ରଚନା କରି ଲକ୍ଷ୍ମଣ, ସୁଷେଣ ଓ ହନୁମାନଙ୍କୁ ଅପହରଣ କରି ପାତାଳଲୋକକୁ ନେଇଯାଇଥିଲା। ସେଠାରେ ତାଙ୍କୁ ସୁଦେବୀଙ୍କ ନିକଟରେ ବଳି ଦେବାପାଇଁ ଆୟୋଜନ କରିଥିଲା। ମାତ୍ର ସୁଦେବୀଙ୍କ କୃପାରୁ ଲକ୍ଷ୍ମଣ ଦେବୀଙ୍କ ପ୍ରଦତ୍ତ ତାଳଧ୍ବଜ ରଥ ଆରୋହଣ କରି ମହୀରାବଣକୁ ବଧ କରିଥିଲେ। କିନ୍ତୁ ଅନ୍ୟ ଭାଷାମାନଙ୍କରେ ରଚିତ ରାମାୟଣରେ ମହୀରାବଣର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କାହାଣୀ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଉପସ୍ଥାପିତ ହୋଇଛି। କୃତ୍ତିବାସ ରାମାୟଣ ଓ  ଅନ୍ୟ ରାମାୟଣରେ ମହୀରାବଣ ରାବଣର ପୁତ୍ର ଭାବରେ ବର୍ଣ୍ଣିତ। ସେ କାହାଣୀ ଏହିପରି-ଶକ୍ରଧନୁ ନାମରେ ଜଣେ ଗନ୍ଧର୍ବ ଏକଦା ଦେବସଭାରେ ନୃତ୍ୟ କଲାବେଳେ ଜଣେ ଅପସରାକୁ ଦେଖି ମୁଗ୍‌ଧ ‌େହାଇ ଅନ୍ୟମନସ୍କ ହୋଇପଡ଼ିଲେ।

ଫଳରେ ତାଙ୍କର ତାଳ ଭଙ୍ଗ ହେଲା। ସେଥିରେ କ୍ରୋଧିତ ହୋଇ ବ୍ରହ୍ମା ତାଙ୍କୁ ମର୍ତ୍ତ୍ୟଲୋକରେ ରାକ୍ଷସ ହୋଇ ଜନ୍ମଲାଭ କରିବାକୁ ଅଭିଶାପ ଦେଲେ। ଏହି ସମୟରେ ବାଳୀର କାରାଗାରରୁ ମୁକ୍ତ ହୋଇ ରାବଣ ଆକାଶ ପଥରେ ଗମନ କରୁଥିବା ବେଳେ ମହର୍ଷି ଗୌତମଙ୍କର ପତ୍ନୀ ଅହଲ୍ୟାଙ୍କୁ ଦେଖି କାମ ମୋହିତ ହୋଇପଡ଼ିଲା ଏବଂ ତାର ବୀର୍ଯ୍ୟ ସ୍ଖଳିତ ହେଲା। ସେହି ବୀର୍ଯ୍ୟରୁ ଜନ୍ମନେଲା ଶକ୍ରଧନୁ ରାକ୍ଷସ। ତାର ନାମ ହେଲା ମହୀରାବଣ। ମନ୍ଦୋଦରୀ ତାହାକୁ ପୁତ୍ର ରୂପରେ ପରିପାଳନ କଲେ। ଇନ୍ଦ୍ରଜିତର ସହାୟତାରେ ରାବଣ ପାତାଳଲୋକର କାଞ୍ଚନନଗରୀ ଜୟ‌ କରି ମହୀରାବଣକୁ ସେଠାରେ ରାଜା କଲା। ମହୀରାବଣ ତାରାଦେବୀଙ୍କୁ ଉଗ୍ର ତପସ୍ୟାରେ ସନ୍ତୁଷ୍ଟ କରି ଅନେକ ମାୟାବୀଶକ୍ତି ଆହରଣ କଲା। ଇନ୍ଦ୍ରଜିତର ମୃତ୍ୟୁପରେ ରାବଣ ମହୀରାବଣକୁ ସ୍ମରଣ କରିବାରୁ ସେ ରାବଣ ନିକଟରେ ଉପସ୍ଥିତ ହେଲା। ରାମ ଓ ଲକ୍ଷ୍ମଣଙ୍କୁ ଅପହରଣ କରି ପାତାଳଲୋକକୁ ନେଇଯାଇ ମହାମାୟାଙ୍କ ନିକଟରେ ବଳି ଦେବାପାଇଁ ସେ ଏକ ଯୋଜନା ପ୍ରସ୍ତୁତ କଲା।

ମହୀରାବଣର ଉପସ୍ଥିତି ଦେଖି ବିଭୀଷଣ ଏ ସଂପର୍କରେ ହନୁମାନକୁ ସଚେତନ କରାଇଦେଇଥିଲେ। କିନ୍ତୁ ମାୟାବୀ ମହୀରାବଣ ବିଭୀଷଣଙ୍କ ବେଶ ଧାରଣ କଲା। ସେ ପଦ୍ମବ୍ୟୁହ ରଚନା କରି ରାମଲକ୍ଷ୍ମଣଙ୍କୁ ଅଚେତନ କରି ପାତାଳ ଲୋକକୁ ନେଇ ଯାଇଥିଲା। ଏହା ଜାଣିପାରି ହନୁମାନ ସୂକ୍ଷ୍ମ ରୂପ ଧାରଣ କରି ପାତାଳଲୋକରେ ପହଞ୍ଚିଲେ। ମହାମାୟାଙ୍କୁ  ଅନୁରୋଧ କରିବାରୁ ଦେବୀ ହନୁମାନଙ୍କୁ ମହୀରାବଣର ମୃତ୍ୟୁଭେଦ ଜଣାଇଦେଲେ। ମହାମାୟାଙ୍କର ମନ୍ଦିର ମଧ୍ୟରେ ପାଞ୍ଚଟି ପ୍ରଦୀପ ଜଳୁଥିଲା। ଏହି ପଞ୍ଚପ୍ରଦୀପ ପାଞ୍ଚଟି ଦିଗକୁ ମୁହଁ କରିଥିଲା। ଯିଏ ଏକାଥରେ ଏହି ପଞ୍ଚପ୍ରଦୀପକୁ ଲିଭାଇ ପାରିବ ତେବେ ଯାଇ ମହୀରାବଣର ମୃତ୍ୟୁ ହେବ। ତାହା ଏକ ଅସମ୍ଭବ କାର୍ଯ୍ୟ ଥିଲା। କିନ୍ତୁ ପବନପୁତ୍ର ହନୁମାନ ଯୋଗବଳରେ ପାଞ୍ଚଟି ମୁଖ ଯଥା- ହନୁମାନ, ବରାହ, ଗରୁଡ଼, ନୃସିଂହ ଓ ହୟଗ୍ରୀବ ମୁଖ ଧାରଣ କରି ଗୋଟିଏ ଫୁତ୍କାରରେ ସେହି ପଞ୍ଚପ୍ରଦୀପକୁ ଲିଭାଇ ମହୀରାବଣକୁ ବଧ କରିଥିଲେ। ଶ୍ରୀ‌େକ୍ଷତ୍ରରେ ଅନୁଷ୍ଠିତ ହେଉଥିବା ସାହିଯାତରେ ମହୀରାବଣ ବଧ ଏକ ଲୋକପ୍ରିୟ ଅନୁଷ୍ଠାନ।
-ଡକ୍ଟର ତୁଳସୀ ଓଝା