‘ରାମାୟଣ’ର କାହାଣୀ ଗୁମ୍ଫନରେ ଏକ ମହତ୍ତ୍ବପୂର୍ଣ୍ଣ ଚରିତ୍ର ରାକ୍ଷସ ସୁମାଳୀ। ସୂକ୍ଷ୍ମ ଭାବରେ ଅନୁଧ୍ୟାନ କଲେ ଦେଖାଯାଏ,  ରାବଣର ଜୀବନଚର୍ଯ୍ୟାର ପ୍ରବର୍ତ୍ତନରେ ତାର ମାତାମହ  ସୁମାଳୀ ରାକ୍ଷସ ଏକ ବି‌ଶେଷ ଭୂମିକା ଗ୍ରହଣ କରିଥିଲା। ସୁମାଳୀର ଉଚ୍ଚାକାଂକ୍ଷା, ପ୍ରତିଶୋଧ ପରାୟଣତା, ଷଡ଼୍‌ଯନ୍ତ୍ର ତଥା କୁ-ପରାମର୍ଶ ହିଁ ପୌଲସ୍ତ୍ୟ ରାବଣକୁ ରାକ୍ଷସରାଜ ରାବଣରେ ପରିଣତ କରିଥିଲା। 

Advertisment

ପୂର୍ବରୁ ଲଙ୍କାରେ ରାଜତ୍ବ କରୁଥିବା ରାକ୍ଷସ ମା‌ଲ୍ୟବାନର ଭ୍ରାତା ଥିଲା ସୁମାଳୀ। ଭଗବାନ ବିଷ୍ଣୁଙ୍କ ଦ୍ବାରା ବିତାଡ଼ିତ ହୋଇ ସେ ପାତାଳରେ ବାସ କରୁଥିଲା। ସେହି ସମୟରେ ଥରେ ମର୍ତ୍ତ୍ୟକୁ ଆସି ଐଶ୍ବର୍ଯ୍ୟଶାଳିନୀ ଲଂକାକୁ ଦେଖି ତାକୁ ପୁନଃ ପ୍ରାପ୍ତ କରିବା ଅଭିଳାଷରେ ସେ ଏକ ଷଡ଼୍‌ଯନ୍ତ୍ର ଆରମ୍ଭ କରିଥିଲା। ତାହାର ପ୍ରଥମ ପ୍ରସ୍ତୁତି ଥିଲା କନ୍ୟ‌ା ନିକଷାକୁ ବିଶ୍ରବାଙ୍କ ପାଖକୁ ପଠାଇ ତାଙ୍କଠାରୁ ତିନି ରାକ୍ଷସପୁତ୍ର ପ୍ରାପ୍ତ କରିବା। ସେଥିରେ ସେ ସଫଳ ହେଲା। ପରେ ଯେତେବେଳେ ରାବଣ ତପସ୍ୟା ସାରି ଫେରି ଆସିଲା, ସୁମାଳି ପୁଣି ରାବଣ ନିକଟକୁ ଫେରି ଗଲା। ଯେଉଁ ଈର୍ଷା ଦ୍ବାରା ପ୍ରେରିତ ହୋଇ ରାବଣ ପ୍ରତିପତ୍ତିଶାଳୀ ହେବାକୁ ତପସ୍ୟା କରିଥିଲା, ତାହା ପୂର୍ଣ୍ଣ ହେବା ଦେଖି ସୁମାଳୀ ପୁନଶ୍ଚ ରାବଣର ହୃଦୟରେ ବିଷ୍ଣୁଙ୍କ ଦ୍ବାରା ପାଇଥିବା ପରାଭବର ପ୍ରତିଶୋଧ ନେବା ନିମିତ୍ତ ଇନ୍ଧନ ଯୋଗାଇବା ଆରମ୍ଭ କଲା। ଏହାର ଫଳ ସ୍ବରୂପ ସେ ରାବଣକୁ ଲଙ୍କା ଅଧିକାର କରିବାକୁ ପ୍ରବର୍ତ୍ତାଇବାରେ ଲାଗିଲା।

ଲଙ୍କା ଅଧିକାର  କରିବାକୁ ହେଲେ ନିଜର ଜ୍ୟେଷ୍ଠଭ୍ରାତା କୁବେରଙ୍କ ସହିତ ବିବାଦ କରିବାକୁ ହେବ। ଏହା ଅନୁଚିତ ମନେକରି ସୁମାଳୀର ପ୍ରରୋଚନାକୁ ରାବଣ ଗ୍ରହଣ କଲା ନାହିଁ। କିନ୍ତୁ ଲଙ୍କା ତାଙ୍କ ପୂର୍ବପୁରୁଷଙ୍କ ସମ୍ପତ୍ତି ବୋଲି ସୁମାଳୀ କହିବା ସହିତ, ବିଷ୍ଣୁ କିପରି ତାଙ୍କୁ ସେଠାରୁ ବହିଷ୍କାର କରିଥିଲେ ତାର ସୂଚନା ଦେଲା। ଏହିପରି ଭାବରେ ସେ ରାବଣକୁ ବାରମ୍ବାର ଲଙ୍କା ଅଧିକାର କରିବାକୁ ଉତ୍ତେଜିତ କରିବାକୁ ଲାଗିଲା। ବାରମ୍ବାର ଏହା ଶୁଣି ରାବଣର ଶୁଭବୁଦ୍ଧି ଲୋପପାଇଗଲା। ଲଙ୍କା ରାକ୍ଷସମାନଙ୍କ ରାଜ୍ୟ; ତେଣୁ ତାହା ରାକ୍ଷସମାନଙ୍କୁ ପ୍ରତ୍ୟର୍ପଣ କର ବୋଲି କହି ଦୂତ ହସ୍ତରେ ସେ କୁବେରଙ୍କ ପାଖକୁ ସମ୍ବାଦ ପଠାଇଲା। ମହାମନା କୁବେର ରାବଣକୁ ଲଙ୍କା ପ୍ରତ୍ୟାର୍ପଣ କରିଦେବା ନିମିତ୍ତ ସମ୍ବାଦ ପଠାଇଦେଲେ। ଦୁର୍ମତି ରାବଣଠାରୁ ଦୂରରେ ରହିବାପାଇଁ, ପିତାଙ୍କ ପରାମର୍ଶ ଅନୁସାରେ ସେ ଲଙ୍କା ପରିତ୍ୟାଗ କରି କୈଳାସ ନିକଟରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ଉପରେ ନିଜର ଯକ୍ଷ ପରିଜନଙ୍କ ସହିତ ଅଳକାପୁରୀ ନିର୍ମାଣ କରି ସେଠାରେ ରହିଲେ। ପୁନଶ୍ଚ ଦୁର୍ମତି ସୁମାଳୀର ପ୍ରରୋଚନାରେ କୁବେରଙ୍କ ସହିତ ଯୁଦ୍ଧ କରି ରାବଣ ତାଙ୍କଠାରୁ ପୁଷ୍ପକ ବିମାନ ଛଡ଼ାଇ ଆଣିଲା। ଯେତେବେଳେ ରାବଣ ସୀତାଙ୍କୁ ଅପହରଣ କରି ଆଣିଲା, ତାହାକୁ ବିଭୀଷଣଙ୍କ ସହିତ ଲଙ୍କାର ଅଧିକାଂଶ ମନ୍ତ୍ରୀ ବିରୋଧ କରିଥିଲେ। ମାତ୍ର ସୁମାଳୀ ତାହାକୁ ସ୍ବୀକୃତି ଦେଇ ରାମ-ରାବଣ ଯୁଦ୍ଧକୁ ଅବଶ୍ୟମ୍ଭାବୀ କରିଦେଲା। 

ଏହିପରି ଭାବରେ, ରାକ୍ଷସରାଜ ସୁମାଳୀ ରାବଣର ଜନ୍ମ ପାଇଁ ଯେପରି ଦାୟୀ, ରାବଣର ପତନ ପାଇଁ ପଥ ପରିଷ୍କାର କରିବାରେ ମଧ୍ୟ ସେହିପରି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ରାବଣର ପ୍ରତ୍ୟେକ ଅନୈତିକ କାର୍ଯ୍ୟର ସେ ଥିଲା ଏକାନ୍ତ ସହଯୋଗୀ।
-ଡକ୍ଟର ତୁଳସୀ ଓଝା