ଶ୍ରୀରାମ ଅଯୋଧ୍ୟା ଯାତ୍ରା ପାଇଁ ପ୍ରସ୍ତୁତ ହୋଇଗଲେ। ଆନନ୍ଦରେ ସମସ୍ତେ ପୁଷ୍ପକ ବିମାନରେ ଆରୋହଣ କରି ଆକାଶ ପଥରେ ଯିବାପାଇଁ ଉତ୍ସୁକ ହୋଇ ବିମାନ ଆଡ଼କୁ ଯାଉଥିଲେ। ଚାରିଆଡ଼େ କୋଳାହଳ, ହସଖୁସିର ଲହର। କିନ୍ତୁ ହଠାତ୍ ପ୍ରଭୁ ଶ୍ରୀରାମଙ୍କର ମୁଖ ବିଷଣ୍ଣ ହୋଇଗଲା। ଆଖି ଆଗରେ ଭାସି ଉଠିଲା ମାତା କୈକେୟୀଙ୍କର ଅଶ୍ରୁବର୍ଷୀ ଆନତ ଚକ୍ଷୁ ଓ ଅନୁତାପ ଦଗ୍ଧ ବିଷଣ୍ଣ ମୁଖମଣ୍ଡଳ। କେମିତି କାଟିଥିବେ ମାତା କୈକେୟୀ ଏହି ଚଉଦବର୍ଷ! ଘୃଣା, ଲାଞ୍ଛନା, ଅପବାଦ ଓ ଉପେକ୍ଷାର ହଳାହଳଭରା ଏକ ନିଃସଙ୍ଗ ଜୀବନ। ରାଜରାଣୀ କୈକେୟୀ, ସେ କେବଳ ସ୍ନେହର ପ୍ରତିମୂର୍ତ୍ତି ନ ଥିଲେ; ଥିଲେ ରାଜନୀତି, କୂଟନୀତି, ଧର୍ମନୀତି, ଯୁଦ୍ଧନୀତିର ମୂର୍ତ୍ତିମନ୍ତ ପ୍ରତିମା। ଯାହା କିଛି ରାମ ଶିଖିଥିଲେ ସେ ସବୁ ତ ତାଙ୍କରିଠାରୁ ହିଁ ଶିଖିଥିଲେ। ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଭିତରେ ଥିବା ସଂପର୍କ କ’ଣ ତାଙ୍କୁ ଅଜଣା ଥିଲା? ସତରେ କ’ଣ ରାମ ଓ ଭରତଙ୍କୁ ଅଲଗା ଅଲଗା ବ୍ୟକ୍ତିତ୍ବ ଭାବରେ ସେ କଳ୍ପନା କରିଥିବେ? ଯେଉଁ କୈକେୟୀଙ୍କୁ ସେ ପିଲାଦିନରୁ ଚିହ୍ନି ଆସିଥିଲେ ଏବଂ ଆଉ ଯେଉଁ କୈକେୟୀଙ୍କୁ ସେ ବନବାସ ଆଦେଶ ଦେବା ସମୟରେ ଦେଖିଥିଲେ, ଏ ଦୁଇ ବ୍ୟକ୍ତିତ୍ବ କେତେ ଅଲଗା, କେତେ ପରସ୍ପର ବିରୋଧୀ। ଏହାର କାରଣ କ’ଣ? ରାକ୍ଷସ ଅତ୍ୟାଚାରରୁ ଭୂଭାଗକୁ ରକ୍ଷା କରିବା ନା ବ୍ୟକ୍ତିଗତ ସ୍ବାର୍ଥ? ନା ରାଜମାତା ହେବାର ସ୍ବପ୍ନ? ଏତେ ବୁଦ୍ଧିମତୀ କୈକେୟୀ କ’ଣ ଭରତକୁ ଚିହ୍ନିପାରି ନ ଥିବେ?
ଭରତ ଯେତେବେଳେ କୈକେୟୀଙ୍କୁ କୁଳନାଗିନୀ, କୁଟିଳା, ପାପିନୀ, ମତ୍ତଗର୍ବିଣୀ, ସ୍ବାର୍ଥପର ଆଦି କୁଶବ୍ଦ ବ୍ୟବହାର କରି ଭରଦ୍ବାଜ ମୁନିଙ୍କୁ କୈକେୟୀଙ୍କର ପରିଚୟ ପ୍ରଦାନ କରୁଥିଲେ ସେଥିରୁ ତାଙ୍କୁ ନିବୃତ୍ତ କରାଇ ଭରଦ୍ବାଜ ତାଙ୍କୁ କହିଥିଲେ, ‘‘ଭରତ, ରାମଙ୍କ ଅରଣ୍ୟବାସ ପାଇଁ ତୁମେ କୈକେୟୀଙ୍କୁ ଅବଜ୍ଞା କରନାହିଁ। ଏହି ନିର୍ବାସନ ଫଳରେ, ଦେବଗଣ, ଦାନବଗଣ ଓ ଋଷିଗଣଙ୍କର କଲ୍ୟାଣ ହେବ।’’
ସତରେ ତ ଏ ଚଉଦବର୍ଷ ସେ ଯାହା କରିଛନ୍ତି ସେଥିରେ ଅରଣ୍ୟବାସୀ, ମୁନିଋଷି, ଦେବତା ଓ ଦୈତ୍ୟମାନଙ୍କର କଲ୍ୟାଣ ହିଁ ହୋଇଛି। ମୁନିଋଷିମାନଙ୍କର ଯେତିକି ଆଶୀର୍ବାଦ ତାଙ୍କୁ ମିଳିଛି ଏବଂ ଦୈତ୍ୟ, ଦାନବ, ମାନବ, ବାନର ଆଦି ସଭ୍ୟତା ସହିତ ତାଙ୍କର ଯେଉଁ ଅନ୍ତରଙ୍ଗ ପରିଚିତି ହୋଇଛି, ତାହା କ’ଣ ସେ ଅଯୋଧ୍ୟାର ଆୟତନ ମଧ୍ୟରେ ସୀମାବଦ୍ଧ ହୋଇ ରହିଥିଲେ ସମ୍ଭବ ହୋଇଥାଆନ୍ତା? ସେ କ’ଣ ହନୁମାନଙ୍କ ପରି ଭକ୍ତ, ବିଭୀଷଣଙ୍କ ପରି ପୁଣ୍ୟାତ୍ମା, ସୁଗ୍ରୀବଙ୍କ ପରି ବନ୍ଧୁ ପାଇପାରିଥାଆନ୍ତେ? ଇନ୍ଦ୍ରଜିତ ପରି ବୀରର ପରିଚୟ ପାଇପାରିଥାଆନ୍ତେ? ମାତା ଶବରୀର କାନ୍ତ-କୋମଳ ହୃଦୟର ସ୍ପର୍ଶ ଲାଭ କରିପାରିଥାଅାନ୍ତେ? ଉପଭୋଗ କରିପାରିଥାଆନ୍ତେ ଚିତ୍ରକୂଟର ଅପରୂପ ସୌନ୍ଦର୍ଯ୍ୟ? ବୋଧହୁଏ ଦୀର୍ଘ ୧୪ ବର୍ଷର ବନବାସ କାଳରେ ଅଜସ୍ର କଷ୍ଟ ଭୋଗ କରିଥିଲେ ମଧ୍ୟ କେବେବି କୈକେୟୀଙ୍କ ପ୍ରତି ତାଙ୍କ ମନରେ ବିରୂପ ଭାବ ଜାତ ହୋଇନାହିଁ। ରାମ ଅନୁମାନ କରି ପାରୁଥିଲେ, ଅଯୋଧ୍ୟା ପରିତ୍ୟାଗ କରି ଭରତଙ୍କର ନନ୍ଦୀଗ୍ରାମରେ ରହଣୀ, ମହର୍ଷି ବଶିଷ୍ଠଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ସଭାସଦ୍, ଅଯୋଧ୍ୟାବାସୀଙ୍କର ଘୃଣା ଓ ଉପେକ୍ଷାର ପାତ୍ରୀ ହୋଇ ସେ ଯେଉଁ ନିଃସଙ୍ଗ ଜୀବନ ଯାପନ କରିଥିବେ, ତାହା କ’ଣ କୌଣସି ବନବାସଠାରୁ କମ୍ ପୀଡ଼ାଦାୟକ ହୋଇଥିବ? ରାମ ହେଲେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ ଆଉ କୈକେୟୀ ସର୍ବଦା ଏକ ଘୃଣିତା, ଉପେକ୍ଷିତା ନାରୀ ହୋଇ ରହିଗଲେ! କୈକେୟୀଙ୍କୁ ରାଜ୍ୟବାସୀଙ୍କ ଅନୁରୋଧରେ ସେ ଦଣ୍ଡିତ କରିବେ ନା ତାଙ୍କ କାଳଜୟୀ ପୁଣ୍ୟ କାର୍ଯ୍ୟ ପାଇଁ ତାଙ୍କୁ ଅଭିବାଦନ କରିବେ? ଏତେ ଦ୍ବନ୍ଦ୍ବ ତାଙ୍କ ମନକୁ ବିଚଳିତ କରି ଦେଉଥିଲା ଯେ ସେ ବୁଝିପାରୁ ନ ଥିଲେ କ’ଣ କରିବେ? ଦୂରରେ ଠିଅାହୋଇ ମନେ ମନେ ହସୁଥିଲେ ଯୋଗମାୟା। ସାରା ସଂସାର ଯାହାଙ୍କ ମାୟାରେ ଆତଯାତ, ଆଜି ସେ ସ୍ବୟଂ ନିଜର ମାୟାକୁ ନିଜେ ଭେଦ କରିବାକୁ ଅକ୍ଷମ। ଧନ୍ୟ ତୁମେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ଧନ୍ୟ ତୁମ ଲୀଳା।
ଡକ୍ଟର ତୁଳସୀ ଓଝା