ପିତୃସତ୍ୟ ପାଳି ରାମଚନ୍ଦ୍ର ବନବାସ ଗଲେ। କିନ୍ତୁ ଏହାର ଅନ୍ତର୍ନିହିତ ମୁଖ୍ୟ ଉଦ୍ଦେଶ୍ୟ ରାବଣର ଅତ୍ୟାଚାରରୁ ସଂସାରକୁ ରକ୍ଷା କରିବା। ଏଇଠି କିନ୍ତୁ ଏକ ପ୍ରସଙ୍ଗ ଆସେ। ନିଜ ଅଜାଣତରେ ପ୍ରଭୁ ରାମଚନ୍ଦ୍ର ମଧ୍ୟ ମାତା କୌଶଲ୍ୟାଙ୍କ ଉପରେ ରାବଣ କରିଥିବା ଅତ୍ୟାଚାରର ପ୍ରତିଶୋଧ ନେଇଥିଲେ। ରାମ ବନବାସ, ସୀତା ହରଣ, ରାମ-ରାବଣ ଯୁଦ୍ଧ ଅାଦି ଘଟଣାବଳୀର ବହୁ ପୂର୍ବର ଘଟଣା। ରାବଣର ଅତ୍ୟାଚାରରେ ଅତିଷ୍ଠ ଦେବତାମାନଙ୍କ ପ୍ରାର୍ଥନାରେ ଭଗବାନ ବି‌ଷ୍ଣୁ ଯେତେବେଳେ ଧରାବତରଣ ନିମିତ୍ତ ସ୍ବୀକୃତ ହେଲେ, ଦେବତାମାନେ ଦେବମାତା ଅଦିତି ଓ ପ୍ରଜାପତି ମହର୍ଷି କଶ୍ୟପଙ୍କୁ ମର୍ତ୍ତ୍ୟଲୋକକୁ ଯିବା ପାଇଁ ଅନୁରୋଧ କଲେ। କାରଣ, ପୂର୍ବରୁ ଭଗବାନ ବି‌ଷ୍ଣୁଙ୍କୁ ପୁତ୍ର ରୂପେ ପାଇବାପାଇଁ ଦେବମାତା ହଜାରେ ବର୍ଷ ଧରି ତପସ୍ୟା କରିଥିଲେ। ଫଳରେ, ଦେବମାତା ଅଦିତି ଦକ୍ଷିଣ କୋଶଳର ଅଧିପତି କୌଶଳଙ୍କର କନ୍ୟା ରୂପେ ଓ କାଶ୍ୟପ ଅଯୋଧ୍ୟା ଅଧିପତି ଅଜଙ୍କର ପୁତ୍ର ଦଶରଥ ରୂପେ ଜନ୍ମଗ୍ରହଣ କଲେ।

Advertisment

ଅମର ବରପ୍ରାପ୍ତିରୁ ବଞ୍ଚିତ ରାବଣ ମର୍ତ୍ତ୍ୟଲୋକରେ ଅନେକ ବର୍ଷ ଅତିବାହିତ କଲା ପରେ ଏକଦା ପ୍ରଜାପିତା ବ୍ରହ୍ମାଙ୍କ ନିକଟରେ ଆସ୍ଫାଳନ କରି କହିଲା– ‘‘ଆପଣ ମୋତେ ଅମର ବର ଦେଲେ ନାହିଁ; କିନ୍ତୁ ମୁଁ ଏପର୍ଯ୍ୟନ୍ତ ଜୀବିତ ରହିଛି। ମୋର ମୃତ୍ୟୁ ହୋଇନାହିଁ। ବ୍ରହ୍ମା ରାବଣର ଆସ୍ଫାଳନ ଶୁଣି କହିଲେ– ଏଥର ତୋର ମୃତ୍ୟୁ ହେବ। କାରଣ କୋଶଳ ରାଜକନ୍ୟା କୌଶଲ୍ୟା ଓ ଅଯୋଧ୍ୟାପତି ଦଶରଥଙ୍କର ବିବାହ ନିକଟରେ ସଂପନ୍ନ ହେବ। ସେମାନଙ୍କର ସନ୍ତାନ ଭାବରେ ଭଗବାନ ବିଷ୍ଣୁ ଜନ୍ମନେବେ ଏବଂ ତୋତେ ମାରିବେ। ଏହାଶୁଣି ରାବଣ ବିବାହର ପୂର୍ବ ରାତିରେ କୌଶଲ୍ୟାଙ୍କୁ ଅପହରଣ କରିନେଇ ଏକ ମଞ୍ଜୁଷା ମଧ୍ୟରେ ରଖି ସମୁଦ୍ର ମଧ୍ୟରେ ଫିଙ୍ଗିଦେଲା। ଦଶରଥ ଯେଉଁ ନୌକାରେ ବରଯାତ୍ରୀ ନେଇ ଯାଉଥିଲେ, ସେ ନୌକାକୁ ମଧ୍ୟ ସେ ମଝିନଈରେ ବୁଡ଼ାଇଦେଲା। ରାଜା ଦଶରଥ ଓ ମନ୍ତ୍ରୀ ସୁମନ୍ତ୍ର ବହୁ କଷ୍ଟରେ ଏକ କାଠ ଖଣ୍ଡକୁ ଆଶ୍ରୟ କରି ଭାସିଭାସି ଯାଇ ସମୁଦ୍ର ମଧ୍ୟରେ ଥିବା ଏକ ବାଲିଚଡ଼ାରେ ପହଞ୍ଚିଲେ। କୌଶଲ୍ୟା ଯେଉଁ ମଞ୍ଜୁଷାରେ ବନ୍ଦ ହୋଇଥିଲେ, ତାହା ମଧ୍ୟ ଭାସିଆସି ସେଠାରେ ଲାଗିଥିଲା। ଦଶଥର ମଞ୍ଜୁଷାଟିକୁ ଦେଖି ତାହାକୁ ଖୋଲି ସେଥିରୁ କୌଶଲ୍ୟାଙ୍କୁ ଉଦ୍ଧାର କଲେ। ନାରଦଙ୍କ ସହିତ ଅନ୍ୟ ଦେବର୍ଷିମାନେ ସେଠାରେ ପହଞ୍ଚି ଦଶରଥ ଓ କୌଶଲ୍ୟାଙ୍କର ବିବାହ କରାଇଦେଲେ।

ଦଶରଥ ଓ କୌଶଲ୍ୟାଙ୍କର ବିବାହ ହୋଇଯାଇଛି ଜାଣି ରାବଣ ଆଶ୍ଚର୍ଯ୍ୟ ହେ‌ଲା। କିନ୍ତୁ ବହୁ ବର୍ଷ ପର୍ଯ୍ୟନ୍ତ ଦଶରଥଙ୍କର କୌଣସି ସନ୍ତାନ ନ ହେବାରୁ ସେ କ୍ରମଶଃ ତାହା ଭୁଲିଯାଇଥିଲା। କିନ୍ତୁ ବିଧିର ବିଧାନ ଅନ୍ୟଥା ହେବାର ନୁହେଁ। ଯଥା ସମୟରେ କୌଶଲ୍ୟାଙ୍କ ଗର୍ଭରୁ ଭଗବାନ ବିଷ୍ଣୁ ରାମ ରୂପରେ ଜନ୍ମଗ୍ରହଣ କଲେ ଏବଂ ରାବଣକୁ ବଧ କଲେ। ଏହା କୌଶଲ୍ୟାଙ୍କର କ‌ଠୋର ତପସ୍ୟାର ଫଳ ବୋଲି କୁହାଯାଇଥାଏ। ରାମାୟଣର ଏକ କୈନ୍ଦ୍ରିକ ପାତ୍ର ଭାବରେ କୌଶଲ୍ୟା ଚିରସ୍ମରଣୀୟା। ସମଗ୍ର ଭାରତରେ କୌଶଲ୍ୟାଙ୍କର ସ୍ବତନ୍ତ୍ର ମନ୍ଦିର ନ ଥିଲେ ମଧ୍ୟ, ତାଙ୍କର ଜନ୍ମଭୂମି ଛତିଗଗଡ଼ର ରାୟପୁର ଜିଲାର ଚନ୍ଦ୍ରଖୁରି ନାମକ ଗ୍ରାମରେ ତାଙ୍କର ଏକ ସ୍ବତନ୍ତ୍ର ମନ୍ଦିର ରହିଛି।
-ଡକ୍ଟର ତୁଳସୀ ଓଝା