ନିକଷା ‘ରାମାୟଣ’ର ଏକ ବହୁଚର୍ଚ୍ଚିତ ଚରିତ୍ର ନୁହେଁ; ଅଥଚ ରାମ ଓ ରାବଣଙ୍କର ଚିତ୍ର ଓ ଚରିତ୍ର ଦୃଷ୍ଟିରୁ  ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର। ‘ରାମାୟଣ’ କାହାଣୀର ଆଦିବୀଜ ହେଉଛି ନିକଷା। ରାକ୍ଷସରାଜ ସୁମାଳୀ ଓ ଗନ୍ଧର୍ବକନ୍ୟା କେତୁମତୀଙ୍କର କନ୍ୟା ନିକଷା। ଏହି କନ୍ୟା ଏକାଧାରରେ ବୁଦ୍ଧିମତୀ ଓ ପରମା ସୁନ୍ଦରୀ। ଲଙ୍କାରୁ ବିତାଡ଼ିତ ହୋଇ ରାକ୍ଷସମାନେ ରସାତଳରେ ବାସ କରୁଥିବା ସମୟରେ, ଏକଦା ଉପରକୁ ଆସି ଭ୍ରମଣ କରୁ କରୁ ରାକ୍ଷସ ସୁମାଳୀ ଐଶ୍ବର୍ଯ୍ୟମୟୀ ଲଙ୍କାକୁ ଦେଖି ମୋହିତ ହୋଇଯାଇଥିଲା। ସେ ଯେତେ‌ବେଳେ ଜାଣିଲା, ସଂପ୍ରତି  ମହର୍ଷି ବିଶ୍ରବାଙ୍କ ପୁତ୍ର କୁବେର ଲଙ୍କାରେ ରାଜତ୍ବ କରୁଛି, ତା’ ମନ ଭିତରେ ଷଡ଼୍‌ଯନ୍ତ୍ର ଦାନା ବାନ୍ଧିଲା। ଯଦି କୌଣସିମତେ ବିଶ୍ରବାଙ୍କଠାରୁ ଏକ ତେଜସ୍ବୀ ରାକ୍ଷସପୁତ୍ର ଜନ୍ମ ନିଅନ୍ତା ତେବେ ବିଶ୍ରବାଙ୍କ ପ୍ରଥମ ପୁତ୍ରକୁ ଲଙ୍କାରୁ ବ‌ହିଷ୍କାର କରି ପୁନଶ୍ଚ ରାକ୍ଷସରାଜ ସ୍ଥାପନ କରିବା ସହଜସାଧ୍ୟ ହୋଇପାରନ୍ତା। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମିତ୍ତ ତା’ର ପ୍ରଥମ ଆୟୁଧ ହେଲା ତା’ର କନ୍ୟା ନିକଷା। ପିତାଙ୍କ ପରାମର୍ଶରେ ବୁଦ୍ଧିମତୀ ନିକଷା ଆଶ୍ରମରେ ପହଞ୍ଚି ବିଶ୍ରବାଙ୍କୁ ନିଜର ସେବା ଓ ନିଷ୍ଠାଦ୍ବାରା ଆକର୍ଷିତ କରି ତାଙ୍କୁ ବିବାହ କଲା। ତାଙ୍କର ତିନିପୁତ୍ରଙ୍କ ମଧ୍ୟରୁ ଦୁଇପୁତ୍ର ଦୁରାଚାରୀ ହେଲେ। ତୃତୀୟ ପୁତ୍ର ଧର୍ମାତ୍ମା ହେବାପାଇଁ ବିଶ୍ରବା ଆଶୀର୍ବାଦ କଲେ। ରାବଣ ଥିଲା ଦୁରାଚାରୀ ପୁତ୍ର।

Advertisment

ନିକଷାଙ୍କ ଉଦ୍ଦେଶ୍ୟ ସାଧିତ ହେବାରୁ ସେ ବିଶ୍ରବାଙ୍କ ଆଶ୍ରମ ପରିତ୍ୟାଗ କରି ଆସି ଲଙ୍କାରେ ରାବଣ ସହିତ ରହିଥିଲେ। ନିକଷା ଥିଲେ ଅତ୍ୟନ୍ତ ଶିବ ଭକ୍ତ। ରାବଣ ମଧ୍ୟ ନିଜର ମାତାଙ୍କୁ ଅତ୍ୟନ୍ତ ସ୍ନେହ ଓ ଶ୍ରଦ୍ଧା କରୁଥିଲା। ତେଣୁ ନିକଷାଙ୍କ ନିମିତ୍ତ ସେ ସଂପୂର୍ଣ୍ଣ କୈଳାସକୁ ଉଠାଇ ଲଙ୍କା‌ ନେଇଆସିବାକୁ ଚାହିଁଥିଲା। କିନ୍ତୁ ରାବଣର ଅହଂକାର ହିଁ ଏଥିରେ ପ୍ରତିବନ୍ଧକ ହେଲା। ଫଳରେ ତା’ର ସେ ଚେଷ୍ଟା ସଫଳ ହେଲା ନାହିଁ।

ରାବଣ ଦୁରାତ୍ମା, ଏହା ନିକଷା ଜାଣିଥିଲେ। ତେଣୁ ସମୟ ସମୟରେ ସେ ତାକୁ ସତ୍‌ ଉପଦେଶ ପ୍ରଦାନ କରୁଥିଲେ। ଯେତେବେଳେ ରାବଣ ସୀତାଙ୍କୁ ଅପହରଣ କରିଆଣିଲା, ଅନ୍ୟ ସମସ୍ତ ବୟୋବୃଦ୍ଧଙ୍କ ସହିତ ନିକଷା ତାହାର ପ୍ରତିରୋଧ କରିଥିଲେ। କିନ୍ତୁ ରାବଣ ସେଥିରେ କର୍ଣ୍ଣପାତ ନ କରିବାରୁ ନିକଷା ଅତ୍ୟନ୍ତ ଦୁଃଖିତ ହେଲେ ଏବଂ ରାବଣର ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ଜାଣିପାରିଲେ। ଯେତେ‌େବଳେ ରାବଣ ପଦାଘାତ କରି ବିଭୀଷଣକୁ ଲଙ୍କାରୁ ବହିଷ୍କାର ଆଦେଶ ଦେଲା, ସେତେବେଳେ ବୁଦ୍ଧିମତୀ ନିକଷା, ଧର୍ମାତ୍ମା ପୁତ୍ର ବିଭୀଷଣକୁ ଶ୍ରୀରାମଙ୍କ ଶରଣକୁ ଯିବାପାଇଁ ଉପଦେଶ ଦେଲେ। ଅନ୍ତତଃ ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ ହେଲେ ବଞ୍ଚି ରହୁ ଏହା ସେ ଚାହୁଁଥିଲେ। ରାବଣର ବଂଶନାଶର ନିଶ୍ଚିତତା ଜାଣି ଅନୁତପ୍ତା ନିକଷା ପୁନଶ୍ଚ ପତି ବିଶ୍ରବାଙ୍କ ନିକଟକୁ ଫେରି ଯାଇଥିଲେ।
-ଡକ୍ଟର ତୁଳସୀ ଓଝା