‘ରାମାୟଣ’ର ବର୍ଣ୍ଣନା ଅନୁଯାୟୀ ରାବଣର ମଧ୍ୟମ ଭ୍ରାତା ଥିଲା କୁମ୍ଭକର୍ଣ୍ଣ। ମହର୍ଷି ବିଶ୍ରବା ଓ ରାକ୍ଷସୀ ନିକସାଙ୍କର ସେ ଦ୍ବିତୀୟ ପୁତ୍ର। କୁମ୍ଭକର୍ଣ୍ଣ ବିଶାଳଦେହୀ ଥିଲା। ସେ ଥିଲା ଅତ୍ୟନ୍ତ ଖାଦ୍ୟପ୍ରିୟ ଓ ବହୁଭୋଜୀ। ପ୍ରତ୍ୟହ ସେ ଧାର୍ମିକ ମୁନିଋଷିମାନଙ୍କ ସହିତ ଅପସରା, ଗନ୍ଧର୍ବ ଆଦିଙ୍କୁ ଧରି ଭୋଜନ କରୁଥିଲା। ନିକସାର ପ୍ରରୋଚନାରେ ସେ କଠୋର ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କଲା। ବ୍ରହ୍ମା ତାକୁ ବର ଦେବାକୁ ଉଦ୍ୟତ ହେବାରୁ ଦେବତାମାନେ ବ୍ରହ୍ମାଙ୍କୁ ଅନୁରୋଧ କଲେ, ଏହି ଭୀଷଣ ରାକ୍ଷସକୁ ଆପଣ ବର ଦେଲେ ସେ ସମଗ୍ର ସଂସାର ଉପରେ ଆହୁରି ଅତ୍ୟାଚାର କରି ସମସ୍ତଙ୍କୁ ଖାଇଯିବ। ଫଳରେ ସୃଷ୍ଟି ପ୍ରାଣୀଶୂନ୍ୟ ହୋଇଯିବ। ଦେବତାମାନଙ୍କ ଅନୁରୋଧରେ ଦେବୀ ସରସ୍ବତୀ ତାକୁ ମୋହମୁଗ୍ଧ କରିଦେଲେ। ଫଳରେ ସେ ବ୍ରହ୍ମାଙ୍କଠାରୁ ଦୀର୍ଘ ସମୟ ଶୋଇବାପାଇଁ ବର ମାଗିନେଲା। ଏହି ବର ମାଗି ସେ ଅନୁତପ୍ତ ହେବାରୁ ରାବଣର ଅନୁରୋଧରେ ବ୍ରହ୍ମା ତାଙ୍କ ବରକୁ ପରିବର୍ତ୍ତିତ କରିଦେଲେ। ତାହା ଅନୁସାରେ, ସେ ଛ’ମାସ ଶୋଇଲା ପରେ ଏକ ଦିନ ଜାଗ୍ରତ ହେବ ଓ ତା’ପରେ ପୁଣି ଶୋଇଯିବ। ଛ’ ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି କେହି ତାକୁ ଉଠାଏ ତେବେ ସୁନିଶ୍ଚିତ ତାର ମୃତ୍ୟୁ ହେବ। ରାବଣ ଏହା ଜାଣିଥିଲେ ମଧ୍ୟ, ଇନ୍ଦ୍ରଜିତ ଆହତ ହେବା ସହିତ ଅତିକାୟ, ବଜ୍ରମୁଷ୍ଟି, ପ୍ରହସ୍ତ, ଅକଂପନ ଆଦି ସେନାପତିମାନେ ମୃତ୍ୟୁବରଣ କରିସାରିଥିବାରୁ ସେ କୁମ୍ଭକର୍ଣ୍ଣକୁ ଉଠାଇବାକୁ ନିର୍ଦ୍ଦେଶ ଦେଲା।
ଛଅମାସ ପୂରଣ ହେବା ପୂର୍ବରୁ ତାକୁ ଉଠାଯାଇଥିବାରୁ କୁମ୍ଭକର୍ଣ୍ଣ ରାବଣକୁ ଏହାର କାରଣ ପଚାରିଲା। ରାବଣ ତାକୁ ସୀତା ହରଣ, ରାମଙ୍କ ବାନରସେନା ଆକ୍ରମଣ ସଂପର୍କରେ ସୂଚନା ଦେଲା। କୁମ୍ଭକର୍ଣ୍ଣ ଏହା ଶୁଣି ଅତ୍ୟନ୍ତ ବ୍ୟଥିତ ହେଲା। ରାମ ସ୍ବୟଂ ନାରାୟଣ ଓ ମାତା ସୀତା ସ୍ବୟଂ ଲକ୍ଷ୍ମୀ, ଏହା କହି ରାବଣର ଏହି କାର୍ଯ୍ୟ ପାଇଁ ସେ ତାକୁ ନିନ୍ଦା କରିବା ସହିତ ଶ୍ରୀରାମଙ୍କ ଶରଣ ପଶି ସୀତାଙ୍କୁ ଫେରାଇ ଦେବାପାଇଁ ଅନୁରୋଧ କଲା। କିନ୍ତୁ ରାବଣ କୁମ୍ଭକର୍ଣ୍ଣ କଥାକୁ କର୍ଣ୍ଣପାତ ନ କରି, ତାକୁ ଭର୍ତ୍ସନା କରିବାରୁ ସେ ଭ୍ରାତୃଋଣ ପରିଶୋଧ କରିବାପାଇଁ ରାମଙ୍କ ସହିତ ଯୁଦ୍ଧ କରିବାକୁ ଉଦ୍ୟତ ହେଲା। ପୁରାଣର ବର୍ଣ୍ଣନା ଅନୁଯାୟୀ, ପୂର୍ବଜନ୍ମରେ କୁମ୍ଭକର୍ଣ୍ଣ ଥିଲା ବୈକୁଣ୍ଠପୁରର ଦ୍ବାରପାଳ ବିଜୟ। ଚାରି କୁମାରଙ୍କର ଅଭିଶାପ ଫଳରେ ସେ ରାକ୍ଷସ ଯୋନିରେ ଜନ୍ମ ଗ୍ରହଣ କରିଥିଲା। ପୂର୍ବଜନ୍ମ ବିଷୟରେ ତାହାର ମନେ ନ ଥିଲେ ବି ବିଷ୍ଣୁଙ୍କ ହସ୍ତରେ ମୃତ୍ୟୁବରଣ କେଲ ମୁକ୍ତି ଲାଭ କରିବ ବୋଲି ମନେକରି ସେ ଯୁଦ୍ଧକ୍ଷେତ୍ରକୁ ଗମନ କଲା।
ଯୁଦ୍ଧକ୍ଷେତ୍ରରେ ବିଭୀଷଣ ତାକୁ ଦେଖି ପ୍ରଣାମ କରିବାରୁ , ସେ ରାମଙ୍କ ଶରଣରେ ଅଛି ଜାଣି କୁମ୍ଭକର୍ଣ୍ଣ ବିଭୀଷଣର ଭାଗ୍ୟକୁ ପ୍ରଶଂସା କଲା। ତା’ ସହିତ ସେ ନିଜେ କାଳର ବଶ ହୋଇଗଲାଣି; ଏଣୁ ପ୍ରଭୁଙ୍କ ହସ୍ତରେ ମୃତ୍ୟୁବରଣ କରି ମୁକ୍ତି ପାଇବ ବୋଲି କହିଥିଲା। ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ୟ ନିଜର ଶକ୍ତି ଅନୁସାରେ ସେ ଯୁଦ୍ଧ କରିଥିଲା। ଅନେକ ବାନରଙ୍କୁ ପରାହତ କରିବା ପରେ ଶେଷରେ ଶ୍ରୀରାମଙ୍କ ହସ୍ତରେ ତାହାର ମୃତ୍ୟୁ ହେଇଥିଲା। ଅସୁରକୁଳରେ ଜନ୍ମ ହୋଇଥିଲେ ମଧ୍ୟ ନିଜର ସୁବିଚାର ଫଳରେ ମୃତ୍ୟୁ ପରେ କୁମ୍ଭକର୍ଣ୍ଣର ଆତ୍ମା ଜ୍ୟୋତିରୂପରେ ଶ୍ରୀରାମଙ୍କ ଶରୀରରେ ବିଲୀନ ହୋଇଥିଲା।
-ଡକ୍ଟର ତୁଳସୀ ଓଝା।