‘ରାମାୟଣ’ରେ ଅନେକ ମୁଖ୍ୟ ଚରିତ୍ରଙ୍କ ସହିତ କେତେକ ଗୌଣ ଚରିତ୍ର ମଧ୍ୟ ରହିଛନ୍ତି। ସେମାନଙ୍କର ମଧ୍ୟ ଅନେକ ଗୁରୁତ୍ବ ରହିଛି। ସେହିପରି ଏକ ଚରିତ୍ର ହେଉଛନ୍ତି ବିଷ୍ଣୁଭକ୍ତ ବିଭୀଷଣଙ୍କ ପତ୍ନୀ ତଥା ତ୍ରିଜଟାଙ୍କର ମାତା ସରମା। ସରମାଙ୍କ ଚରିତ୍ରର ଉଲ୍ଲେଖର ପ୍ରଥମ ପର୍ଯ୍ୟାୟରେ ହିଁ କୁହାଯାଇଛି-  ଗନ୍ଧର୍ବରାଜ ଶୈଳୁଷଙ୍କ କନ୍ୟା ସରମା, ଯେ ଧର୍ମତତ୍ତ୍ବରେ ପ୍ରଶିକ୍ଷିତା ଥିଲେ, ବିଭୀଷଣ ତାଙ୍କୁ ନିଜର ପତ୍ନୀ ଭାବରେ  ପ୍ରାପ୍ତ ହୋଇଥିଲେ। ରାକ୍ଷସକୁଳରେ ଜନ୍ମହୋଇଥିଲେ ମଧ୍ୟ ‌ବିଭୀଷଣ ଥିଲେ ଧର୍ମାତ୍ମା, ସତ୍ୟନିଷ୍ଠ ଓ ବିଷ୍ଣୁଭକ୍ତ। ତେଣୁ ତାଙ୍କର ବିବାହ ଏହି ଗନ୍ଧର୍ବ କନ୍ୟାଙ୍କ ସହିତ ହୋଇଥିଲା; ଜନ୍ମକାଳରୁ ଯାହାଙ୍କର ପାବନ ଚରିତ୍ରର ସୂଚନା ମିଳିଥାଏ।

Advertisment

ବର୍ଷାକାଳରେ ମାନସରୋବର ତୀରଦେଶରେ ହୋଇଥିଲା ସରମାଙ୍କର ଜନ୍ମ। ବର୍ଷା ଜଳରେ ପରିପୂର୍ଣ୍ଣ ହୋଇ ମାନସରୋବର ବଢ଼ିବାରୁ, ଜନ୍ମିତା ଶିଶୁକନ୍ୟାର ସୁରକ୍ଷାପାଇଁ ବିବ୍ରତହୋଇ ‌ଶୈଳୁଷଙ୍କର ପତ୍ନୀ ମାନସରୋବରକୁ ଆଉ ନ ବଢ଼ିବାକୁ ଅନୁରୋଧ କଲେ। ଶିଶୁପାଇଁ ମାନସରୋବର ଆଉ ନ ବଢ଼ି ସ୍ଥିର ହୋଇଯିବାରୁ ଶୈଳୁଷ ଏହି ଦିବ୍ୟଜନ୍ମା କନ୍ୟାର ନାମ ରଖିଥିଲେ ସରମା।
ରାବଣ ସାନଭାଇ ବିଭୀଷଣଙ୍କୁ ପଦାଘାତ କରି ଲଙ୍କାରୁ ତଡ଼ିଦେଲା ପରେ, ବିଭୀଷଣଙ୍କ ପତ୍ନୀ ସରମା ଓ କନ୍ୟା ତ୍ରିଜଟାଙ୍କୁ କିନ୍ତୁ ଲଙ୍କାରୁ ବାହାର କରି ନ ଥିଲା। ବରଂ ଜନକନନ୍ଦିନୀ ସୀତାଙ୍କର ଦେଖାଶୁଣା କରିବା ପାଇଁ ସେମାନଙ୍କୁ ସେ ନିଯୁକ୍ତ କରିଥିଲା। ସେମାନେ ଅନ୍ୟ ରାକ୍ଷସୀମାନଙ୍କ ପରି ସୀତାଙ୍କର କୌଣସି କ୍ଷତି ଘଟାଇବେ ନାହିଁ, ଏ ବିଷୟରେ ସମ୍ଭବତଃ ରାବଣ ନିଶ୍ଚିତ ଥିଲା। ତ୍ରିଜଟା ଭଳି, ସରମା ସବୁବେଳେ ସୀତାଙ୍କର ଦୁଃଖ ଲାଘବ କରୁଥି‌େଲ।

ବିଭୀଷଣ ସର୍ବଦା କହୁଥିଲେ- ଶ୍ରୀରାମ ସ୍ବୟଂ ମହାବିଷ୍ଣୁ ଏବଂ ସୀତା ମହାଲକ୍ଷ୍ମୀ। ସରମା‌ ଯେ‌େ‌ତବେଳେ ପ୍ରଥମେ ସୀତାଙ୍କୁ ଦର୍ଶନ କରିଥିଲା, ତାଙ୍କର ମନେହୋଇଥିଲା- ସତେଯେପରି ତାଙ୍କ ସମ୍ମୁଖରେ ସ୍ବୟଂ ମହାଲକ୍ଷ୍ମୀ ବିଦ୍ୟମାନା। ସଖୀ ଓ ସେବିକା ଭାବରେ ସେ ସବୁବେଳେ ସୀତାଙ୍କ ପାଖରେ ରହିଥିଲେ। ଗନ୍ଧର୍ବକନ୍ୟା ହୋଇଥିବାରୁ ପ୍ରାକୃତିକ ଭାବରେ ସେ ଆକାଶଚାରିଣୀ ଓ ଦିବ୍ୟଦୃଷ୍ଟି ସମ୍ପନ୍ନା। ଯେତେବେଳେ ରାବଣ ମାୟା କରି ରାମଙ୍କର ମୃତ ରୂପ ସୀତାଙ୍କୁ ଦେଖାଇଲା, ତାହା ଯେ ଇନ୍ଦ୍ରଜାଲ, ଏହା କହି ସେ ସୀତାଙ୍କୁ ସାନ୍ତ୍ବନା ଦେଇଥିଲେ ଏବଂ ସୀତାଙ୍କ ଅନୁରୋଧରେ ସୂକ୍ଷ୍ମରୂପ ଧାରଣ କରି ରାବଣର ସବୁ ମନ୍ତ୍ରଣା ସଂପର୍କରେ ସୀତାଙ୍କୁ ଜଣାଇଥିଲେ।  ମାତା,‌ ମାତାମହୀ, ବନ୍ଧୁ, କୁଟୁମ୍ବ, ପୁତ୍ର, ପୌତ୍ର, ମନ୍ତ୍ରୀ, ସଭାସଦ୍‌ କାହାରି କଥା ନ ଶୁଣି ରାବଣ ନିଶ୍ଚୟ ଯୁଦ୍ଧରେ ପ୍ରବୃତ୍ତ ହେବ ଏବଂ ଶେଷରେ ରାମଙ୍କ ହସ୍ତରେ ମୃତ୍ୟୁବରଣ କରିବ; ରାବଣର ମୃତ୍ୟୁ ପରେ ‌ରାମ ସୀତାଙ୍କୁ ଉଦ୍ଧାର କରିବେ- ଏ ସଂପର୍କରେ ସରମା ନିଶ୍ଚିତ ଥିଲେ। ସେହିପରି ଭାବରେ ସେ ସୀତାଙ୍କୁ ଭବିଷ୍ୟବାଣୀ କରିଥିଲେ। ତାଙ୍କର କଥା ସତ୍ୟ ହେଲା। ରାବଣର ମୃତ୍ୟୁ ପରେ ସରମା ଓ ତ୍ରିଜଟା ଆଦି ସୀତାଙ୍କୁ ନେଇ ରାମଙ୍କ ପାଖରେ ପହଞ୍ଚାଇଥିଲେ। ସୀତାଙ୍କ ସହିତ ସରମା ମଧ୍ୟ ଅଯୋଧ୍ୟା ଯାତ୍ରା କରିଥିଲେ ଓ ସୀତାଙ୍କ ଦ୍ବାରା ସମ୍ମାନିତା ହୋଇଥିଲେ।
-ଡକ୍ଟର ତୁଳସୀ ଓଝା