ସେଦିନ ଥିଲା ମିଥିଳା ନଗରୀ ନିମିତ୍ତ ଏକ ଦୁର୍ଲଭ ଦିନ। ସମଗ୍ର ଭାରତବର୍ଷର ଅସଂଖ୍ୟ କ୍ଷତ୍ରିୟ ରାଜା ଓ ରାଜପୁତ୍ରମାନେ ସୀତାଙ୍କ ସ୍ବୟମ୍ବରରେ ଭାଗ ନେବାପାଇଁ ଉପସ୍ଥିତ ହୋଇଥାନ୍ତି। ସଭାର ମଧ୍ୟସ୍ଥଳରେ ଆଠଚକ ବିଶିଷ୍ଟ ଏକ ଶକଟାସନ ଉପରେ ସଜ୍ଜିତ କରି ରଖାଯାଇଥାଏ ଦେବଦେବ ମହାଦେବଙ୍କର ପିନାକ ଧନୁ। ପ୍ରତ୍ୟେକ ରାଜପୁତ୍ର ନିଜନିଜର ଶୌର୍ଯ୍ୟ ଓ ବୀର୍ଯ୍ୟର ଡିଣ୍ଡିମ ପିଟି ସ୍ବୟମ୍ବରର ସର୍ତ୍ତ ଅନୁଯାୟୀ ଶିବଧନୁରେ ଗୁଣ ସଂଯୋଗ କରିବାପାଇଁ ଉତ୍ସାହିତ ହୋଇ ସଭାର ମଧ୍ୟସ୍ଥଳକୁ ଯାଉଥା’ନ୍ତି। କିନ୍ତୁ ଗୁଣସଂଯୋଗ ତ ଦୂରର କଥା, ସେହି ଧନୁକୁ ଉଠାଇବାକୁ ବି କେହି ସମର୍ଥ ହେଉ ନ ଥାନ୍ତି। ମିଥିଳାବାସୀଙ୍କର ଉତ୍କଣ୍ଠା କ୍ରମେ ବିଷାଦରେ ପରିଣତ ହେବାକୁ ଯାଉଥାଏ।
ରାଜପୁତ୍ରମାନଙ୍କର ବିଫଳତା ଦେଖି ଜନକପତ୍ନୀ ସୁନୟନା ବ୍ୟାକୁଳ ହୋଇ ଜନକଙ୍କର ପ୍ରତିଜ୍ଞା ନିମିତ୍ତ ତାଙ୍କ ଉପରେ କ୍ଷୁବ୍ଧ ହେବା ଆରମ୍ଭ କରି ଦେଇଥାନ୍ତି। ନିଜର କନ୍ୟା କ’ଣ କୁମାରୀ ରହିଯିବ- ଏହି କଥା ଚିନ୍ତା କରି ସେ ବିମର୍ଷ ହୋଇ ପଡ଼ିଥା’ନ୍ତି। ପ୍ରାୟ ସମସ୍ତ ରାଜା ଓ ରାଜପୁତ୍ରଙ୍କର ପ୍ରଚେଷ୍ଟା ସରି ଆସୁଥିବା ଦେଖି ମିଥିଳାପତି ଜନକ ବିଷାଦଭରା କଣ୍ଠରେ ସଭାରେ ଉପସ୍ଥିତ ରାଜନ୍ୟବର୍ଗଙ୍କୁ ସମ୍ବୋଧନ କରି କହିଲେ- ସତରେ କ’ଣ ସମଗ୍ର ଭୂଭାରତ କ୍ଷତ୍ରିୟଶୂନ୍ୟ ହୋଇଯାଇଛି? ମୋର ବୀର୍ଯ୍ୟଶୁଳ୍କା କନ୍ୟା ସୀତାର ପାଣିଗ୍ରହଣ କରିବାକୁ କ’ଣ କେହି ଜଣେ ହେଲେ କ୍ଷତ୍ରିୟ ସମର୍ଥ ନୁହନ୍ତି?
ସଭାସ୍ଥଳରେ ମୌନ ହୋଇ ବସିଥିବା ବିଶ୍ବାମିତ୍ରଙ୍କୁ କରୁଣ ଦୃଷ୍ଟିରେ ଚାହିଁଲେ ଜନକ। ସମେସ୍ତ ତାଙ୍କର ଭାଷଣ ଶୁଣୁଥା’ନ୍ତି। ଚଞ୍ଚଳମତି ଲକ୍ଷ୍ମଣ ଆଉ ସହି ନ ପାରି ଗୁରୁ ବିଶ୍ବାମିତ୍ରଙ୍କୁ କହିଲେ- ଭ୍ରାତା ରାମଚନ୍ଦ୍ର ଥାଉ ଥାଉ ଜନକ କିପରି କହୁଛନ୍ତି ଯେ ସମଗ୍ର ଭାରତ କ୍ଷତ୍ରିୟଶୂନ୍ୟ? ଗୁରୁଦେବ! ଆପଣ କାହିଁକି ଭ୍ରାତା ରାମଚନ୍ଦ୍ରଙ୍କୁ ଶିବଧନୁ ପରୀକ୍ଷା କରିବାକୁ ଅନୁମତି ଦେଉ ନାହାନ୍ତି? ଆପଣ କ’ଣ ଜାଣନ୍ତି ନାହିଁ, ତାଡ଼କା ପରି ରାକ୍ଷସୀ ଓ ତା’ର ଅନୁଚରଙ୍କୁ ବଧ କରିଥିବା ଶ୍ରୀରାମଙ୍କର ବଳବୀର୍ଯ୍ୟ କେତେ! ଈସାରାରେ ଲକ୍ଷ୍ମଣକୁ ଚୁପ୍ କରାଇ ବିଶ୍ବାମିତ୍ର ଶ୍ରୀରାମଙ୍କୁ ଶିବଧନୁରେ ଗୁଣ ସଂଯୋଗ କରିବାକୁ ପ୍ରେରଣ କଲେ। ଗୁରୁ ବିଶ୍ବାମିତ୍ର, ମହର୍ଷି ଜନକ ଓ ସଭାସଦ୍ମାନଙ୍କୁ ପ୍ରଣାମ କରି ରାମଚନ୍ଦ୍ର ଧନୁ ରଖା ହୋଇଥିବା ସ୍ଥାନକୁ ଗମନ କଲେ। ମାହେଶ୍ବରୀ ଧନୁର୍ବିଦ୍ୟାରେ ପ୍ରବୀଣ ରାମଚନ୍ଦ୍ର ଯେତେବେଳେ ଧନୁକୁ ଉଠାଇ ସେଥିରେ ଗୁଣ ସଂଯୋଗ କରିବାର ଉପକ୍ରମ କଲେ, ଧନୁଟି ମଝିରୁ ଦୁଇଖଣ୍ଡ ହୋଇ ଭାଙ୍ଗିଗଲା। ଧନୁଭଙ୍ଗ ହେଲାବେଳେ ବଜ୍ରପାତ ସଦୃଶ ଭୟଙ୍କର ଶବ୍ଦ ହେଲା। ଭୂମିରେ କମ୍ପନ ସୃଷ୍ଟି ହେଲା। ସେହି ଭୟଙ୍କର ଶବ୍ଦ ଶୁଣି ସେଠାରେ ଉପସ୍ଥିତ ରାଜାମାନେ ମୂର୍ଚ୍ଛିତ ହୋଇ ପଡ଼ିଲେ। କିଛିସମୟ ପରେ ସେମାନେ ଚେତା ଫେରିପାଇ ଦେଖିଲେ, ରାଜର୍ଷି ଜନକ ଯୋଡ଼ହସ୍ତ ହୋଇ ବ୍ରହ୍ମର୍ଷି ବିଶ୍ବାମିତ୍ରଙ୍କୁ କହୁଛନ୍ତି- ମୋର ସ୍ବପ୍ନ ସାର୍ଥକ ହେଲା। ମୁଁ ମୋର କନ୍ୟା ସୀତାକୁ ଆପଣଙ୍କ ଶିଷ୍ୟ ଶ୍ରୀରାମଙ୍କ ହସ୍ତରେ ଅର୍ପଣ କରୁଛି।
- ଡକ୍ଟର ତୁଳସୀ ଓଝା