‘ରାମାୟଣ’ରେ ବର୍ଣ୍ଣିତ ଏକ ରାକ୍ଷସୀର ନାମ ସିଂହିକା। ଦାନବ ବିପ୍ରଚିତ୍‌ର ସେ ପତ୍ନୀ। ରାହୁ ଓ କେତୁ ତା’ର ଦୁଇ ପୁତ୍ର। କଶ୍ୟପ ଓ ଦକ୍ଷକନ୍ୟା ଦିତିଙ୍କର କନ୍ୟା ସେ। ଲଙ୍କା ନିକଟବର୍ତ୍ତୀ ସମୁଦ୍ର ତା’ର ବାସସ୍ଥାନ। ବହୁ ପ୍ରକାରର ଯାଦୁବିଦ୍ୟାରେ ସେ ପାରଦର୍ଶୀ। ଏହି ଯାଦୁବିଦ୍ୟା ସାହାଯ୍ୟରେ ସମୁଦ୍ର ଉପର ଦେଇ ଉଡ଼ୁଥିବା ଜୀବମାନଙ୍କର ଛାୟାକୁ ସେ ଧରିଥାଏ। ଛାୟାକୁ ଧରିବା ପରେ ପ୍ରାଣୀଟି ଶକ୍ତିହୀନ ହୋଇଯାଏ। ଫଳରେ ସେ ତାକୁ ସହଜରେ ଧରି ଭୋଜନ କରିଥାଏ। ଇଚ୍ଛା ଅନୁସାରେ ସେ ନିଜ ଶରୀରର ସଂକୋଚନ ଓ ପ୍ରସାରଣ ମଧ୍ୟ କରିପାରେ।

Advertisment

ହନୁମାନ ଲଙ୍କା ଯାତ୍ରା କରିବା ସମୟରେ କିସ୍କିନ୍ଧ୍ୟାରାଜ ସୁଗ୍ରୀବ ରାକ୍ଷସୀ ସିଂହିକା ସଂପର୍କରେ ହନୁମାନଙ୍କୁ ସୂଚନା ଦେଇଥିଲେ। ଯେତେବେଳେ ଶୂନ୍ୟପଥ‌େର ହନୁମାନ ଲଙ୍କା ଅଭିମୁଖେ ଯାତ୍ରା କରୁଥିଲେ, ତାଙ୍କର ଛାୟା ସମୁଦ୍ର ଉପରେ ପଡ଼ିଲା। ଏକ ବିଶାଳ ବାନର ଆକାଶପଥରେ ଯାତ୍ରା କରୁଥିବା ଦେଖି ସିଂହିକା ଆନନ୍ଦିତ ହୋଇପଡ଼ିଲା। ପେଟଭରି ଖାଦ୍ୟ ମିଳିଗଲା ବୋଲି ଭାବି ସେ ହନୁମାନଙ୍କର ଛାୟାକୁ ଧରିପକାଇଲା। ହଠାତ୍ ହନୁମାନ ଅନୁଭବ କଲେ, ତାଙ୍କ ଶରୀରରୁ ଶକ୍ତି କ୍ରମଶଃ ଅପସରି ଯାଉଛି। କେହି ଯେମିତି ତାଙ୍କୁ ଜାବୁଡ଼ି ଧରିଛି; ଫଳରେ ତାଙ୍କର ପରାକ୍ରମରେ ହ୍ରାସ ଘଟୁଛି।

ସିଂହିକା ଥିଲା ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷର ଭଉଣୀ। ଅଗ୍ନିଦେବଙ୍କୁ ତପସ୍ୟା କରି ସେ ବରଲାଭ କରିଥିଲା ଯେ ଅଗ୍ନି ତାକୁ ଗ୍ରାସ କରିବ ନାହିଁ।

ଏହା ଚିନ୍ତାକରି ହନୁମାନ ତଳକୁ ଦୃଷ୍ଟି ନିକ୍ଷେପ କ‌ଲେ। ଦେଖିଲେ, ଏକ ବିରାଟ ରାକ୍ଷସୀ ସମୁଦ୍ର ଜଳ ମଧ୍ୟରେ ନିଜର ବିକଟ ମୁଖ ବ୍ୟାଦାନ କରି ତାଙ୍କୁ ଆକର୍ଷିତ କରୁଛି। ସୁଗ୍ରୀବ ଯେଉଁ ରାକ୍ଷସୀ ସଂପର୍କରେ ତାଙ୍କୁ ସତର୍କ କରାଇଥିଲେ, ସେହି କଥା ତାଙ୍କର ମନେପଡ଼ିଗଲା। ଏହା ଜାଣିବା ପରେ ସେ ନିଜର ଶରୀରକୁ ବଢ଼ାଇବାରେ ଲାଗିଲେ। ସିଂହିକା ମଧ୍ୟ ମାୟାବିଦ୍ୟା ପ୍ରୟୋଗ କରି ନିଜ ଶରୀରକୁ ବିସ୍ତାର କରିବାରେ ଲାଗିଲା। ମେଘ ଗର୍ଜନ ସଦୃଶ ରଡ଼ି କରି ହନୁମାନଙ୍କୁ ଉଦରସ୍ଥ କରିବାକୁ ସେ ଉଦ୍ୟତ ହେଲା। ବୁଦ୍ଧିମାନ ହନୁମାନ ବିଚଳିତ ନ ହୋଇ ସିଂହିକାର ମୁଖ ଗହ୍ବର ମଧ୍ୟଦେଇ ତା’ର ଉଦର ମଧ୍ୟକୁ ପ୍ରବେଶ କଲେ। ସେ ନଖ ଦ୍ବାରା ତା’ର ଅନ୍ତଃସ୍ଥଳକୁ ବିଦୀର୍ଣ୍ଣ କରି ଛିନ୍ନଭିନ୍ନ କରିଦେଲେ। ରାକ୍ଷସୀର ମୃତ୍ୟୁ ହେଲା। ହନୁମାନ ତା’ର ବିସ୍ତାରିତ ମୁଖ ଗହ୍ବର ବାଟେ ପୁଣି ବାହାରି ଆସି ଲଙ୍କା ଅଭିମୁଖେ ଉଡ଼ିଚାଲିଲେ।

‘ବିଷ୍ଣୁପୁରାଣ’ର ବର୍ଣ୍ଣନା ଅନୁସାରେ, ଏହି ସିଂହିକା ଥିଲା ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷର ଭଉଣୀ। ଅଗ୍ନିଦେବଙ୍କୁ ତପସ୍ୟା କରି ସେ ବରଲାଭ କରିଥିଲା ଯେ ଅଗ୍ନି ତାକୁ ଗ୍ରାସ କରିବ ନାହିଁ। ଅଗ୍ନିଦେବଙ୍କ ପ୍ରଦତ୍ତ ଉତ୍ତରୀୟକୁ ଶରୀରରେ ଧାରଣ କରି ସେ ଯେତେବେଳେ ହିରଣ୍ୟକଶିପୁର ନିର୍ଦ୍ଦେଶରେ ପ୍ରହଲାଦଙ୍କୁ ମାରିବା ପାଇଁ ତାଙ୍କୁ କୋଳରେ ଧରି ଅଗ୍ନିରେ ପ୍ରବେଶ କଲା, ପ୍ରହଲାଦଙ୍କୁ ଅଗ୍ନିଦେବ ରକ୍ଷା କଲେ। ଅଗ୍ନିଦତ୍ତ ଉତ୍ତରୀୟ ଘୋଡ଼େଇ ହୋଇ ପ୍ରହଲାଦ ବଞ୍ଚିଗଲେ। ସିଂହିକାର ତତ୍‌କାଳୀନ ନାମ ଥିଲା ହୋଲିକା।  ସେ ସେହି ଅଗ୍ନିରେ ଦଗ୍‌ଧ ହୋଇଥିଲା। ରାମ ଅବତାରରେ ରାମଭକ୍ତ ହନୁମାନଙ୍କ ହସ୍ତରେ ମୃତ୍ୟୁବରଣ କରି ସେ ମୁକ୍ତିଲାଭ କଲା।
- ଡକ୍ଟର ତୁଳସୀ ଓଝା