ସମଗ୍ର ରାମାୟଣରେ ଚିତ୍ରିତ ହୋଇଥିବା ଚରିତ୍ରମାନଙ୍କ ମଧ୍ୟରେ ଏକ ଅନନ୍ୟ ଚରିତ୍ର ଦଶରଥଙ୍କର ଦ୍ବିତୀୟ ପୁତ୍ର କୈକେୟୀନନ୍ଦନ ଭରତ। ତାଙ୍କର ନିଷ୍କଳଙ୍କ ଭାବ-ଭକ୍ତି, ଜ୍ୟେଷ୍ଠଭ୍ରାତା ରାମଙ୍କ ପ୍ରତି ରହିଥିବା ଶ୍ରଦ୍ଧା ଓ ଅନୁରକ୍ତି ତାଙ୍କୁ ଆସାଧାରଣ କରିଥିଲା। ରାମାୟଣର ଚରିତ୍ରମାନଙ୍କୁ ଅନୁଧ୍ୟାନ କଲେ ଦେଖାଯାଏ, ଲକ୍ଷ୍ମଣ ରାମଙ୍କର ଆତ୍ମାତୁଲ୍ୟ ହେଲା ବେଳେ ଭରତ ହୋଇଛନ୍ତି ଶ୍ରୀରାମଙ୍କର ଶରୀର। ଚଉଦବର୍ଷ କାଳ ଭରତ ମଧ୍ୟ ସେହିପରି ପୀଡ଼ାଦାୟକ ଜୀବନ ଅତିବାହିତ କରିଥିଲେ। କୁଶଶଯ୍ୟାରେ ଶୟନ, ଫଳମୂଳ ଭକ୍ଷଣ, ବଳ୍‌କଳ ପରିଧାନ ଏବଂ ପର୍ଣ୍ଣକୁଟୀରରେ ନିବାସ ପରି ଆଚରଣରୁ ଏହା ପ୍ରତୀୟମାନ ହୋଇଥାଏ।

Advertisment

ରାମଚନ୍ଦ୍ରଙ୍କୁ ଅଯୋଧ୍ୟା ଫେରାଇଆଣିବାରେ ଯେ‌ତେବେଳେ ଭରତ ସଫଳ ହେଲେନାହିଁ, ସେ ନିଜେ ମଧ୍ୟ ଆଉ ଅଯୋଧ୍ୟାରେ ପ୍ରବେଶ ନ କରି ଅଯୋଧ୍ୟାର ଉପାନ୍ତରେ ଥିବା ସୀତାନଦୀ କୂଳର ନନ୍ଦୀଗ୍ରାମ ନାମକ ସ୍ଥାନରେ ପର୍ଣ୍ଣକୁଟୀର ନିର୍ମାଣ କରି ସେଠାରେ ଅବସ୍ଥାନ କଲେ। ଶ୍ରୀରାମଙ୍କର ପାଦୁକାକୁ ସିଂହାସନରେ  ସ୍ଥାପନ କରି, ଶ୍ରୀରାମଙ୍କ ପ୍ରତିନିଧି ଭାବରେ ସେ ରାଜକାର୍ଯ୍ୟ ଚଳାଇଲେ।
ନନ୍ଦୀଗ୍ରାମ‌ ‌ହେଉଛି ସୀତାନଦୀକୂଳର ବନଭୂମି ପରିପୂର୍ଣ୍ଣ ଏକ କ୍ଷୁଦ୍ର ଜନପଦ। କଥିତ ଅଛି, ଶିଳାଦ ଋଷିଙ୍କ ପୁତ୍ର ନନ୍ଦୀ ବା ନନ୍ଦୀକେଶ୍ବର ସେଠାରେ କଠୋର ତପସ୍ୟା କରି ଶିବଙ୍କୁ ସନ୍ତୁଷ୍ଟ କରିବା ପରେ ତାଙ୍କର ଶ୍ରେଷ୍ଠ ଅନୁଚର, ଦ୍ବାରରକ୍ଷୀ ତଥା ବାହନ ହୋଇପାରିଥିଲେ।

ପ୍ରତ୍ୟେକ ଶିବମନ୍ଦିରର ସମ୍ମୁଖଭାଗରେ ନନ୍ଦୀଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିବାର ଦେଖାଯାଏ। ଗରୁଡ଼ ଯେପରି ଯୋଡ଼ହସ୍ତରେ ବିଷ୍ଣୁ ମନ୍ଦିର ସମ୍ମୁଖରେ ପ୍ରଭୁଙ୍କର ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥାନ୍ତି, ନନ୍ଦୀ ମଧ୍ୟ ସେହିପରି ଧ୍ୟାନସ୍ଥ ଶିବଙ୍କର ଧ୍ୟାନାନ୍ତ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥାନ୍ତି। ଶିବ ପରମଯୋଗୀ, ତାଙ୍କର ଧ୍ୟାନ ଶେଷ ହେବାର କୌଣସି ସମୟସୀମା ନ ଥାଏ। ତଥାପି ଅସୀମ ଧୈର୍ଯ୍ୟର ସହିତ ଶିବଙ୍କର ଧ୍ୟାନ ସରିବାକୁ ସେ ଅପେକ୍ଷା କରି ରହିଥାନ୍ତି। ତେଣୁ ତାଙ୍କୁ ଏକାଧାରରେ ଅମାପ ଧୈର୍ଯ୍ୟ, ପ୍ରଭୁଭକ୍ତି, ସମର୍ପଣ, ଦିବ୍ୟଜ୍ଞାନ ଓ ଏକନିଷ୍ଠତାର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ନନ୍ଦୀଗ୍ରାମରେ ତପସ୍ୟା କରି ସେହି ସ୍ଥାନକୁ ନନ୍ଦୀ ପାବନ କରିଥିବାରୁ, ତାହାକୁ ଏକ ତପୋଭୂମି ଭାବରେ ଗ୍ରହଣ କରି, ଭରତ ସେଠାରେ ଶ୍ରୀରାମଙ୍କୁ ଅପେକ୍ଷା କରି ନିର୍ମଳ ଜୀବନଯାପନ କରୁଥିଲେ। ଏହିଠାରେ ପ୍ରଥମେ ଭରତ ଓ ହନୁମାନଙ୍କର ମିଳନ ହୋଇଥିଲା। ହନୁମାନଙ୍କଠାରୁ ଭରତ ରାମଙ୍କର ବନଗମନର ସଂପୂର୍ଣ୍ଣ ବିବରଣୀ ଏହିଠାରେ ସଂଗ୍ରହ କରିଥିଲେ। ଶ୍ରୀରାମଙ୍କର ପ୍ରତ୍ୟାବର୍ତ୍ତନର ସମାଚାର ମଧ୍ୟ ସେହିଠାରେ ଆସି ହନୁମାନ ଭରତଙ୍କୁ ପ୍ରଦାନ କରିଥିଲେ। ତାହାର ସ୍ମୃତି ସ୍ବରୂପ କେତେକ ସ୍ମାରକୀ ଆଜି ମଧ୍ୟ ସେଠାରେ ରହିଛି। ଭରତ କୁଣ୍ଡ, ନନ୍ଦୀଶ୍ବର ମହାଦେବ ମନ୍ଦିର, ଭରତ ହନୁମାନ ମିଳାପ ମଣ୍ଡପ, ଗୟା ଘାଟ, ପିଶାଚମୋଚନ ସରୋବର, ଜଟାକୁଣ୍ଡ, ଭରତକୂପ, ମାଣ୍ଡବ୍ୟ ଋଷିଙ୍କ ଆଶ୍ରମ ଆଦି ସେ ସବୁର ଅନ୍ତର୍ଭୁକ୍ତ।

ଭରତକୁଣ୍ଡ-  ନନ୍ଦୀଗ୍ରାମରେ ଥିବାବେଳେ ଭରତ ଏହି କୁଣ୍ଡରେ ପ୍ରତ୍ୟହ ସ୍ନାନ କରୁଥିଲେ। କୁହାଯାଏ ଏହି କୁଣ୍ଡରେ ସ୍ନାନ କଲେ ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୁଏ। ଭରତ କୂପ- ଏହି କୁଣ୍ଡର ଇତିହାସ ବେଶ୍‌ ରୋଚକ। ଭରତ ଚିତ୍ରକୂଟରୁ ଫେରିଲାବେଳେ ସେଠା‌ରେ ଥିବା ୨୭ ପବିତ୍ର ନଦୀ ଜଳ ଏକତ୍ର ହୋଇଥିବା ଏକ ପବିତ୍ର କୁଣ୍ଡରୁ ଜଳ ଆଣି ଏହି କୂପ ଖନନ କରି ସେଥିରେ ସଂଚୟ କରି ରଖିଥିଲେ। ଏହି କୂପର ବିଶେଷତ୍ବ ଏହା, ଯେ ଏହାର ଜଳ ଗଙ୍ଗାଜଳ ସଦୃଶ ସ୍ବଚ୍ଛ। ଏହି କୂପର ଦୁଇ ପାର୍ଶ୍ବରେ ଦୁଇଟି ବିଶାଳ ବଟ ବୃକ୍ଷ ରହିଛି ଯାହାକୁ ଭରତ-ହନୁମାନଙ୍କ ମିଳନର ପ୍ରତୀକ ଭାବରେ ଗ୍ରହଣ କରାଯ‌ାଏ।
ଭରତ ଗୁମ୍ଫା- ଏହା ମଧ୍ୟରେ ଭରତ ନିବାସ କରୁଥିଲେ ବୋଲି କୁହାଯାଏ। ଗୟାଘାଟ- ଯେଉଁମାନେ ଗୟାରେ ଶ୍ରାଦ୍ଧ କରିବାକୁ ଯାଆନ୍ତି ନିୟମାନୁସାରେ ସେମାନେ ପ୍ରଥମେ ଗୟାଘାଟରେ ସୋମବତୀ ଅମାବାସ୍ୟା ଦିନ ତର୍ପଣ କରି ଗୟା ଯାଇଥାନ୍ତି।  

ଭରତ ହନୁମାନ ମିଳନ ମନ୍ଦିର- ଗନ୍ଧମାର୍ଦ୍ଦନ ଧାରଣ କରି ହନୁମାନ ଆକାଶମାର୍ଗରେ ଯାତ୍ରା କଲା ବେଳେ ଭରତଙ୍କ ବାଟୁଳି ଆଘାତରେ ଏହିଠାରେ ଚେତା ହରାଇ ପଡ଼ିଯାଇଥିଲେ। ପରେ ହନୁମାନ ଚେତନାଲାଭ କଲା ପରେ ଅନୁତପ୍ତ ଭରତଙ୍କୁ ଆଶ୍ବାସନା ଦେଇ ଏଠାରୁ ଲଙ୍କା ଅଭିମୁଖେ ଯାତ୍ରା କରିଥିଲେ। ଜଟାକୁଣ୍ଡ- ରାବଣ ବଧ ପରେ ରାମଚନ୍ଦ୍ର ଫେରିଲା ପରେ ଏଠାରେ ନିଜର ଜଟା, ବଳକଳ ଆଦି ପରିତ୍ୟାଗ କରି ଅଯୋଧ୍ୟା ଯାତ୍ରା କରିଥିଲେ। ନନ୍ଦୀଙ୍କ ସ୍ମୃତିରେ ଏଠାରେ ନନ୍ଦ‌ୀକେଶ୍ବର ମହାଦେବଙ୍କର ଏକ କ୍ଷୁଦ୍ର ମନ୍ଦିର ରହିଛି। ରାମ ବନଗମନ ପରିକ୍ରମା ପଥରେ ନନ୍ଦୀଗ୍ରାମ ବିଶେଷ ମହତ୍ତ୍ବ ରଖେ।
-ଡକ୍ଟର ତୁଳସୀ ଓଝା