ପିନାକ ଧନୁ ସଂପର୍କରେ ସମସ୍ତ କଥା ଶୁଣାଇ ଶୁଣାଇ ଚାଲୁଚାଲୁ ସେମାନେ ମିଥିଳା ରାଜ୍ୟ ନିକଟବର୍ତ୍ତୀ ଏକ ରମ୍ୟ ବନପ୍ରଦେଶ ମଧ୍ୟରେ ପ୍ରବେଶ କଲେ। ମାର୍ଗ ମଧ୍ୟରେ ଏକ ବିଶାଳ ପରିତ୍ୟକ୍ତ ଆଶ୍ରମ ଦେଖି ରାମ-ଲକ୍ଷ୍ମଣଙ୍କର ବିସ୍ମୟର ସୀମା ରହିଲା ନାହିଁ। ଆଶ୍ରମ କହିଲେ ତ ଠିକ୍ ହେବ ନାହିଁ କାରଣ ଏହାର ଆକାର ପ୍ରକାର ଯେ କୌଣସି ଆଶ୍ରମ ଠାରୁ ସଂପୂର୍ଣ୍ଣ ସ୍ବତନ୍ତ୍ର ଥିଲା। ବିଭିନ୍ନ ପ୍ରକାର ଲତା ପୁଷ୍ପରେ ସୁସଜ୍ଜିତ ଥିବା ବିରାଟ ବିରାଟ ଭଗ୍ନ ତୋରଣର ପ୍ରତିବିମ୍ବ ଖଈରା ନଦୀର ଜଳଧାର ଉପରେ ପ୍ରତିବିମ୍ବିତ ହେଉଥାଏ। ମଝିରେ ଏକ ବିରାଟ ହବନ କୁଣ୍ଡ। ଚତୁଃପାର୍ଶ୍ବରେ ଅସଂଖ୍ୟ ଛୋଟବଡ଼ ଭଗ୍ନ ପ୍ରାୟ ପର୍ଣ୍ଣକୁଟୀର। ଏକ ବିଚିତ୍ର ନୀରବତା ସର୍ବତ୍ର ଛାଇ ହୋଇ ରହିଥିଲା ପରି ମନେ ହେଲା। କୌତୂହଳୀ ହୋଇ ରାମଚନ୍ଦ୍ର ଆଶ୍ରମ ମଧ୍ୟରେ ପ୍ରବେଶ କରିବାରୁ ବିଶ୍ବାମିତ୍ର ମଧ୍ୟ ଆଶ୍ରମରେ ପ୍ରବେଶ କରୁ କରୁ କହିଲେ ଏହା ଏକଦା ମହର୍ଷି ଗୌତମଙ୍କର ଗୁରୁକୁଳ ଥିଲା। ଏହା ଥିଲା ସେ ସମୟର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ।
ନ୍ୟାୟଶାସ୍ତ୍ର ପ୍ରଣେତା ମହର୍ଷି ଗୌତମ ଥିଲେ ଏହି ବିଶ୍ବବିଦ୍ୟାଳୟର କୁଳପତି। ଏବଂ ଏହି ବିଶ୍ବବିଦ୍ୟାଳୟର କୁଳାଧିପତି ଥିଲେ ଶିରଧ୍ବଜ ଜନକ। ଏକଦା ମହର୍ଷି ଏଠାରେ ଏକ ମହାସମ୍ମିଳନୀର ଆୟୋଜନ କରିଥିଲେ। ସେଠାକୁ ଭାରତର ସମସ୍ତ ମୁନିଋଷି ନିମନ୍ତ୍ରିତ ହୋଇ ଆସିଥାନ୍ତି। ଏହି ମହାସମ୍ମିଳନୀର ମୁଖ୍ୟ ଅତିଥି ଥିଲେ ଦେବରାଜ ଇନ୍ଦ୍ର। ଏହି ସମାରୋହରେ ଉପସ୍ଥିତ ଅତିଥିମାନଙ୍କର ପରିଚର୍ଯ୍ୟା କରୁଥିଲେ ଗୌତମଙ୍କ ପତ୍ନୀ ଅହଲ୍ୟା। ଅହଲ୍ୟା ଥିଲେ ବ୍ରହ୍ମାଙ୍କ ପୁତ୍ରୀ ଓ ଅସାମାନ୍ୟା ସୁନ୍ଦରୀ। ସେ ବ୍ରହ୍ମଲୋକରେ ଥିଲାବେଳେ ଇନ୍ଦ୍ର ଅହଲ୍ୟାଙ୍କୁ ବିବାହ କରିବାକୁ ଇଚ୍ଛାପ୍ରକାଶ କରିଥିଲେ। କିନ୍ତୁ ବ୍ରହ୍ମା ଗୌତମଙ୍କୁ ଅହଲ୍ୟାଙ୍କର ଯୋଗ୍ୟ ମନେ କରି ତାଙ୍କୁ ଅହଲ୍ୟାଙ୍କୁ ବିବାହ ଦେଇଥିଲେ। ଏହା ଫଲରେ ଇନ୍ଦ୍ର ନିଜକୁ ଅପମାନିତ ମନେ କରିଥିଲେ। କୌଣସି ଉପାୟରେ ଅହଲ୍ୟାଲାଭ କରିବା ପାଇଁ ପୂର୍ବରୁ ସେ ବହୁ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ସେ କୃତକାର୍ଯ୍ୟ ହୋଇପାରି ନ ଥିଲେ।
ସାତ ଦିନ ଗୌତମଙ୍କ ଆଶ୍ରମରେ ଅବସ୍ଥାନ କାଳରେ ତାଙ୍କର ସେ ସୁପ୍ତ ଇଚ୍ଛା ପୁନଶ୍ଚ ଜାଗରିତ ହୋଇଥିଲା। ଏକଦା ତର୍ପଣ ନିମିତ୍ତ ଗୌତମ ଆଶ୍ରମ ବାହାରକୁ ଗଲାବେଳେ ସେ ଗୌତମଙ୍କର ଛଦ୍ମବେଶ ଧାରଣ କରି ଅହଲ୍ୟାଙ୍କ ସହିତ ମିଳିତ ହେଲେ। ଗୌତମ ଫେରିଆସି ଏହା ଦେଖି ଉଭୟ ଇନ୍ଦ୍ର ଏବଂ ଅହଲ୍ୟାଙ୍କୁ ଅଭିଶାପ ଦେଲେ। ଏବଂ ଆଶ୍ରମ ପରିତ୍ୟାଗ କରି ଅନ୍ୟତ୍ର ଗମନ କଲେ। ବିଚାରୀ ଅହଲ୍ୟା ବିନା ଦୋଷରେ ଅଭିଶପ୍ତ ହୋଇ ଏ ଆଶ୍ରମରେ ପଡ଼ି ରହିଲେ। କୌଣସି ନାରୀ ବିନା ଦୋଷରେ ଅଭିଶପ୍ତ ହୋଇଛି ଶୁଣି ରାମଚନ୍ଦ୍ର ବ୍ୟଥିତ ହୋଇ ଏକ ପଥର ଖଣ୍ଡ ଉପରେ ବସିପଡ଼ିଲେ। ଅନ୍ୟ ପଥର ଖଣ୍ଡ ଉପରେ ପାଦ ଥୋଇବାକୁ ଗଲା ପୂର୍ବରୁ ଶ୍ରୀରାମଙ୍କର ପାଦ ସ୍ପର୍ଶରେ ସେହି ପଥର ଖଣ୍ଡ ଏକ ସୁରୂପା ନାରୀମୂର୍ତ୍ତିରେ ପରିଣତ ହୋଇଗଲା। ସେ ଥିଲେ ଅହଲ୍ୟା। ଅଭିଶାପ ଦେଲାବେଳେ ଗୌତମ କହିଥିଲେ, ‘‘େଯତେବେଳେ ପରଂବ୍ରହ୍ମ ଶ୍ରୀବିଷ୍ଣୁ ରାମଚନ୍ଦ୍ର ରୂପେ ଧରାବତରଣ କରିବେ ତାଙ୍କ ସ୍ପର୍ଶରେ ତୁମେ ତୁମ ରୂପ ଫେରିପାଇବ।’’ ଶ୍ରୀରାମଙ୍କୁ ପ୍ରଣାମ କରି ଅହଲ୍ୟା ପତିଙ୍କ ଆଶ୍ରମ ଉଦ୍ଦେଶ୍ୟରେ ବହିର୍ଗତ ହେଲେ। ରାମଚନ୍ଦ୍ରଙ୍କୁ ଏସବୁ ପ୍ରହେଳିକା ସଦୃଶ ମନେ ହେଉଥିଲା। ବିଶ୍ବାମିତ୍ର ଶ୍ରୀରାମଙ୍କ ମୁଣ୍ଡ ଆଉଁସି ଦେଇ କହିଲେ, ‘‘ଯେଉଁ ଉଦ୍ଦେଶ୍ୟରେ ତୁମର ଜନ୍ମ ଏ ତା’ର ଅୟମାରମ୍ଭ।’’
- ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/12/ddgdgdg-2025-09-12-00-21-15.jpg)