ଉର୍ମିଳା ରାଜର୍ଷି ଜନକଙ୍କର କନିଷ୍ଠା କନ୍ୟା। ସେ ଦଶରଥନନ୍ଦନ ଲକ୍ଷ୍ମଣଙ୍କର ପତ୍ନୀ। ‘ବାଲ୍ମୀକି ରାମାୟଣ’ରେ ଉର୍ମିଳାଙ୍କର ଉଲ୍ଲେଖ ରହିଥିଲେ ମଧ୍ୟ ତାଙ୍କ ସଂପର୍କରେ ବିଶେଷ ଆଲୋଚନା ଦେଖାଯାଏ ନାହିଁ। କିନ୍ତୁ ଭାରତୀୟ ଭାଷାରେ ରଚିତ ଅନେକ ପ୍ରାଦେଶିକ ରାମାୟଣରେ ଲକ୍ଷ୍ମଣପତ୍ନୀ ଉର୍ମିଳାଙ୍କର ବହୁଳ ବର୍ଣ୍ଣନା ଦେଖାଯାଏ। ସେହି ବର୍ଣ୍ଣନା ଅନୁସାରେ, ମେଦିନୀର ଭାରା ନିବାରଣ ନିମିତ୍ତ ଯେତେବେଳେ ସ୍ବୟଂ ବିଷ୍ଣୁ ରାମାବତାର ଗ୍ରହଣ କରି ମର୍ତ୍ତ୍ୟାବରଣ କଲେ, ସେତେବେଳେ ଇନ୍ଦ୍ରଲୋକ, ଗନ୍ଧର୍ବଲୋକ, ନାଗଲୋକ ଆଦି ପରିତ୍ୟାଗ କରି ବହୁ ଦେବଦେବୀ ରାମଙ୍କର ସଂକଳ୍ପଯାତ୍ରାରେ ଭାଗ ନେବାପାଇଁ ବହୁ ରୂପରେ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କଲେ। ସେଥିମଧ୍ୟରୁ ଲକ୍ଷ୍ମଣ ଅନ୍ୟତମ। 

Advertisment

ଲକ୍ଷ୍ମଣ ସ୍ବୟଂ ଶେଷଦେବଙ୍କର ଅବତାର। ସେହି ଧାରାରେ ତାଙ୍କର ପତ୍ନୀ ନାଗଲକ୍ଷ୍ମୀ ମିଥିଳାନରେଶ ଜନକଙ୍କର କନିଷ୍ଠା କନ୍ୟା ଉର୍ମିଳା ଭାବରେ ଜନକପତ୍ନୀ ସୁନୟନାଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତାହାଙ୍କର ତ୍ୟାଗ ଓ ତପସ୍ୟାର ପଟାନ୍ତର ନାହିଁ। କଥା ଓ କିଂବଦନ୍ତି ଅନୁସାରେ, ଯେତେବେଳେ ଶ୍ରୀରାମ ଚଉଦବର୍ଷ ବନବାସରେ ଗଲେ, ଲକ୍ଷ୍ମଣ ରାମ ଓ ସୀତାଙ୍କର ସେବା କରିବାପାଇଁ ତାଙ୍କ ସହିତ ଗଲେ। ସେମାନେ ସେମାନଙ୍କର ପ୍ରଥମ ରାତ୍ରି ନିଷାଦ ରାଜ୍ୟର ଶୃଙ୍ଗବେରପୁରରେ ବିତାଇଥିଲେ। କୁଶଶଯ୍ୟାରେ ରାମ-ସୀତା ଶୟନ କରିଥାନ୍ତି। ପାଦ ପାଖରେ ଲକ୍ଷ୍ମଣ ଉଜାଗର ହୋଇ ବସିଥାନ୍ତି। ଏହି ସମୟରେ ନିଦ୍ରାଦେବୀ ସେଠାରେ ଉପସ୍ଥିତ ହୋଇ ଲକ୍ଷ୍ମଣଙ୍କୁ ଶୟନ କରିବାକୁ ଅନୁରୋଧ କଲେ। ଲକ୍ଷ୍ମଣ ନିଦ୍ରାଦେବୀଙ୍କୁ ପ୍ରାର୍ଥନା କରି ଚଉଦବର୍ଷ ତାଙ୍କୁ ନିଦ୍ରାରୁ ଅବ୍ୟାହତି ଦେବାପାଇଁ ନିବେଦନ କଲେ।
ନିଦ୍ରାଦେବୀ କହିଲେ- ଆହାର, ନିଦ୍ରା ଓ ମୈଥୁନ ପ୍ରାକୃତିକ। ଶରୀରୀମାନଙ୍କ ନିମିତ୍ତ ଏହା ପ୍ରକୃତିର ନିୟମ। ତେଣୁ ମୁଁ କିପରି ଏହା ଲଙ୍ଘନ କରିବି? ନିଦ୍ରାଦେବୀଙ୍କର ଏପରି ଉକ୍ତି ଶୁଣି ପୁନଶ୍ଚ ଲକ୍ଷ୍ମଣ ତାଙ୍କୁ ଅନୁରୋଧ କଲେ, ଯଦି ମୁଁ ନିଦ୍ରା ଯିବି ତେବେ ପ୍ରଭୁଙ୍କ ସେବାରେ ବ୍ୟାଘାତ ହେବ ଏବଂ ମୋର ତପସ୍ୟା ପୂରଣ ହେବନାହିଁ। 

ବାରମ୍ବାର ଲକ୍ଷ୍ମଣ ଏହିପରି କହିବାରୁ ନିଦ୍ରାଦେବୀ କହିଲେ, ଆପଣଙ୍କ ଇଚ୍ଛା ଅନୁସାରେ ମୁଁ ଆପଣଙ୍କୁ ମୁକ୍ତ କରିପାରେ; କିନ୍ତୁ ଆପଣଙ୍କ ଅଂଶର ନିଦ୍ରାକୁ କେହି ଯଦି ବହନ କରିପାରିବ, ମୁଁ ଆପଣଙ୍କୁ ସ୍ପର୍ଶ କରିବି ନାର୍ହି। ଲକ୍ଷ୍ମଣ ନିଦ୍ରାଦେବୀଙ୍କୁ ତାଙ୍କର ପତ୍ନୀ ଉର୍ମିଳାଙ୍କ ପାଖକୁ ପଠାଇଲେ। ନିଦ୍ରାଦେବୀ ଉର୍ମିଳାଙ୍କ ପାଖରେ ପହଞ୍ଚି ଲକ୍ଷ୍ମଣଙ୍କ ବାର୍ତ୍ତା ଦେବାରୁ ଉର୍ମିଳା ଆନନ୍ଦରେ ଏଥିରେ ରାଜି ହୋଇ ଲକ୍ଷ୍ମଣଙ୍କ ବଦଳରେ ଚଉଦବର୍ଷ ନିଦ୍ରାଯିବାକୁ ପ୍ରସ୍ତୁତ ହୋଇଗଲେ। ଏହା ଫଳରେ ଲକ୍ଷ୍ମଣ ଚଉଦବର୍ଷ ବିନିଦ୍ର ରହି ରାମସୀତାଙ୍କର ସେବା କରିପାରିଲେ। ଲକ୍ଷ୍ମଣ ଏହି କଠୋର ବ୍ରତ ପାଳନ କରିଥିବାରୁ ସଂସାରରେ କେହି, ଏପରିକି ରାମଚନ୍ଦ୍ର ମଧ୍ୟ ଇନ୍ଦ୍ରଜିତକୁ ମାରିବାକୁ ସକ୍ଷମ ହୋଇନଥିବାବେଳେ, ଲକ୍ଷ୍ମଣ ଇନ୍ଦ୍ରଜିତକୁ ବଧ କରିବାକୁ ସମର୍ଥ ହେଲେ। ଚଉଦ ବର୍ଷ ପରେ ଅଯୋଧ୍ୟା ଫେରିଆସି ଲକ୍ଷ୍ମଣ ନିଦ୍ରା ଗଲେ ଏବଂ ଉର୍ମିଳା ନିଦରୁ ଉଠିଲେ। ଉର୍ମିଳାଙ୍କର ଏହି ତ୍ୟାଗକୁ ‘ଉର୍ମିଳାନିଦ୍ରା’ ଭାବରେ ଅଭିହତ କରାଯାଏ।
-ଡକ୍ଟର ତୁଳସୀ ଓଝା