ମିଥିଳାର ରାଜା ରାଜର୍ଷି ଜନକ ପରମଧାର୍ମିକ ଥିଲେ। ତାଙ୍କ ରାଜ୍ୟରେ ପ୍ରଜାମାନେ ଅତି ଆନନ୍ଦରେ କାଳାତିପାତ କରୁଥିଲେ। କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ସନ୍ତତି ନ ହେବାରୁ ରାଜା ଅତ୍ୟନ୍ତ ଦୁଃଖିତ ହୋଇ ପଡ଼ିଲେ। ପୁତ୍ରପ୍ରାପ୍ତି ନିମିତ୍ତ ସେ ତମସା ନଦୀ ତୀରର ଘଞ୍ଚ ଅରଣ୍ୟ ମଧ୍ୟରେ ଯାଇ ତପସ୍ୟା କରିବାକୁ ଲାଗିଲେ। ଦିନେ ବନଭୂମିରେ ବିଚରଣ କରିବା ସମୟରେ ଆକାଶପଥରେ ଯାତ୍ରା କରୁଥିବା ଜଣେ ଅନିନ୍ଦ୍ୟ ସୁନ୍ଦରୀ ଅପ୍‌ସରାଙ୍କୁ ଦେଖି ରାଜର୍ଷି ଜନକଙ୍କ ମନରେ ପ୍ରବଳ ଶ୍ରଦ୍ଧା ଜାତ ହେଲା। ସେହି ଅପ୍‌ସରା ଥିଲେ ମେନକା। ବାରମ୍ବାର ମୁନିମାନଙ୍କ ଅଭିଶାପ ଫଳରେ ତାଙ୍କୁ ମର୍ତ୍ତ୍ୟଲୋକରେ ଜନ୍ମ ନେବାକୁ ପଡ଼ୁଥିଲା। ତାଙ୍କ ପରି ଏକ କନ୍ୟାସନ୍ତାନ ପ୍ରାପ୍ତିର ଅଭୀପ୍‌ସା ଜନକଙ୍କ ମନରେ ଜାଗରିତ ହେଉଥିବାର ଦେଖି ସେ ମଧ୍ୟ ବିଗଳିତ ହୋଇ ଜନକଙ୍କୁ କହିଲେ-
‘‘ହେ ମହାଭାଗ!- ମୋର ରୂପଲାବଣ୍ୟରେ ମୋହିତ ହୋଇ ମୋ ପରି ଏକ କନ୍ୟାସନ୍ତାନ ପ୍ରାପ୍ତି ନିମିତ୍ତ ଆପଣ ଇଚ୍ଛା କରୁଛନ୍ତି, ଏହା ମୁଁ ଜାଣି ପାରିଛି। ଅଭିଶପ୍ତ ହୋଇ ବହୁବର୍ଷ ମୁଁ ମର୍ତ୍ତ୍ୟଲୋକରେ ରହିଲିଣି। ଏବେ ମୁଁ ଶାପମୁକ୍ତ। ମୁଁ ସ୍ବର୍ଗକୁ ଫେରିଯାଉଛି। କିନ୍ତୁ ଆପଣ ମନଦୁଃଖ କରନ୍ତୁ ନାହିଁ। ମୋ ଠାରୁ ସହସ୍ରଗୁଣ ରୂପବତୀ  କନ୍ୟା ଆପଣଙ୍କର କୋଳମଣ୍ଡଳନ କରିବ। କୁଶଧ୍ବଜ ରାଜାଙ୍କ କନ୍ୟା ବେଦମତୀ ରାବଣର ସ୍ପର୍ଶରେ ଅପବିତ୍ର ଯେଉଁ ଶରୀରକୁ ତ୍ୟାଗ କରିଥିଲେ, ସେହି ଶରୀର ଆଜି ମଧ୍ୟ ଦକ୍ଷିଣ ସମୁଦ୍ରତଟର ପବିତ୍ର ବାଲୁକା ମଧ୍ୟରେ ପୋତି ହୋଇ ରହିଛି। ଆପଣ ସୁବର୍ଣ୍ଣ ଲଙ୍ଗଳରେ ଭୂମି କର୍ଷଣ କଲେ, ସେହି କନ୍ୟାରତ୍ନ ନିଶ୍ଚୟ ଲାଭ କରିବେ।’’

Advertisment

ଏହା ଶୁଣି ରାଜର୍ଷି ଜନକ ଦକ୍ଷିଣ ସମୁଦ୍ର ନିକଟରେ ମେନକା ନିର୍ଦ୍ଦିଷ୍ଟ କରିଥିବା ସ୍ଥାନକୁ ଆସି ଏକ ମହାଯଜ୍ଞ କରାଇଲେ। ପାତ୍ର, ମନ୍ତ୍ରୀ, ସଭାସଦ୍‌ ଓ ବହୁ ମୁନି, ଋଷିଙ୍କ ଗହଣରେ ଏକ ସ୍ବର୍ଣ୍ଣ ଲଙ୍ଗଳକୁ ଅଭିଷିକ୍ତ  କରାଇ, ଯଜ୍ଞର ପୂର୍ଣ୍ଣାହୁତି ପରେ ସେହି ଲଙ୍ଗଳରେ ସେ ଯଜ୍ଞଭୂମିକୁ କର୍ଷଣ କଲେ। ସେହି ଭୂମି ମଧ୍ୟରୁ ଏକ ମଞ୍ଜୁଷା ବାହାରିଲା। ମଞ୍ଜୁଷା ଫିଟାଇବାରୁ ତା’ ମଧ୍ୟରୁ ଏକ ଦିବ୍ୟ ସୁନ୍ଦର କନ୍ୟା ବାହାରିଲା। ଋଷିମାନେ ସେହି କନ୍ୟାକୁ ଦେଖି ସ୍ବୟଂ ମହାଲକ୍ଷ୍ମୀ ପ୍ରକଟ ହୋଇଛନ୍ତି ବୋଲି କହିଲେ। ଲଙ୍ଗଳ ଫାଳରୁ ଜାତ ହୋଇଥିବାରୁ କନ୍ୟାଟିର ନାମ ସୀତା ରଖାଗଲା। ସେ ଜନକଙ୍କର ତପସ୍ୟାର ଫଳ ହେତୁ ତାଙ୍କର ଆଉ ଏକ ନାମ ହେଲା ଜାନକୀ।

କଥିତ ଅଛି, ଜନକଙ୍କର କର୍ଷିତ ଦକ୍ଷିଣ ସମୁଦ୍ରତୀରସ୍ଥ ସେହି ଭୂମି ହେଉଛି ‌ପୁରୁଷୋତ୍ତମକ୍ଷେତ୍ର ବା ପୁରୀ। ଯେଉଁ ସ୍ଥାନରୁ ସୀତା ଭୂମି ବକ୍ଷରୁ ବାହାରିଥିଲେ, ତାହା ଆଜି  ଯଜ୍ଞମଣ୍ଡପ ବା ଜନ୍ମବେଦୀ ଭାବରେ ଚିହ୍ନିତ। ତାହା ଗୁଣ୍ଡିଚା ଘରେ ରହିଛି। ମିଥିଳାର ଅଧିବାସୀ ତାହାକୁ ସୀତାଙ୍କର ଆବିର୍ଭାବ ସ୍ଥାନ ବୋଲି ଗ୍ରହଣ କରିଥାନ୍ତି।
-ଡକ୍ଟର ତୁଳସୀ ଓଝା