ରାବଣର ନିଧନ, ସୀତାଙ୍କର ଅଗ୍ନିପରୀକ୍ଷା, ଓ ବିଭୀଷଣଙ୍କର ରାଜ୍ୟାଭିଷେକ ସମାପ୍ତି ପରେ, ଶ୍ରୀରାମ ସତ୍ୟନିଷ୍ଠ ଭରତଙ୍କ କଥା ଚିନ୍ତା କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାକୁ ବ୍ୟଗ୍ର ହୋଇଉଠିଲେ। କାରଣ ଭରତ ସର୍ତ୍ତ ରଖିଥିଲେ, ରାମ ଯଦି ଚଉଦବର୍ଷ ପୂର୍ତ୍ତି ଦିନ ଅଯୋଧ୍ୟାକୁ ଫେରି ନ ଆସିବେ ତେବେ ସେ ଅଗ୍ନିରେ ପ୍ରବେଶ କରିବେ। ରାମଚନ୍ଦ୍ର ଭରତଙ୍କୁ ଜାଣିଥିଲେ। ତେଣୁ ସେ ଚଉଦବର୍ଷ ପୂର୍ତ୍ତିର ଅନ୍ତିମ ଦିନରେ ଅଯୋଧ୍ୟାରେ ପ୍ରବେଶ କରିବାକୁ ମନସ୍ଥ କଲେ।
ଏଇଠି ଗୋଟିଏ ପ୍ରଶ୍ନ ପ୍ରତ୍ୟେକଙ୍କ ମନକୁ ଆନ୍ଦୋଳିତ କରେ। କୈକେୟୀ ରାମଚନ୍ଦ୍ରଙ୍କ ବନବାସ ନିମିତ୍ତ ଚଉଦବର୍ଷ କାହିଁକି ମାଗିଥିଲେ? କ’ଣ ଏହି ଚଉଦବର୍ଷର ରହସ୍ୟ? ପୁରାଣବିତ୍ଙ୍କ ମତରେ, ତ୍ରେତୟାଯୁଗର ସାମାଜିକ ବ୍ୟବସ୍ଥା ଅନୁଯାୟୀ, କୌଣସି ରାଜା ଯଦି ସିଂହାସନଠାରୁ ଚଉଦବର୍ଷ ଦୂରେଇ ରହନ୍ତି, ସିଂହାସନ ଉପରେ ତାଙ୍କର ଆଉ ଅଧିକାର ରହିବ ନାହିଁ। ତେଣୁ ରାମ ଚଉଦବର୍ଷ ପରେ ଅଯୋଧ୍ୟା ଫେରିଲେ ମଧ୍ୟ ସିଂହାସନ ଆରୋହଣ କରିବାର ଅଧିକାର ହରାଇ ବସିବେ। ଦ୍ବିତୀୟରେ, ଭୟଙ୍କର ରାକ୍ଷସସଂକୁଳ ବନଭୂମିରେ ଚଉଦବର୍ଷ ରହି ରାମ ପୁଣି ଅଯୋଧ୍ୟା ଫେରିବେ- ଏହାର ବା କି ସଂଭାବନା ଅଛି? ଏହି ସବୁ ଚିନ୍ତା କୈକେୟୀଙ୍କୁ ଖଳନାୟିକା ଭାବରେ ଉପସ୍ଥାପିତ କରିଥିଲା। କିନ୍ତୁ କୈକେୟୀଙ୍କର ଏହି କୂଟନୀତିକୁ ଭରତ ବିଫଳ କରିଦେଇଥିଲେ। ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି, ତାଙ୍କର ପ୍ରତିନିଧି ଭାବରେ ସେ ରାଜ୍ୟ ଶାସନ କରିଥିଲେ। କିନ୍ତୁ କୈକେୟୀଙ୍କର ଏହି କୂଟନୀତିର ଅପରପାର୍ଶ୍ବକୁ ଯଦି ବିଚାର କରାଯାଏ, ଏହି ଚଉଦ ବର୍ଷ ବନବାସର ଏକ ମହତ୍ତ୍ବପୂର୍ଣ୍ଣ ଦିଗ ଉନ୍ମୋଚିତ ହୋଇଥାଏ। କୈକେୟୀ ଜଣେ ବୁଦ୍ଧିମତୀ, ରାଜନୀତିନିପୁଣା, ଯୁଦ୍ଧକୌଶଳ ବିଶାରଦା ନାରୀ ଥିଲେ।
ସମଗ୍ର ଭାରତବର୍ଷରେ କ’ଣ ଘଟୁଛି ସେ ସଂପର୍କରେ ତାଙ୍କର ଯଥେଷ୍ଟ ଜ୍ଞାନ ଥିଲା। ପିତା ଅଶ୍ବପତିଙ୍କଠାରୁ ସେ ଜାଣିଥିଲେ, ଦଶରଥଙ୍କ ଗୃହରେ ରାବଣବଧ ନିମିତ୍ତ ସ୍ବୟଂ ବିଷ୍ଣୁ ଜନ୍ମ ଗ୍ରହଣ କରିବେ। ମନୁଷ୍ୟ ଭାବରେ ଜନ୍ମ ନେଇଥିବା ରାମଚନ୍ଦ୍ର ଯେ ସ୍ବୟଂ ବିଷ୍ଣୁ, ଏ ସଂପର୍କରେ ତାଙ୍କର ଜ୍ଞାନ ଥିଲା। କିନ୍ତୁ ରାମ ଯଦି ଦଶରଥଙ୍କ ପରି କେବଳ ଅଯୋଧ୍ୟାପତି ହୋଇ ରହିଯାଆନ୍ତି, ତେବେ ରାବଣବଧ ହେବ କିପରି? ଯେଉଁ ଜନ୍ମସ୍ଥାନ ମୁନିଋଷିମାନଙ୍କର ତପ, ଯଜ୍ଞ, ଆଶ୍ରମ ଓ ଜ୍ଞାନଚର୍ଚ୍ଚାର ପୀଠସ୍ଥଳୀ ଥିଲା, ତାହା ରାକ୍ଷସମାନଙ୍କର ଚରାଭୂଇଁ ପାଲଟିଗଲାଣି। ଧର୍ମସ୍ଥାନ ବିଲୁପ୍ତ ହେବାକୁ ବସିଲାଣି। ଏହାର ପୁନରୁତ୍ଥାନ ନିମିତ୍ତ ରାମଙ୍କୁ ବନଭୂମିକୁ ଯାଇ, ଭରଦ୍ବାଜ, ଅତ୍ରି, ଅଗସ୍ତି ପ୍ରଭୃତି ମୁନିମାନଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ହେବ। ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚଜ୍ଞାନେନ୍ଦ୍ରିୟ, ମନ, ବୁଦ୍ଧି, ଚିତ୍ତ ଓ ଅହଂକାର ଆଦି ଚଉଦ କରଣ ଉପରେ ବିଜୟପ୍ରାପ୍ତ ହେଲେ ଯାଇ ସେ ମାୟାବିଦ୍ୟା ନିପୁଣ ରାକ୍ଷସମାନଙ୍କୁ ବଧ କରିବା ସହିତ ମହାଜ୍ଞାନୀ, ମହାଯୋଗୀ ରାବଣର ବିନାଶ ଘଟାଇବା ନିମିତ୍ତ ସମର୍ଥ ହେବେ। ଏଥିପାଇଁ ଚଉଦ ବର୍ଷର କଠୋର ଜୀବନ ଆବଶ୍ୟକ। ତେଣୁ କୈକେୟୀ ଶ୍ରୀରାମଙ୍କ ପାଇଁ ଏହି ସର୍ତ୍ତ ରଖିଥିଲେ।
ଅତଏବ କୈକେୟୀଙ୍କ ସୁ ଓ କୁ ଚିନ୍ତନ ଶ୍ରୀରାମଙ୍କୁ ମର୍ଯ୍ୟାଦାପୁରୁଷୋତ୍ତମ ଭାବରେ ପ୍ରତିଷ୍ଠିତ କରିଥିଲା।