‘ସ୍କନ୍ଦପୁରାଣ’ର ବର୍ଣ୍ଣନା ଅନୁସାରେ, ଏକଦା ଲଙ୍କା ବିଜୟ କରି ଫେରିବା ବାଟରେ ହନୁମାନଙ୍କ ନେତୃତ୍ବରେ ସମସ୍ତ ବାନରମାନେ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଏକ ସୁନ୍ଦର ସରୋବର ନିର୍ମାଣ କରି ସେଥିରେ ମନ ଆନନ୍ଦରେ ସ୍ନାନ କଲେ। ତାହାପରେ ସେମାନେ ତାଙ୍କର ଆରାଧ୍ୟ ରାମଚନ୍ଦ୍ରଙ୍କୁ ଅନୁରୋଧ କଲେ ସେହି ସରୋବରକୁ ଏକ ପୁଣ୍ୟ ସରୋବରରେ ପରିଣତ କରିଦେବାକୁ। ବାନରମାନଙ୍କର ଏପରି ଆଗ୍ରହ ଦେଖି ଭଗବାନ ଶ୍ରୀରାମ ସେହି ସରୋବରକୁ ଏକ ପୁଣ୍ୟ ସରୋବର ହେବାପାଇଁ ଆଶୀର୍ବାଦ କରି କହିଲେ- ଯେ ଏହି ସରୋବରରେ ସ୍ନାନ କରିବେ, ତାଙ୍କୁ ଗଙ୍ଗାସ୍ନାନର ଫଳ, ପ୍ରୟାଗ ସ୍ନାନର ପୁଣ୍ୟ ତଥା ସର୍ବତୀର୍ଥ ଦର୍ଶନର ଫଳ ପ୍ରାପ୍ତ ହେବ ଏବଂ ସମସ୍ତ ମହାପାପରୁ ମୁକ୍ତ ହୋଇ ସେ ମୋକ୍ଷ ଲାଭ କରିବେ। ଏଥିରେ ସ୍ନାନ କରୁଥିବା ଲୋକେ କେବେହେଲେ ଦରିଦ୍ର ହେବେ ନାହିଁ କିମ୍ବା ଯମଯନ୍ତ୍ରଣା ମଧ୍ୟ ଭୋଗ କରିବେ ନାହିଁ।
ବାନରମାନେ ଏହି ପବିତ୍ର ସରୋବର ନିର୍ମାଣ କରିଥିବାରୁ ରାମଚନ୍ଦ୍ର ଏହାର ନାମକରଣ କରିଥିଲେ କପିତୀର୍ଥ। ଯିଏ ବି ଏଠାରେ ଶୁଦ୍ଧଚିତ୍ତ ହୋଇ ସ୍ନାନ କରିବେ ସେ ମୋକ୍ଷ ପ୍ରାପ୍ତି ହେବେ। ଏହାର ଏକ ସୁନ୍ଦର ଉଦାହରଣ ପୁରାଣରେ ବର୍ଣ୍ଣିତ ଅଛି।

Advertisment

ପ୍ରାଚୀନ କାଳରେ ମହର୍ଷି ବିଶ୍ବାମିତ୍ର ବ୍ରହ୍ମତ୍ବ ପ୍ରାପ୍ତି ନିମିତ୍ତ ପାପନାଶିନୀ କୌଶିକୀ ନଦୀ ତୀରରେ କଠୋର ତପସ୍ୟାରେ ନିମଗ୍ନ ରହିଥିଲେ। ଇନ୍ଦ୍ରଙ୍କୁ ଏହା ସହ୍ୟ ହେଲା ନାହିଁ। ତେଣୁ ସ୍ବର୍ଗାଧିପତି ଇନ୍ଦ୍ର ସ୍ବର୍ଗଲୋକର ଶ୍ରେଷ୍ଠ ଅପ୍‌ସରା ରମ୍ଭାଙ୍କୁ ବିଶ୍ବାମିତ୍ରଙ୍କର ତପଭଙ୍ଗ କରିବାକୁ ପ୍ରେରଣ କଲେ। ରମ୍ଭା ମହର୍ଷି ବିଶ୍ବାମିତ୍ରଙ୍କ ଆଶ୍ରମ‌ରେ ପହଞ୍ଚି ତାଙ୍କୁ କାମପୀଡ଼ିତ କରିବାପାଇଁ ବିଭିନ୍ନ ଶୃଙ୍ଗାରରସାତ୍ମକ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବାକୁ ଲାଗିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ସେହି ଅଦିନରେ ବନଭୂମିରେ ମଳୟପବନ ବହିଲା। କୋଇଲିର କୂହୁତାନରେ ବନଭୂମି ମୁଖରିତ ହେଲା। ବିବିଧ ପୁଷ୍ପରାଜି ବିକଶିତ ହେଲେ। ବିଶ୍ବାମିତ୍ରଙ୍କର ତପଭଙ୍ଗ ହେଲା। ସେ ଜାଣିଲେ, ଏହା ଇନ୍ଦ୍ରଙ୍କର କର୍ତ୍ତୃତ୍ବ। ତେଣୁ ସେ କ୍ରୋଧିତ ହୋଇ ରମ୍ଭାଙ୍କୁ ଅଭିଶାପ ଦେଇ କହିଲେ- କ୍ରୋଧ ଉପରେ ବିଜୟ ପ୍ରାପ୍ତି ନିମିତ୍ତ ମୁଁ ଏଠାରେ ତପସ୍ୟା କରୁଛି। ଅଥଚ ତୁମେ ଆସି ଏଥିରେ  ବିଘ୍ନ ଘଟାଇବା ଫଳରେ ମୋର ସମଗ୍ର ଶରୀର ପୁଣି କ୍ରୋଧାଚ୍ଛାଦିତ ହୋଇ ଗଲା। ତେଣୁ ମୁଁ ତୁମକୁ ଅଭିଶାପ ଦେଉଛି- ଦଶଲକ୍ଷ ବର୍ଷ ପର୍ଯ୍ୟନ୍ତ ତୁମେ ଏଠାରେ ଶିଳା ହୋଇ ପଡ଼ି ରହିବ। ଏହା କହି ବିଶ୍ବାମିତ୍ର ସେହି ପବିତ୍ର ଆଶ୍ରମ ପରିତ୍ୟାଗ କରି ଚାଲିଗଲେ।

ଅନେକ ବର୍ଷ ପରେ ମହାମୁନି ଅଗସ୍ତ୍ୟଙ୍କର ପ୍ରିୟ ଶିଷ୍ୟ ଶ୍ବେତ ସିଦ୍ଧି ପ୍ରାପ୍ତି ଇଚ୍ଛାରେ ବିଶ୍ବାମିତ୍ରଙ୍କର ପବିତ୍ର ତପୋଭୂମିରେ ତାଙ୍କ ପରିତ୍ୟକ୍ତ ଆଶ୍ରମରେ ରହି ତପସ୍ୟା କରିବାକୁ ଲାଗିଲେ। ଏହି ସମୟରେ ଅଙ୍ଗାରିକା ନାମରେ ଏକ ରାକ୍ଷସୀ ସେଠାକୁ ଆସି ବାରମ୍ବାର ଶ୍ବେତଙ୍କ ତପସ୍ୟାରେ ବିଘ୍ନ ସୃଷ୍ଟି କଲା। ମଳମୂତ୍ର ଫିଙ୍ଗି ଆଶ୍ରମକୁ ଅପବିତ୍ର କରିବାରେ ଲାଗିଲା। ଶ୍ବେତମୁନି ଏଥିରେ ଅତିଷ୍ଠ ହୋଇ ଆଶ୍ରମର ଦ୍ବାରଦେଶରେ ଥିବା ଶିଳାଖଣ୍ଡ ଭାବରେ ପଡ଼ିଥିବା ରମ୍ଭାଙ୍କର ପ୍ରସ୍ତର ଶରୀରକୁ ବାୟବାସ୍ତ୍ର ପ୍ର‌ୟୋଗ କରି ରାକ୍ଷସୀ ଉପରକୁ ନିକ୍ଷେପ କଲେ। ରାକ୍ଷସୀ ଯୁଆଡ଼େ ଗଲା ଶିଳାଖଣ୍ଡ ତାହାର ଅନୁଧାବନ କଲା। ରାକ୍ଷସୀ ଦୌଡ଼ିଦୌଡ଼ି ଯାଉ ଯାଉ କପିତୀର୍ଥ କୁଣ୍ଡରେ ଖସିପଡ଼ିଲା। ତା’ ଉପରେ ପଥର ପଡ଼ିବାରୁ ତା’ର ମୃତ୍ୟୁ ହେଲା ଏବଂ ତାହାର ରୂପ ପରିବର୍ତ୍ତନ ହୋଇଗଲା। ଅଙ୍ଗାରିକା ଥିଲା ଅପ୍‌ସରା ଘୃତାଚି। ସେ ତାର ଅପ୍‌ସରା ରୂପ ପାଇ ସ୍ବର୍ଗଗମନ କଲା। କପିତୀର୍ଥ ଜଳ ସଂସ୍ପର୍ଶରେ ଆସି ଶିଳାରୂପିଣୀ ରମ୍ଭା ମଧ୍ୟ ନିଜର ପୂର୍ବଶରୀର ପ୍ରାପ୍ତ ହେଲେ। ‘କପିତୀର୍ଥ’ର ପୁଣ୍ୟ ଜଳର ପ୍ରଭାବ ଏହିପରି ‘ସ୍କନ୍ଦପୁରାଣ’ ଓ ‘ରାମାୟଣ’ ଆଦିରେ ବର୍ଣ୍ଣିତ ହୋଇଛି। ଶ୍ବେତମୁନିଙ୍କର ଏହି ଆଶ୍ରମ ଏବେ କେରଳରେ ରହିଛି।
-ଡକ୍ଟର ତୁଳସୀ ଓଝା