ଭୂମିସୁତା ସୀତାଙ୍କର ଅଗ୍ନିପରୀକ୍ଷା ‘ରାମାୟଣ’ର ଏକ ବହୁଚର୍ଚ୍ଚିତ ଅଧ୍ୟାୟ। ଜ୍ବାଳାମୟ ଅଗ୍ନିଙ୍କ ସହିତ ସଂପର୍କ ଥିବା ପୁରାଣର ତିନି ନାରୀ ହେଲେ କୁଶିଧ୍ବଜକନ୍ୟା ବେଦବତୀ, ଜନକକନ୍ୟା ଜାନକୀ ଓ ଦ୍ରୁପଦକନ୍ୟା ଦ୍ରୌପଦୀ। ବେଦବତୀଙ୍କୁ ଅସୁର ରାବଣ ସ୍ପର୍ଶ କରିବାରୁ ସେ ପବିତ୍ର ଅଗ୍ନି ମଧ୍ୟରେ ନିଜକୁ ବିଲୀନ କରିଥିଲେ। ଯଜ୍ଞସଂଭୂତା ଯାଜ୍ଞସେନୀ ଦ୍ରୌପଦୀ ପଞ୍ଚପତିଙ୍କର ପତ୍ନୀ ହେବା ହେତୁ ଏକ ପତ୍ନୀ ପାଖରୁ ଅନ୍ୟ ଏକ ପତି ପାଖକୁ ଗଲାବେଳକୁ ଅଗ୍ନିରେ ସ୍ନାନ କରୁଥିଲେ। ପତିବ୍ରତା ସୀତା ନିଜ ସତୀତ୍ବର ପରାକାଷ୍ଠା ପ୍ରଦର୍ଶନ କରି ଅଗ୍ନିରେ ପ୍ରବେଶ କରିଥିଲେ। ଏହି ତିନିପ୍ରତିମା ପରସ୍ପର ସହିତ ଘନିଷ୍ଠ ଭାବରେ ଜଡ଼ିତ। ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ଏହାର ଏକ ସୁନ୍ଦର ବ୍ୟାଖ୍ୟା ଦେଖାଯାଏ।

Advertisment

ଏହାର ‘ପ୍ରକୃତିଖଣ୍ଡ’, ଚତୁର୍ଦ୍ଦଶ ଅଧ୍ୟାୟର ବର୍ଣ୍ଣନା ଅନୁଯାୟୀ, ଯେତେବେଳେ ତପସ୍ୟାରତା ବେଦବତୀଙ୍କୁ କାମଭାବନାର ବଶବର୍ତ୍ତୀ ହୋଇ ରାବଣ ସ୍ପର୍ଶ କଲା, ତପସ୍ବିନୀ ବେଦବତୀ ‘‘ପରଜନ୍ମରେ ମୁଁ ତୋର ମୃତ୍ୟୁର କାରଣ ହେବି’’ କହି ତପଃ ଅଗ୍ନିରେ ପ୍ରବେଶ କରି ନିଜର ଶରୀରକୁ ବିଲୀନ କଲେ ଓ ତାଙ୍କରି ଆଶ୍ରୟରେ ରହିଲେ। ପୁନଶ୍ଚ ସେହି କନ୍ୟା ସୀତା ର‌ୂପେ ଜନ୍ମ ଗ୍ରହଣ କରି ରାମଚନ୍ଦ୍ରଙ୍କୁ ବିବାହ କଲେ ଏବଂ ପୂର୍ବ ତପସ୍ୟାର ଫଳ ସ୍ବରୂପ ରାମଙ୍କର କଣ୍ଠଲଗ୍ନା ହେଲେ। କିନ୍ତୁ ବନବାସ କାଳରେ ରାବଣ ବଧ ସମୟ ଉପସ୍ଥିତ ହେବାରୁ ରାମ ଦଣ୍ଡକାରଣ୍ୟ ଯାତ୍ରା କଲେ। ସେହି ସମୟରେ ସ୍ବୟଂ ଅଗ୍ନିଦେବ ଶ୍ରୀରାମଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ସୀତାହରଣ ପରି ଭୟଙ୍କର ଘଟଣା ଘଟିବାର ସୂଚନା ପ୍ରଦାନ କରି ସୀତାଙ୍କୁ ନିଜ ସଂରକ୍ଷଣରେ ରଖିବାକୁ ଶ୍ରୀରାମଙ୍କୁ ଅନୁରୋଧ କଲେ ଏବଂ ତାଙ୍କୁ ସଙ୍ଗରେ ନେଇଗଲେ। ନିଜ ଭିତରେ ଥିବା ବେଦବତୀଙ୍କୁ ସୀତାଙ୍କର ରୂପ ପ୍ରଦାନ କରି ତାଙ୍କୁ ସେ ଶ୍ରୀରାମଙ୍କ ପାଖରେ ରଖି‌ଲେ। ଛାୟା ସୀତାଙ୍କୁ ଅପହରଣ କରିନେଇ ରାବଣ ଲଙ୍କାରେ ରଖିଲା। ରାବଣର ମୃତ୍ୟୁ ପରେ  ଯେତେବେଳେ ସତୀତ୍ବ ପରୀକ୍ଷା ଛଳରେ ସୀତା ଅଗ୍ନିରେ ପ୍ରବେଶ କଲେ, ଅଗ୍ନି ଛାୟାସୀତାଙ୍କୁ ସଙ୍ଗରେ ନେଇ ରାମଙ୍କ ସୀତାଙ୍କୁ ରାମଙ୍କୁ ସମର୍ପଣ କରିଦେଲେ। ସେତେବେଳେ ଛାୟାସୀତା ଅଗ୍ନିଙ୍କୁ ପଚାରିଥିଲେ- ଏବେ ମୁଁ କ’ଣ କରିବି? ଅଗ୍ନି ଛାୟାସୀତାଙ୍କୁ ପୁଷ୍କର ଯାଇ ତପସ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହି ଛାୟାସୀତା ପୁନଶ୍ଚ ଦୁଷ୍ଟ ଦମନ କରିବା ଉଦ୍ଦେଶ୍ୟରେ ଦ୍ରୁପଦଙ୍କ ହୋମାଗ୍ନିରୁ ଦ୍ରୌପଦୀ ରୂପରେ ଆବିର୍ଭୂତା ‌େହଲେ। ସେ କୁରୁବଂଶର ଧ୍ବଂସ ଏବଂ ଜୟଦ୍ରଥ, ଶିଶୁପାଳ ଆଦିଙ୍କର ମୃତ୍ୟୁର କାରଣ ହେଲେ। ତିନି ଯୁଗରେ ଅଗ୍ନିରୁ ଜନ୍ମ ଓ ଅଗ୍ନିରେ ସମାହିତ ହୋଇଥିବାରୁ ତାଙ୍କର ଅନ୍ୟ ନାମ ହେଲା ତ୍ରିହାୟନୀ। ପୁଷ୍କରରେ ତପସ୍ୟା କାଳରେ ନିଜ ଅଜାଣତରେ ପାଞ୍ଚବାର ଶିବଙ୍କୁ ଭିନ୍ନ ଭିନ୍ନ ଗୁଣସଂପନ୍ନ ପତି ଭିକ୍ଷା କରିଥିବାରୁ ତାଙ୍କୁ ପାଞ୍ଚପତିଙ୍କର ପତ୍ନୀ ହେବାକୁ ପଡ଼ିଥିଲା ଏବଂ ପ୍ରତ୍ୟେକ ପତି ସହିତ ମିଳିତ ହେବା ପୂର୍ବରୁ ସେ  ଅଗ୍ନି ସ୍ନାନ କରି ନିଜକୁ ପବିତ୍ର କରୁଥିଲେ।
-ଡକ୍ଟର ତୁଳସୀ ଓଝା