ରାମାୟଣରେ ସୁଷେଣଙ୍କର ବହୁଳ ବର୍ଣ୍ଣନା ନ ଥିଲେ ମଧ୍ୟ ତାଙ୍କର ଭୂମିକା ଥିଲା ଅସାମାନ୍ୟ। ସୁଷେଣ ଥିଲେ ଲଙ୍କାର ରାଜବୈଦ୍ୟ। ଶକ୍ତି ଅସ୍ତ୍ରରେ ଯେତେବେଳେ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇ ପଡ଼ି ରହିଲେ, ସେତେବେଳେ ଜାମ୍ବବାନଙ୍କ ପରାମର୍ଶରେ ସୁଷେଣଙ୍କର ସହଯୋଗ ନିଆଗଲା। ସୁଷେଣ ଥିଲେ ସୁଦକ୍ଷ ଚିକିତ୍ସକ। ସଂପୂର୍ଣ୍ଣ ଆୟୁର୍ବେଦର ଜ୍ଞାତା। ତେଣୁ ହନୁମାନ ଯାଇ ତାଙ୍କ ବାସଗୃହ ସହିତ ସୁଷେଣଙ୍କୁ ଉଠାଇ ଆଣିଥିଲେ ଏବଂ ଜଣେ ଚିକିତ୍ସକର ଧର୍ମପାଳନ କରି, ଶତ୍ରୁମିତ୍ରର ଭେଦଭାବ ନ ରଖି, ଦ୍ରୋଣଗିରିରୁ ମୃତ ସଂଜୀବନୀ ବୁଟି ଅଣାଇ ଲକ୍ଷ୍ମଣଙ୍କର ଉପଚାର କରି ସୁଷେଣ ତାଙ୍କୁ ସଶକ୍ତ କରିଥିଲେ।
ଏହି ସୁଷେଣଙ୍କ ସଂପର୍କରେ ଏକ ସୁନ୍ଦର କିଂବଦନ୍ତି ଛତିଶଗଡ଼ ରାଜ୍ୟରେ ପ୍ରଚଳିତ। ତାଙ୍କର ମୂଳ ବାସସ୍ଥାନ ଥିଲା ଚନ୍ଦଖୁରୀ ବା ଚନ୍ଦ୍ରପୁରୀ ଗ୍ରାମ। ତାହା ମଧ୍ୟ ଶ୍ରୀରାମଙ୍କ ଜନନୀ ମାତା କୌଶଲ୍ୟାଙ୍କର ଜନ୍ମଭୂମି। ପୁରାଣର ବର୍ଣ୍ଣନା ଅନୁସାରେ, ବୈଦ୍ୟ ସୁଷେଣ ରାକ୍ଷସରାଜ ରାବଣର ନାଭିରେ ଅମୃତକଳସ ସ୍ଥାପନ କରି ଦେଇଥି‌େଲ। ରାବଣ ସୁଷେଣଙ୍କର ଆଶ୍ଚର୍ଯ୍ୟ କ୍ଷମତା ଦେଖି ରାକ୍ଷସ ଜାତିର ସଂରକ୍ଷଣ ଓ ଉତ୍‌ଥାନକୁ ଦୃଷ୍ଟିରେ ରଖି କୋଶଳ (ସଂପ୍ରତି ଛତିଶଗଡ଼) ରାଜ୍ୟରୁ ତାଙ୍କୁ ଅପହରଣ କରି ଆଣି ଲଙ୍କାରେ ରଖିଥିଲା। ରାବଣ ବଧ ପରେ ସୁଷେଣ ଲଙ୍କାରୁ ତାଙ୍କୁ ନେଇଯିବା ପାଇଁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ରାମଚନ୍ଦ୍ର ନିଜ ସହିତ ସୁଷେଣଙ୍କୁ ଅଯୋଧ୍ୟା ନେଇ ଆସି ପରବର୍ତ୍ତୀ କାଳରେ ତାଙ୍କୁ ତାଙ୍କର ଜନ୍ମଭୂମି ଚନ୍ଦଖୁରୀ (ଚନ୍ଦ୍ରପୁରୀ)କୁ ପଠାଇ ଦେଇଥିଲେ। 

Advertisment

ରାୟପୁରଠାରୁ ପ୍ରାୟ ୨୭ କିଲୋମିଟର ଦୂରରେ ଚନ୍ଦ୍ରପୁରୀ ଗ୍ରାମ ଅବସ୍ଥିତ। ପୁରାଣ ବର୍ଣ୍ଣନା ଅନୁସାରେ ମହାକୋଶଳର ରାଜା ଭାନୁମନ୍ତଙ୍କର ପୁତ୍ରୀ ଥିଲେ କୌଶଲ୍ୟା। ସେ କୋଶଳାଧିପତି ଦଶରଥଙ୍କୁ ବିବାହ କରିଥିଲେ।  ସୀତାଙ୍କର ଭୂମିପ୍ରବେଶର କରୁଣ ଦୃଶ୍ୟରେ ଶୋକାକୁଳ ହୋଇ କୌଶଲ୍ୟା ସଙ୍ଗରେ  କୈକେୟୀ ଓ ସୁମିତ୍ରାଙ୍କୁ ନେଇ ଚନ୍ଦଖୁରୀ (ଚନ୍ଦ୍ରପୁରୀ) ଚାଲିଆସି ସେଠାରେ ତପସ୍ୟା କଲେ। ସେ ଏକ ସରୋବର ମଧ୍ୟରେ ରହିଲେ। କିନ୍ତୁ ସରୋବରର ପବିତ୍ର ଜଳ ଦୂଷିତ ହେବାରୁ‌ କୈକେୟୀ ଓ ସୁମିତ୍ରା ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଗଲେ। କିନ୍ତୁ କୌଶଲ୍ୟା ସେହିଠାରେ ରହିଗଲେ। ସେଠାର କୌଶଲ୍ୟା ସରୋବର ମଧ୍ୟରେ ରହିଛି କୌଶଲ୍ୟାମାତାଙ୍କ ମନ୍ଦିର। ଏହି ମନ୍ଦିର ଦଶମ ଶତାବ୍ଦୀର ବୋଲି ଐତିହାସିକମାନେ ମତ ଦିଅନ୍ତି। ଏଠାରେ ୫୧ଫୁଟ ଉଚ୍ଚର ଏକ ଶ୍ରୀରାମ ପ୍ରତିମା ରହିଛି। କୌଶଲ୍ୟାମାତା ମନ୍ଦିର ନିକଟରେ ରହିଛି ବୈଦ୍ୟ ସୁଷେଣଙ୍କର ଅାଶ୍ରମ। ସେଠାରେ ଏକ ପଥର କୀର୍ତ୍ତିକୁ ସୁଷେଣଙ୍କ ସମାଧି ବୋଲି ଗ୍ରହଣ କରାଯାଏ। ମାନ୍ୟତା ରହିଛି, ଏହାକୁ ସ୍ପର୍ଶ କଲେ ସମସ୍ତ ପ୍ରକାରର ଅସାଧ୍ୟ ରୋଗରୁ ମୁକ୍ତି ମିଳେ। ସଂପ୍ରତି ଛତିଶଗଡ଼ ସରକାର ଶ୍ରୀରାମବନଗମନ ପଥର ନଅ ଗୋଟି ସ୍ଥାନକୁ ପର୍ଯ୍ୟଟନ ସ୍ଥ‌ଳରେ ପରିଣତ କରିବା ପାଇଁ ସ୍ଥିର କରିଛନ୍ତି। ସେଗୁଡ଼ିକ ହେଲା ସୀତାମଢ଼ି, ହରଚୌକା, ରାମଗଡ଼, ଶବରୀନାରାୟଣ, ତୁରତୁରିୟା, ରାଜିମ, ସିହାୱା (ସପ୍ତଋଷି) ଆଶ୍ରମ ଓ ସୁଷେଣ ଜନ୍ମଭୂମି ଚନ୍ଦଖୁରୀ।
-ଡକ୍ଟର ତୁଳସୀ ଓଝା