ବିଶ୍ବାମିତ୍ର ମିଥିଳାର ଆମ୍ରକାନନରେ ଶିଷ୍ୟମାନଙ୍କ ସହିତ ଆସି ବିଶ୍ରାମ ନେଉଛନ୍ତି ଶୁଣି ମିଥିଳା ନରେଶ ମହାରାଜ ଜନକ ତାଙ୍କୁ ପାଛୋଟି ଆଣିବା ପାଇଁ ଆମ୍ରବନକୁ ଯାତ୍ରା କଲେ। ବିଶ୍ବାମିତ୍ରଙ୍କୁ ଦର୍ଶନ କରି ଆନନ୍ଦ ପୁଲକିତ ହୋଇ ଜନକ ମହର୍ଷି ବିଶ୍ବାମିତ୍ରଙ୍କୁ ଜନକପୁରୀରେ ପଦାର୍ପଣ କରିବା ପାଇଁ ପ୍ରାର୍ଥନା କଲେ। ଜନକଙ୍କର ସବୁ ଆନନ୍ଦ ଓ ପ୍ରଫୁଲ୍ଲତା ମଧ୍ୟରେ କିପରି ଏକ ଦ୍ବନ୍ଦ୍ବ, ସଂଶୟ ଓ ବିଷଣ୍ଣ ଭାବ ଦେଖି ବିଶ୍ବାମିତ୍ର ଜନକଙ୍କୁ ନିଃସଂକୋଚରେ ନିଜର ମନୋଭାବ ପ୍ରକାଶ କରିବା ପାଇଁ ଅଭୟ ପ୍ରଦାନ କରିବାରୁ ଶଙ୍କିତ ହୋଇ ଜନକ କହିଲେ, ମହର୍ଷି ପର୍ଶୁରାମ, ଆପଣ ଏବଂ ମୁଁ, ମୋ ଜାଣିବାରେ ଦେବ ଦେବ ମହାଦେବଙ୍କର ପବିତ୍ର ପିନାକକୁ ଉଠାଇବାକୁ କେବଳ ସମର୍ଥ। କିନ୍ତୁ ଏକଦା ମୁଁ ଦେଖିଲି ମୋର ଦିବ୍ୟଜନ୍ମା କନ୍ୟା ସୀତା ଶିବ ଧନୁ ଉଠାଇବାର କୌଶଳ ନ ଜାଣି ଏହାକୁ ଉଠାଇ ସଫାକରି ପୂଜା କରୁଥିଲା। ତାହା ଦେଖି ମୋ ମନରେ ଆସିଲା ମୋର ଏପରି ଅସୀମ ଶକ୍ତିଧାରିଣୀ କନ୍ୟାର ପତି ହେବା ପାଇଁ ସେହି ବୀର ହିଁ ଉପଯୁକ୍ତ ହେ‌େବ ଯେ ଶିବ ଧନୁରେ ଗୁଣ ସଂଯୋଗ କରିପାରି‌େବ। ଏବେ କିନ୍ତୁ ମନରେ ସଂଶୟ ଆସୁଛି ଦୁରାଚାରୀ ରାବଣ ଏ ଧନୁ ପ୍ରାପ୍ତି ପାଇଁ ଲାଳାୟିତ। ଅନେକ ବୀର ରାଜା ମିଥିଳା ଆଗମନ କରିସାରିଲେଣି। ରାବଣ କିମ୍ବା କୌଣସି ଦୁରାଚାରୀ କ୍ଷତ୍ରୀୟ ଯଦି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଆନ୍ତି ତେବେ ସୃଷ୍ଟିର ବିନାଶ ଅବଶ୍ୟମ୍ଭାବୀ। ମୋର ଏପରି ଏକ ନିଷ୍ପତ୍ତି ଏବେ ମତେ ସଂଶୟାଚ୍ଛନ୍ନ କରିଦେଇଛି। 

Advertisment

ଜନକଙ୍କୁ ଏପରି ଚିନ୍ତାଗ୍ରସ୍ତ ଦେଖି ବିଶ୍ବାମିତ୍ର କୋମଳ କଣ୍ଠରେ କହିବାକୁ ଆରମ୍ଭ କଲେ- ‘‘ରାଜନ୍‌, ଆପଣ ମନରୁ ଚିନ୍ତା ଦୂର କରନ୍ତୁ। ରାବଣ କିମ୍ବା କୌଣସି କ୍ଷତ୍ରୀୟ ଶିବ ଧନୁ ଉଠାଇବାକୁ ସକ୍ଷମ ହେବେ ନାହିଁ, ଗୁଣ ଚଢ଼ାଇବା ତ ଦୂରର କଥା। ଭୂମିସୁତା ସୀତା ଅଯୋନି ସଂଭୂତା। ସ୍ବୟଂ ମହାଲକ୍ଷ୍ମୀ। ତେଣୁ ଯେ କେହି ତାଙ୍କର ପତି ହେବା ଅସମ୍ଭବ। ସ୍ବୟଂ ନାରାୟଣ ହିଁ ତାଙ୍କର ପତି ହେବେ। ଏ ଯେଉଁ ଦୁଇ ନବଯୁବକଙ୍କୁ ତୁମେ ଦେଖୁଛ ତାଙ୍କ ମଧ୍ୟରୁ ଏ ଜ୍ୟେଷ୍ଠ ରାଜକୁମାର ଅଯୋଧ୍ୟାପତି ଦଶରଥଙ୍କର ପୁତ୍ର, ସ୍ବୟଂ ନାରାୟଣଙ୍କର ଅବତାର। ତେଣୁ ମନରୁ ସନ୍ଦେହ ଦୂର କର। ଶିବଧନୁରେ ଗୁଣ ଚଢ଼ାଇବାକୁ ସେ ହିଁ ସମର୍ଥ। ହଁ, ଏକଥା ତୁମ ବ୍ୟତୀତ ଆ‌ଉ ଯେପରି କେହି ନ ଜାଣେ। ଯଥାରୀତି ସ୍ବୟଂବର ପ୍ରକ୍ରିୟା ଆରମ୍ଭ କର।’’ ବିଶ୍ବାମିତ୍ରଙ୍କ ଠାରୁ ଆଶ୍ବାସନା ବାଣୀ ଶୁଣି ଜନକ ଆଶ୍ବସ୍ତ ହୋଇ ଜନକପୁରୀ ଲେଉଟିଗଲେ। ତା’ ପରଦିନ ରାମ, ଲକ୍ଷ୍ମଣ ଓ ବିଶ୍ବାମିତ୍ରଙ୍କୁ ମହାଆଡ଼ମ୍ବର ସହିତ ଜନକ ସ୍ବୟଂବର ସଭାକୁ ପାଛୋଟି ନେଇଗଲେ। ରାମ ଲକ୍ଷ୍ମଣଙ୍କ ମନମୋହକ ରୂପ ‌ଦର୍ଶନ କରି ମିଥିଳାବାସୀ ଆନନ୍ଦରେ ଗଦ୍‌ଗଦ୍ ହୋଇପଡ଼ିଲେ। ଏବଂ ଯେପରି ଭାବରେ ଆଡ଼ମ୍ବର ସହକାରେ ତାଙ୍କୁ ସଭା ସ୍ଥଳକୁ ପାଛୋଟି ନିଆଗଲା, ମିଥିଳାବାସୀ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ମନେ ମନେ ପ୍ରାର୍ଥନା କରିବସିଲେ ଦେବପୁତ୍ର ପରି ପ୍ରତୀୟମାନ ହୋଇଥିବା ଏହି ଜ୍ୟେଷ୍ଠ କୁମାର ଯଦି ଶିବଧନୁ ଉଠାଇବାରେ ସକ୍ଷମ ହେବେ ଏହି ଯୁବକ ହିଁ ହେବେ ସୀତାଙ୍କର ଉପଯୁକ୍ତ ପାତ୍ର।
- ଡକ୍ଟର ତୁଳସୀ ଓଝା