ତ୍ରିକାଳଦର୍ଶୀ ବିଶ୍ବାମିତ୍ର ଜାଣିଥିଲେ, ସ୍ବୟଂ ଭଗବାନ ବିଷ୍ଣୁ ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ର ରୂପରେ ଜନ୍ମଗ୍ରହଣ କରିଛନ୍ତି।  ମନୁଷ୍ୟ ରୂପରେ ମର୍ତ୍ତ୍ୟାବରଣ କରିଥିବା ଭଗବାନ ବିଷ୍ଣୁଙ୍କୁ ମାୟାବୀ ରାକ୍ଷସମାନଙ୍କ ସହିତ ଯୁଦ୍ଧ କରିବାକୁ ହେଲେ ସମସ୍ତ ମାୟାଭେଦ କୌଶଳ ଶିକ୍ଷା କରିବାକୁ ହେବ। ପର୍ଶୁରାମ ଏ ସମସ୍ତ ବିଦ୍ୟାର ଜ୍ଞାତା ହେଲେ ମଧ୍ୟ ସେ କ୍ଷତ୍ରିୟବିରୋଧୀ ହୋଇଥିବା ହେତୁ ରାମଙ୍କୁ ଶିକ୍ଷା ଦେବେ ନାହିଁ। ତେଣୁ ବିଶ୍ବାମିତ୍ର ନିଶ୍ଚିତ କରିଥିଲେ ଯେ ସେ ରାମଚନ୍ଦ୍ରଙ୍କୁ ସମସ୍ତ ଅସ୍ତ୍ରବିଦ୍ୟା ଶିକ୍ଷା ଦେବେ।

Advertisment

ପ୍ରଥମେ ତାଡ଼କାବଧ ନିମିତ୍ତ ସେ ରାମଚନ୍ଦ୍ରଙ୍କୁ ବଳା ଓ ଅତିବଳା ବିଦ୍ୟା ଅଭ୍ୟାସ କରାଇଥିଲେ। ତାଡ଼କାବଧ ପରେ ସେ ପ୍ରୀତ ହୋଇ ରାମଚନ୍ଦ୍ରଙ୍କୁ ଆଶୀର୍ବାଦ କରିବା ସହିତ ସମସ୍ତ ଦିବ୍ୟାସ୍ତ୍ର ପ୍ରଦାନ କରିବା ନିମିତ୍ତ ଇଚ୍ଛା ପ୍ରକାଶ କଲେ; ଯାହା ଫଳରେ ରାମଚନ୍ଦ୍ର ଦେବତା, ଅସୁର, ଗନ୍ଧର୍ବ, ଯକ୍ଷ ଓ ନାଗ ଆଦି ସମସ୍ତଙ୍କୁ ପରାଭୂତ କରିପାରିବେ। 

ବିଶ୍ବାମିତ୍ର ପ୍ରଥମେ ରାମଚନ୍ଦ୍ରଙ୍କୁ କୋଦଣ୍ଡ ନାମକ ଏକ ଧନୁ ପ୍ରଦାନ କଲେ। ତାହା ପରଂବ୍ରହ୍ମ ଶ୍ରୀବିଷ୍ଣୁଙ୍କର ସାରଙ୍ଗ ଧନୁର ସମକକ୍ଷ ଥିଲା। ଏହାପରେ ସେ ରାମଚନ୍ଦ୍ରଙ୍କୁ  ଦଣ୍ଡଚକ୍ର, ଧର୍ମଚକ୍ର, କାଳଚକ୍ର, ବିଷ୍ଣୁଚକ୍ର, ଐନ୍ଦ୍ରଚକ୍ର ଆଦି ଅସ୍ତ୍ର ପ୍ରଦାନ କଲେ। ଏହା ସହିତ ଇନ୍ଦ୍ରଙ୍କ ବଜ୍ରାସ୍ତ୍ର,  ଶିବଙ୍କ ତ୍ରିଶୂଳ, ବ୍ରହ୍ମାଙ୍କ ବ୍ରହ୍ମଶିର, ମୋଦକୀ ଓ ଶିଖରୀ ନାମକ ଦୁଇଟି ସୁନ୍ଦର ଗଦା, ଧର୍ମପାଶ, କାଳପାଶ, ବରୁଣପାଶ ଆଦି ଉତ୍ତମ ଅସ୍ତ୍ର ସହିତ ଅଗ୍ନିଙ୍କର ପ୍ରିୟ ଆଗ୍ନେୟ‌ାସ୍ତ୍ର, ମାହେଶ୍ବରୀ ଧନୁର୍ବିଦ୍ୟା, ଭୂତ, ପିଶାଚ, ଯକ୍ଷ, ଗନ୍ଧର୍ବ ଆଦି ବ୍ୟବହାର କରୁଥିବା ଉତ୍ତମ ଅସ୍ତ୍ରମାନ ବ୍ରହ୍ମର୍ଷି ବିଶ୍ବାମିତ୍ର ରାମଙ୍କୁ ପ୍ରଦାନ କରିବା ସହିତ ଏହି ଅସ୍ତ୍ରମାନଙ୍କୁ ଆବାହନ ଓ ବିସର୍ଜନ କରିବାର ଶିକ୍ଷା ମଧ୍ୟ ପ୍ରଦାନ କଲେ। ଏହାଦ୍ବାରା ଯେ କୌଣସି ବର୍ଗର ପ୍ରାଣୀ, ଯକ୍ଷ, ରାକ୍ଷସ, ଦୈତ୍ୟ ଓ ଗନ୍ଧର୍ବ ଆଦିଙ୍କ ସହିତ ଯୁଦ୍ଧ କଲାବେଳେ କେବଳ ଆବଶ୍ୟକ ଅନୁସାରେ ସେହି ପ୍ରାଣୀଙ୍କୁ ପରାଜିତ କରିବାପାଇଁ ଯେଉଁ ଅସ୍ତ୍ରର ଆବଶ୍ୟକତା ରହିବ, ସେହି ଅସ୍ତ୍ରକୁ ସେ ଆବାହନ କରି ଯୁଦ୍ଧ ଶେଷରେ ତାହାକୁ ବିସର୍ଜନ କରିପାରିବେ। ଏପରିକି ଇଚ୍ଛା ଅନୁସାରେ ରୂପଧାରଣ କରିପାରୁଥିବା ଅସ୍ତ୍ରମାନଙ୍କୁ ମଧ୍ୟ ବିଶ୍ବାମିତ୍ରଙ୍କ ପ୍ରେରଣାରେ ରାମଚନ୍ଦ୍ର ଗ୍ରହଣ କଲେ।

ରାମଚନ୍ଦ୍ର ଯେତେବେ‌େଳ ଏହି ଅସ୍ତ୍ରମାନଙ୍କୁ ଆବାହନ କରିବାର ମନ୍ତ୍ର ଜପ କଲେ, ସମସ୍ତ ଅସ୍ତ୍ର ଶ୍ରୀରାମଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କୁ ପ୍ରଣାମ କଲେ ଏବଂ ଆବଶ୍ୟକ ସମୟରେ ସେବା କରିବାପାଇଁ ପ୍ରସ୍ତୁତ ରହିବାର ପ୍ରତିଶ୍ରୁତି ଦେଲେ। ରାମଚନ୍ଦ୍ର ‌ସେହି ସମସ୍ତ ଅସ୍ତ୍ରଙ୍କୁ ନିଜ ମନ ମଧ୍ୟରେ ନିବାସ କରିବାକୁ ଅନୁରୋଧ କରି ବିଶ୍ବାମିତ୍ରଙ୍କ ସହିତ ତାଡ଼କା ବନ ଅତିକ୍ରମ କଲେ ଏବଂ ସିଦ୍ଧାଶ୍ରମ ଉଦ୍ଦେଶ୍ୟରେ ଯାତ୍ରା କଲେ।
–ଡକ୍ଟର ତୁଳସୀ ଓଝା