ରାମଭକ୍ତ ହନୁମାନ ଶ୍ରୀରାମଙ୍କ ନାମ ନେଇ ଯେତେବେଳେ ସୀତାଙ୍କ ଅନ୍ବେଷଣରେ ଲଙ୍କା ଯିବା ପାଇଁ ଲମ୍ଫ ପ୍ରଦାନ କଲେ, ଅଧାବାଟରେ ବରୁଣଙ୍କ ନିର୍ଦ୍ଦେଶରେ ମୈନାକ ତାଙ୍କୁ ବିଶ୍ରାମ ନେବାପାଇଁ ଅନୁରୋଧ କଲେ। ସେତେବେଳେ ହନୁମାନଙ୍କର ମାତ୍ର ଗୋଟିଏ ପାଦର ଭାରା ମୈନାକ ସହ୍ୟ କରି ପାରିଲା ନାହିଁ।
‘‘ହନୁମନ୍ତ ଭାରା ଯେ ସହି ନପାରିଲା ତେଡ଼େ ମହାବୀର ଯେ ଜଳରେ ବୁଡ଼ିଗଲା।’’
ଏଥିରୁ ମୌନାକ ହନୁମାନଙ୍କର ବଳ ବିକ୍ରମ ଜାଣି, ତାଙ୍କୁ ପ୍ରଣାମ କଲା ଏବଂ ଲଙ୍କା ଯାତ୍ରା ପାଇଁ ପଥ ପରିଷ୍କାର କରିଦେଲା। ହନୁମାନଙ୍କର ବଳବିକ୍ରମର ସୂଚନା ପାଇ ରାବଣର ଅତ୍ୟାଚାରରେ ଅତିଷ୍ଠ ଦେବତାମାନେ ଆନନ୍ଦିତ ହେଲେ। ସେମାନେ ନିଶ୍ଚିତ ହେଲେ ଯେ ହନୁମାନ ଅବଶ୍ୟ ରାମଙ୍କ କାର୍ଯ୍ୟ ସିଦ୍ଧ କରିବେ। ତଥାପି ଇନ୍ଦ୍ରଙ୍କ ମନରେ ସଂଶୟ ଜାତ ହେଲା, ସତରେ କ’ଣ ରାବଣ ସହିତ ଯୁଦ୍ଧ କରିବାପାଇଁ ହନୁମାନ ସମର୍ଥ ହେବେ? ଏଥିପାଇଁ ଦେବତା, ସିଦ୍ଧ, ତପସ୍ବୀମାନଙ୍କ ସହିତ ପରାମର୍ଶ କରି ନାଗମାତା ସୁରସାଙ୍କୁ ସେ ହନୁମାନଙ୍କର ବିକ୍ରମ ପରୀକ୍ଷା କରିବା ନିମିତ୍ତ ପଠାଇଲେ।
ନାଗମାତା ସୁରସା ବହୁରୂପ ଧାରଣ କରିବାରେ ସିଦ୍ଧହସ୍ତା। ଆଦିଶକ୍ତି ଯେତେବେଳେ ରାକ୍ଷସ ଦମନ ନିମିତ୍ତ ମର୍ତ୍ତ୍ୟରେ ଆବିର୍ଭୂତା ହୁଅନ୍ତି ଭୁଜଙ୍ଗ ମାତା ସୁରସା ସେଥିରେ ଏକ ବିଶେଷ ଅଂଶ ଗ୍ରହଣ କରିଥାନ୍ତି। ଇନ୍ଦ୍ରଙ୍କ ଅନୁେରାଧରେ ମାତା ସୁରସା ଏକ ବିକଟ ରାକ୍ଷସୀ ରୂପ ଧାରଣ କରି, ସମୁଦ୍ର ମଧ୍ୟରୁ ଉତ୍ଥିତ ହେଇ ହନୁମାନଙ୍କ ଆଗରେ ଉଭା ହେଲେ। ବିକଟ ବଦନା, ବିକରାଳ ମୁଖଗହ୍ବରା, ରକ୍ତଲୋଚନା, ଉନ୍ମୁକ୍ତକେଶା ସୁରସା ହନୁମାନଙ୍କୁ ଗ୍ରାସ କରିବାକୁ ଉଦ୍ୟତ ହେବାରୁ ହନୁମାନ ନିଜ ଶରୀରକୁ ବୃଦ୍ଧି କରିବାକୁ ଲାଗିଲେ। ସେ ନିଜକୁ ଯେତେବଡ଼ କଲେ ରାକ୍ଷସୀ ତାହାଠାରୁ ଅଧିକ ବଡ଼ ହେବାରୁ ହନୁମାନ ଚିନ୍ତିତ ହୋଇପଡ଼ିଲେ। କିପରି ଏ ରାକ୍ଷସୀ କବଳରୁ ମୁକ୍ତିପାଇବେ ଚିନ୍ତା କରି ପିତା ପବନଦେବଙ୍କୁ ସ୍ମରଣ କଲେ।
ପବନଦେବ କହିଲେ, ଏ ଦେବମାତା। ତୋର ବଳବିକ୍ରମ ପରୀକ୍ଷା କରିବାପାଇଁ େଦବତାମାନେ ଏହାଙ୍କୁ ପଠାଇଛନ୍ତି। ହନୁମାନଙ୍କୁ ଏହା ଖୁବ୍ ଆଘାତ ଦେଲା। ନିଜର ବଳ ବିକ୍ରମ ସଂପର୍କରେ ସେ ସଂପୂର୍ଣ୍ଣ ସଚେତନ ଥିଲେ ମଧ୍ୟ େଦବମାତା ଓ ନାଗମାତା ସୁରସା ତ ସମସ୍ତଙ୍କର ମାତା। ପୁତ୍ର େହାଇ ଏହାଙ୍କ ସହିତ କିପରି ଯୁଦ୍ଧ କରିବି, ଏହା ଚିନ୍ତା କରି ସେ ଏକ କ୍ଷୁଦ୍ର ରୂପ ଧାରଣ କରି ଦେବୀଙ୍କର ମୁଖ ଗହ୍ବରରେ ପ୍ରବେଶ କଲେ। ଏବଂ ଆହୁରି କ୍ଷୁଦ୍ର ରୂପ ଧାରଣ କରି କର୍ଣ୍ଣଗହ୍ବର ମଧ୍ୟେଦଇ ବାହାରି ଆସିଲେ। ଦେବୀଙ୍କ ସମ୍ମୁଖରେ ଉଭାହୋଇ ପ୍ରାର୍ଥନା କରି ସେ କହିଲେ- ଯେଉଁ କାରଣ ନିମିତ୍ତ ଦେବତାମାତେ ତୁମକୁ ପଠାଇଥିଲେ ତାହା ତ ସମ୍ଭବ ହେଲା। ମୁଁ ତୁମ ଉଦର ମଧ୍ୟରେ ପ୍ରବେଶ କରି ତୁମର ଭକ୍ଷ ହେଲି। କିନ୍ତୁ ତୁମେ ଦେବମାତା ଜାଣି ସେହିପରି ତୁମ ଉଦରରୁ ତୁମ କର୍ଣ୍ଣପଥ ଦେଇ ବାହାରି ଆସିଲି। ଏବେ େମାତେ ମାତା ସୀତାଙ୍କ ଅନୁସନ୍ଧାନ ନିମିତ୍ତ ଅନୁମତି ପ୍ରଦାନ କରନ୍ତୁ।
ସୁରସା ଏହା ଶୁଣି ଅତ୍ୟନ୍ତ ପ୍ରସନ୍ନ ହୋଇ ନିଜର ସ୍ବାଭାବିକ ସ୍ବରୂପ ଧାରଣ କରି ହନୁମାନଙ୍କୁ ଆଶୀର୍ବାଦ କଲେ, ଏବଂ ଅନ୍ତର୍ଦ୍ଧାନ ହୋଇଗଲେ। ହନୁମାନଙ୍କର ବଳ ସହିତ ବୁଦ୍ଧି ସଂଯୁକ୍ତ ହେବା ଦେଖି ଦେବତାମାନେ ଅତ୍ୟନ୍ତ ଆନନ୍ଦିତ ହେଲେ। ହନୁମାନଙ୍କ ପରୀକ୍ଷାର ଅନ୍ତ ହେଲା। ହନୁମାନ ଲଙ୍କା ଯାତ୍ରା କରିବା ସମୟରେ ଏହିପରି ଭାବରେ ଚାରିଜଣ ନାରୀଙ୍କୁ ଭେଟିଥିଲେ। ସେମାନେ କୌଣସି ନା କୌଣସି ଆଳରେ ହନୁମାନଙ୍କ ଯାତ୍ରା ପଥରେ ବାଧା ସୃଷ୍ଟି କରିଥିଲେ ଏବଂ ହନୁମାନଙ୍କର ବଳ, ବୁଦ୍ଧି ଓ ବିକ୍ରମଦ୍ବାରା ପରାହତ ହୋଇ ନିଜ ପଥରେ ବାହୁଡ଼ି ଯାଇଥିଲେ।
-ଡକ୍ଟର ତୁଳସୀ ଓଝା