ଭାରତୀୟ ସଂସ୍କୃତିରେ ବଟବୃକ୍ଷର ଏକ ବି‌େଶଷ ମହତ୍ତ୍ବ ରହିଛି। କାରଣ, ପୁରାଣରେ ଏହି ବୃକ୍ଷ ସର୍ବକାମନାପୂର୍ତ୍ତିର ପ୍ରତୀକ ଭାବରେ ବର୍ଣ୍ଣିତ ହୋଇଛି। ‘ରାମାୟଣ’ର ବର୍ଣ୍ଣନା ଅନୁସାରେ, ଭରଦ୍ବାଜ ମୁନିଙ୍କ ନିର୍ଦ୍ଦେଶରେ ସୀତା ଯମୁନା ତଟରେ ଥିବା ଶ୍ୟାମବଟ ପାଖରେ ବିନା ବାଧାବିଘ୍ନରେ ବନବାସକାଳ ପରିପୂର୍ଣ୍ଣ କରିବା ନିମିତ୍ତ ପ୍ରାର୍ଥନା କରିଥିଲେ। ସେହିପରି, ସେଥିରେ ଅନ୍ୟଏକ ବଟବୃକ୍ଷର ଉଲ୍ଲେଖ ଦେଖାଯାଏ, ଯାହାର ନାମ ନିକୁମ୍ଭୀଲା ବଟ। ଏହି ବଟଛାୟାରେ ବସି ଯଜ୍ଞ କଲେ ଦେବୀ ନିକୁମ୍ଭୀଲା ଆବିର୍ଭୂତ ହୋଇଥାନ୍ତି। 

Advertisment

ରାବଣ ସ୍ବର୍ଗରାଜ୍ୟ ଅଧିକାର କରିବା ନିମିତ୍ତ ଯୁଦ୍ଧ କରିବା ସମୟରେ ତାକୁ ଅବସନ୍ନ ହେବାର ଦେଖି, ପୁତ୍ର ମେଘନାଦ ଗୁରୁ ଶୁକ୍ରାଚାର୍ଯ୍ୟଙ୍କଠାରୁ ଗ୍ରହଣ କରିଥିବା ମାୟାଯୁଦ୍ଧରେ ସ୍ବର୍ଗରାଜ୍ୟ ଜୟ କଲା ଏବଂ ଇନ୍ଦ୍ରଙ୍କୁ ବନ୍ଦୀକରି ଲଙ୍କାକୁ ନେଇଆସିଲା। ଏଥିରେ ବ୍ୟାକୁଳ ହୋଇ ଦେବଗଣ ପ୍ରଜାପତି ବ୍ରହ୍ମାଙ୍କୁ ଇନ୍ଦ୍ରଙ୍କ ମୁକ୍ତି ନିମିତ୍ତ ନିବେଦନ କଲେ। ବ୍ରହ୍ମା ମେଘନାଦ ପାଖରେ ପହଞ୍ଚି ଇନ୍ଦ୍ରଙ୍କୁ ମୁକ୍ତ କରିବା ନିମିତ୍ତ ତାକୁ ବର ଯାଚିଲେ। ମେଘନାଦ ଅମରତ୍ବ ମାଗିବାରୁ ବ୍ରହ୍ମା ତାହା ପରିବର୍ତ୍ତେ ଅନ୍ୟ ବର ମାଗିବାକୁ କହିଲେ। ତେଣୁ ମେଘନାଦ ନିକୁମ୍ଭୀଲା ଦେବୀଙ୍କର ଅନୁଗ୍ରହ ପ୍ରାର୍ଥନା କରିଥିଲା। ଯୁଦ୍ଧଦେବୀ ମହାପ୍ରତ୍ୟଙ୍ଗିରା ହେଉଛନ୍ତି କାଳୀଙ୍କର ଅନ୍ୟରୂପ। ‘ତ୍ରିପୁର ରହସ୍ୟ’ ଗ୍ରନ୍ଥ ଅନୁସାରେ, ଏହି ଦେବୀ ତ୍ରିପୁରାସୁନ୍ଦରୀଙ୍କର କ୍ରୋଧରୁ ସଂଜାତ। ସାଧାରଣତଃ ଯୁଦ୍ଧରେ ବିଜୟ ପ୍ରାପ୍ତି ନିମିତ୍ତ ତାହାଙ୍କର ପୂଜନ କରାଯାଏ। ଲଙ୍କାସ୍ଥିତ ବଟବୃକ୍ଷ ଛାୟାରେ ଯଜ୍ଞ କରି ଓ ତାହାଙ୍କୁ ଆବାହନ କରି, ମେଘନାଦ ତାଙ୍କଠାରୁ ଅନେକ ମାୟା ଶକ୍ତି ଓ ଅସ୍ତ୍ରଶସ୍ତ୍ର ପ୍ରାପ୍ତ ହୋଇଥିଲା। ତେଣୁ ସମୟକ୍ରମେ ଏହି ଦେବୀ ରାବଣ ପରିବାରର କୁଳଦେବୀ ପାଲଟି ଯାଇଥିଲେ। 

ଏହି ଦେବୀଙ୍କର ସ୍ବରୂପ ଅଧାସିଂହ ଓ ଅଧା ନାରୀ। କଥିତ ଅଛି, ସେ ବିଷ୍ଣୁଶକ୍ତି ଓ ଶିବଶକ୍ତିର ସମ୍ମିଳିତ ରୂପ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେଘନାଦ ବ୍ରହ୍ମାଙ୍କୁ ଯେଉଁ ବର ମାଗିଥିଲା, ତାହା ଥିଲା- ଯଦି ତାନ୍ତ୍ରିକ ମତରେ ପଶୁବଳି ପ୍ରଦାନ କରି ନିକୁମ୍ଭୀଲା ସନ୍ତୁଷ୍ଟ ହୁଅନ୍ତି, ସେ ମେଘନାଦକୁ ଏପରି ଏକ ରଥ ପ୍ରଦାନ କରିବେ, ଯେଉଁ ରଥରେ ବିରାଜମାନ ହେଲେ ମେଘନାଦକୁ କେହି ଜୟକରି ପାରିବେ ନାହିଁ। କିନ୍ତୁ କୌଣସି କାରଣରୁ ଯଜ୍ଞ ସମାପ୍ତି (ପୂର୍ଣ୍ଣାହୁତି) ପୂର୍ବରୁ ମେଘନାଦ ଯଦି ଉଠି ଅସ୍ତ୍ର ଧାରଣ କରେ, ତାର ମୃତ୍ୟୁ ହେବ। କିନ୍ତୁ ସେହି ବ୍ୟକ୍ତି କେବଳ ମେଘନାଦକୁ ବଧ କରି ପାରିବ, ଯେ ଚଉଦ ବର୍ଷ ନିଦ୍ରା ଯାଇ ନ ଥିବ। ରାମାୟଣର ଯୁଦ୍ଧକାଣ୍ଡରେ ମେଘନାଦ ନିକୁମ୍ଭୀଲା ବଟ ତଳେ ତିନିଥର ଯଜ୍ଞ କରିଥିବାର ବର୍ଣ୍ଣନା ଅଛି। ପ୍ରଥମ ଥର- ଯଜ୍ଞରୁ ପ୍ରାପ୍ତ ଅଦୃଶ୍ୟ ରଥରେ ବସି ବାନର ସେନା ବିଧ୍ବଂସ, ଦ୍ବିତୀୟ ବାର ଦିବ୍ୟାସ୍ତ୍ର ପ୍ରାପ୍ତ ହୋଇ ସର୍ପବନ୍ଧନରେ ରାମ ଲକ୍ଷ୍ମଣଙ୍କୁ ବନ୍ଧନ  ଏବଂ ଲକ୍ଷ୍ମଣଙ୍କର ଶକ୍ତିଭେଦ ଏବଂ ତୃତୀୟ ବାର- କୁମ୍ଭକର୍ଣ୍ଣର ମୃତ୍ୟୁ ପରେ ଯଜ୍ଞରୁ ଅଜେୟ ରଥ ପ୍ରାପ୍ତି ନିମିତ୍ତ ପ୍ରାର୍ଥନା। ଏହି ତୃତୀୟ ଯଜ୍ଞ ଅସଂପୂର୍ଣ୍ଣ ହେବା ଫଳରେ ଲକ୍ଷ୍ମଣଙ୍କ ହସ୍ତରେ ମେଘନାଦ ନିହତ ହୋଇଥିଲା।
-ଡକ୍ଟର ତୁଳସୀ ଓଝା