ରାବଣର ମୃତ୍ୟୁ, ବିଭୀଷଣର ରାଜ୍ୟାଭିଷେକ, ସୀତାଙ୍କର ଅଗ୍ନିପରୀକ୍ଷା ଆଦି କାର୍ଯ୍ୟ ସମାପନ ପରେ ରାମ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ନିମିତ୍ତ ମନ ସ୍ଥିର କଲେ। ଲଙ୍କାପୁରୀର ସୁବେଳ ପର୍ବତରୁ ବାହାରି ସେ ଆସି ସେତୁବନ୍ଧର ପ୍ରାରମ୍ଭ ସ୍ଥାନରେ ପହଞ୍ଚିଲେ। ରାମ ସେଠାରେ ପହଞ୍ଚିବା ପରେ ତାଙ୍କର ମନେ ପଡ଼ିଲା, ଏହି ସ୍ଥାନରେ ସେ ବାଲିରେ ଏକ ଲିଙ୍ଗ ନିର୍ମାଣ କରି ଦେବଦେବ ମହାଦେବଙ୍କୁ ଆବାହନ କରିଥିେଲ ଏବଂ ଲଙ୍କା ବିଜୟ ନିମିତ୍ତ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ସେତେବେଳେ ଦେବୀ ପାର୍ବତୀ ମଧ୍ୟ ଆବିର୍ଭୂତା ହୋଇ ରାମଚନ୍ଦ୍ରଙ୍କୁ ଆଶୀର୍ବାଦ କରିଥିଲେ।
ଶ୍ରୀରାମଚନ୍ଦ୍ର ଲଙ୍କା ବିଜୟ କରି ଯେତେେବଳେ ଆସି ପମ୍ବନ ଠାରେ ପହଞ୍ଚିଲେ, ମୁନିଋଷି ଓ ଦେବଗଣ ରାମଚନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇବାପାଇଁ ସେଠାରେ ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରେ ମହାମୁନି ଅଗସ୍ତ୍ୟ ମଧ୍ୟ ଥିଲେ। ରାମଚନ୍ଦ୍ର ସେହି ମୁନିମାନଙ୍କ ସମକ୍ଷରେ ପ୍ରସ୍ତାବ ରଖିଲେ ଯେ ଏଠାରୁ ଯେତେବେଳେ ସେ ଲଙ୍କା ବିଜୟ ପାଇଁ ଯାତ୍ରା ଆରମ୍ଭ କରିଥିଲେ, ଏଠାରେ ସେ ଦେବଦେବ ମହାଦେବଙ୍କୁ ପୂଜନ କରିଥିଲେ। ତେଣୁ ତାଙ୍କର ଇଚ୍ଛା ଥିଲା, ସେଠାରେ ସେ ଏକ ଶିବଲିଙ୍ଗ ପ୍ରତିଷ୍ଠା କରିବେ ଏବଂ ତାହା ଜନସମାଜ ପାଇଁ ସିଦ୍ଧିପ୍ରଦ ହେବ। ମୁନିଋଷିମାନେ ଏହାକୁ ଏକ ସ୍ବରରେ ସ୍ବାଗତ କଲେ। କୈଳାସ ପର୍ବତରୁ ଏକ ଶିବଲିଙ୍ଗ ଆଣିବା ପାଇଁ ରାମ ହନୁମାନଙ୍କୁ ଆଦେଶ ଦେଲେ। ହନୁମାନ କୈଳାସରେ ପହଞ୍ଚିବା ବେଳକୁ ଶିବ ସେଠାରେ ନ ଥିଲେ। ହନୁମାନ ଅପେକ୍ଷା କଲେ। ଶିବ ଫେରିଲା ପରେ ତାଙ୍କଠାରୁ ଶିବଲିଙ୍ଗ ନେଇ ଆସିବାକୁ ଡେରି ହେଉଥାଏ। ଶୁଭ ମୁହୂର୍ତ୍ତ ଗଡ଼ିଯାଉଥିବା କାରଣରୁ ମହାମୁନି ଅଗସ୍ତ୍ୟଙ୍କ ନିର୍ଦ୍ଦେଶରେ ଶ୍ରୀରାମ ପୁଣି ବାଲିରେ ଶିବଲିଙ୍ଗ ତିଆରି କରି ତାହାକୁ ପ୍ରତିଷ୍ଠା କଲେ। ଏହି ଲିଙ୍ଗଙ୍କୁ ପ୍ରକ୍ଷାଳନ କରିବା ପାଇଁ ଶୁଦ୍ଧଜଳର ଆବଶ୍ୟକତା ହେବାରୁ ସେ ଗଙ୍ଗାଙ୍କୁ ସ୍ମରଣ କରି ପାତାଳ ଲୋକକୁ ତୀର ମାରିଲେ। ପୃଥ୍ବୀ ଭେଦ କରି ସେହି ଜଳ ଉପରକୁ ଉଠିଲା। ରାମଚନ୍ଦ୍ର ସେହି ଶୁଦ୍ଧଜଳରେ ଶିବଲିଙ୍ଗଙ୍କର ଅଭିଷେକ କଲେ। ଧନୁଷ୍କୋଟିରେ ଏହି ଜଳ ଉତ୍ଥିତ ହୋଇଥିବାରୁ ଏହା କୋଟୀତୀର୍ଥ ଜଳ ଭାବରେ ପ୍ରସିଦ୍ଧ ହେଲା। ରାମଚନ୍ଦ୍ର ଏହି ଜଳରେ ସ୍ନାନକରି ବ୍ରହ୍ମହତ୍ୟା (ରାବଣ ବଧ ଜନିତ) ପାପରୁ ମୁକ୍ତ ହୋଇ ପୁଷ୍ପକ ବିମାନରେ ଆରୂଢ଼ ହୋଇ ଅଯୋଧ୍ୟା ଯାତ୍ରା କରିଥିଲେ।
ରାମ ପ୍ରତିଷ୍ଠା କରିଥିବା ସେହି ଶିବଲିଙ୍ଗ ରାମେଶ୍ବର ଜ୍ୟୋତିର୍ଲିଙ୍ଗ ଭାବରେ ପ୍ରସିଦ୍ଧ ହେଲା। ପରବର୍ତ୍ତୀ କାଳରେ ପାଣ୍ଡ୍ୟ ରାଜବଂଶର ରାଜତ୍ବ କାଳରେ ଏଠାରେ ଏକ ଦ୍ରାବିଡ଼ ଶୈଳୀରେ ନିର୍ମିତ ବିଶାଳ ମନ୍ଦିର ନିର୍ମିତ ହୋଇଥିଲା। ଏହି ମନ୍ଦିର ପରିସର ମଧ୍ୟରେ ବାଇଶଗୋଟି ଜଳପୂର୍ଣ୍ଣ କୁଣ୍ଡ ରହିଛି। କୁହାଯାଏ, ଲୁଣିପାଣିଯୁକ୍ତ ସମୁଦ୍ରତଟଦେଶର ଏହି ବାଇଶଟି କୁଣ୍ଡ ଅତ୍ୟନ୍ତ ରହସ୍ୟମୟ। ଏହା ମଧ୍ୟ କଥିତ ଅଛି, ଯେ ନିଜ ସୈନ୍ୟମାନଙ୍କର ତୃଷା ନିବାରଣ ନିମିତ୍ତ ରାମ ବାଇଶଟି ତୀର ମାରି ଏହି କୁଣ୍ଡକୁ ଜଳପୂର୍ଣ୍ଣ କରିଥିଲେ। ଆଶ୍ଚର୍ଯ୍ୟର କଥା ଏହି ପ୍ରତ୍ୟେକ କୁଣ୍ଡର ପାଣି ମିଠା ଓ ସ୍ବଚ୍ଛ। କିଛି କୁଣ୍ଡର ଜଳ ଶୀତଳ ଓ କିଛି କୁଣ୍ଡର ଜଳ ଉଷ୍ମ। ଏହା ସର୍ବପାପହର ଓ ସର୍ବରୋଗ ନିବାରକ। ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହି ରାମେଶ୍ବର ନାଥ ଅନ୍ୟତମ। ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ମାନ୍ୟତା ପ୍ରାପ୍ତ ଚାରିଧାମ ମଧ୍ୟରୁ ମଧ୍ୟ ଏହା ଅନ୍ୟତମ।
-ଡକ୍ଟର ତୁଳସୀ ଓଝା