କୁମ୍ଭକର୍ଣ୍ଣର ମୃତ୍ୟୁରେ ରାବଣ ଅତ୍ୟନ୍ତ ବିକଳ ହୋଇ ଉଠିଲା। ଇନ୍ଦ୍ରବିଜୟୀ ମେଘନାଦର ମହାନ ନାଗଫାଶ ଅସ୍ତ୍ର ଓ ଶକ୍ତିଅସ୍ତ୍ର ଉଭୟ ବିଫଳ ହେବା ସହିତ ମାତ୍ର ଗୋଟିଏ ଦିନ ଯୁଦ୍ଧରେ କୁମ୍ଭକର୍ଣ୍ଣର ମୃତ୍ୟୁ ତାକୁ ଅତ୍ୟନ୍ତ ବ୍ୟଥିତ କରି ପକାଇଲା। କୁମ୍ଭକର୍ଣ୍ଣର ଶିରକୁ ଧରି ସେ ବିଳାପ କରିବାର ଦେଖି ମେଘନାଦ ସହ୍ୟ କରିପାରିଲା ନାହିଁ। ସେ ରାବଣକୁ ସାନ୍ତ୍ବନା ଦେଇ କହିଲା, ବ୍ରହ୍ମାଙ୍କଠାରୁ ଲାଭ କରିଥିବା ଅଜୟ ରଥ ପାଇଁ ମୁଁ ବିଶେଷ ଯଜ୍ଞାନୁଷ୍ଠାନ କରିବା ନିମିତ୍ତ ନିକୁମ୍ଭୀଲା ମନ୍ଦିରକୁ ଯାଉଛି। ବିଭୀଷଣ ଏହାର ସୂଚନା ପାଇ ଶ୍ରୀରାମଙ୍କୁ କହିଲେ, ଦୁଷ୍ଟ ମାୟାବୀ ମେଘନାଦ ବର୍ତ୍ତମାନ ନିକୁମ୍ଭୀଲା ମନ୍ଦିରରେ ଅପାବନ ଯଜ୍ଞ ଆରମ୍ଭ କରୁଛି। ଏ ଯଜ୍ଞରେ ସେ ସିଦ୍ଧିଲାଭ କଲେ ମେଘନାଦକୁ ଆଉ ଜୟ କରିହେବ ନାହିଁ। ବ୍ରହ୍ମାଙ୍କ ବର ଅନୁସାରେ, ଦେବୀ ନିକୁମ୍ଭୀଲା ପ୍ରସନ୍ନ ହୋଇ ତାକୁ ଏକ ଅଜେୟ ରଥ ପ୍ରଦାନ କରିବେ। ତାହାକୁ ପାଇବା ପରେ ସେ ଆଉ କାହାଦ୍ବାରା ପରାଜିତ ହେବନାହିଁ।
ଏହା ଶୁଣି ଶ୍ରୀରାମ ଅଙ୍ଗଦ, ହନୁମାନ, ନଳ, ନୀଳ ଆଦି ବାନର ଯୋଦ୍ଧାମାନଙ୍କୁ ମେଘନାଦର ଯଜ୍ଞ ଧ୍ବଂସ କରିବା ନିମିତ୍ତ ପ୍ରେରଣ କଲେ ଏବଂ ମେଘନାଦ ବଧ ନିମିତ୍ତ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ। ବାନରସେନା ଯାଇ ଯଜ୍ଞସ୍ଥଳରେ ପହଞ୍ଚି ଦେଖିଲେ, ମେଘନାଦ ଚତୁଃପାର୍ଶ୍ବରେ ରାକ୍ଷସମାନଙ୍କୁ ଜଗାଇ ମଝିରେ ନିଜେ ବସି ରକ୍ତ ଓ ମହିଷ ଆହୁତି ଦେଇ ଯଜ୍ଞ କରୁଛି। ବାନରମାନେ ଏକତ୍ର ହୋଇ ରାକ୍ଷସମାନଙ୍କୁ ବଧ କରି ମେଘନାଦର ଯଜ୍ଞ ଭଙ୍ଗ କରିବାକୁ ପ୍ରଚେଷ୍ଟା କଲେ। ଏଥିରେ କ୍ରୋଧିତ ହୋଇ ମେଘନାଦ ଯଜ୍ଞ ଅସମାପ୍ତ ରଖି ଅସ୍ତ୍ରଧାରଣ କରି ଯୁଦ୍ଧ କରିବାକୁ ବାହାରିପଡ଼ିଲା। ଯୁଦ୍ଧ କରୁ କରୁ ଚତୁରତାର ସହିତ ମେଘନାଦ ନିକୁମ୍ଭୀଲା ବଟର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଲକ୍ଷ୍ୟ କରି ଯିବାକୁ ଲାଗିଲା। ଏହି ସମୟରେ ଲକ୍ଷ୍ମଣଙ୍କ ସହିତ ଥିବା ବିଭୀଷଣ ଲକ୍ଷ୍ମଣଙ୍କୁ ସତର୍କ କରାଇ, ନିକୁମ୍ଭୀଲା ବଟର ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ପୂର୍ବରୁ ତାକୁ ବଧ କରିବାକୁ ପରାମର୍ଶ ଦେଲେ। ଲକ୍ଷ୍ମଣ ରାମଙ୍କୁ ସ୍ମରଣ କରି ଦିବ୍ୟାସ୍ତ୍ର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଲେ।
ମେଘନାଦ ମଧ୍ୟ ନାନା ଦିବ୍ୟାସ୍ତ୍ର ପ୍ରୟୋଗ କରି ଲକ୍ଷ୍ମଣଙ୍କୁ କ୍ଷତ ବିକ୍ଷତ କରିବାକୁ ଚେଷ୍ଟା କଲା। କାରଣ, ସେ ଜାଣିଥିଲା, ବ୍ରହ୍ମାପ୍ରଦତ୍ତ ବର ଅନୁସାରେ ଚଉଦବର୍ଷ ଆହାର, ନିଦ୍ରା ଓ ମୈଥୁନ ତ୍ୟାଗ କରିଥିବା, ବିଶେଷକରି ନିଦ୍ରା ପରିହାର କରିଥିବା ବ୍ୟକ୍ତି କେବଳ ତାକୁ ମାରିପାରିବ। ଏବଂ ସେପରି ବ୍ୟକ୍ତି କେହି ପୃଥିବୀରେ ନଥିବେ। ଏହା ନିଶ୍ଚିତ ଥିବାରୁ ଲକ୍ଷ୍ମଣଙ୍କ ପ୍ରତି ତାର କୌଣସି ଭୟ ନ ଥିଲା। କିନ୍ତୁ ଲକ୍ଷ୍ମଣଙ୍କ ଶରରେ ତାର ରଥ, ସାରଥି ଓ ଅଶ୍ବ ସମସ୍ତେ ବିନଷ୍ଟ ହେବାରୁ କ୍ରମଶଃ ସେ ବିଚଳିତ ଓ ସଂଶୟାଚ୍ଛନ୍ନ ହୋଇପଡ଼ିଲା। ସତରେ କ’ଣ ରାମଚନ୍ଦ୍ର ସ୍ବୟଂ ବିଷ୍ଣୁ ଓ ଲକ୍ଷ୍ମଣ ଶେଷନାଗ! ଏମିତି ଚିନ୍ତା କରୁକରୁ ତାର ଚେତନା କ୍ରମଶଃ ଦୁର୍ବଳ ହୋଇପଡ଼ିଲା। ଲକ୍ଷ୍ମଣଙ୍କ ଐନ୍ଦ୍ରାସ୍ତ୍ରକୁ ଭେଦ କରିବାର ଶକ୍ତି ସେ ହରାଇବସିଲା। ଐନ୍ଦ୍ରାସ୍ତ୍ର ତାର ବକ୍ଷ ଭେଦ କଲା ଓ ସେ ଭୂତଳଶାୟୀ ହେଲା। ତିନିଦିନ ତିନିରାତି ଯୁଦ୍ଧପରେ ମେଘନାଦର ମୃତ୍ୟୁ ହେଲା। ମୃତ୍ୟୁ ବେଳକୁ ସେ ତଥାପି ବିସ୍ମୟରେ ଲକ୍ଷ୍ମଣକୁ ଚାହିଁ ଚାହିଁ ଶେଷ ନିଃଶ୍ବାସ ତ୍ୟାଗ କଲା। ତା’ର ବିସ୍ମୟର କାରଣ ଥିଲା- ସତରେ କଣ ଏ ଚଉଦବର୍ଷ ନିଦ୍ରା ଯାଇ ନ ଥିଲେ? ଏ କ’ଣ ନିଦ୍ରାବିଜୟୀ ଶେଷ ନାଗ?
-ଡକ୍ଟର ତୁଳସୀ ଓଝା